ଭୁବନେଶ୍ୱରରେ ତୃତୀୟ ପଜିଟିଭ୍‌, ମିଳିନି ବିଦେଶ ଗସ୍ତର ସୂଚନା

ଭୁବନେଶ୍ୱର ୨୭/୩: ରାଜ୍ୟରେ କାୟା ମେଲାଉଛି କରୋନା । ପୁଣି ଜଣେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ବୟସ ୬୦ ବର୍ଷ ହୋଇଥିବାବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ଅନୁସନ୍ଧାନ ଚଳାଇଛି । ଆଜି ୨୫ଟି ନମୁନା ପରୀକ୍ଷା ହୋଇଥିବାବେଳେ ଜଣକର ରିପୋର୍ଟ ପଜିଟିଭ୍‌ ଆସିଛି । ତେବେ ତୃତୀୟ ଆକ୍ରାନ୍ତ ମଧ୍ୟ ଭୁବନେଶ୍ୱରରୁ ବୋଲି ଜଣାପଡ଼ିଛି । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ନିଜ ଟ୍ୱିଟର ପେଜ୍‌ରେ ସୂଚନା ଦେଇଛି । ତେବେ ଏହି ଆକ୍ରାନ୍ତଙ୍କ ବିଦେଶଗସ୍ତ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି । ଏହି ଆକ୍ରାନ୍ତଙ୍କ ପୂର୍ବ ରେକର୍ଡ ଦେଖି ରାଜଧାନୀର କର କ୍ଲିନିକକୁ କୌଣସି ବ୍ୟକ୍ତି ଚିକିତ୍ସା ପାଇଁ ନଯିବାକୁ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍‌ କରିଛି । ପୂର୍ବରୁ ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତ ମଧ୍ୟ ଭୁବନେଶ୍ୱରର । ଜଣେ ଇଟାଲୀରୁ ଓ ଅନ୍ୟ ଜଣେ ବ୍ରିଟେନରୁ ଫେରିଥିଲେ ।

ଏଯାବତ୍‌ ୧୮୯ଟି ନମୁନା ପରୀକ୍ଷା ହୋଇଥିବା ବେଳେ ୩ଟି ପଜିଟିଭ୍‌ ରହିଛି । ପୂର୍ବରୁ ଚିକିତ୍ସିତ ହେଉଥିବା ଦୁଇ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଉଭୟ ହସ୍ପିଟାଲରେ ଦିଆଯାଉଥିବା ସାଧାରଣ ଡାଏଟ୍‌ ଖାଉଛନ୍ତି ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି । କରୋନା ମୁକାବିଲା ନେଇ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ କହିଛନ୍ତି, ସଂକ୍ରମଣଙ୍କ ସଂସ୍ପର୍ଶରେ ଆସିଥିବା ୫୫ ଜଣଙ୍କ ତଥ୍ୟ ମିଳିଛି । ସମସ୍ତଙ୍କ ସହ ସ୍ୱାସ୍ଥ୍ୟ ବିଭାଗ ଯୋଗାଯୋଗ କରି ସାରିଛି। ଭୁବନେଶ୍ୱରରେ ୧୦ଟି ମନିଟରିଂ ଟିମ୍‌ ସମେତ ସାରା ରାଜ୍ୟରେ ୧୦୦ଟି ମନିଟରିଂ ଟିମ୍‌ କାର୍ଯ୍ୟ କରୁଛି । ବର୍ତ୍ତମାନ ସୁଦ୍ଧା ବିଦେଶରୁ ଫେରିଥିବା ୪୨୪୯ ଜଣ ୧୦୪ ହେଲ୍‌ପ ଲାଇନ ନମ୍ବରରେ ପଂଜୀକରଣ କରିଛନ୍ତି । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୩୪ ଜଣଙ୍କୁ ଡାକ୍ତରଖାନା ଆଇସୋଲେସନ୍‌ରେ ରଖାଯାଇଛି ।

ସନ୍ଦିଗ୍ଧଙ୍କ ସଂଖ୍ୟା ବଢୁଥିବା ଦେଖି କରୋନା ଚିହ୍ନଟ ପରୀକ୍ଷା କେନ୍ଦ୍ର ବଢ଼ାଇବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏବେ ରିଜିଓନାଲ୍‌ ମେଡିକାଲ ରିସର୍ଚ୍ଚ ସେଣ୍ଟର ଭୁବନେଶ୍ୱର ଓ ଏମ୍‌ସ ଭୁବନେଶ୍ୱରରେ ପରୀକ୍ଷା ହେଉଛି । ଆଗକୁ ଏସ୍‌ସିବି ଓ ଓୟୁଏଟିରେ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏହାବାଦ୍‌ ଆଗକୁ ଆପୋଲୋ ଓ ସମ୍‌ ହସ୍ପିଟାଲରେ ପରୀକ୍ଷା ହୋଇପାରିବ । ଏଥିପାଇଁ ଦୁଇ ଘରୋଇ ହସ୍ପିଟାଲ ପକ୍ଷରୁ ଆଇସିଏମ୍‌ଆରରେ ଆବେଦନ କରାଯାଇଛି । ତେବେ ଅନୁମତି ପରେ ଏଠାରେ ପରୀକ୍ଷା ହୋଇପାରିବ ।

ଅପରପକ୍ଷରେ ଲକ୍‌ ଡାଉନର ପ୍ରଭାବ ଏବେ ପରିଲକ୍ଷିତ ହେଲାଣି ସହରରୁ ଗାଁ ଯାଏଁ । ପୁଲିସ କାର୍ଯ୍ୟାନଷ୍ଠାନ ଦେଖି ବିନା କାମରେ ଚକ୍କର କାଟୁଥିବା ଲୋକଙ୍କ ବୁଦ୍ଧି ଜାଗ୍ରତ ହୋଇଛି । ତଥାପି ଅନେକ ଏବେ ବି କଟକଣାକୁ ନ ମାନି ବିଭିନ୍ନ ବାହାନାରେ ବାହାରକୁ ବାହାରୁଛି । କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ପୁଲିସ ମଧ୍ୟ ଜୀ ଜାନ୍‌ ଲଗାଇ ଦେଇଛି । କୋଭିଡ୍‌-୧୯ ନେଇ ଜାରି ହୋଇଥିବା ନିୟମର ଉଲ୍ଲଘଂନ ନେଇ ୪୦୪ଟି ମାମଲା ରୁଜୁ ହୋଇଛି ରାଜ୍ୟରେ । ଏଥିମଧ୍ୟରୁ ଲକ୍‌ ଡାଉନ୍‌ ଉଲ୍ଲଘଂନ ନେଇ ୩୮୦ଟି ମାମଲା ରୁଜୁ ହୋଇଛି । ହୋମ୍‌ କ୍ୱାରେଣ୍ଟାଇନ୍‌ ଉଲ୍ଲଘଂନ ଅଭିଯୋଗରେ ୧୦ଟି ଓ କୋଭିଡ୍‌-୧୯ ନିୟମାବଳୀ ଭାଙ୍ଗିବା ଅଭିଯୋଗରେ ୧୪ଟି ମାମଲା ହୋଇଛି ।

ଗତକାଲି ଲକ୍‌ ଡାଉନ୍‌ରେ ପୁଲିସ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଆକ୍ସନ ମୁଡ୍‌କୁ ଆସିଥିଲା । ବିଭିନ୍ନ ଜାଗାରେ ନିୟମ ଖିଲାପ କରି ରାସ୍ତାରେ ବୁଲୁଥିବା ଲୋକଙ୍କୁ ଉଠବସ୍‌ କରାଇଥିଲା । କେତେକ ଜାଗାରେ ‘ମୁଁ ଲୋକଙ୍କ ଶତ୍ରୁ’ ପୋଷ୍ଟର ଧରାଇ ଫଟୋ ଓ ଭିଡିଓ କରାଯାଇଥିଲା । ବହୁ ସଂଖ୍ୟାରେ ଗାଡ଼ି ଜବତ ହୋଇଥିଲା । ଏହା ଦେଖିବା ପରେ ଆଜି ରାସ୍ତାରେ ଭିଡ଼ କମିଛି । ତଥାପି କେତେକ ଲୋକେ ବାହାନା ଦେଖାଇ ଗାଡ଼ି ଧରି ବୁଲୁଥିବା ଲକ୍ଷ୍ୟ କରାଯାଇଛି । ଆଗକୁ ପୁଲିସ ଆହୁରି କଠୋର ପଦକ୍ଷେପ ନେବା ସହ ମୁଖ୍ୟ ରାସ୍ତା ବାଦ୍‌ ଗଳିକନ୍ଦି ରାସ୍ତା ବନ୍ଦ କରିବାକୁ ପ୍ରସ୍ତୁତି ଚଳାଇଛି ।

ଲକ୍‌ ଡାଉନରେ ସମସ୍ତ ମାଲବାହୀ ଗାଡ଼ିମୋଟର ଚଳାଚଳକୁ ସ୍ୱାଭାବିକ ରଖିବାକୁ କୁହାଯାଇଛି । ଏ ନେଇ ପୁଲିସ ତରଫରୁ ହେଲ୍ପ ଲାଇନ୍‌ ନମ୍ବର ୦୬୭୪-୨୬୨୦୨୦୦ ଟେଲିଫୋନ୍‌ ନମ୍ବର ଜାରି କରାଯାଇଛି । ସକାଳ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହା ଖୋଲା ରହିବ । ଗାଡ଼ି ମାଲିକ ଓ ଗାଡ଼ି ଚାଳକ ଅସୁବିଧା ନେଇ ଏହି ହେଲ୍ପ ଲାଇନ୍‌ ନମ୍ବରକୁ ଫୋନ୍‌ କରି ସହାୟତା ଓ ପରାମର୍ଶ ନେଇପାରିବେ ।

ସମ୍ବାଦପତ୍ର ସଂସ୍ଥା ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦୃଷ୍ଟିରେ ରଖି ଖବରକାଗଜ ବିତରଣକୁ ଅତ୍ୟାବଶ୍ୟକ ସେବା ଅନ୍ତର୍ଭୁକ୍ତ କରାଯାଇଛି । ନିଉଜ୍‌ ପ୍ରିଣ୍ଟ, ଖବରକାଗଜ ଆଦି ପରିବହନ ପାଇଁ ବ୍ୟବହୃତ ଗାଡ଼ିକୁ କଟକଣାମୁକ୍ତ ରଖାଯାଇଛି । ସକାଳ ୭ଟାରୁ ୮ଟା ପର୍ଯ୍ୟନ୍ତ ଖବରକାଗଜ ବିକ୍ରୟ କେନ୍ଦ୍ର ଖୋଲା ରହିବ । ଖବରକାଗଜ ବିତରଣ କରୁଥିବା ହକରମାନେ ଭୋର୍‌ ୪ଟାରୁ ୭ ଟା ମଧ୍ୟରେ ଯାତାୟତ କରିପାରିବେ । ମାତ୍ର ଏ କ୍ଷେତ୍ରରେ ହାତଧୁଆ ଓ ସମାଜିକ ଦୂରତା ପରି ନିୟମ ଅନୁସରଣ କରିବାକୁ ହେବ । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ସେହିଭଳି ପ୍ରାଣୀ ସମ୍ପଦ ସମ୍ପର୍କିତ କାର୍ଯ୍ୟବଳୀକୁ ଅତ୍ୟାବଶ୍ୟକ ସେବାର ଅନ୍ତର୍ଭୁକ୍ତ କରାଯାଇଛି । କ୍ଷୀର, ମାଂସ , ଅଣ୍ଡା, ମାଛ, ଗୋଖାଦ୍ୟ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଗାଡ଼ି ଚଳାଚଳ ଅନମତି ଦିଆଯିବ। ଏଥିପାଇଁ ଜିଲ୍ଲା ମତ୍ସ୍ୟ ଅଧିକାରୀ, ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଓ ସହରାଞ୍ଚଳ ପୌରସଂସ୍ଥା ଅଧିକାରୀଙ୍କୁ କ୍ଷମତା ଦିଆଯାଇଛି ।

କରୋନା ଚକ୍ରବୁହ୍ୟହକୁ ଭାଙ୍ଗି ନିଜ ପରିବାର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ‘ମୋ ଜୀବନ’ କାର୍ଯ୍ୟକ୍ରମରେ ଏଯାବତ୍‌ ୧୦ ଲକ୍ଷ ଲୋକ ଶପଥ କରିଛନ୍ତି । ୩ ଲକ୍ଷ ଲୋକ ଏହାର ଭିଡିଓ କରି ସୋସିଆଲ୍‌ ମିଡିଆ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛନ୍ତି । ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇବା ସହ ଅନ୍ୟମାନେ ମଧ୍ୟ ଏମିତି ଶପଥ ନେବାକୁ ଅନୁରୋଧ କରିଛନ୍ତି ।

   ସମ୍ବନ୍ଧିତ ଖବର


ନନ୍ଦନକାନନରେ ଶାଗୁଣା ମୃତ: ରଣପୁରରୁ ହୋଇଥିଲା ଉଦ୍ଧାର

ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ମାଗିଲେ ୯ ମିନିଟ… ସମର୍ଥନରେ ବଲିଉଡ୍‌ ସେଲିବ୍ରିଟି

କର୍ତ୍ତବ୍ୟ ଆଗ, ନାହିଁ କରୋନାକୁ ଡର : ସଂକ୍ରମଣକୁ ଖାତିର ନକରି କାମ କରିଚାଲିଛନ୍ତି ସଫେଇ କର୍ମଚାରୀ

ବ୍ୟାଙ୍କ ମ୍ୟାନେଜରଙ୍କୁ ମହଙ୍ଗା ପଡିଲା ଅନ୍‌ଲାଇନ୍‌ରେ ମଦ କିଣା, ୧୯ ହଜାର ଠକିନେଲେ