WFE ଡାଭୋସ ଏଜେଣ୍ଡା ୨୦୨୨: ଭାରତରେ ପୁଞ୍ଜି ନିବେଶ କରିବା ପାଇଁ ଏହା ହିଁ ପ୍ରକୃଷ୍ଟ ସମୟ ବୋଲି ବିଶ୍ୱ ଆର୍ଥିକ ମଞ୍ଚକୁ ସମ୍ବୋଧନ କରି କହିଲେ ପ୍ରଧାନମନ୍ତ୍ରୀ

pic-indiatoday
ନୂଆଦିଲ୍ଲୀ: ଭାରତରେ ପୁଞ୍ଜି ନିବେଶ କରିବା ପାଇଁ ଏହା ହିଁ ପ୍ରକୃଷ୍ଟ ସମୟ। ଭିଡିଓ କନଫରେନ୍ସିଂରେ ବିଶ୍ୱ ଆର୍ଥିକ ମଞ୍ଚ(WFE)କୁ ସମ୍ବୋଧନ କରି ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। WFE ଦ୍ୱାରା ଅନ୍ଲାଇନ ଆୟୋଜିତ ଡାଭୋସ ଏଜେଣ୍ଡା ୨୦୨୨ ଶିଖର ସମ୍ମିଳନୀର ପ୍ରଥମ ଦିନରେ ଭାରତରେ ପୁଞ୍ଜି ନିବେଶ ପାଇଁ ବିଦେଶୀ ପୁଞ୍ଜି ନିବେଶକାରୀଙ୍କୁ ଆମନ୍ତ୍ରଣ କରିଛନ୍ତି ମୋଦି। ସେ କହିଛନ୍ତି ଯେ ନୂଆ ଟେକ୍ନୋଲୋଜୀକୁ ଗ୍ରହଣ କରିବାରେ ଭାରତୀୟଙ୍କ ଦକ୍ଷତା। ସେମାନଙ୍କର ଉଦ୍ୟୋଗପ୍ରତି ଥିବା ଆଗ୍ରହ ଆମର ସମସ୍ତ ବିଦେଶୀ ପାର୍ଟନର ନୂଆ ଉର୍ଜାରେ ଭରିଦେବ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଭାରତରେ ଉଦ୍ୟୋଗର ଦ୍ରୁତ ବିକାଶ ହେଉଛି। ୨୦୧୪ରୁ ଦେଶର କିଛି ଶହ ଉଦ୍ୟୋଗ ପଞ୍ଜିକୃତ ହୋଇଥିଲା। ହେଲେ ବର୍ତ୍ତମାନ ଏହି ସଂଖ୍ୟା ୬୦ ହଜାରରେ ପହଞ୍ଚିଛି। ଏଥିରେ ୮୦ରୁ ଅଧିକ ୟୁନିକନର୍ଣ୍ଣସ(ଏକ ବିଲିୟନରୁ ଅଧିକ ଆମେରିକୀୟ ଡଲାର ମୂଲ୍ୟର କମ୍ପାନୀ) ଥିବା ବେଳେ ୪୦ରୁ ଅଧିକ ୨୦୨୧ରେ ରେଜିଷ୍ଟର ହୋଇଛନ୍ତି ବୋଲି ମୋଦି କହିଛନ୍ତି।
କୋଭିଡ୍ ଟିକା ସହାୟତା ନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ” ଭାରତ ଭଳି ମଜଭୁତ ଗଣତନ୍ତ୍ର ରାଷ୍ଟ୍ର ସାରା ବିଶ୍ୱକୁ ସୁନ୍ଦର ଉପହାର ଦେଇଛି। କରୋନା ସମୟରେ ଭାରତ ଏକ ପୃଥିବୀ ଏକ ଲକ୍ଷ୍ୟ ନିୟମରେ ଚାଲି ଅନେକ ଦେଶକୁ ଭ୍ୟାକ୍ସିନ ଓ ଔଷଧ ଦେଇ କୋଟି କୋଟି ଲୋକଙ୍କର ଜୀବନ ବଞ୍ଚାଇଛି। ଆଜି ଭାରତ ତୃତୀୟ ସବୁଠାରୁ ବଡ଼ ଫାର୍ମା ଉତ୍ପାଦକ ଦେଶ ହୋଇପାରିଛି।”
ଭାରତ ବିକାଶକୁ ଲକ୍ଷ୍ୟ ରଖି ମୋଦି କହିଛନ୍ତି “ଆଜି ଭାରତ ବିଶ୍ୱରେ ରେକର୍ଡ ସଂଖ୍ୟକ ସଫ୍ଟୱେୟର ଇଞ୍ଜିନୟର ପଠାଉଛି। ୫୦ ଲକ୍ଷରୁ ଅଧିକ ସଫ୍ଟୱେୟାର ଇଞ୍ଜିନୟର ଡେଭଲପର୍ସ ଭାରତରେ କାମ କରୁଛନ୍ତି। ୟୁନିକର୍ଣ୍ଣରେ ଭାରତ ବିଶ୍ୱର ତୃତୀୟ ସ୍ଥାନରେ ରହିଛି। ଗତ ୬ ମାସରେ ଦେଶରେ ୧୦ ହଜାରରୁ ଅଧିକ ଉଦ୍ୟୋଗ ପଞ୍ଜିକୃତ ହୋଇଛି। ଆଜି ଭାରତ ଇଜ୍ ଅଫ୍ ଡୁଇଁ ବିଜ୍ନେସକୁ ପ୍ରୋତ୍ସାହନ ଦେଉଛି। ଏଥିରେ ସରକାରୀ ଦଖଲକୁ ଆହୁରି କମ କରିଛି। ଭାରତ କପିରାଇଟ୍ ଟେକ୍ସକୁ ସରଳୀକରଣ କରିବା ସହିତ ଟ୍ୟାକ୍ସ କମାଇ ଦେଶକୁ ସବୁଠାରୁ ଅଧିକ ପ୍ରତିଯୋଗୀ କରିଦେଇଛି। “
ସୂଚନା ଥାଉକି, ଜାନୁଆରୀ ୧୭ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଭର୍ଚୁଆଲ୍ ମୋଡ୍ରେ WFE ଡାଭୋସ ଏଜେଣ୍ଡା ୨୦୨୨ ସମ୍ମିଳନୀ ଆୟୋଜନ କରୁଛି। ଏଥିରେ ବିଶ୍ୱର ସମସ୍ତ ନେତା ଯୋଗ ଦେଇ ନିଜର ଦୃଷ୍ଟିକୋଣ ରଖିବେ। ଚଳିତ ଥର ଆଲୋଚନାର ବିଷୟରେ ରହିଛି ବିଶ୍ୱର ପରିସ୍ଥିତି।