ଏଥର ଦୀପାବଳିରେ ବାଣ ଫୁଟିବ ତ ? ବାଣ ମଗାଇବେ କି’ ନାହିଁ ଦ୍ୱନ୍ଦ୍ୱରେ ହୋଲ୍‌ସେଲ୍‌ ବ୍ୟବସାୟୀ

କଟକ,୩୦/୧୦: କରୋନା କଟକଣା ଭିତରେ ବିତିଗଲା ଚଳିତ ବର୍ଷର ପାର୍ବଣ । ଗଣେଶ ପୂଜାଠାରୁ ଦଶହରା ପର୍ଯ୍ୟନ୍ତ ସବୁ କଟକଣା ଘେରରେ ପାଳନ ହେଲା । ଏଭଳି ସ୍ଥିତିରେ ଆଗକୁ ଆସୁଛି ଦୀପାବଳି । ଆଲୋକ ଓ ଆତସବାଜିର ଏହି ଉତ୍ସବ କିଭଳି ପାଳନ ହେବ, ତାର ସ୍ପଷ୍ଟ ଚିତ୍ର ମିଳିନାହିଁ । ଦୀପାବଳି ଆଉ ମାତ୍ର ୧୫ ଦିନ ଥିବା ବେଳେ ବାଣ ବ୍ୟବସାୟକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି ବ୍ୟବସାୟୀ । ଏଥର ବାଣ ଫୁଟିବ କି ନା ସେ ନେଇ ଅନିଶ୍ଚିତତା ଲାଗି ରହିଛି । ସ୍ୱାଭାବିକ ଭାବେ କଟକର ହୋଲସେଲ୍‌ ବ୍ୟବସାୟୀମାନେ ଏତେବେଳକୁ ଶିବକାଶୀ, ରାୟପୁର, କଲିକତା, ଦିଲ୍ଲୀ ସମେତ ବିଭିନ୍ନ ଅଞ୍ଚଳରୁ ଆଗତୁରା ବାଣ ଆମଦାନୀ କରିସାରିଥାନ୍ତି । ମାତ୍ର ଏଥର ଆଶଙ୍କା ଭିତରେ ଅଛି ଦୀପାବଳି ଉତ୍ସବ । ବିଶେଷ କରି ଏଥର ବାଣ ବିକ୍ରି ପାଇଁ ଓ ଫୁଟାଇବା ପାଇଁ ପୁଲିସ ଅନୁମତି ଦେବ କି ନାହିଁ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କଟକ ସହରରେ ବାଣ ବେପାର ଓ ବଜାର ବେଶ ପୁରୁଣା । ମୁଖ୍ୟତଃ ଚୌଧୁରୀବଜାର, ନନ୍ଦିସାହିର ବ୍ୟବସାୟୀମାନେ ହୋଲ୍‌ସେଲ୍‌ ବାଣ ବ୍ୟବସାୟ କରନ୍ତି । ସେମାନଙ୍କଠାରୁ ପୂର୍ବରୁ ବିଭିନ୍ନ ଜିଲ୍ଲାର ବ୍ୟବସାୟୀମାନେ ବାଣ ନେଉଥିଲେ । ଏବେ ହୋଲସେଲ୍‌ ବେପାର ପୂର୍ବାପେକ୍ଷା ଯଥେଷ୍ଟ କମିଛି । ତଥାପି କଟକର ହୋଲ୍‌ସେଲ୍‌ ଓ ୨ଶହରୁ ଅଧିକ ରିଟେଲ୍‌ ଦୋକାନରେ ପାଖାପାଖି ୧୦ କୋଟି ଟଙ୍କାର ବାଣ ବ୍ୟବସାୟ ହୋଇଥାଏ ବୋଲି ବ୍ୟବସାୟ ବିଶେଷଜ୍ଞମାନଙ୍କ ମତ । ଏହାଛଡ଼ା କଟକସହର ଉପକଣ୍ଠ ପଦ୍ମପୁରରେ ମଧ୍ୟ ବାଣ ତିଆରି ଓ ବିକ୍ରି ହୋଇଥାଏ । ଯାହାର ଅଲଗା ବଜାର ରହିଥାଏ। କିନ୍ତୁ ପୁଲିସ ଏଯାବତ୍‌ ବାଣ ଦୋକାନୀଙ୍କୁ ଲାଇସେନ୍ସ ଦେବ କି ନାହିଁ ତାହା ସ୍ଥିର କରିନଥିବାରୁ ବ୍ୟବସାୟୀମାନେ ଅକଳରେ ପଡ଼ିଛନ୍ତି ।

ବାଣ ଆଣିବେ କି ନାହିଁ, ତାହା ସେମାନେ ସ୍ଥିର କରିପାରୁନାହାନ୍ତି । ବାଣ ବିକ୍ରି କରିବା ପାଇଁ ପ୍ରତିବର୍ଷ କମିସନରେଟ୍‌ ପୁଲିସ ଅସ୍ଥାୟୀ ଲାଇସେନ୍ସ ପ୍ରଦାନ କରିଥାଏ । କିଛି ନିର୍ଦ୍ଦିଷ୍ଟ ଖୋଲା ପଡ଼ିଆରେ ଏହିସବୁ ଦୋକାନ ଖୋଲି ବ୍ୟବସାୟ କରିବାକୁ ଲାଇସେନ୍ସ ମିଳିଥାଏ । ମାତ୍ର ଏବର୍ଷ ଲାଇସେନ୍ସ ମିଳିବ କି ନାହିଁ ତାହା ଏଯାବତ ସ୍ଥିର ହୋଇନି । ତେଣୁ ଖୁଚୁରା ବାଣ ବ୍ୟବସାୟୀମାନେ ଏବେ ଆଶାଆଶଙ୍କା ଭିତରେ ଅଛନ୍ତି । ଲାଇସେନ୍ସ ପାଇଁ ୧୫ ଦିନ ପୂର୍ବରୁ ଆବେଦନ କରାଯାଏ । ବିଭିନ୍ନ ପ୍ରକାର ଅନୁମତି ପତ୍ର ଦାଖଲ କଲା ପରେ ପୁଲିସ ସେଗୁଡ଼ିକୁ ଯାଞ୍ଚ୍‌ କରି ଲାଇସେନ୍ସ ଦିଏ । ଆଉ ତଦନୁସାରେ ସେମାନେ ବାଣ ମଗାଇ ବିକ୍ରି କରିଥାନ୍ତି ।

ହେଲେ ଏବର୍ଷ କ’ଣ ହେବ ତାହା କେହି ବି କହିପାରୁ ନାହାନ୍ତି । ସେହିପରି ପୁଲିସର ଟାଳଟୁଳ ନୀତି ପାଇଁ ହୋଲସେଲ୍‌ ବ୍ୟବସାୟୀମାନେ ଅକଳରେ ପଡ଼ିଯାଇଛନ୍ତି । ବାଣ ମଗାଇଦେଲା ପରେ ଯଦି ପୁଲିସ ଲାଇସେନ୍ସ ନଦିଏ ତାହେଲେ ସେଗୁଡ଼ିକ ବିକ୍ରି କରିହେବନି । ଏପରିକି ସେସବୁ ବାଣ ରଖି ମଧ୍ୟ ପାରିବେନି । କାରଣ ଏହି ବ୍ୟବସାୟୀଙ୍କ ପାଖରେ ସ୍ଥାୟୀ ବାଣ ଦୋକାନର ଲାଇସେନ୍ସ ମଧ୍ୟ ନାହିଁ । ତେଣୁ ତୁରନ୍ତ ପୁଲିସ ଏନେଇ ନିଷ୍ପତ୍ତି ନେବାକୁ ବ୍ୟବସାୟୀମାନେ ଦାବି କରୁଛନ୍ତି । ଏନେଇ ଡିସିପି ପ୍ରତୀକ ସିଂହଙ୍କ କହିବା କଥା, ବାଣ ଦୋକାନୀଙ୍କୁ ଲାଇସେନ୍ସ ଦିଆଯିବ କି ନାହିଁ ସେନେଇ ଖୁବ୍‌ ଶୀଘ୍ର ନିଷ୍ପତ୍ତି ହେବ । ଏହି ନିଷ୍ପତ୍ତି ରାଜ୍ୟ ସରକାର ନଭେମ୍ବର ମାସ ପାଇଁ ଜାରି କରିବାକୁ ଥିବା ଗାଇଡ୍‌ଲାଇନ୍‌ ଉପରେ ନିର୍ଭର କରୁଛି ବୋଲି ଶ୍ରୀ ସିଂହ କହିଛନ୍ତି । ଏଣୁ ଦୀପାବଳିର ବାଣ ବେପାର ଓ କାରବାରକୁ ନେଇ ଏବେ ଘୋର ଅନିଶ୍ଚିତତା ଦେଖା ଦେଇଛି ।

   ସମ୍ବନ୍ଧିତ ଖବର


ଘରେ ବସି ଗୋଟିଏ ମିସ୍‌ଡ କଲରେ ଚେକ୍‌ କରନ୍ତୁ PF ଖାତା

ବିଶ୍ୱର ସବୁଠୁ ଦାମୀ ହ୍ୟାଣ୍ଡବ୍ୟାଗ୍‌ ପ୍ରଦର୍ଶନ କଲା ‘ବୋରିନି ମିଲାନେସି’,ଏହା ଦାମ୍ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଭାରତୀୟ ଅର୍ଥବ୍ୟବସ୍ଥା ପ୍ରତି ବିପଦ: ଖରା ଯୋଗୁଁ ବାହାରକୁ ବାହାରିବେନି କର୍ମଚାରୀ, ଜିଡିପିରୁ ପ୍ରାୟ ୧୯ ଲକ୍ଷ କୋଟି ସଂକୁଚିତ ହେବ

ଦେଶର ଡ୍ରପ୍‌ଆଉଟ୍‌ କୋଟିପତି, ଜାଣନ୍ତୁ ତାଙ୍କ ସଂଘର୍ଷର କାହାଣୀ…

ପେନ୍‌ସନଭୋଗୀଙ୍କ ପାଇଁ ଖୁସି ଖବର: ଜୀବନ ପ୍ରମାଣପତ୍ର ଦାଖଲ ଅବଧି ବଢ଼ିଲା

PNB ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା : ୧ ଡିସେମ୍ୱରରୁ ବଦଳିବ ଟଙ୍କା ଉଠାଇବାର ନିୟମ