ଆଶଙ୍କାରେ ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା: ବୋର୍ଡ ସଭାପତି ନାହାନ୍ତି, ଆନ୍ଦୋଳନରେ କର୍ମଚାରୀ

କଟକ,୦୨/୧୨: ଆଉ ଦୁଇ ମାସ ପରେ ମାଟ୍ରିକ୍‌ ପରୀକ୍ଷା। ୬ଲକ୍ଷରୁ ଅଧିକ ପରୀକ୍ଷାର୍ଥୀଙ୍କୁ ନେଇ ହେଉଥିବା ଏହି ପରୀକ୍ଷା ପାଇଁ ଏବେ ପ୍ରସ୍ତୁତି ଜୋରଦାର ହେବା କଥା । ଏଭଳି ସ୍ଥିତିରେ କିନ୍ତୁ ବୋର୍ଡରେ ଏବେ ଅଚଳାବସ୍ଥା ସୃଷ୍ଟି ହୋଇଛି । ଦୀର୍ଘ ୬ ମାସ ହେଲା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ସଭାପତି ପଦ ଫାଙ୍କା। ବିନା ସଭାପତିରେ କାର୍ଯ୍ୟାଳୟ ପରିଚାଳନା ହେଉଥିବାରୁ ଗୋଟିଏ ପରେ ଗୋଟିଏ ବିବାଦ ମୁଣ୍ଡ ଟେକିବାରେ ଲାଗିଛି। କେତେବେଳେ ରାଜ୍ୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି)କୁ ନେଇ ତ ଆଉ କେତେବେଳେ ବୋର୍ଡର ଅନ୍ୟାନ୍ୟ ସମସ୍ୟାକୁ ନେଇ ବିବାଦ ଉପୁଜିଛି। ଅନ୍ୟପଟେ କର୍ମଚାରୀଙ୍କ ଆନ୍ଦୋଳନ ଜାରି ରହିଥିବାରୁ ବୋର୍ଡର କାର୍ଯ୍ୟ ଏକରକମ ଠପ୍‌ ହୋଇଗଲାଣି। ଏଭଳି ଅବସ୍ଥାରେ ମାଟ୍ରିକ୍‌ ପରୀକ୍ଷା କେମିତି ପରିଚାଳନା ହେବ ତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବୋର୍ଡ ଏକ ସ୍ୱୟଂଚାଳିତ ସଂସ୍ଥା। ଏଠାରେ ପାଠ୍ୟକ୍ରମ ଠାରୁ ପୁସ୍ତକ ଛପାଠାରୁ ଆରମ୍ଭ ହୋଇ ମାଟ୍ରିକ ସମେତ ବିଭିନ୍ନ ମାଧ୍ୟମିକ ପରୀକ୍ଷା ପରିଚାଳନା ପର୍ଯ୍ୟନ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସଂପାଦିତ ହୋଇଥାଏ। ସେହିପରି ପରୀକ୍ଷା ଫଳ ପ୍ରକାଶନ ଓ ସାର୍ଟିଫିକେଟ୍‌ ପ୍ରଦାନ ଆଦି କାର୍ଯ୍ୟ କରାଯାଇଥାଏ । ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ପୁସ୍ତକ ବିକ୍ରୟ କରି ଯେଉଁ ଅର୍ଥ ବୋର୍ଡ ପାଇଥାଏ ତା’ର ଲାଭାଂଶରେ ପରିଷଦର ସମସ୍ତ କାର୍ଯ୍ୟ ପରିଚାଳନା ହେବା ସହ କର୍ମଚାରୀମାନେ ଦରମା ଓ ପେନସନ୍‌ ପାଇଥାନ୍ତି । ଏଥିପାଇଁ ରାଜ୍ୟ ସରକାର କୌଣସି ଅର୍ଥ ପ୍ରଦାନ କରିନଥାନ୍ତି । ବୋର୍ଡ ଆଗରୁ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ବହି ଛାପିବା ଦାୟିତ୍ୱ ନେଇଥିଲା ।

ମାତ୍ର ରାଜ୍ୟ ସରକାର ପୂର୍ବରୁ ଅଷ୍ଟମ ଶ୍ରେଣୀ ବହି ଛାପିବା ଦାୟିତ୍ୱ ନେଇ ଯାଇଛନ୍ତି। ଏପରିକି ବୋର୍ଡ ପାଉଥିବା ଆର୍ଥିକ ସହାୟତାକୁ ବିଚାର ନକରି ସରକାର ବାର୍ଷିକ ମାତ୍ର ୫ କୋଟି ଯୋଗାଇ ଦେଉଛନ୍ତି। ଏବେ ବୋର୍ଡ ଆର୍ଥିକ ଦୁର୍ଗତି ମଧ୍ୟରେ ଗତି କରୁଥିବା ବେଳେ ଏବେ ଚକ୍ରାନ୍ତ କରି ନବମ ଓ ଦଶମ ବହି ପାଇଁ କାଗଜ କିଣା, ଛାପିବା, ବନେ୍ଧଇ ଏବଂ ବିତରଣ କାର୍ଯ୍ୟ ଟେକ୍ସଟ୍‌ ବୁକ୍‌ ପ୍ରଡକସନ୍‌ ଆଣ୍ଡ ମାର୍କେଟିଂ (ଟିବିପିଏମ୍‌) ସଂସ୍ଥା ଦ୍ୱାରା କରାଯିବ ପାଇଁ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛନ୍ତି । ଯାହାଫଳରେ ବୋର୍ଡରେ ବର୍ତ୍ତମାନ କାର୍ଯ୍ୟରତ ଥିବା ଏବଂ ଅବସର ଗ୍ରହଣ କରିଥିବା ପ୍ରାୟ ୭ଶହ ପରିବାରର ଭବିଷ୍ୟତ ଅନ୍ଧାର ଅନ୍ଧାର ଘେରକୁ ଚାଲିଯାଉଛି । ଏଥିସହ ବୋର୍ଡର ଅନ୍ୟ ଏକ ମୌଳିକ ଆର୍ଥିକ ଉତ୍ସ ହେଲା ପରୀକ୍ଷା ଫି’ । ଏହାକୁ ଅନ୍ୟତ୍ର ଖର୍ଚ୍ଚ କରାଯାଉଥିବାରୁ ବୋର୍ଡର ଆର୍ଥିକ ସ୍ଥିତି ଦୋହଲି ଯାଇଛି ।

ଗଣଶିକ୍ଷା ବିଭାଗର ରାଜ୍ୟସ୍ତରୀୟ କମିଟିର ଏଭଳି ନିଷ୍ପତ୍ତିକୁ ବୋର୍ଡ କର୍ତ୍ତୃପକ୍ଷ ବିରୋଧ କରିବା ବଦଳରେ ଆଖି ବୁଜି ଦେଇଛନ୍ତି । ଯାହାକୁ ନେଇ ବୋର୍ଡର ଉଭୟ ଅଫିସର ଓ କର୍ମଚାରୀ ସଂଘ ପକ୍ଷରୁ ନଭେମ୍ବର ୨୧ ତାରିଖରୁ ଆନ୍ଦୋଳନ ଜାରି ରହିଛି । ସରକାର ଓ ବୋର୍ଡ କର୍ତ୍ତୃପକ୍ଷ ଶୁଣୁନଥିବାରୁ ମାଟ୍ରିକ୍‌ ପରୀକ୍ଷାରେ ଉଭୟ ସଂଘ ସହଯୋଗ କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଏଣେ ଏଭଳି ସ୍ଥିତିରେ ବୋର୍ଡ ସଭାପତି ପଦ ଗତ ୬ ମାସ ହେଲା ଖାଲିପଡ଼ିଛି । ଅଗଷ୍ଟ ୩୧ ତାରିଖରେ ଡ. ଜାହାନ୍‌ ଆରା ବେଗମ୍‌ ସଭାପତି ପଦରୁ ଅବସର ନେବା ପରେ ତାଙ୍କ ସ୍ଥାନରେ ଆଉ କାହାକୁ ନିଯୁକ୍ତି ଦିଆଯାଇନାହିଁ । ଆଗାମୀ ଦିନରେ ଯଦି ଏହି ଅବସ୍ଥା ଲାଗିରୁହେ ତେବେ ମାଟ୍ରିକ୍‌୍‌ ପରୀକ୍ଷା କିଭଳି ଭାବେ ପରିଚାଳନା କରାଯିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

   ସମ୍ବନ୍ଧିତ ଖବର


ମଙ୍ଗଳବାରରୁ ସମସ୍ତ ରୁଟ୍‌ରେ ଆରମ୍ଭ ହେବ ମୋ ବସ୍‌ ସେବା

ପୁଣି ଥରେ ଇତିହାସ ରଚିଲା ସମ୍ ହସ୍ପିିଟାଲ ଓଡ଼ିଶାର ଦ୍ୱିତୀୟ ଥର ପାଇଁ ସମ୍ ହସ୍ପିଟାଲ୍‌ରେ ସଫଳ ଯକୃତ ପ୍ରତ୍ୟାରୋପଣ

କୋଭିଡ ଟିକା ଦେବା ପାଇଁ ଓଡ଼ିଶା ପ୍ରସ୍ତୁତ, ୩୦ ହଜାର ସ୍ଥାନରେ ଦିଆଯିବ ଟିକା: ମୁଖ୍ୟ ଶାସନ ସଚିବ

କରୋନାରେ ମିଳିଲାନି କାମ, ଭୋକ ଉପବାସରେ ଜାଗାଘର ବାରଣ୍ଡାରେ ଆଖିବୁଜିଲେ ବୃଦ୍ଧ: ଶତ ଚେଷ୍ଟା ସତ୍ତ୍ୱେ ବଞ୍ଚାଇ ପାରିଲେନି ସାମାଜିକ କର୍ମୀ

ନିର୍ବନ୍ଧ ପରେ ବି ପୁରୁଣା ପ୍ରେମିକାକୁ ଭୁଲି ପାରିଲେନି ପ୍ରେମିକ, ତା’ ପରେ କାହାର ହେଲା ବିଜୟ…

ଭିନ୍ନ ଜାତିରେ ବାହା ହୋଇଥିଲେ ବୋଲି… ଭାଇ ଶବକୁ ଛୁଇଁଲାନି ଭାଇ, ସ୍ୱେଚ୍ଛାସେବୀ କଲେ ସଂସ୍କାର