ଏକାନ୍ତରେ ରହିବାରେ ମଧ୍ୟ ରହିଛି ଫାଇଦା, ଆସନ୍ତୁ ଜାଣିବା…

ସମସ୍ତଙ୍କୁ କେବେ ନା କେବେ ଏକାନ୍ତ ଓ ଶାନ୍ତିର ଆବଶ୍ୟକତା ପଡିଥାଏ। ସମସ୍ତଙ୍କ ଜୀବନରେ ଏଭଳି ସମୟ ଆସିଥାଏ। ଯେତେବେଳେ ଜଣେ ବ୍ୟକ୍ତି ନିଜ ସହିତ କିଛି ସମୟ ବିତାଇବାକୁ ଚାହିଁଥାଏ। ଯଦିଓ ଏକୁଟିଆ ରହୁଥିବା ବ୍ୟକ୍ତିଙ୍କୁ ଦେଖି ଲୋକେ ତାଙ୍କୁ ଡିପ୍ରେସନର ଶିକାର ବୋଲି କହିଥାନ୍ତି, କିନ୍ତୁ ଏବେ ଏକ ଗବେଷଣାରେ ଏହାକୁ ଭୁଲ ବୋଲି ପ୍ରମାଣିତ କରିଛି। ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଯେଉଁ ପିଲାମାନେ ଏକାନ୍ତରେ ରହିବାକୁ ଚାହାଁନ୍ତି, ସେମାନେ ନିଜର କାମକୁ ଖୁବ୍ ଭଲ ଭାବରେ ବୁଝିପାରନ୍ତି ଓ ନିଜକୁ ସ୍ବୀକାର କରିବାରେ ଅଧିକ ସକ୍ଷମ ହୋଇଥାନ୍ତି।

ୟୁନିଭର୍ସିଟି ଅଫ୍ କାର୍ଲିଫୋର୍ନିଆ, ସାନ୍ତା କ୍ରୁଜ ଓ ଓ୍ବିଲମିଙ୍ଗଟନ୍ କଲେଜ ଏକାଠି ମିଶି ଏହି ଅଧ୍ୟୟନ କରିଛନ୍ତି। ଏହା ଅନୁସାରେ ଯେଉଁ ପିଲାମାନେ ନିଜ ଇଛାରେ ଏକାକୀ ରହିବାକୁ ଚାହାଁନ୍ତି, ସେମାନେ ଜୀବନକୁ ଖୁବ୍ ଭଲ ଭାବରେ ବୁଝି ପାରନ୍ତି, କିନ୍ତୁ ଯେଉଁ ଶିଶୁଙ୍କୁ ଏକାକୀ ରହିବାକୁ ବାଧ୍ୟ କରାଯାଇଥାଏ ସେମାନଙ୍କ ଜୀବନ ଉପରେ ଏହାର ନକାରତ୍ମକ ପ୍ରଭାବ ପଡିଥାଏ। ଏହାଦ୍ବାରା ପିଲାମାନେ ଡିପ୍ରେସନର ଶିକାର ହୋଇପାରନ୍ତି।

ପ୍ରତ୍ୟେକ ବ୍ୟକ୍ତିକୁ ଜଣା ରହିବା ଦରକାର ତାଙ୍କୁ କେବେ ଏକାନ୍ତ ସମୟ ଦରକାର ଓ କେତେ ବେଳେ ଅନ୍ୟମାନଙ୍କ ସହ ସମୟ ବିତାଇବା ଦରକାର। ଏହି ଅଧ୍ୟୟନରେ ନିଜର ଇଛା ଓ ଖୁସିକୁ ଏକାକୀ ରହିବାର ଫାଇଦା ଉପରେ ଜୋର ଦିଆଯାଇଛି। ଯେଉଁ ଲୋକ ସାମାଜିକ ବାସନ୍ଦରେ ଏକାକୀ ରୁହନ୍ତି ସେମାନେ ଡିପ୍ରେସନ ବା ଅବସାଦର ଶିକାର ହେବା ସ୍ବାଭାବିକ କଥା। କିନ୍ତୁ ଯେଉଁମାନେ ଏକାଖୀ ନିଜ ଇଛାରେ ରୁହନ୍ତି ସେମାନଙ୍କୁ କୌଣସି ସମସ୍ୟା ହୁଏନି, ବଂର ଏଭଳି ଲୋକ ଜୀବନରେ ଖୁସି ଓ ସୁସ୍ଥ ରହିଥାନ୍ତି। ବର୍ତ୍ତମାନ ସମୟରେ ବ୍ୟସ୍ତ ବହୁଳ ଜୀବନରେ ଲୋକମାନେ ସୋସିଆଲ ମିଡିଆ କିମ୍ବା ନିଜ କାମରେ ବ୍ୟସ୍ତ ରହିଥାନ୍ତି। ଯାହାଫଳରେ ସେମାନେ ନିଜ ପାଇଁ ସମୟ ବାହାର କରିପାରନ୍ତି ନାହିଁ ଏବଂ ଏକାକୀ ରହିବାର କଳା ମଧ୍ୟ ଶିଖି ପାରନ୍ତି ନାହିଁ।