ଲକ୍‌ଡାଉନ୍‌ରେ ବିନା ଖାଦ୍ୟରେ ୧୩୫ କି.ମି ଚାଲିଲେ ଯୁବକ

ମୁମ୍ବାଇ ୨୭/୩ : ଲକ୍‌ଡାଉନ ଯୋଗୁ ଯାନବାହନ ଚଳାଚଳ ବନ୍ଦ ରହିଥିବା ବେଳେ ମହାରାଷ୍ଟ୍ରର ଜଣେ ୨୬ ବର୍ଷୀୟ ଯୁବକ ନିଜ ଘରକୁ ଯିବା ଲାଗି ବିନା ଖାଦ୍ୟରେ କେବଳ ପାଣି ପିଇ ଦୁଇଦିନ ଧରି ୧୩୫ କି.ମି. ଯାତ୍ରା କରିବା ଭଳି ଏକ ଘଟଣା ସାମ୍‌ନାକୁ ଆସିଛି । ଏହି ଯୁବକଙ୍କ ନାମ ନରେନ୍ଦ୍ର ସେଲ୍‌କେ । ପୁନେରେ ଏକ କମ୍ପାନିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଲକ୍‌ଡାଇନ ଯୋଗୁ କମ୍ପାନି ବନ୍ଦ ହେବା ଫଳରେ ସେ ଘରକୁ ଯିବାକୁ ସ୍ଥିର କରିଥିଲେ । ଚନ୍ଦ୍ରପୁର ଜିଲ୍ଲା ସାଓଲି ତହସିଲ ଅନ୍ତର୍ଗତ ଜମ୍ଭ ଗ୍ରାମରେ ତାଙ୍କ ଘର । କର୍ମସ୍ଥଳୀ ଠାରୁ ଘରର ଦୂରତା ପ୍ରାୟ ୧୬୦ କି.ମି. । ତେଣୁ ସେ ମନ ସ୍ଥିର କରି ମଙ୍ଗଳବାର ସକାଳୁ ଚାଲିବା ଆରମ୍ଭ କରିଥିଲେ ।

ରାସ୍ତାରେ ଦୋକାନ ବଜାର ବନ୍ଦ ଯୋଗୁ ଖାଇବାକୁ ପାଇନଥିଲେ । କେବଳ ପାଣି ପିଇ ଚାଲିଥିଲେ । ବୁଧବାର ରାତି ବେଳକୁ ସେ ୧୩୫ କି.ମି. ଅତିକ୍ରମ କରି ସିନେ୍ଧୱାଲି ଥାନା ଅନ୍ତର୍ଗତ ଶିବାଜୀ ସ୍କୋୟରରେ ପହଞ୍ଚିଥିଲେ । ସେଠାରେ ଡ୍ୟୁଟି କରୁଥିବା ଏସ୍‌ଆଇ ନିଶିକାନ୍ତ ରାମଟେକେ ତାଙ୍କୁ ରାତିରେ କୁଆଡେ ଯାଉଛନ୍ତି ବୋଲି ପଚାରିଥିଲେ । ପୁଲିସକୁ ନରେନ୍ଦ୍ର ସବୁ କଥା ଜଣାଇଥିଲେ । ତେବେ ନରେନ୍ଦ୍ର ଅତ୍ୟନ୍ତ ହାଲିଆ ହୋଇଯାଇଥିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତରମାନେ ତାଙ୍କୁ ଚିକିତ୍ସା କରିଥିଲେ । ଗୁରୁବାର ସକାଳେ ପୁଲିସ ପକ୍ଷରୁ ଏକ ଗାଡିରେ ନରେନ୍ଦ୍ରଙ୍କୁ ତାଙ୍କ ଘରେ ଚାଡିବାର ବ୍ୟବସ୍ଥା କରାଯାଇଥିଲା । ତେବେ କରୋନା ଭାଇରସ୍‌ ସଂକ୍ରମଣ ଆଶଙ୍କାରେ ନରେନ୍ଦ୍ରଙ୍କୁ ନିଜ ଘରେ ୧୪ଦିନ ସେଲ୍‌ଫ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି ।

   ସମ୍ବନ୍ଧିତ ଖବର


ଭୁବନେଶ୍ୱର , ଭଦ୍ରକ ସହ କଟକ ସମ୍ପୂର୍ଣ୍ଣ ସଟ୍ ଡାଉନ୍, ୪୮ଘଣ୍ଟା ବନ୍ଦ

ନଟ୍ ଆଉଟ୍!… କରୋନା ନୁହେଁ ସନ୍ଦିଗ୍ଧ

କେରଳରେ ମଦ ଦେକାନ ବନ୍ଦ: ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ବ୍ରେକ୍

ଏବେ କଟକ ସମ୍ପୂର୍ଣ୍ଣ ସଟ୍ ଡାଉନ୍