କୃଷି କାର୍ଯ୍ୟ ତଦାରଖ ପାଇଁ ୩୦ ଜିଲ୍ଲାରେ ୩୦ ବରିଷ୍ଠ ନୋଡାଲ୍‌ ଅଧିକାରୀ ନିଯୁକ୍ତ

ଭୁବନେଶ୍ୱର ୧୬/୪: ତୃଣମୂଳସ୍ତରରେ ଯୋଗାଯୋଗ କରି କୃଷି କାର୍ଯ୍ୟର ତଦାରଖ କରିବେ ଅଧିକାରୀ । ଲକ୍‌ ଡାଉନ୍‌ ସମୟରେ ରାଜ୍ୟରେ କୃଷି କାର୍ଯ୍ୟ କିପରି କରାଯିବ, ସେ ବାବଦରେ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି । ତେବେ ଏଗୁଡିକ ତଦାରଖ କରିବା ସହିତ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୁପାୟନ ନିମନ୍ତେ ରାଜ୍ୟର ୩୦ଟି ଜିଲ୍ଲା ପାଇଁ ୩୦ଜଣ ବରିଷ୍ଠ ଅଧିକାରୀଙ୍କୁ ନୋଡାଲ୍‌ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଅପରପକ୍ଷେ ଚାଷ କାମରେ ବୈଷୟିକ ଜ୍ଞାନ କୌଶଳ ଓ ସୋସିଆଲ୍‌ ମିଡିଆ ବ୍ୟବହାରକୁ ଗୁରୁତ୍ୱ ଦେବାକୁ କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ବୁଧବାର ସକାଳେ କୃଷି ଭବନରେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଡ. ସାହୁ କହିଛନ୍ତି, ଲକ୍‌ ଡାଉନ୍‌ ସମୟରେ ସାମାଜିକ ଦୂରତ୍ୱକୁ ମାନି କୃଷି କାର୍ଯ୍ୟ କରିବାକୁ ପଡିବ । ନୋଡାଲ୍‌ ଅଧିକାରୀମାନେ ପ୍ରତି ଦିନ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଏବଂ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହିତ ଯୋଗାଯୋଗରେ ରହିବେ । ଏହା ସହିତ ସିଧା ସଳଖ ଉପଖଣ୍ଡ, ବ୍ଲକ୍‌ ଏବଂ ପଞ୍ଚାୟତସ୍ତରରେ କାର୍ଯ୍ୟ କରୁଥିବା କୃଷି ଅଧିକାରୀଙ୍କ ସହିତ ସମ୍ପର୍କ ସ୍ଥାପନ କରି ତୃଣମୂଳ ସ୍ତରରେ ଦେଖା ଦେଉଥିବା ସମସ୍ୟାର ଖବର ସଂଗ୍ରହ କରିବା ସହିତ ସମାଧାନର ବାଟ ବାହାର କରିବେ । ପ୍ରତିଦିନ ସନ୍ଧ୍ୟାରେ ହ୍ୱାଟସ୍‌ ଆପ୍‌ ମାଧ୍ୟମରେ ରିପୋର୍ଟ ଦେବେ । ଆବଶ୍ୟକ ହେଲେ ଜିଲ୍ଲା ପ୍ରଶାସନ ଦ୍ୱାରା ଖୋଲା ହୋଇଥିବା କଣ୍ଟ୍ରୋଲ ରୁମ୍‌ ସହିତ ଯୋଗାଯୋଗ କରିବା ପାଇଁ ମନ୍ତ୍ରୀ ଡ. ସାହୁ ପରାମର୍ଶ ଦେଇଥିଲେ ।

ସେହିପରି ଅନ୍ୟ ବିଭାଗଗୁଡିକ ସହିତ ସମନ୍ୱୟ ରଖି କୃଷିଜାତ ଦ୍ରବ୍ୟ କିଭଳି ସୁବିଧାରେ ବିକ୍ରି ହୋଇପାରିବ, ସେ ବାବଦରେ ହୋଲସେଲର୍‌, ଟ୍ରେଡର୍‌ ଓ ଖୁଚୁରା ବ୍ୟବସାୟୀଙ୍କ ସହିତ ସମନ୍ୱୟ ରଖିବାକୁ ନୋଡାଲ୍‌ ଅଧିକାରୀଙ୍କୁ କୁହାଯାଇଛି । ବୈଠକରେ କୃଷି ବିଭାଗ ପ୍ରମୁଖ ସଚିବ ଡ. ସୌରଭ ଗର୍ଗ କହିଛନ୍ତି ଯେ ହ୍ୱାଟସ୍‌ ଆପ୍‌ ମାଧ୍ୟମରେ ଭାରତର ବିଭିନ୍ନ ବଜାରର ସ୍ଥିତି ସମ୍ପର୍କରେ ମିଳୁଥିବା ସୂଚନାକୁ ଉପଯୋଗ କରି ରାଜ୍ୟର କୃଷିଜାତ ଦ୍ରବ୍ୟର ବିକ୍ରି ବାବଦରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ କହିଥିଲେ । ବର୍ତ୍ତମାନ ସ୍ଥିତିରେ ଚାଷୀମାନେ ‘ଆମ କୃଷି’ ହେଲ୍ପଲାଇନ୍‌ ସେବାର ବହୁଳ ଉପଯୋଗ କରିବା ଉପରେ ପ୍ରମୁଖ ସଚିବ ଡ. ଗର୍ଗ ଗୁରୁତ୍ୱାରୋପ କରିଛନ୍ତି । କୃଷି ବିଭାଗ ସ୍ୱତନ୍ତ୍ର ସଚିବ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌ ମୁଥୁକୁମାର ପ୍ରମୁଖ ଉପସ୍ଥିତ ଥିଲେ ।

   ସମ୍ବନ୍ଧିତ ଖବର


ଆଇପିଏଲ ବେଟିଂ ଚାଲିଥିବାବେଳେ ପୋଲିସର ଚଢାଉ

ଅଭିନେତ୍ରୀଙ୍କ ବିରୋଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ, ଓକିଲଙ୍କ ନାଁରେ ଏତଲା

ରାଜ୍ୟର ଶିଳ୍ପାନୁଷ୍ଠାନ ସମ୍ପର୍କିତ ଡିରେକ୍ଟୋରୀ ‘ଆମ ସମୟର ଶିଳ୍ପ’ ଉନ୍ମୋଚିତ

ଲାଇନ୍‌ଚ୍ୟୁତ ହେଲା ରେଳ ଇଞ୍ଜିନ-୪୦ ମିଟର୍‌ ଘୁଷୁଡ଼ିଲା, ୪ ଘଣ୍ଟା ନୟାନ୍ତ ବର୍ତ୍ତିଗଲେ ୨ ଡ୍ରାଇଭର୍‌ ଓ ଜଣେ ଗାର୍ଡ

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଫୁଙ୍ଗୁଳା – ମାଳ ମାଳ ପୁଲିସ ଦ୍ୱାର ମୁହଁରେ ଜଗି ବସିଛନ୍ତି, କିନ୍ତୁ ଉଲ୍ଲଙ୍ଘନକାରୀ ସରକାରୀ କଟକଣାକୁ ବେଖାତିର କରି ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି

ବେଆଇନ ଗଛ କାଟୁଥିବାବେଳେ ୩ ଜଣଙ୍କୁ ଗିରଫ କଲା ବନ ବିଭାଗ