କାଳବୈଶାଖୀର ତାଣ୍ଡବ; ୨୦ ମିନିଟ୍‌ର ପବନରେ ସହର ବେହାଲ୍‌

କୋରାପୁଟ,୨୯ା୪(ଆପ୍ର): ଅପରାହ୍ଣ ପ୍ରାୟ ୨ଟା । କାଲି ହଠାତ୍‌ କୋରାପୁଟ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ । ପ୍ରଥମେ କିଛି ସମୟ ପାଇଁ ଝିପିଝିପି ବର୍ଷା ହେଲା । ତା’ପରେ ଦେଖୁ ଦେଖୁ ମାଡ଼ିି ଆସିଲା ପବନ । ଏତେ ଜୋର୍‌ରେ ବୋହିଲା ଯେ, ମାତ୍ର ୨୦ ମିନିଟ୍‌ ଭିତରେ ବଦଳିଯାଇଛି ସହରର ଚେହେରା । ଭାଙ୍ଗିପଡ଼ିଛି ବଡ଼ ବଡ଼ ଗଛ, ଉପୁଡ଼ି ପଡ଼ିଛି ବହୁ ବିଦ୍ୟୁତ୍‌ ଖୁଣ୍ଟ । ଅନେକ ସ୍ଥାନରେ ବିଦ୍ୟୁତ୍‌ ତାର ଛିଣ୍ଡି ପଡିଛି । କେତେକ ଘରର ଆଜବେଷ୍ଟସ୍‌ ସମ୍ପୂର୍ଣ୍ଣ ଉଡିଯାଇଛି । ଗଛ ପଡି଼ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଛି । ପବନ ସାଙ୍ଗକୁ କୁଆପଥର ମାଡ଼ ପରେ ପ୍ରାୟ ଘଣ୍ଟାଏ ଧରି ଛେଚିଲା ବର୍ଷା । ଗରମରୁ ସିନା ଟିକିଏ ଆଶ୍ୱସ୍ତି ମିଳିଲା, ହେଲେ କାଳବୈଶାଖୀର ତାଣ୍ଡବରେ ଅନେକ କ୍ଷୟକ୍ଷତି ହୋଇଛି । ନାରାୟଣପାଟଣା ବିସ୍ଥାପିତ କଲୋନି ଉପରେ ଏକ ଗଛ ପଡିଯିବାରୁ ୨ ଜଣ ଆହତ ହୋଇଛନ୍ତି । ସେମାନେ ହେଲେ ପ୍ରଦୀପ ଖରା ଓ ତାଙ୍କ ଝିଅ ଟିମା ଖରା । ସେମାନଙ୍କୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।

ଜାତୀୟ ରାଜପଥ ସମେତ ବିଭିନ୍ନ ସାହିରେ ଭାଙ୍ଗିପଡ଼ିଛି ଗଛ । କେଉଁଠି ମୂଳରୁ ଉପୁଡିଛି ତ ଆଉ କେଉଁଠି ବଡ଼ ବଡ଼ ଡାଳ ଭାଙ୍ଗିପଡ଼ିଛି । କେତେକ ସ୍ଥାନରେ ଘର ଉପରେ ଭାଙ୍ଗିପଡ଼ିଛି ଗଛ । ପବନ ଓ ବର୍ଷା ଛାଡି଼ବା ବେଳକୁ ବିବର୍ଣ୍ଣ ହୋଇପଡିଛି ପୂରା ସହର । ସଙ୍ଗେ ସଙ୍ଗେ ପ୍ରଶାସନ ପକ୍ଷରୁ ନିୟୋଜିତ ହୋଇଥିଲେ ଓଡ୍ରାଫ ଟିମ୍‌ । ରାସ୍ତା ଉପରେ ପଡିଥିବା ଗଛକୁ ଯୁଦ୍ଧକାଳୀନ ଭିତ୍ତିରେ କାଟି ସଫା କରିଥିଲେ । ଏହାପରେ ରାଜପଥରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା । ବିଭିନ୍ନ ସ୍ଥାନରେ ୧୦ରୁ ଅଧିକ ବିଦ୍ୟୁତ୍‌ଖୁଣ୍ଟ ଏବଂ ବ୍ୟାପକ ତାର ଛିଣ୍ଡିଥିବାରୁ ଆଜି ରାତିତମାମ୍‌ ଅନ୍ଧାରରେ ରହିଛନ୍ତି ସହରବାସୀ । ମରାମତି କାମରେ ଲାଗିଛନ୍ତି ବିଭାଗୀୟ କର୍ମଚାରୀମାନେ । ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ସୁରେଶ କୁମାର କିଶାନଙ୍କ ନେତୃତ୍ୱରେ ଓଡ୍ରାଫ୍‌ ଟିମ୍‌ ଗଛ କାଟି ସଫା କରିଥିଲେ । ସେହିପରି ବରିଷ୍ଠ ନାଗରିକ ଗୃହ ନିକଟରେ ଏକ ଗଛର ବିରାଟ ଡାଳ ଭାଙ୍ଗିପଡିବାରୁ ଗୋଟିଏ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି ।

କାଳବୈଶାଖୀ ପ୍ରଭାବରେ ପୌର ପରିଷଦର ଜିମ୍‌ନାସିୟମ୍‌ ଛିନ୍‌ଛତ୍ର ହୋଇଯାଇଛି । ଜିମ୍‌ନାସିୟମ୍‌ର ଟିଣଛପର ସମ୍ପୂର୍ଣ୍ଣ ଉଡିଯାଇଛି । ପବନର ବେଗ ଏତେ କ୍ଷୀପ୍ର ଥିଲା ଯେ, ଟିଣଗୁଡ଼ିକ ପତ୍ର ଭଳି ଉଡି଼ ବିଭିନ୍ନ ଘରର ଛାତ ଉପରେ ପଡ଼ିଥିବା ଦେଖିବାକୁ ମିଳିଛି । ମାତ୍ର ଘଣ୍ଟାକର ବର୍ଷାରେ ରାସ୍ତାରେ ଛୁଟିଥିଲା ଡ୍ରେନ୍‌ର ଦୂଷିତ ପାଣି । ଡ୍ରେନ୍‌ର ଆବର୍ଜନା ରାସ୍ତା ଉପରକୁ ଚାଲି ଆସିଥିଲା । ଦୁର୍ଗନ୍ଧରେ ନାକ ଫାଟିଥିଲା । ଅନ୍ୟପକ୍ଷରେ ଚେକ୍‌ଗେଟ୍‌ ନିକଟରେ ଥିବା ନାରାୟଣପାଟଣା ବିସ୍ଥାପିତ କଲୋନିର ଲୋକେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛନ୍ତି । କଲୋନି ଉପରେ ଗୋଟିଏ ଗଛ ଭାଙ୍ଗିପଡିଛି । ପ୍ରଭାବିତ ହୋଇଛନ୍ତି ବିସ୍ଥାପିତମାନେ । ସେମାନଙ୍କ ପଲିଥିନ୍‌ ଘୋଡା ଅଧିକାଂଶ ଘର ନଷ୍ଟ ହୋଇଥିବା ଖବର ମିଳିଛି । ତହସିଲଦାର ନେହରୁ ମାଝୀ କହିଛନ୍ତି, ଯୁଦ୍ଧକାଳୀନ ଭିତ୍ତିରେ ବିସ୍ଥାପିତ କଲୋନିବାସୀଙ୍କୁ ଯାହା ଆବଶ୍ୟକ ଯୋଗାଇ ଦିଆଯିବ । କ୍ଷୟକ୍ଷତି ଆକଳନ ପରେ ଅଧିକ ସହାୟତା ପ୍ରଦାନ କରାଯିବ । ବିଦ୍ୟୁତ୍‌ ବିଭାଗ କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ମାର୍ଥା କହିଛନ୍ତି, ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ଖୁଣ୍ଟ ଓ ତାର ଛିଣ୍ଡିଥିବାରୁ ମରାମତି କାର୍ଯ୍ୟ ଜାରି ରହିଛି । ସୋମବାର ରାତିସୁଦ୍ଧା ବିଦ୍ୟୁତ୍‌ ଯୋଗାଣ ସମ୍ଭବ ନୁହେଁ । ତଥାପି ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯାଇ ମଙ୍ଗଳବାର ପୂର୍ବାହ୍ନ ସୁଦ୍ଧା ବିଦ୍ୟୁତ୍‌ ଯୋଗାଣ କରିବା ଲାଗି ଉଦ୍ୟମ ଜାରି ରହିଛି । କାଳବୈଶାଖୀରେ ବିଭାଗର ୪୦ ଲକ୍ଷରୁ ଅଧିକ ଟଙ୍କା କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି ।

   ସମ୍ବନ୍ଧିତ ଖବର


ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତକୁ ନରସିଂହପୁରରୁ ଉଠାଇ ନେଲା କୋଲକାତା ପୁଲିସ

ଜାନୁଆରୀ ପହିଲାରୁ ରାଜ୍ୟରେ ବିଜୁଳି ସଙ୍କଟ ! ଡିସେମ୍ବର ୩୧ ସୁଦ୍ଧା ବନ୍ଦ ହେବ ୪୬୦ ମେଗାୱାଟ୍‌ ବିଶିଷ୍ଟ ଥର୍ମାଲ୍‌ ପ୍ଲାଣ୍ଟ, ଅନିଶ୍ଚିତତାରେ ନୂତନ ପ୍ଲାଣ୍ଟ୍‌ ସ୍ଥାପନ

ଆଜିଠୁ କୋଣାର୍କ ଉତ୍ସବ, ଚନ୍ଦ୍ରଭାଗା ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ

ଜୀବିକା ନେଲା ଜୀବନ, ମାଛ ଧରିବାକୁ ଯାଇ ମୃତ୍ୟୁର ଜାଲରେ ଫସିଗଲେ ଯୁବକ

ନିର୍ବନ୍ଧ ପରେ ବି ପୁରୁଣା ପ୍ରେମିକାକୁ ଭୁଲି ପାରିଲେନି ପ୍ରେମିକ, ତା’ ପରେ କାହାର ହେଲା ବିଜୟ…

ଭିନ୍ନ ଜାତିରେ ବାହା ହୋଇଥିଲେ ବୋଲି… ଭାଇ ଶବକୁ ଛୁଇଁଲାନି ଭାଇ, ସ୍ୱେଚ୍ଛାସେବୀ କଲେ ସଂସ୍କାର