ପାକିସ୍ତାନର ନୂଆ ଚାଲ୍: ଇମ୍ରାନଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ଦାବି

ନୂଆଦିଲ୍ଲୀ,୨।୩: ଅନ୍ତର୍ଜାତୀୟ ସ୍ତରର ଚାପ ପରେ ପାକିସ୍ତାନ ଭାରତୀୟ ବାୟୁସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଗତକାଲି ମୁକ୍ତ କରିଛି। ଏଭଳି କରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ନିଜକୁ ଉଦାର ହୃଦୟର ପରିଚୟ ଦେବାକୁ ଚାହୁଁଛନ୍ତି। କିନ୍ତୁ ଆତଙ୍କବାଦ ବିରୋଧରେ ଇମ୍ରାନ ଖାନ ଚୁପ୍ ରହିବା ତାଙ୍କର ପ୍ରକୃତ ମୁଖା ଖୋଲିଦେଇଛି। ଏସବୁ ଭିତରେ ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫଓ୍ବାଦ ଚୌଧରି ନୋବେଲ ଶାନ୍ତି ପୁରସ୍କାରରେ ଇମ୍ରାନ ଖାନଙ୍କୁ ସମ୍ମାନିତ କରିବା ପାଇଁ ଦାବି କରିଛନ୍ତି । ଏ ସମ୍ପର୍କରେ ସଂସଦୀୟ ସଚିବାଳୟରେ ଏକ ପ୍ରସ୍ତାବ ଦେଇଛନ୍ତି।
ସୂଚନା ପ୍ରସାରଣ ମନ୍ତ୍ରୀ ଫଓ୍ବାଦ ଚୌଧରି ତାଙ୍କ ପ୍ରସ୍ତାବରେ କହିଛନ୍ତି ଇମ୍ରାନ ଖାନ୍ ଭାରତ-ପାକିସ୍ତାନ ମଧ୍ୟରେ ବିବାଦକୁ କମ୍ କରିବାରେ ବଡ ଭୂମିକା ଗ୍ରହଣ କରିଛନ୍ତି। ତେଣୁ ସେ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଯୋଗ୍ୟ ବୋଲି କହିଛନ୍ତି। ଏଠାରେ ଉଲ୍ଲେଖନୀୟ ଯେ ଭାରତ-ପାକିସ୍ତାନ ମଧ୍ୟରେ ବିବାଦ ପୂର୍ବ ଅପେକ୍ଷା ବଢିଯାଇଛି। ଗତ ୧୪ ଫେବୃଆରୀରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ସିଆରପିଏଫର ୪୦ ଯବାନ ଶହୀଦ ହୋଇଥିଲେ। ଏହାପରେ ୨୬ ଫେବୃଆରୀରେ ଭାରତ ପୁଲଓ୍ବାମା ଆକ୍ରମଣର ପ୍ରତିଶୋଧ ନେବାକୁ ପାକିସ୍ତାନର ବାଲକୋଟରେ କରିଥିଲା ଏୟାର ଷ୍ଟ୍ରାଇକ୍ । ଭାରତୀୟ ବାୟୁସେନା ଜୈଶର ଆଡ୍ଡାକୁ ନଷ୍ଟ କରିଦେଇଥିଲା। ଏହାର ପରଦିନ ପାକିସ୍ତାନୀ ବାୟୁସେନା ଭାରତରେ ଅନୁପ୍ରବେଶ କରିବାର ଚେଷ୍ଟା କରିଥିଲା। ପାକିସ୍ତାନର ଯୋଜନାକୁ ଭାରତୀୟ ବାୟୁସେନା ବିଫଳ କରିଦେଇଥିଲା ଓ ତା’ର ଯୁଦ୍ଧ ବିମାନ ଏଫ୍-୧୬କୁ ନଷ୍ଟ କରିଦେଇଥିଲା। ଏହି ସମୟରେ ଭାରତର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ପାକିସ୍ତାନ ସେନା ବନ୍ଦୀ କରି ରଖିଥିଲା।