ହ୍ୱାଟସ୍ଆପ୍ ବଦଳରେ ଏବେ ଏହି ଆପ୍ର ଚାହିଦା ବଢିଲା- ଗୋଟିଏ ଦିନରେ ୫ କୋଟି ଡାଉନ୍ଲୋଡ୍

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ର ପ୍ରାଇଭେସି ପଲିସିକୁ ନେଇ ବିରୋଧ କରାଯାଉଥିବାବେଳେ ଏଥିରୁ ଲାଭବାନ ହୋଇଛି ଇନ୍ଷ୍ଟାଣ୍ଟ ମେସେଜିଂ ସର୍ଭିସ୍ ଆପ୍ ‘ସିଗ୍ନାଲ’ । ଲୋକେ ବିପୁଳ ସଂଖ୍ୟାରେ ଏହାକୁ ଡାଉନ୍ଲୋଡ୍ କରିଚାଲିଛନ୍ତି । ଏଭଳି ସ୍ଥିତିରେ ବିଶ୍ୱବ୍ୟାପୀ ଡାଉନ୍ ହୋଇଛି ସିଗ୍ନାଲ । ଅଧିକ ଟ୍ରାଫିକ ଯୋଗୁ ୟୁଜରମାନଙ୍କ ମଧ୍ୟରେ ଯୋଗାଯୋଗ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି । କମ୍ପାନି ଅନୁସାରେ, ଅଧିକ ଟ୍ରାଫିକ ଯୋଗୁ ଆପ୍ ଡାଉନ୍ ହୋଇଛି ।
ସିଗ୍ନାଲ ଶୁକ୍ରବାର ସୋସିଆଲ ମିଡିଆରେ ପ୍ରକାଶ କରିଥିଲା ଯେ, ଆପ୍ରେ ଟେକ୍ନିକାଲ ସମସ୍ୟା ଦେଖାଦେଇଛି । ସେବାକୁ ସ୍ୱାଭାବିକ କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି । କମ୍ପାନିର ସିଇଓ ଅରୁଣା ହାର୍ଡର କହିଛନ୍ତି ଯେ, ଟ୍ରାଫିକ ଅଧିକ ଥିବାରୁ ଆପ୍ ଅସ୍ଥାୟୀ କାଳ ପାଇଁ ଡାଉନ୍ ହୋଇଛି । ଏବେ ଏହାକୁ ନୂଆ ସର୍ଭର ସହ ଯୋଡ଼ାଯାଇଛି । ବର୍ତ୍ତମାନ ସୁଦ୍ଧା ଏ ଆପ୍କୁ ୫ କୋଟିରୁ ଅଧିକ ୟୁଜର ଡାଉନ୍ଲୋଡ୍ କରିସାରିଲେଣି । ହ୍ୱାଟ୍ସଆପ୍ ପ୍ରାଇଭେସି ପଲିସି ବିବାଦର ସବୁଠାରୁ ଅଧିକ ଫାଇଦା ସିଗ୍ନାଲକୁ ମିଳିଛି ।
୭ ଦିନରେ ଭାରତରେ ହ୍ୱାଟ୍ସଆପ୍ ଡାଉନ୍ଲୋଡ ୩୫% ପର୍ଯ୍ୟନ୍ତ ହ୍ରାସ ପାଇଛି । ଏହାବ୍ୟତୀତ ୪୦ ଲକ୍ଷରୁ ଅଧିକ ୟୁଜର ସିଗ୍ନାଲ ଏବଂ ଟେଲିଗ୍ରାମ ଆପ୍କୁ ଆସିଗଲେଣି । ଏଥିରୁ ୨୪ ଲକ୍ଷ ଡାଉନ୍ଲୋଡ୍ ସିଗ୍ନାଲର । ଆପ୍ର ମୋଟ ଅଭିବୃଦ୍ଧି ୩୦% ରହିଛି, ଯେଉଁଥିରେ ୧୬% କେବଳ ଭାରତର । ସିଗ୍ନାଲ ଏକ ଏନ୍କ୍ରିପ୍ଟେଡ୍ ଆପ୍ ।