ଏମିତି ହେବ ଭାରତୀୟଙ୍କ ଘର ବାହୁଡ଼ା : ମେ’ ୭ରୁ ଆରମ୍ଭ ଅଭିଯାନ, ପ୍ରଥମ ସପ୍ତାହରେ ୧୩ ଦେଶ, ୬୪ ବିମାନ, ୩ ଜାହାଜ…

ଆଦିଲ୍ଲୀ,୬।୫ : କରୋନା ଲକ୍‌ଡାଉନ୍‌ ଯୋଗୁ ବିଦେଶରେ ଫସିଛନ୍ତି ହଜାର ହଜାର ଭାରତୀୟ । ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ଲଗାଯାଇଥିବା କଟକଣା ସକାଶେ ଘରକୁ ଫେରିପାରୁନାହାନ୍ତି ଏମାନେ । ଏଭଳି କ୍ଷେତ୍ରରେ ସେମାନଙ୍କୁ ଦେଶକୁ ଫେରାଇ ଆଣିବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର । ଏ ଅଭିଯାନ ମେ’ ୭ରୁ ଆରମ୍ଭ ହେବ । ପ୍ରଥମ ସପ୍ତାହରେ ୧୩ଟି ଦେଶରେ ଫସିଥିବା ଏଭଳି ୧୪,୦୦୦ରୁ ଊଦ୍ଧ୍ୱର୍ ଭାରତୀୟ ଘରକୁ ଫେରିବେ । ଏହି କାର୍ଯ୍ୟରେ ନିୟୋଜିତ ହେବେ ୬୪ଟି ସ୍ୱତନ୍ତ୍ର ବିମାନ ଏବଂ ୩ ନୌସେନା ଜାହାଜ ।
ବିଦେଶରେ ଫସି ରହିଥିବା ଲକ୍ଷ ଲକ୍ଷ ଭାରତୀୟ ପର୍ଯ୍ୟାୟ କ୍ରମେ ଘରକୁ ଫେରିବେ । ପ୍ରଥମ ଟାର୍ଗେଟ ହେଉଛି ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ) । ଏଠାରେ କେବଳ ଦୁବାଇ ଏବଂ ଆବୁଧାବିରୁ ପ୍ରାୟ ୨ ଲକ୍ଷ ଲୋକ ସ୍ଥାନୀୟ ମିସନ୍‌ଗୁଡିକ ଜରିଆରେ ଘରକୁ ଫେରିବା ପାଇଁ ପଞ୍ଜୀକରଣ କରିଛନ୍ତି ।

ବହିର୍ବ୍ୟାପାର ମନ୍ତ୍ରାଳୟର ଯୋଜନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ୧୩ଟି ରାଷ୍ଟ୍ରରୁ ପ୍ରାୟ ୧୪,୮୦୦ ଯାତ୍ରୀ ଭାରତ ଫେରିବେ । ଏମାନଙ୍କୁ ଆଣିବା ପାଇଁ ଭାରତରୁ ବିମାନଗୁଡିକ ଫିଲିପାଇନ୍ସ, ସିଙ୍ଗାପୁର, ବାଂଲାଦେଶ, ୟୁଏଇ, ୟୁକେ, ସାଉଦି ଆରବ, କତାର, ମାଳଦୀପ, ଆମେରିକା, ଓମାନ, ବାହରେନ୍‌ ଏବଂ କୁଏତ୍‌ ଆଦି ଯିବେ । ୟୁଏଇ ଏବଂ ଆମେରିକା ସମେତ ବିଭିନ୍ନ ରାଷ୍ଟ୍ରରେ ଥିବା ଭାରତୀୟ ଦୂତାବାସ ଏବଂ ବାଣିଜ୍ୟ ଦୂତାବାସ ଘରକୁ ଫେରିବାକୁ ଚାହୁଁଥିବା ଭାରତୀୟଙ୍କ ତାଲିକା ପ୍ରସ୍ତୁତ କରିବା ଆରମ୍ଭ କରିଦେଲେଣି । ଏକ ଅନ୍‌ଲାଇନ୍‌ ପଞ୍ଜୀକରଣ ଫର୍ମ ଜରିଆରେ ତାଲିକା ପ୍ରସ୍ତୁତ କରାଯାଉଛି । ମାଳଦୀପ ଏବଂ ୟୁଏଇରେ ଫସିଥିବା ଭାରତୀୟଙ୍କୁ ଆଣିବା ପାଇଁ ତିନୋଟି ନୌସେନା ଯୁଦ୍ଧ ଜାହାଜ ନିୟୋଜିତ ହୋଇଛନ୍ତି । ଉପସାଗରୀୟ ଏବଂ ଅନ୍ୟାନ୍ୟ ରାଷ୍ଟ୍ରଗୁଡିକରୁ ଭାରତୀୟଙ୍କୁ ଫେରାଇ ଆଣିବା ଲାଗି ମୋଟ ୧୪ଟି ଯୁଦ୍ଧ ଜାହାଜ ପ୍ରସ୍ତୁତ ରହିଛନ୍ତି ।

ତେବେ ଏ ଅଭିଯାନରେ ଗର୍ଭବତୀ ମହିଳା, ବରିଷ୍ଠ ନାଗରିକ, ଆପାତ ଚିକିତ୍ସା ଲୋଡୁଥିବା ବ୍ୟକ୍ତିବିଶେଷ, ଫସି ରହିଥିବା ପର୍ଯ୍ୟଟକଙ୍କୁ ପ୍ରାଥମିକତା ଦିଆଯିବ । ଯୋଜନା ଅନୁସାରେ ପ୍ରଥମ ଦିନରେ ୧୦ଟି ବିମାନରେ ୨୩୦୦ ଭାରତୀୟ ଫେରିବେ । ଦ୍ୱିତୀୟ ଦିନରେ ୯ଟି ଦେଶରୁ ପ୍ରାୟ ୨୦୫୦ ଭାରତୀୟ ଚେନ୍ନାଇ, କୋଚି, ମୁମ୍ବାଇ, ଅହମ୍ମଦାବାଦ, ବେଙ୍ଗାଲୁରୁ ଏବଂ ଦିଲ୍ଲୀରେ ପହଞ୍ଚିବେ । ତୃତୀୟ ଦିନରେ ୨୦୫୦ ଲୋକ ମଧ୍ୟପ୍ରାଚ୍ୟ, ୟୁରୋପ, ଦକ୍ଷିଣ ପୂର୍ବ ଏସିଆ ଏବଂ ଆମେରିକା ସମେତ ୧୩ଟି ରାଷ୍ଟ୍ରରୁ ମୁମ୍ବାଇ, କୋଚି, ଲକ୍ଷେ୍ନø ଏବଂ ଦିଲ୍ଲୀରେ ପହଞ୍ଚିବେ । ଚତୁର୍ଥ ଦିନରେ ବହିର୍ବ୍ୟାପାର ମନ୍ତ୍ରାଳୟ ସହଯୋଗରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଆମେରିକା, ୟୁକେ ଏବଂ ୟୁଏଇ ସମେତ ୮ଟି ରାଷ୍ଟ୍ରରୁ ୧୮୫୦ ଭାରତୀୟଙ୍କୁ ଆଣିବ ।

ଆଣିବା ପୂର୍ବରୁ ସମସ୍ତ ଯାତ୍ରୀଙ୍କର ମେଡିକାଲ ସ୍କ୍ରିନିଂ କରାଯିବ । ଯାତ୍ରା ସମୟରେ ସେମାନେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଦ୍ୱାରା ଜାରି ଗାଇଡ୍‌ଲାଇନ୍‌ ପାଳନ କରିବେ । ଭାରତରେ ପହଞ୍ଚିବା ପରେ ସମସ୍ତଙ୍କର ମେଡିକାଲ ସ୍କ୍ରିନିଂ କରାଯିବ । ମେଡିକାଲ ଯାଞ୍ଚ ପରେ ସେମାନଙ୍କୁ ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ । ଭାରତରେ ପହଞ୍ଚିବା ପରେ ସମସ୍ତ ଯାତ୍ରୀଙ୍କୁ ଆରୋଗ୍ୟ ସେତୁ ଆପ୍‌ରେ ପଞ୍ଜୀକରଣ କରିବାକୁ ପଡ଼ିବ ।

ମେ’ ୭ରୁ ବିଦେଶରେ ଫସି ରହିଥିବା ଭାରତୀୟଙ୍କ ଘର ବାହୁଡ଼ା ଅଭିଯାନ ଆରମ୍ଭ ହେବ । ଏୟାର୍‌ ଇଣ୍ଡିଆ ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ବିମାନ ଦ୍ୱାରା ଏମାନେ ଘରକୁ ଫେରିବେ । ଭଡ଼ା ୧୨,୦୦୦ରୁ ୧ ଲକ୍ଷ ଟଙ୍କା ରହିଛି । ଆମେରିକା ଏବଂ ବ୍ରିଟେନରୁ ଭାରତକୁ ଫେରିବା ପାଇଁ ଭଡ଼ା ଯଥାକ୍ରମେ ୧ ଲକ୍ଷ ଟଙ୍କା ଏବଂ ୫୦,୦୦୦ ଟଙ୍କା ରହିବ । ସିଙ୍ଗାପୁରରୁ ଦିଲ୍ଲୀ ଏବଂ ମୁମ୍ବାଇ ପାଇଁ ଭଡ଼ା ୨୦,୦୦୦ ଟଙ୍କା ଥିବାବେଳେ ସିଙ୍ଗାପୁରରୁ ବେଙ୍ଗାଲୁରୁ ପାଇଁ ଏହା ୧୮,୦୦୦ ଟଙ୍କା ରହିବ । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ ଏହି ସ୍ୱତନ୍ତ୍ର ବିମାନଗୁଡିକୁ ଚଳାଇବା ପାଇଁ ଖର୍ଚ୍ଚ ଯାହା ରହିଛି ତାହା ତୁଳନାରେ ଭଡ଼ା ଅତ୍ୟନ୍ତ କମ୍‌ ଅଛି । ସବୁ ବିମାନ ଫୁଲ୍‌ ହୋଇ ନ ଆସିପାରେ । କେତେକ ଅଧା ଫାଙ୍କା କିମ୍ବା କେତେକ ପୁରା ଫାଙ୍କା ବି ଫେରିପାରେ । କିନ୍ତୁ ଖର୍ଚ୍ଚ ତ କମିବ ନାହିଁ ।
ପ୍ରାଥମିକ ଭାବେ ଏୟାର୍‌ ଇଣ୍ଡିଆର ବିମାନ ଏହି କାର୍ଯ୍ୟରେ ନିୟୋଜିତ ହେବେ । ପରେ ଘରୋଇ ବିମାନ କମ୍ପାନିଗୁଡିକ ମଧ୍ୟ ଏଥିରେ ଯୋଡିହେବେ ବୋଲି ବିମାନ ଚଳାଚଳ ମନ୍ତ୍ରୀ କହିଛନ୍ତି ।

   ସମ୍ବନ୍ଧିତ ଖବର


ଡାକ୍ତରଙ୍କ ଘୁଙ୍ଗୁର ଡ୍ୟାନ୍ସ ଭିଡିଓ ଭାଇରାଲ, ହ୍ରିତିକ ରୋଶନ କଲେ ପ୍ରଶଂସା

ଭାରତର ଜନସଂଖ୍ୟାର ଅଧା କରୋନା ସଂକ୍ରମିତ ହୋଇପାରନ୍ତି ! ଜାଣନ୍ତୁ କେବେ ସୁଦ୍ଧା?

ଚାଲିଗଲା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଜୀବନ, କରୋନା ଯୋଦ୍ଧାଙ୍କୁ ଝୁରିଲେ ଲୋକେ

୯ ମାସର ଗର୍ଭବତୀ ମହିଳା ୫ମିନିଟ୍‌ରେ ଦୌଡ଼ିଲେ ୧.୬ କି.ମି, ଲୋକେ କହିଲେ…

ରୁଟି ଅମ୍ମାଙ୍କ ଭିଡିଓ ଭାଇରାଲ: ୨୦ ଟଙ୍କାରେ ଲୋକଙ୍କୁ ଖୁଆନ୍ତି, ସରୁନି ଦୁଃଖ…

ବିହାର ନିର୍ବାଚନର ଏକ ରୋଚକ ତଥ୍ୟ, ୪ଟି ମେଣ୍ଟ କିନ୍ତୁ ମୁଖ୍ୟମନ୍ତ୍ରୀ ହେବାକୁ ୬ ଦାବିଦାର