ଲକ୍‌ଡାଉନରେ ଅଛନ୍ତି ୧୩୦ କୋଟି ଭାରତୀୟ, କରୋନାକୁ ହରାଇବାକୁ ଚାଲିଛି ୨୧ଦିନର ଯୁଦ୍ଧ

ନୂଆଦିଲ୍ଲୀ ୨୬/୩: ଭାରତରେ କରୋନା ଭାଇରସ୍‌ (କୋଭିଡ୍‌-୧୯) ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି । ୨୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କରୋନା କବଳିତ କରିସାରିଲାଣି । ଗତ ୨୪ ଘଣ୍ଟା ଭିତରେ ଦେଶରେ ୭୦ ନୂଆ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ପରେ ବୁଧବାର ରୋଗୀଙ୍କ ସଂଖ୍ୟା ୬୦୬କୁ ବୃଦ୍ଧି ପାଇଛି । ସେଥିରେ ୫୬୩ ଜଣ ଭାରତୀୟ ଥିଲା ବେଳେ ୪୩ ଜଣ ବିଦେଶୀ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଏହି ସୂଚନା ଦିଆଯାଇଛି । ଏହାଛଡ଼ା ୪୩ ଜଣ ଆରୋଗ୍ୟ ଲାଭ କରି ଘରକୁ ଫେରିଯାଇଥିଲା ବେଳେ ୧୦ ଜଣଙ୍କର ମୃତ୍ୟୁ ଘଟିଛି ।

ସେଥିରେ ମଙ୍ଗଳବାର ତାମିଲନାଡୁରେ ପ୍ରଥମ କରୋନା ମୃତ୍ୟୁ ସାମିଲ ଅଛି । ତେବେ ମୁମ୍ବାଇ ଓ ଦିଲ୍ଲୀରେ ମଙ୍ଗଳବାର ଘଟିଥିବା ମୃତ୍ୟୁକୁ ମନ୍ତ୍ରଣାଳୟ କୋଭିଡ-୧୯ ସଂକ୍ରମଣ ଜନିତ ନୁହେଁ ବୋଲି ଉଲ୍ଲେଖ କରିଛି । ମହାରାଷ୍ଟ୍ରରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ବିହାର, ଦିଲ୍ଲୀ, ଗୁଜରାଟ, ହିମାଚଳପ୍ରଦେଶ, କର୍ଣ୍ଣାଟକ, ପଶ୍ଚିମବଙ୍ଗ ଓ ପଞ୍ଜାବରେ ଜଣେ ଲେଖାଏ ରୋଗୀଙ୍କର ମୃତ୍ୟୁ ଘଟିଛି । ମହାରାଷ୍ଟ୍ର ଓ କେରଳରେ ରୋଗୀଙ୍କ ସଂଖ୍ୟା ୧୦୦ ଅତିକ୍ରମ କରିଯାଇଛି । ମହାରାଷ୍ଟ୍ରରେ ସର୍ବାଧିକ ୧୨୮ ଜଣ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିଲା ବେଳେ କେରଳରେ ୧୦୯ ଜଣ ଚିହ୍ନଟ ହୋଇଛନ୍ତି ।

ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଗରିବ ଲୋକଙ୍କୁ ଅଧିକ ୨ କେ.ଜି. ଖାଦ୍ୟଶସ୍ୟ ପ୍ରଦାନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ବୁଧବାର ଅନୁମୋଦନ କରିଛି । ଫଳରେ ଏଣିକି ପ୍ରତ୍ୟେକ ଗରିବ ନାଗରିକଙ୍କୁ ମାସିକ ୭ କେ.ଜି ଚାଉଳ/ଗହମ ମିଳିବ । ପୂର୍ବରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ହିତାଧିକାରୀଙ୍କୁ ପ୍ରତି ମାସରେ ୫ କେ.ଜି. ଖାଦ୍ୟଶସ୍ୟ ପ୍ରଦାନ କରାଯାଉଥିଲା । କରେନା ଭାଇରସ୍‌ (କୋଭିଡ-୧୯) ସଂକ୍ରମଣ ରୋକିବାକୁ ସମଗ୍ର ଦେଶରେ ୨୧ ଦିନ ବ୍ୟାପୀ ଲକ୍‌ଡାଉନ ଆରମ୍ଭ ହୋଇଥିଲା ବେଳେ ଗରିବ ଲୋକମାନେ ଯେଭଳି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନହେବେ ସେଥିପାଇଁ କେନ୍ଦ୍ର ସରକାରଙ୍କପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଦେଶର ୮୦ କୋଟି ଲୋକ ଉପକୃତ ହୋଇପାରିବେ । ପ୍ରତ୍ୟେକ ହିତାଧିକାରୀଙ୍କୁ ଆଗୁଆ ୩ ମାସ ରାସନ ସାମଗ୍ରୀ ଦେବାକୁ ରାଜ୍ୟମାନଙ୍କୁ କୁହାଯାଇଛି । ବର୍ତ୍ତମାନ ବଜାରରେ ଗହମର କେ.ଜି ପ୍ରତି ଦର ୨୭ ଟଙ୍କା ରହିଛି । କିନ୍ତୁ ରାସନ ଦୋକାନ ମାଧ୍ୟମରେ ସରକାର ଏହାକୁ ୨ଟଙ୍କାରେ ଗରିବ ଲୋକଙ୍କୁ ପ୍ରଦାନ କରୁଛନ୍ତି । ସେହିଭଳି ଚାଉଳର ଦର ୩୨ ଟଙ୍କା ଥିଲା ବେଳେ ସରକାର ୩ ଟଙ୍କାରେ ଯୋଗାଇ ଦେଉଛନ୍ତି । ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଗୋଦାମରୁ ଏହି ଅତିରିକ୍ତ ଖାଦ୍ୟ ସାମଗ୍ରୀ ଉଠାଇବାକୁ ସବୁ ରାଜ୍ୟକୁ ପରାମର୍ଶ ଦିଆଯାଇଛି ।
ଅନ୍ୟପକ୍ଷରେ କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୦୨୧ ଜନଗଣନାର ପ୍ରଥମ ପର୍ଯ୍ୟାୟ ଓ ଏନ୍‌ପିଆର (ଜାତୀୟ ଜନସଂଖ୍ୟା ପଞ୍ଜିକା) ତଥ୍ୟ ସଂଗ୍ରହ ପ୍ରକ୍ରିୟାକୁ ସ୍ଥଗିତ ରଖିଛନ୍ତି ।

ଏହି ଦୁଇ ପ୍ରକ୍ରିୟା ଆସନ୍ତା ଏପ୍ରିଲ ୧ରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ (ଆସାମକୁ ବାଦ୍‌ ଦେଇ)ରେ ଚାଲିବାର ଥିଲା । କିନ୍ତୁ କରୋନାକୁ ଦୃଷ୍ଟିରେ ରଖି ସରକାର ଏହାକୁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । କରୋନାର ଭୟାବହତା ଓ ଲକ୍‌ଡାଉନକୁ ଦୃଷ୍ଟିରେ ରଖି ଜନଗଣନା ଓ ଏନ୍‌ପିଆର ପ୍ରକ୍ରିୟାକୁ ବନ୍ଦ ରଖାଯାଇଥିବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ପ୍ରଥମ ପର୍ଯ୍ୟାୟରେ ଗୃହ ତାଲିକା ଓ ଗୃହ ଗଣନା କରାଯିବାର କାର୍ଯ୍ୟକ୍ରମ ରହିଥିଲା । ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଲକ୍ଷାଧିକ କର୍ମଚାରୀ ସାମିଲ ହୋଇଥାନ୍ତେ । ଦେଶରେ ପ୍ରକୃତ ବାସିନ୍ଦାଙ୍କ ଡାଟାବେସ୍‌ ପ୍ରସ୍ତୁତ କରିବା ହେଉଛି ଏହାର ଉଦ୍ଦେଶ୍ୟ । ତେବେ ଭାରତ ଇତିହାସରେ ପ୍ରଥମ କରି ଜନଗଣନା କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ସୂଚନାଯୋଗ୍ୟ, ଏନ୍‌ପିଆର ପ୍ରକ୍ରିୟାକୁ ନେଇ କେରଳ, ପଶ୍ଚିମବଙ୍ଗ, ପଞ୍ଜାବ, ରାଜସ୍ଥାନ, ଛତିଶଗଡ଼ ଓ ବିହାର ଭଳି କେତେକ ରାଜ୍ୟ ଆପତ୍ତି ଉଠାଇବା ସହ ଏହା ବିରୋଧରେ ବିଧାନସଭାରେ ସଙ୍କଳ୍ପନାମା ପାରିତ କରାଇଛନ୍ତି ।

କରୋନା ଭାଇରସ୍‌ ପ୍ରଭାବିତ ଇରାନରେ ଅଟକି ରହିଥିବା ୨୭୭ ଜଣ ଭାରତୀୟଙ୍କୁ ବୁଧବାର ମହାନ ଏୟାରର ଏକ ସ୍ୱତନ୍ତ୍ର ବିମାନ ଯୋଗେ ସ୍ୱଦେଶକୁ ଫେରାଇ ଅଣାଯାଇଛି । ଦିଲ୍ଲୀରେ ସେମାନେ ପହଞ୍ଚିବା ପରେ ସେମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା ଏବଂ ପରେ ସେମାନଙ୍କୁ ରାଜସ୍ଥାନର ଯୋଧପୁରଠାରେ ଥିବା ସେନାର ସ୍ୱତନ୍ତ୍ର କ୍ୱରେଣ୍ଟାଇନ ସେଣ୍ଟରକୁ ପଠାଇ ଦିଆଯାଇଛି । ସେଠାରେ ସେମାନେ ୧୪ ଦିନ ଧରି ରହିବେ । ସେଠାରେ ସେନା ଡାକ୍ତରଙ୍କ ପକ୍ଷରୁ ସେମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ । ଇରାନରେ ଅଟକି ରହିଥିବା ଆହୁରି ୨୩୦ରୁ ଅଧିକ ଭାରତୀୟଙ୍କୁ ଆସନ୍ତା ୨୮ ତାରିଖ (ଶନିବାର) ଦିନ ଭାରତ ଫେରାଇ ଅଣାଯିବ ବୋଲି ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଦେଶରେ ଲାଗୁ କରାଯାଇଥିବା ଲକ୍‌ଡାଉନର ପ୍ରଥମ ଦିନରେ ବୁଧବାର ୧୩୦ କୋଟି ଲୋକ ଘରେ ଆବଦ୍ଧ ହୋଇ ରହିଛନ୍ତି । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, କୋଲକାତା, ହାଇଦ୍ରାବାଦ ଭଳି ମେଟ୍ରୋ ସହର ସମେତ ଅନ୍ୟାନ୍ୟ ସହରର ରାସ୍ତାଘାଟ, ରେଳଷ୍ଟେସନ, ବସଷ୍ଟାଣ୍ଡ ଜନଶୂନ୍ୟ ହୋଇପଡିଛି । ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ କରାଯାଇଥିଲା ବେଳେ କେତେକ ସ୍ଥାନରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଯାନବାହନ କାଁ ଭାଁ ଯାତାୟାତ କରୁଥିବା ଦେଖିବାକୁ ମିଳିଛି ।

ଆବଶ୍ୟକ ଲୋକଙ୍କୁ ପୁଲିସ ପକ୍ଷରୁ ସହାୟତା ମଧ୍ୟ କରାଯାଉଛି । ମାତ୍ର କେତେକ ସ୍ଥାନରେ ଲୋକେ ଲକ୍‌ଡାଉନକୁ ନ ମାନି ବାହାରକୁ ଆସୁଥିବା ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତିରେ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବେଙ୍ଗାଲୁରୁ ଓ ପଞ୍ଜାବରେ ପୁଲିସ ଲୋକଙ୍କୁ ଖାଦ୍ୟ ବଣ୍ଟନ କରୁଛି । ଜମ୍ମୁ-କାଶ୍ମୀର ପୁଲିିସ ସାମାଜିକ ଦୂରତା ବଜାୟ ରଖୁନଥିବା ଓ ଲକ୍‌ଡାଉନ ମାନୁ ନଥିବା ବ୍ୟକ୍ତିଙ୍କୁ ତଳେ ଗୋଲ୍‌ ଗାର କାଟି ତା ଭିତରେ ବସାଇ ଦେଇଛି । ସେହିଭଳି ଦିଲ୍ଲୀ ଓ ମଧ୍ୟପ୍ରଦେଶ ସମେତ ଅନ୍ୟ କେତେକ ସ୍ଥାନରେ ଲକ୍‌ଡାଉନ ଉଲ୍ଲଂଘନକାରୀଙ୍କୁ ପୁଲିସ ଲାଠି ମାଡ଼ କରିବା ସହିତ ସେମାନଙ୍କୁ ଉଠ୍‌ବସ୍‌ କରାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

   ସମ୍ବନ୍ଧିତ ଖବର


କ୍ବାରେଣ୍ଟାଇନରେ ଥିବା ଯୁବକ ଉଲଘ୍ନ ଅବସ୍ଥାରେ ଖସି ପଳାଇଲେ, ରାଗରେ ପଡୋଶୀ ମହିଳାଙ୍କୁ କାମୁଡିବା ପରେ ମୃତ୍ୟୁ

କରୋନା ଲକଡାଉନ ଭିତରେ ଭୟଙ୍କର ସ୍ଥିତି, ଘରକୁ ଫେରିବାକୁ ଆନନ୍ଦ ବିହାରରେ ହଜାର ହଜାର ସଂଖ୍ୟାରେ ଶ୍ରମିକଙ୍କ ଭିଡ

ଲକ ଡାଉନ : ୨୧ ବର୍ଷୀୟ ଯୁବକ ଜୀବନ ହାରିଦେଲେ !

କରୋନା ବେଶରେ ଲୋକଙ୍କୁ ଲକ୍‌ଡାଉନ୍‌ ବିଷୟରେ ବୁଝାଇଲା ପୁଲିସ୍‌