ବିଶେଷଜ୍ଞଙ୍କ ଆକଳନ : ଅଗଷ୍ଟରେ ଶୀର୍ଷକୁ ଯାଇ ଖସିବ କରୋନା, ଏ ମାସରେ ୫୦ ହଜାର ନୂଆ ସଂକ୍ରମଣ ଆଶଙ୍କା

ଭୁବନେଶ୍ୱର,୫।୮ : ଅଗଷ୍ଟ ମାସରେ କରୋନା ଶୀର୍ଷକୁ ଯିବ । ଆଉ ମାସ ଶେଷ ଆଡ଼କୁ ସଂକ୍ରମଣ ହାର ଖସିବ । ଧିରେ ଧିରେ ସ୍ଥିତି ନିୟନ୍ତ୍ରଣକୁ ଆସିଯିବ । ଓଡ଼ିଶାରେ କରୋନାକୁ ନେଇ ଏମିତି ଆକଳନ କରିଛନ୍ତି ଆଇଏଲ୍‌ଏସର ନିର୍ଦ୍ଦେଶକ ଡା. ଅଜୟ ପରିଡ଼ା । ଗତ ଜୁଲାଇ ୨୧ରୁ ନିୟମିତ ଭାବେ ରାଜ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ୧ ହଜାରରୁ ଅଧିକ ରହୁଛି । ଏବେ ସୁଦ୍ଧା ଓଡ଼ିଶାରେ ମୋଟ ସଂକ୍ରମିତ ସଂଖ୍ୟା ୩୭ ହଜାର ୬୮୧ ହେଲାଣି । ତେବେ ଚଳିତ ଅଗଷ୍ଟ ମାସରେ କରୋନା ଶୀର୍ଷରେ ପହଞ୍ଚିବା ନେଇ ଯେଉଁ ଆକଳନ କରାଯାଉଛି, ସେଥିରେ ସଂକ୍ରମଣ ବେଶ୍‌ ଦ୍ରୁତ ହାରରେ ବଢ଼ିଯିବା ଆଶଙ୍କା ରହିଛି ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବୈଷୟିକ ପରାମର୍ଶଦାତା ପ୍ରଫେସର ଜୟନ୍ତ ପଣ୍ଡାଙ୍କ ଆକଳନ ହେଲା, ଚଳିତ ଅଗଷ୍ଟରେ ରାଜ୍ୟରେ ଆହୁରି ୫୦ ହଜାର କରୋନା ସଂକ୍ରମିତ ବାହାରିପାରନ୍ତି । ଏହାସହ ଆହୁରି ୨ଶହରୁ ଅଧିକ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇପାରେ । ହେଲେ ଏହାକୁ ନେଇ ଆଦୌ ଆତଙ୍କିତ କିମ୍ବା ବିଚଳିତ ହେବା କଥା ନୁହେଁ । ବର୍ତ୍ତମାନ ସୁଦ୍ଧା ୨୩ ହଜାରରୁ ଅଧିକ କରୋନା ସଂକ୍ରମିତ ସୁସ୍ଥ ହୋଇ ସାରିଲେଣି । ଲୋକଙ୍କ ଜୀବନ ରକ୍ଷା ପାଇଁ ସରକାର ସବୁ ପ୍ରକାର ବ୍ୟବସ୍ଥା ଓ ପଦକ୍ଷେପ ଗ୍ରହଣ କରୁଛନ୍ତି । ପ୍ରଫେସର ପଣ୍ଡା ଟ୍ୱିଟ୍‌ ମାଧ୍ୟମରେ ଏଭଳି ଆକଳନର ସୂଚନା ଦେଇଛନ୍ତି ।

ଆଇଏଲ୍‌ଏସର ନିର୍ଦ୍ଦେଶକ ଡା. ଅଜୟ ପରିଡ଼ାଙ୍କ କହିବାନୁଯାୟୀ କରୋନା ମୃତ୍ୟୁହାର କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ସ୍ଥିତି ଭଲ ରହିଛି । ଯେଉଁ କିଛି ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି, ସେମାନେ ଜଟିଳ ରୋଗରେ ପୀଡ଼ିତ । ହେଲେ ଏ ପର୍ଯ୍ୟନ୍ତ ମେଡିକାଲ ବାହାରେ କାହାର ମୃତ୍ୟୁ ହୋଇନି । ସମସ୍ତ ମୃତ୍ୟୁ ହସ୍ପିଟାଲରେ ହିଁ ହୋଇଛି । ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ପରୀକ୍ଷା କଲେ, ଏହା ରୋକା ଯାଇପାରିବ । ଗଞ୍ଜାମରେ ଏହି ଫର୍ମୁଲାରୁ ଭଲ ସଫଳତା ମିଳିଛି । ଏବେ ରାଜ୍ୟରେ ଅଧିକ ସଂଖ୍ୟକ ପରୀକ୍ଷା ହେଉଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବଢିଛି । ଆଶ୍ୱସ୍ତିର କଥା ହେଲା, ଗଞ୍ଜାମରେ ଏବେ ସଂକ୍ରମଣ ହାର କମିଛି । ତେବେ ଖୋର୍ଦ୍ଧା ଜିଲ୍ଲାକୁ ବାହାରୁ ବହୁ ସଂଖ୍ୟାରେ ଲୋକ ଆସୁଛନ୍ତି । ତେଣୁ ଏଥିପାଇଁ ସ୍ୱତନ୍ତ୍ର ରଣନୀତି ଆପଣାଇବାକୁ ହେବ । ଏବେ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ହିଁ ରୋଗ ବ୍ୟାପୁଛି, ସବୁ ଅଞ୍ଚଳରେ ରୋଗ ବଢୁନି ବୋଲି କହିଛନ୍ତି ଡା.ପରିଡ଼ା ।

   ସମ୍ବନ୍ଧିତ ଖବର


ଆଜି ଧବଳେଶ୍ୱର ପୀଠରେ ବଡ଼ଓଷା, ଶ୍ରଦ୍ଧାଳୁ ଦେଖିପାରିବେନି ବଡ଼ସିଂହାର ବେଶ

ପୁଣି ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ବାତ୍ୟା ରୂପ ନେବା ସମ୍ଭାବନା: ଆସନ୍ତା ୨-୩ ବଢ଼ିବ ଥଣ୍ଡା

ପାଠକ ବାପ-ପୁଅଙ୍କ ନୂଆ ଠିକଣା ଝାରପଡ଼ା ଜେଲ, ଗିରଫ ପରେ ଚାକିରିରୁ ନିଲମ୍ବନ କଲେ ରାଜ୍ୟ ସରକାର

ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ଉତ୍କଳକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ କଲେ ଅନୁରୋଧ

ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନାର ତାଲିକା ଘୋଷଣା କଲା ଓଡ଼ିଶା ଲଳିତ କଳା ଏକାଡେମୀ