ମଜବୁତ ସମ୍ପର୍କ ପାଇଁ ପାର୍ଟନରଙ୍କଠାରୁ ୫ ଦିନ ରୁହନ୍ତୁ ଦୂରରେ, ଗଭୀର ହେବ ପ୍ରେମ

ନୂଆଦିଲ୍ଲୀ, ୦୭|୧୨ :   ଖୁସି ରହିବା ପାଇଁ ଏକାଠି ରହିବାକୁ ହେବ ଉକ୍ତିଟି ଏବେ ପୁରୁଣା ହେବାକୁ ବସିଲାଣି। ଏକ ଅନୁସନ୍ଧାନରୁ ଜାଣିବାକୁ ମିଳିଛି ଯେ, ଯେଉଁ ଦମ୍ପତି କାର୍ଯ୍ୟବ୍ୟସ୍ତତା ହେତୁ ଜଣେ ଅନ୍ୟ ଜଣଙ୍କଠାରୁ ଦୂରରେ ରହୁଛନ୍ତି ସେମାନେ ପରସ୍ପରକୁ ବେଶୀ ଭଲ ପାଆନ୍ତି।

ୟୁକେର ଟ୍ରାଭେଲଜ୍ ନାମକ ଏକ ହୋଟେଲ ତରଫରୁ କରାଯାଇଥିବା ଏହି ସର୍ଭେରେ ୨୦୦୦ଜଣ ଭାଗ ନେଇଥିଲେ। ସର୍ଭେରେ ପ୍ରତି ୧୦ଜଣଙ୍କ ମଧ୍ୟରୁ ୪ ଜଣ ଖୁସି ଅଛନ୍ତି ଯେଉଁମାନେ ନିଜ କାମ ପାଇଁ ପରସ୍ପରଠୁ ଅଲଗା ରହୁଛନ୍ତି ବୋଲି ଜାଣିବାକୁ ମିଳିଥିଲା। କିନ୍ତୁ ଏହି ଦୂରତା ୫ଦିନରୁ ଅଧିକ ହେବା ଅନୁଚିତ।

ଟ୍ରାଭେଲଜ୍ ଆକାଉଣ୍ଟର କାମ ଦେଖୁଥିବା ୩୫ ବର୍ଷୀୟ ରିଚାର୍ଡ୍ ସ୍କଟ୍ ଅଧିକାଂଶ ସମୟରେ ଅଫିସ୍ କାମ ପାଇଁ ପତ୍ନୀଙ୍କଠାରୁ ଦୂରରେ ରହୁଛନ୍ତି। ତାଙ୍କ କହିବାନୁସାରେ, ସମୟାନୁସାରେ କିଛିଦିନ ପାଇଁ ପରସ୍ପରଠାରୁ ଦୂରରେ ରହିବା ଜରୁରୀ ଅଟେ। ଫଳରେ ଜଣେ ଅନ୍ୟଜଣଙ୍କର ଗୁରୁତ୍ୱ ବୁଝିପାରେ।

ସର୍ଭେରେ କିଛି ଲୋକ ଏହା ମଧ୍ୟ ମାନିଛନ୍ତି ଯେ, କାମ ପାଇଁ ବାହାରକୁ ଯିବା ଓ କୌଣସି ଏକ ବଡ ହୋଟେଲରେ ଏକା ରହିଲେ ଶାନ୍ତି ମିଳେ। କିଛିଦିନ ଯାଏଁ ଘରର ମାମଲାଠାରୁ ଦୂରରେ ରହିଲେ ସତେଜ ଲାଗିଥାଏ।

ସେହିପରି ୧୦ରୁ ୪ଜଣଙ୍କ କହିବାନୁସାରେ, ଯେତେବେଳେ ସେମାନେ କିଛିଦିନ ପରେ ଘରକୁ ଫେରନ୍ତି ସେମାନଙ୍କୁ ଭଲରେ ସ୍ୱାଗତ କରାଯାଏ। ଏହା ସେମାନଙ୍କୁ ବହୁତ ପସନ୍ଦ ଆସିଥାଏ।