ଟିକେଟ ଝମେଲାରେ ଝାଳନାଳ

ଭୁବନେଶ୍ୱର,୧୩ ।୩(ବ୍ୟୁରୋ): ମଇଦାନ ଗରମ ଧରିଲାଣି । ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ପାଇଁ ମଝିରେ ଆଉ ୫ ଦିନ । ବିଜେଡି, କଂଗ୍ରେସ ଓ ବିଜେପିରେ କିନ୍ତୁ ଟିକେଟ ଝମେଲା ଛିଣ୍ଡୁନି । ଘନ ଘନ ବୈଠକ, ତୁହାକୁ ତୁହା ମନ୍ତ୍ରଣା । ଶୀତତାପ ନିୟନ୍ତ୍ରିତ ମନ୍ତ୍ରଣାକକ୍ଷରେ ବି ଝାଳନାଳ । ମାତ୍ର ଟିକେଟ ଅଙ୍କ ଅସମ୍ପୂର୍ଣ୍ଣ ରହୁଛି । ନିଷ୍ପତ୍ତିରେ ‘କେଁ’ ରହିଯାଉଛି । ଛକି-ଶୂନ ଖେଳ ସତ୍ତେ୍ୱ ଏଯାଏ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ହୋଇପାରୁନି ।
ବିଜୁ ଜନତା ଦଳରେ ଟିକେଟକୁ ନେଇ ସବୁଠାରୁ ବେଶୀ ଟଣାଓଟରା । ଉଭୟ ଲୋକସଭା ଓ ବିଧାନସଭା କ୍ଷେତ୍ରରେ ଦଳ ବହୁ ନୂଆମୁହଁଙ୍କୁ ଟିକେଟ ଦେବାକୁ ଏକରକମ ନିଷ୍ପତ୍ତି ନେଇଥିବାରୁ ଦଳରେ ଯେତିକି ଆଶା, ସେତିକି ଆଶଙ୍କା । ଯେଉଁଠି ଦଳ ନୂଆ ଚେହେରାକୁ ଧରି ମଇଦାନକୁ ଓହ୍ଲାଇବ, ସେଠି ସମୀକରଣ କ’ଣ ହେବ? ଯେଉଁ ନେତାଙ୍କ ଟିକେଟ କଟିବ, ସେ ଅନ୍ୟ କେଉଁ ଦଳକୁ ଡେଇଁବାର ସମ୍ଭାବନା ଅଛି କି? ଦଳର ବିଜୟ ପଥରେ ସେ କେତେ ପ୍ରତିବନ୍ଧକ ସାଜିବେ? ଏ ପ୍ରସଙ୍ଗକୁ ନେଇ ବିଜେଡି ମୁଖିଆ ଆଜି ଘନ ଘନ ଆଲୋଚନା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ସହ ସଂପୃକ୍ତ ୨୮ ବିଧାନସଭା ସଂପର୍କରେ ଦଳୀୟ ପ୍ରାର୍ଥୀ ଚୂଡାନ୍ତ କରିବାକୁ ନବୀନ ବେଶ୍‌ କସରତ କରିଥିଲେ । ଅପରାହ୍ନରେ ପର୍ଯ୍ୟବେକ୍ଷକ ଓ ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ, ନିରଞ୍ଜନ ପୂଜାରୀ, ମହେଶ୍ୱର ମହାନ୍ତି, ଉଷା ଦେବୀ, ଶରତ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ରବି ନାରାୟଣ ନନ୍ଦ, ପ୍ରଫୁଲ୍ଲ ମଲ୍ଲିକଙ୍କ ସହ ବିଶଦ ଭାବେ ଆଲୋଚନା କରିଥିଲେ । ପ୍ରାୟ ୬୦ ପ୍ରତିଶତ ଆସନ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇଛି ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଗୁରୁବାର ଚୂଡ଼ାନ୍ତ ଟିକେଟ ନେଇ ନବୀନ ମୋହର ମାରିବାର ଯଥେଷ୍ଟ ସମ୍ଭାବନା ରହିଛି ।
ବିଜେଡି ସୂତ୍ର ଅନୁସାରେ, ନବରଙ୍ଗପୁର ଲୋକସଭା ଆସନ ପାଇଁ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ଏବଂ କୋରାପୁଟ ଲୋକସଭା ଆସନ ପାଇଁ ସାଂସଦ ଝିନ ହିକ୍‌କାଙ୍କ ପତ୍ନୀ କୌଶଲ୍ୟା ହିକ୍‌କାଙ୍କୁ ପ୍ରାର୍ଥୀ କରିବାକୁ ସହମତି ପ୍ରକାଶ ପାଇଛି । ବ୍ରହ୍ମପୁର ଏମପି ସିଟରୁ ପାରଳା ରାଜକୁମାରୀ କଲ୍ୟାଣୀ ଦେବୀଙ୍କ ନାଁକୁ ଦଳ ବିଚାର କରୁଥିଲା ବେଳେ କଳାହାଣ୍ଡି ନେଇ ନିଷ୍ପତ୍ତି ଝୁଲୁଛି । ସେହିଭଳି ଜୟପୁର ବିଧାନସଭା ଆସନରୁ ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ, କୋଟପାଡ଼ରୁ ବିଧାୟକ ମନୋହର ରନ୍ଧାରୀଙ୍କ ଭଉଣୀଙ୍କୁ ଟିକେଟ ଦେବାକୁ ଆପାତତଃ ଚୂଡ଼ାନ୍ତ ହୋଇଥିବା ଚର୍ଚ୍ଚା ହେଉଛି । ଅଧିକାଂଶ ଆସନରେ ୫ରୁ ୭ ଜଣ ଲେଖାଏଁ ଦାବିଦାର ଥିବାରୁ ଚୂଡ଼ାନ୍ତ ମୋହର ମାରିବା ପୂର୍ବରୁ ସବୁଦିଗକୁ ନବୀନ ଏକାଧିକ ବାର ଯାଞ୍ଚ କରୁଛନ୍ତି ।
ନୂଆଦିଲ୍ଲୀରେ ଟିକେଟ ସ୍କ୍ରିନିଂ ପାଇଁ କ୍ୟାମ୍ପ ପକାଇଥିବା କଂଗ୍ରେସ ନେତାମାନେ ଭୁବନେଶ୍ୱର ବାହୁଡ଼ିଛନ୍ତି । ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ଶୁକ୍ରବାର ବରଗଡ଼ ଗସ୍ତରେ ଆସୁଥିବାରୁ ସବୁ ନେତା ଏବେ ବରଗଡ଼ମୁହାଁ । କଂଗ୍ରେସ ଶୀଘ୍ର ପ୍ରାର୍ଥୀ ତାଲିକା ଜାରି କରିବ ବୋଲି ଦମ୍ଭ ଦେଖାଉଥିଲା ବେଳେ ଅଧିକ ମହିଳା ମୁହଁ ଦେବାକୁ ରାହୁଲଙ୍କ ପରାମର୍ଶ ଏବେ ଟିମ ନିରଞ୍ଜନର ଟେନସନ ବଢ଼ାଇଛି । ଦଳ ଏବେ ପୁଣି ତାଲିକାରେ କିଛି ମହିଳା ମୁହଁ ଯୋଡ଼ିବାକୁ ଉଦ୍ୟମ ଆରମ୍ଭ କରିଛି । କଂଗ୍ରେସ ଶିବିରରେ ମଧ୍ୟ ଟିକେଟ ଆଶାୟୀମାନଙ୍କୁ ନେଇ ଦଳୀୟ ହାଇକମାଣ୍ଡ ଚିନ୍ତାରେ ପଡ଼ିଛନ୍ତି ।
ବିଜେପି ମୋଟାମୋଟି ସାଂସଦ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିସାରିଛି ବୋଲି ସୂଚନା ମିଳିଛି । ଦିଲ୍ଲୀ ସହ ଭୁବନେଶ୍ୱରରେ ମଧ୍ୟ ଦଳ କୋର କମିଟିର ଏକ ବୈଠକ ବସିଛି । ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଦଳ ଅନ୍ୟ ଦଳର କିଛି ବିଦ୍ରୋହୀଙ୍କୁ ସୁଯୋଗ ଦେବା ଚକ୍କରରେ ମଧ୍ୟ ଥିବା ଶୁଣିବାକୁ ମିଳୁଛି । ତେଣୁ ବିଜେପି ବିଜେଡି ଓ କଂଗ୍ରେସର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ନେଇ ଖୋଜଖବର ରଖୁଛି । ଏପରିକି କିଛି ସ୍ଥାନରେ ବିଜେଡି ଓ କଂଗ୍ରେସର କିଛି ନେତା ଟିକେଟ କଟିଲେ ପଦ୍ମ ଧରିବାକୁ ଯୋଗସୂତ୍ର ଆରମ୍ଭ କରିଛନ୍ତି । ଏଥିପାଇଁ ଦଳ ପ୍ରଥମ ଦଫା ପ୍ରାର୍ଥୀ ତାଲିକା ଏକାଥରକେ ଘୋଷଣା ନକରି ପର୍ଯ୍ୟାୟକ୍ରମେ କରିବ ବୋଲି ଦଳର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି । କିଛି ଆସନରେ ପୁରୁଣା ଚେହେରାକୁ ବଦଳାଇ ଦଳ ନୂଆମୁହଁକୁ ସୁଯୋଗ ଦେବାକୁ ବିଜେପି ବିଚାର କରୁଥିବାରୁ ‘ଦଳଡିଆଁ’ମାନେ ଦଳ ପାଇଁ ଅଡୁଆ ସ୍ଥିତି ଆଣିବାର ଭୟ ମଧ୍ୟ ଘାରିଛି ।
ତିନି ଦଳରେ ଟିକେଟକୁ ନେଇ ଛକି-ଶୂନ ଖେଳ ଲାଗି ରହିଛି । ପ୍ରଥମ ପର୍ଯ୍ୟାୟ ନାମାଙ୍କନପତ୍ର ଦାଖଲର ସମୟ ସୀମା ପାଖେଇ ଆସୁଥିବାରୁ ଦଳୀୟ ନେତାଙ୍କ ଚିନ୍ତା ମଧ୍ୟ ବଢ଼ି ଚାଲିଛି ।

୧୬ରେ ବିଜେପି ପ୍ରାର୍ଥୀ ତାଲିକା

ଆସନ୍ତା ୧୬ରେ ଜାରି ହେବ ବିଜେପି ପ୍ରାର୍ଥୀ ତାଲିକା । ପ୍ରଥମ ଦଫାରେ ପ୍ରାୟ ୯୦ ଲୋକସଭା ଆସନ ପାଇଁ ଦଳ ନୂଆଦିଲ୍ଲୀରୁ ପ୍ରାର୍ଥୀ ତାଲିକା ଜାରି କରିବ । ଏଥିରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ଚାରି ଲୋକସଭା ଆସନ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ପାଇଁ ନାମ ପ୍ରକାଶ ପାଇପାରେ । ଏହାସହ ସଂପୃକ୍ତ ବିଧାନସଭାଗୁଡ଼ିକ ପାଇଁ ମଧ୍ୟ ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିବାର ଯଥେଷ୍ଟ ସମ୍ଭାବନା ରହିଛି ।
ଦଳ ନବରଙ୍ଗପୁର ପାଇଁ ପର୍ଶୁରାମ ମାଝୀଙ୍କୁ ଏମପି ଭାବେ ଛିଡ଼ା କରାଇବାକୁ ବିଚାର କରୁଥିଲା ବେଳେ କୋରାପୁଟ ପାଇଁ ଜୟରାମ ପାଙ୍ଗୀ କିମ୍ବା ଗିରିଧର ଗମାଙ୍ଗୋଙ୍କ ମଧ୍ୟରୁ କାହା ନାମରେ ମୋହର ମାରିପାରେ । ସେହିଭଳି କଳାହାଣ୍ଡିରେ ପ୍ରଦୀପ୍ତ ନାଏକଙ୍କ ନାମ ଆଗରେ ରହିଛି । ବ୍ରହ୍ମପୁର ଲୋକସଭା ଆସନ ପାଇଁ ଭୃଗୁ ବକ୍ସିପାତ୍ରଙ୍କ ନାମକୁ ଦଳ ବିଚାର କରୁଛି ।
ଭାରତୀୟ ଜନତା ପାର୍ଟି(ବିଜେପି)ର ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଲୋକଙ୍କ ପସନ୍ଦ ଓ ମୋଦିଙ୍କ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇପାରୁଥିବା ବ୍ୟକ୍ତିକୁ ହିଁ ଦଳ ଟିକେଟ୍‌ ଦେବାବେଳେ ପ୍ରାଥମିକତା ଦେବ । ଆଜି ଏମିତି ସୂଚନା ଦେଇଛନ୍ତି ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି, ରାଜ୍ୟ ନିର୍ବାଚନରେ ଯେଉଁ ନେତୃବୃନ୍ଦ ସାମିଲ ଅଛନ୍ତି । ସେମାନଙ୍କ ଭିତରେ ନିୟମିତ ନିୟମିତ ବୈଠକ ଓ ଆଲୋଚନା ହେଉଛି । ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଖୁବ୍‌ଶୀଘ୍ର ଏହାର ତାଲିକା ପ୍ରସ୍ତୁତ କରାଯିବ । ଦଳର କର୍ମକର୍ତ୍ତା ଲଗାତାର କାର୍ଯ୍ୟକ୍ରମ ମାଧ୍ୟମରେ ନେତୃତ୍ୱ ଗଠନ ପ୍ରକ୍ରିୟା ବିଭିନ୍ନ ଅଞ୍ଚଳରେ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ପ୍ରତି ସ୍ୱତନ୍ତ୍ର ଯୋଜନା, ପୂର୍ବ ଭାରତର ପୂର୍ବୋଦୟ ଓଡ଼ିଶାରୁ ହେବ । ଗରିବ କଲ୍ୟାଣ ଯୋଜନା ପ୍ରୟୋଗଶାଳା ଓଡ଼ିଶାରୁ ହେବ । ଏହାକୁ କାର୍ଯ୍ୟକାରୀ କରିବା ଭାଷଣ ନୁହେଁ ବରଂ ଏହାକୁ କାର୍ଯ୍ୟକାରୀ କରିବାକୁ ଦଳର ନେତୃବୃନ୍ଦ ଲାଗିପଡିଛନ୍ତି ।
ନିର୍ବାଚନ ପରିପେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶା ଗସ୍ତରେ ଆସିବେ । ବର୍ତ୍ତମାନ ସୁଦ୍ଧା ରାଜ୍ୟର ଅନ୍ୟ କେନ୍ଦ୍ରମନ୍ତ୍ରୀ ମାନେ ମଧ୍ୟ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ ବିଜୟ ସଂକଳ୍ପ ସମାବେଶ ନାମରେ ସାଧାରଣ ଲୋକଙ୍କୁ ଭେଟିଛନ୍ତି । ଅଣ କଂଗ୍ରେସ ଓ କଂଗ୍ରେସ ଯେଉଁମାନେ ନବୀନ ପଟ୍ଟନାୟକଙ୍କୁ ବିରୋଧ କରୁଛନ୍ତି, ସେମାନଙ୍କ ପାଇଁ ବିଜେପି ହିଁ ଏକମାତ୍ର ବିକଳ୍ପ । ସେମାନଙ୍କୁ ବିଜେପିରେ ସ୍ୱାଗତ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

   ସମ୍ବନ୍ଧିତ ଖବର


ପୋଲିସ ଧକ୍କା ଦେଇ ତଳେ ପକାଇବା ପରେ ଲାଠିରେ ମାଡ ମାରିଥିଲା: ରାହୁଲ

ରାହୁଲ ଗାନ୍ଧୀ ଗିରଫ, ପୋଲିସ-କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି ବେଳେ ତଳେ ପଡିଗଲେ ରାହୁଲ ଗାନ୍ଧି, ହାଥରସ୍ ଯିବା ପୂର୍ବରୁ ରାହୁଲ-ପ୍ରିୟଙ୍କା ଗିରଫ

ପାରିତ ହେଲା ସଂକ୍ରାମକ ରୋଗ ବିଲ୍‌, କରୋନା ନିୟମ ଉଲ୍ଲଂଘନ କଲେ ଲକ୍ଷେ ଜରିମାନା, ଦୁଇ ବର୍ଷ ଜେଲ୍‌

ଯୋଗୀଙ୍କୁ ମାୟାବତୀଙ୍କ କଡ଼ା ସମାଲୋଚନା, କହିଲେ- ୟୁପିକୁ ସମ୍ଭାଳି ପାରୁନ ଯଦି ମଠକୁ ଫେରିଯାଅ…

ନିରବ ଗାନ୍ଧିମାର୍ଗ, ଶୁଭୁନି ‘ଆମର ଦାବି ସରକାର ତୁମେ ମାନିନିଅ’

ମେସିନ୍‌ ଜାଳି ଚାଷୀଙ୍କୁ ଅପମାନ କରିଛନ୍ତି ବିରୋଧୀ, କୃଷି ବିଲ୍‌ ନେଇ ବିରୋଧୀଙ୍କୁ ମୋଦିଙ୍କ କଡା ଜବାବ