କାଶ୍ମୀର ଘାଟୀରେ ଥିବା ଆତଙ୍କବାଦୀଙ୍କ ପାଖରୁ ମିଳୁଛି ଆମେରିକୀୟ ସୈନ୍ୟଙ୍କ ଅସ୍ତ୍ରଶସ୍ତ୍ର, ବିକ୍ରି କରୁଛି ତାଲିବାନ

ନୂଆଦିଲ୍ଲୀ, ୨୪/୦୧ : କାଶ୍ମୀର ଘାଟୀରେ ଥିବା ଆତଙ୍କବାଦୀଙ୍କ ପାଖରୁ ମିଳୁଛି ଆମେରିକୀୟ ସୈନ୍ୟଙ୍କ ଅସ୍ତ୍ରଶସ୍ତ୍ର। ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହୃତ ପରେ ସେମାନେ ଛାଡ଼ି ଯାଇଥିବା ଅସ୍ତ୍ରଶସ୍ତ୍ର ସବୁକୁ ବିକ୍ରି କରୁଛି ତାଲିବାନ। ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁଯାୟୀ, ତାଲିବାନ ଠାରୁ ଏହି ଅସ୍ତ୍ରଶସ୍ତ୍ର କିଣୁଛି ଚୀନ ଓ ପାକିସ୍ତାନରେ ଥିବା ଆଇଏସଆଇ ସଙ୍ଗଠନ। ଆଇଏସଆଇ କାଶ୍ମୀର ଘାଟୀରେ ଥିବା ଆତଙ୍କବାଦୀଙ୍କୁ ଏହି ଅସ୍ତ୍ରଶସ୍ତ୍ର ସବୁକୁ ଯୋଗାଉଛି। ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ସ୍ଥାନୀୟ କାଶ୍ମୀରୀ ଆତଙ୍କୀ ସଙ୍ଗଠନ ପିପୁଲ୍ସ ଆଣ୍ଟି ଫାସିଷ୍ଟ ଫୋର୍ସର ଭିଡିଓରୁ ଏନେଇ ତଥ୍ୟ ମିଳିଛି।
ଆତଙ୍କବାଦୀମାନେ ଆମେରିକା ନିର୍ମିତ ଅସ୍ତ୍ରଶସ୍ତ୍ର ଏବଂ ଗୋଳା ବାରୁଦକୁ ବ୍ୟବହାର କରୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ଏହି ଆତଙ୍କୀ ସଙ୍ଗଠନ ଏହାର ଫଟୋ ସୋସିଆଲ ମିଡିଆରେ ଅପଲୋଡ କରିଛି। ଏହି ଫଟୋରେ ଆତଙ୍କବାଦୀଙ୍କ ନିକଟରେ ଏମ୍ ୨୪୯ଅଟୋମେଟିକ୍ ରାଇଫଲ, ୫୦୯ ଟାକ୍ଟିକାଲ୍ ଗନ୍, ଏମ୍ ୧୯୧୧ ପିସ୍ତଲ, ଏମ୍ ୪ କାର୍ବାଇନ୍ ଅସାଲ୍ଟ ରାଇଫଲ୍ ଥିବା ଦେଖିବାକୁ ମିଳିଛି। ପୁଞ୍ଛ୍ରେ ଭାରତୀୟ ସୁରକ୍ଷାବାହିନୀ ଉପରକୁ ହୋଇଥିବା ଆକ୍ରମଣରେ ଆତଙ୍କବାଦୀମାନେ ଏହି ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିବା ଆତଙ୍କୀ ସଙ୍ଗଠନ ଦାବି କରିଛି। ପୁଞ୍ଚ୍ରେ ହୋଇଥିବା ଆତଙ୍କୀ ଆକ୍ରମଣରେ ୯ ଜଣ ଭାରତୀୟ ଯବାନ ଶହୀଦ ହୋଇଥିଲେ।
ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହୃତ ପରେ ଏହାର ପ୍ରଭାବ ଜାମ୍ମୁ କାଶ୍ମୀର ଉପରେ ପଡ଼ିବ ବୋଲି ରକ୍ଷା ବିଶେଷଜ୍ଞମାନେ ଆକଳନ କରିଥିଲେ। ଏବେ ଏହି ଭାଇରାଲ୍ ଭିଡିଓରୁ ଏହା ସ୍ପଷ୍ଟ ହୋଇଛି। କାଶ୍ମୀରରେ ଥିବା ଆତଙ୍କବାଦୀଙ୍କୁ ତାଲିବାନ ଆମେରିକା ଦ୍ଵାରା ନିର୍ମିତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଉଛି। ସୂଚନା ଥାଉକି, ଆମେରିକୀୟ ସୈନ୍ୟ ଯେତେବେଳେ ଆଫଗାନିସ୍ତାନ ଛାଡିଥିଲେ ସେହି ସମୟରେ ୮୦ ମିଲିୟନ ଆମେରିକୀ ଡଲାରର ଅସ୍ତ୍ରଶସ୍ତ୍ର ଛାଡିଥିଲେ। ସେଗୁଡ଼ିକ ମଧ୍ୟରୁ ୬ ଲକ୍ଷରୁ ଅଧିକ ଅତ୍ୟାଧୁନିକ ରାଇଫଲ, ମେସିନ୍ ଗନ୍, ପିସ୍ତଲ, ଗ୍ରେନେଡ ଲଞ୍ଚର, ଆରପିଜି, ଡ୍ରୋନ୍, ନାଇଟ୍ ଭିଜନ, ରେଡିଓ ସିଷ୍ଟମ ରହିଛି।
ରକ୍ଷା ବିଶେଷଜ୍ଞ ଅନୁଯାୟୀ, ତାଲିବାନ ଏବେ ତାହାର ଅର୍ଥବ୍ୟବସ୍ଥାକୁ ମଜବୁତ କରିବା ପାଇଁ କାବୁଲ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ଅସ୍ତ୍ରଶସ୍ତ୍ର ଗୁଡ଼ିକୁ ଖୁଲମଖୁଲା ବିକ୍ରି କରୁଛି। ଏହାକୁ ଆଇଏସଆଇ ସଙ୍ଗଠନ କିଣି ଆତଙ୍କବାଦୀମାନଙ୍କୁ ଯୋଗାଉଛି।