
ଇଣ୍ଡିଆନ ୱେଲ୍ସ,୧୮ା୩(ଏଜେନ୍ସି): ଆମେରିକାରେ ଅନୁଷ୍ଠିତ ଇଣ୍ଡିଆନ୍ ୱେଲ୍ସ(ବିଏନ୍ପି ପରିବାସ୍) ମାଷ୍ଟର୍ସ ଟେନିସ ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରିୟାର ଡୋମିନକ୍ ଥିମ ଓ କାନାଡ଼ାର ବିୟାଙ୍କା ଆନ୍ଦ୍ରିସ୍କୁ ଯଥାକ୍ରମେ ପୁରୁଷ ଓ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି ।
ପୁରୁଷ ସିଙ୍ଗଲ୍ସ ଫାଇନାଲ୍ରେ ଥିମ ୫ଥର ଚାମ୍ପିଅନ୍ ସ୍ୱିଜରଲାଣ୍ଡର ରୋଜର ଫେଡେରରଙ୍କୁ ୩-୬, ୬-୩, ୭-୫ ସେଟ୍ରେ ପରାସ୍ତ କରି କ୍ୟାରିୟର୍ର ପ୍ରଥମ ମାଷ୍ଟର୍ସ ୧୦୦୦ ଟାଇଟଲ ହାସଲ କରିଥିଲେ । ମ୍ୟାଚ୍ ଆରମ୍ଭରୁ ଫେଡେରର ପ୍ରଭାବ ବିସ୍ତାର କରି ଖେଳିଥିଲେ । ଗୋଟିଏ ବ୍ରେକ୍ ପଏଣ୍ଟ ହାସଲ କରି ଫେଡେରର ପ୍ରଥମ ସେଟ୍ ହାତେଇଥିଲେ । ଏହାପରେ ଥିମ ଲଢୁଆ ଖେଳ ପ୍ରଦର୍ଶନ କରି ମ୍ୟାଚ୍କୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଥିମଙ୍କ ଶକ୍ତିଶାଳୀ ସର୍ଭିସ ଓ ନିଖୁଣ ବ୍ୟାକ୍ହ୍ୟାଣ୍ଡର ଜବାବ ଦେଇ ପାରିନଥିଲେ ଫେଡେରର । ପରବର୍ତ୍ତୀ ୨ଟି ସେଟ୍ ଜିତି ଥିମ ଚାମ୍ପିଅନ୍ ହୋଇଥିଲେ । ଏହି ମ୍ୟାଚ୍ ଜିତିବା ପାଇଁ ତାଙ୍କୁ ୨ଘଣ୍ଟା ଲାଗିଥିଲା ।
ଇଣ୍ଡିଆନ ୱେଲ୍ସରେ ଫେଡେରର କ୍ରମାଗତ ଦ୍ୱିତୀୟ ଥର ପାଇଁ ଫାଇନାଲ୍ରେ ପରାଜିତ ହୋଇଥିଲେ । ଗତ ବର୍ଷ ଫାଇନାଲରେ ତାଙ୍କୁ ହରାଇ ଆର୍ଜେଣ୍ଟିନାର ଜୁଆନ ମାର୍ଟିନ ଡେଲପୋଟ୍ରୋ ଚାମ୍ପିଅନ୍ ହୋଇଥିଲେ । ଥିମ୍ ପୂର୍ବରୁ ମାଦ୍ରିଦ ମାଷ୍ଟର୍ସ ଫାଇନାଲ୍ରେ ଥିମଙ୍କୁ ଫେଡେରର ୨ଥର ହରାଇ ସାରିଥିଲେ । ହେଲେ ଏଥର ଥିମ ସବୁ ରଣନୀତି ପ୍ରସ୍ତୁତ କରି କୋର୍ଟକୁ ଓହ୍ଲାଇଥିଲେ । ଫେଡେରରଙ୍କ ବିପକ୍ଷରେ ଏହା ଥିମ୍ଙ୍କର ତୃତୀୟ ବିଜୟ ରହିଥିଲା । ପୂର୍ବରୁ ଉଭୟ ପରସ୍ପରକୁ ୪ଥର ଭେଟିଥିଲେ ।
ମହିଳା ସିଙ୍ଗଲ୍ସ ଫାଇନାଲ୍ରେ ନବାଗତା ଆନ୍ଦ୍ରିସ୍କୁ ୬-୪, ୩-୬, ୬-୪ ସେଟ୍ରେ ଅଷ୍ଟମ ସିଡ୍ ଜର୍ମାନୀର ଆଞ୍ଜେଲିକ୍ କର୍ବରଙ୍କୁ ହରାଇଥିଲେ । ଏହି ମ୍ୟାଚ୍ ଜିତିବା ପାଇଁ ଆନ୍ଦ୍ରିସ୍କୁଙ୍କୁ ୨ଘଣ୍ଟା ୧୮ ମିନିଟ୍ ଲାଗିଥିଲା । ସେ ଏହି ମ୍ୟାଚ୍ରେ ୪ଟି ବ୍ରେକ୍ ପଏଣ୍ଟ ହାସଲ କରିଥିଲେ । ପୂର୍ବରୁ ଗାର୍ବିନ ମୁଗୁରୁଜା, ସିମୋନ ହାଲେପଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିବା ଆନ୍ଦ୍ରିସ୍କୁ ମ୍ୟାଚ୍ ଆରମ୍ଭରୁ ଆଧିପତ୍ୟ ବିସ୍ତାର କରିଥିଲେ । ଅବଶ୍ୟ କର୍ବର ଦ୍ୱିତୀୟ ସେଟ୍ରେ ବିଜୟ ହାସଲ କରିଥିଲେ । ତୃତୀୟ ସେଟ୍ରେ ଆନ୍ଦ୍ରିସ୍କୁ ତ୍ରୁଟି ନଦୋହରାଇ ବିଜୟ ହାସଲ କରିଥିଲେ ।