ବିଶ୍ବର ସବୁଠାରୁ ଭଲ ରେସ୍ତୋରାଁ’ ମାନ୍ୟତା ପାଇଲା ଦକ୍ଷିଣ ଆଫ୍ରିକାର ‘ଓ୍ବଲଫଗାଟ୍’

କେପ୍ ଟାଉନ,୧୯ ।୨:ଦକ୍ଷିଣ ଆଫ୍ରିକାର ଏକ ଗାଁ ଯାହା ଏବେ ସାରା ବିଶ୍ବରେ ପରିଚିତି ଲାଭ କରିପାରିଛି। କାରଣ ଏହି ଗାଁରେ ଥିବା ‘ଓ୍ବଲଫଗାଟ୍’ ରେସ୍ତୋରାଁ’କୁ ବିଶ୍ବର ସବୁଠାରୁ ଭଲ ରେସ୍ତୋରାଁ ଭାବରେ ଘୋଷଣା କରାଯାଇଛି। ଏହି ରେସ୍ତୋରାଁରେ ଥିବା ବିଶେଷତ୍ବର ସମସ୍ତ ଶ୍ରେୟ ସେଫ୍ କୋବୁସଙ୍କୁ ଦିଆଯାଏ। କୋବୁସଙ୍କୁ ଯେତେବେଳେ ୩୦ ବର୍ଷ ହୋଇଥିଲା ସେତେବେଳେ ସେ ରୋଷେଇ କରିବାର କାମକୁ ଗମ୍ଭୀରତାର ସହ ନେଇନଥିଲେ। ପ୍ରତିଦିନ ସେ କୌଣସି ନା କୌଣସି ଖାଦ୍ୟରେ କିଛି ନୂଆ ପରୀକ୍ଷଣ କରିଥାନ୍ତି ଓ ସେଥିରେ କିଛି ଭିନ୍ନ ଭିନ୍ନ ଜିନିଷ ପକାଇଥାନ୍ତି।

ନିଛାଟିଆ ସମୁଦ୍ରକୂଳରେ ଲହଡିର ଶବ୍ଦ ସହ ସୁସ୍ବାଦୁ ଖାଦ୍ୟ ରେସ୍ତୋରାଁକୁ ଖାସ୍ ବନାଇ ଦେଇଥାଏ। କୁହାଯାଏ ଯେ, ସେଫ୍ କୋବୁସ୍ ନିଜେ ବ୍ରେଡ ଏବଂ ବଟର ମଧ୍ୟ ତିଆରି କରିଥାନ୍ତି। ଏହି ରେସ୍ତୋରାଁରେ ଅଧିକାଶଂ ମହିଳା କର୍ମଚାରୀ ରହିଛନ୍ତି। ତେବେ ଏମାନଙ୍କୁ କୌଣସି ଟ୍ରେନିଂ ଦିଆଯାଇନାହିଁ। ସମସ୍ତେ ମିଶିକି ଦୁଇ ବର୍ଷ ପୂର୍ବେ ସମୁଦ୍ର କୂଳରେ ତମ୍ବୁ ଲଗାଇ ଏକ ରେସ୍ତୋରାଁ ତିଆରି କରିଥିଲେ। ଏହି ରେସ୍ତୋରାଁର ସେଭେନ୍ କୋର୍ସ ଟେଷ୍ଟିଂ ମେନ୍ୟୁର ମୂଲ୍ୟ ୬୦ ଡଲାର ଅର୍ଥାତ ୪୨୦୦ ଟଙ୍କା ରହିଛି।