କରୋନା ପାଇଁ ୩ ବର୍ଷ ପରେ ମିଳିଲା ବିବାହ ମୁଦି: ରୋସ୍ତୋରାଁରେ ହଜିଥିଲା ଫେସବୁକରେ ପାଇଲେ

ନୂଆଦିଲ୍ଲୀ ୨୭/୪: ପତିପତ୍ନୀଙ୍କ ପାଇଁ ବିବାହ ମୁଦି ଜୀବନର ଏକ ଅମୂଲ୍ୟ ସ୍ମୃତି । କିନ୍ତୁ ତା’ର ହଜିବା ଅତି କଷ୍ଟଦାୟକ । ଆମେରିକାର ଦମ୍ପତି ମାଇକ୍‌ ଏବଂ ଲିସାଙ୍କ ସହ ଏପରି ହୋଇଥିଲା। ତିନି ବର୍ଷ ପୂର୍ବେ ସେମାନେ ନିଜ ବିବାହ ମୁଦି ହଜାଇ ଦେଇଥିଲେ । ଏବେ କରୋନା ଭାଇରସ୍‌ କାରଣରୁ ତାହା ପୁଣି ସେମାନଙ୍କୁ ଏକ ରୋସ୍ତୋରାଁରୁ ମିଳିଛି ।

ଲକ୍‌ଡାଉନ୍‌ କାରଣରୁ ଏବେ ଫ୍ଲୋରିଡ଼ାର ପ୍ରାୟ ସବୁ ରେସ୍ତୋରାଁ ବନ୍ଦ ରହିଛି । ଏଭଳି ସମୟରେ ଫ୍ଲୋରିଡ଼ାରେ ଥିବା କୋକୋନଟ୍‌ ରେସ୍ତୋରାଁର ମ୍ୟାନେଜର୍‌ ରୟାନ କ୍ରିବୟ ରେସ୍ତୋରାଁର ମରାମତି କରି ତାକୁ ନୂଆ ରୂପ ଦେବାକୁ ଚିନ୍ତା କଲେ । ଏହା ପରେ ସେ କିଛି ଲୋକଙ୍କୁ ନେଇ ସଫେଇ ଆରମ୍ଭ କଲେ । ଏହି ସମୟରେ ତାଙ୍କୁ ଏକ ମୁଦି ଓ ସୁନାର କଏନ୍‌ ମିଳିଲା । ସେହି ମୁଦି ଉପରେ ମାଇକ୍‌ ଓ ଲିସା ଲେଖାଯାଇଥିଲା ।

ସେଥିରେ ଏକ ତାରିଖ ବି ଲେଖାଥିଲା । ମୁଦି ଓ କଏନ୍‌ ସମ୍ପର୍କରେ ସେ ରୋସ୍ତୋରାଁର ମାର୍କେଟିଂ ମ୍ୟାନେଜରଙ୍କୁ ଜଣାଇଲେ । ମାର୍କେଟିଂ ମ୍ୟାନେଜର ମୁଦି ଓ କଏନ୍‌ର ଫଟୋ ଫେସବୁକ୍‌ରେ ପୋଷ୍ଟ କଲେ । ଧୀରେ ଧୀରେ ପୋଷ୍ଟଟି ଭାଇରାଲ ହେବାକୁ ଲାଗିଲା । ପ୍ରାୟ ୫୦୦୦ ଲୋକେ ପୋଷ୍ଟକୁ ନିଜର ଟାଇମଲାଇନ୍‌ରେ ଶେୟାର କଲେ । ମାଇକ୍‌ ଓ ଲିସା ସେହି ପୋଷ୍ଟକୁ ଦେଖିବା ପରେ ସେଥିରେ ଦିଆଯାଇଥିବା ଫୋନ୍‌ ନମ୍ବରରେ ସମ୍ପର୍କ କଲେ ।

ମାଇକ୍‌ କହିଲେ ଯେ ୨୦୧୭ରେ ସେମାନେ ରେସ୍ତୋରାଁକୁ ଖାଇବାକୁ ଯାଇଥିଲେ, କିନ୍ତୁ ହାତ ଧୋଇବା ସମୟରେ ମୁଦିଟି କେଉଁଠି ଖସି ପଡ଼ିଥିଲା । ସେମାନେ ତାକୁ ବହୁତ ଖୋଜିବା ପରେ ବି ପାଇନଥିଲେ । ପ୍ରମାଣ ସ୍ୱରୂପ ଲିସା ସେହି ସମୟରେ ରେସ୍ତୋରାଁରେ ନିଆଯାଇଥିବା ଏକ ଫଟୋକୁ ଦେଖାଇଲେ । ଏହା ପରେ ମୁଦିଟିକୁ ସେମାନଙ୍କୁ ଫେରାଇ ଦିଆଯାଇଛି । ତେବେ ୧ ଲକ୍ଷ ୫୪ ହଜାର ଟଙ୍କାର କଏନ୍‌କୁ କେହି ନିଜର ବୋଲି ଦାବି କରିନଥିବାରୁ ତାକୁ ରେସ୍ତୋରାଁର ଟିପ୍‌ ବକ୍ସରେ ପକାଇ ଦିଆଯାଇଛି। ରେସ୍ତୋରାଁର ସବୁ କର୍ମଚାରୀ ତାକୁ ବାଣ୍ଟି ନେବେ ବୋଲି ରୟାନ କହିଛନ୍ତି ।

   ସମ୍ବନ୍ଧିତ ଖବର


ଏସିଆରେ ‘ସୁପରପାୱାର’: ଭାରତ ଚତୁର୍ଥ ଶକ୍ତିଶାଳୀ

ରାଜ୍ୟରେ କରୋନା ନେଲା ଆଉ ୧୬ ଜୀବନ: ମୃତ୍ୟୁସଂଖ୍ୟା ୧୧୬୮କୁ ବୃଦ୍ଧି

ରାଜ୍ୟରେ ଆଉ ୧୯୦୪ ଜଣ କରୋନା ପଜିଟିଭ‌ ଚିହ୍ନଟ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୨ ହଜାର ଟପିଲା

ଭାରତରେ ଏହି କମ୍ପାନୀ ବିକିବ ରୁଷୀୟ କରୋନା ଟିକା…

କୋଭିଡ୍‌ ଚିକିତ୍ସାର ନୂଆ ଆବିଷ୍କାର ନିମନ୍ତେ ୧୪ ବର୍ଷୀୟା ଭାରତୀୟ-ଆମେରିକୀୟ ବୈଜ୍ଞାନିକ ସମ୍ମାନିତ

ବିଧାନସଭାରେ ରାତି ବିତେଇଲେ ଆମ୍ ଆଦମୀ ବିଧାୟକ !