୩ ପିଏଲ୍‌ଏଫ୍‌ଆଇ ସଦସ୍ୟ ଗିରଫ: ପିସ୍ତଲ, ଅଫୁଟା ଗୁଳି ଜବତ

ରାଉରକେଲା ୧୪/୧୧: ଓଡ଼ିଶା, ଝାଡ଼ଖଣ୍ଡ ଓ ଛତିଶଗଡ଼ ରାଜ୍ୟରେ ୩ ବର୍ଷ ହେଲା ସକ୍ରିୟ ଥିବା ପିପୁଲ୍ସ ଲିବରେସନ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଲ୍‌ଏଫ୍‌ଆଇ)ର ୩ ଜଣ ସଦସ୍ୟଙ୍କୁ ରାଉରକେଲା ପୁଲିସ୍‌ ଗିରଫ କରିଛି । ଏମାନେ ହତ୍ୟା ଓ ଗୁଳି ଚାଳନାରେ ଦକ୍ଷ ଥିବା ବେଳେ ସେମାନଙ୍କ ଠାରୁ ଦୁଇଟି ପିସ୍ତଲ, ଗୋଟିଏ ଭୁଜାଲି ଓ ଦୁଇ ରାଉଣ୍ଡ ଅଫୁଟା ଗୁଳି ଜବତ କରାଯାଇଛି ।

ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ ଏବଂ ରାଉରକେଲା ଏସ୍‌ପି କେ. ଶିବା ସୁବ୍ରମଣୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ଯେ ମଙ୍ଗଳବାର ରାତି ସାଢ଼େ ୮ଟାରେ ବିଶ୍ରା ଥାନା ଅନ୍ତର୍ଗତ ଭାଲୁଲତା ସାପ୍ତାହିକ ବଜାର ନିକଟରେ ପେଟ୍ରୋଲ ପମ୍ପରେ ଡକାୟତି କରିବା ଲାଗି ଯୋଜନା କରୁଥିଲେ ପିଏଲ୍‌ଏଫ୍‌ଆଇ ସଦସ୍ୟ ପବନ ତାନିବାଡିଂ ଓରଫ ଖୁଣ୍ଟା (୨୪), ସାମୁଏଲ ସଏ ମୁର୍ମୁ (୨୨) ଓ ରାଜେଶ ବିରୁଆ (୪୫) । କୌଣସି ସୂତ୍ରରୁ ଖବର ପାଇ ବିଶ୍ରା ପୁଲିସ୍‌ ଚଢ଼ାଉ କରି ଏହି ତିନି ଜଣଙ୍କୁ ଧରିଥିଲା । ସେମାନଙ୍କଠାରୁ ଦୁଇଟି ପିସ୍ତଲ, ଦୁଇ ରାଉଣ୍ଡ ଅଫୁଟା ଗୁଳି ଓ ଗୋଟିଏ ଭୁଜାଲି ଜବତ କରାଯାଇଛି ।

ପିଏଲ୍‌ଏଫ୍‌ଆଇ ମୁଖ୍ୟ ତଥା ଝାଡ଼ଖଣ୍ଡର ଦିନେଶ ଗୋପ ଓ ଏରିଆ କମାଣ୍ଡର ସଞ୍ଚାର ସୋରେନଙ୍କ ଅଧୀନରେ ଏହି ତିନି ଜଣ ଓଡ଼ିଶା, ଝାଡ଼ଖଣ୍ଡ ଓ ଛତିଶଗଡ଼ ଅଞ୍ଚଳରେ ଠିକାଦାର, ଖଣି ମାଲିକ ଓ ବ୍ୟବସାୟୀଙ୍କଠାରୁ ମୋଟା ଅଙ୍କର ଦାଦାବଟି ଆଦାୟ କରୁଥିଲେ । ଯେଉଁମାନେ ଟଙ୍କା ଦେଉନଥିଲେ ସେମାନଙ୍କୁ ଗୁଳି କରି ହତ୍ୟା କରାଯାଉଥିଲା । ଏପରିକି ପିସ୍ତଲ ମୁନରେ ମଧ୍ୟ ଏମାନେ ଟଙ୍କା ଆଦାୟ କରୁଥିଲେ । ଏମାନଙ୍କ ନାମରେ କେଉଁ ଥାନାରେ କି ମାମଲା ରହିଛି ତଦନ୍ତ କରାଯାଉଛି ।

   ସମ୍ବନ୍ଧିତ ଖବର


କଟକ ୨ ଡାକ୍ତରଖାନରେ ୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଓଡିଶାରେ ହେବ କୋଭିଡ-୧୯ଭ୍ୟାକସିନ୍‌ର ପରୀକ୍ଷଣ: ସମ୍‌ ହସପିଟାଲ୍‌ରେ ପରୀକ୍ଷଣ ହେବ

ଘରେ ଏକା ଥିବା ସମୟରେ କଲେଜ ଛାତ୍ରୀଙ୍କୁ ହତ୍ୟା

ବେଲଣାରେ ପିଟିପିଟି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ – ସ୍ୱାମୀ ମଦ ପିଇ ଅତ୍ୟାଚାର କରୁଥିବା ଅଭିଯୋଗ

୧୪୯ କରୋନା ଆକ୍ରାନ୍ତ ସୁସ୍ଥ

ମରିବା ପୂର୍ବରୁ ହାତରେ ଲେଖିଦେଇଥିଲେ ହତ୍ୟାକାରୀର ଗାଡି ନମ୍ବର, ଏଭଳି ଧରିଲା ପୋଲିସ