ଶିମିଳିପାଳରେ ଅବାଧ ଶିକାର, ବନ ବିଭାଗର ନାହିଁ ନିଘା : ତାରିଣୀ ଭିଲ୍ଲା ପାଲଟିଛି ଶିକାରୀଙ୍କ ଭୂସ୍ୱର୍ଗ

ବାରିପଦା,୧୨/୫: ମୟୂରଭଞ୍ଜରେ ଅବସ୍ଥିତ ୨୭୫୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଶିମିଳିପାଳ ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କୁ ସୁରକ୍ଷା ତଥା ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବନ ଓ ପରିବେଶ ବିଭାଗ ପକ୍ଷରୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କୋର ଡିଭିଜନ ସମେତ ଚାରୋଟି ବନ ଡିଭିଜନକୁ ପୁନର୍ଗଠିତ କରାଯାଇ ପାଞ୍ଚଟି ଡିଭିଜନରେ ରୂପାନ୍ତରିତ କରାଯାଇଛି । ୬ମାସ ପୂରିବାକୁ ବସିଥିଲେ ମଧ୍ୟ ଶିମିଳିପାଳ ଅଭୟାରଣ୍ୟରେ ବନ୍ୟଜନନ୍ତୁ ପରିଚାଳନା ଠିକ୍‌ ଭାବେ ହେଉ ନଥିବା ଅଭିଯୋଗ ହୋଇଛି । ଫଳରେ ଶିକାରୀଙ୍କ ଅବାଧ ଅନୁପ୍ରବେଶ ଯୋଗୁଁ ଶିମିଳିପାଳ ଅଭୟାରଣ୍ୟ ଏବେ ଭୟରଅରଣ୍ୟ ପାଲଟିଛି । ତେବେ ଏ ଅଭିଯୋଗକୁ ଅଧିକ ଖୋରାକ ଯୋଗାଇ ଶାଣିତ କରିଛି କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଟଙ୍ଗାବିଲାରୁ ନିକଟରେ ଏକ କଲରାପତରିଆ ବାଘ ଚମଡା ସହ ୪ଜଣଙ୍କୁ ଗିରଫ ହେବା । ଖାଲି ସେତିକି ନୁହେଁ, ପୁଣି ଡୁକୁରା ରେଞ୍ଜରେ ଗତ ରବିବାର ରାତିରେ ୩ଜଣ ଶିକାରୀଙ୍କୁ ୩ଟି ବେଲରାମୂଷା ସହ ଟର୍ଚ୍ଚଲାଇଟ୍‌, ମୋବାଇଲ, ବାଟୁଳିି, କଟୁରୀ, କୁରାଢୀ ଓ ଦୁଇଟି ଧନୁତୀର ଜବତ ଘଟଣା ଶିମିଳିପାଳ କୋର ଏରିଆକୁ ଶିକାରୀଙ୍କ ଅବାଧ ପ୍ରବେଶ ଓ ଶିକାର ସଂପର୍କରେ ସ୍ପଷ୍ଟ ସୂଚନା ଦେଉଛି ।

ଉଲ୍ଲେଖ ଯୋଗ୍ୟ ଯେ, ଲକ୍‌ଡାଉନ୍‌ ସମୟରେ କୌଣସି କାମଧନ୍ଦା ନଥିବାରୁ ଶିମିଳିପାଳରେ ଶିକାର କରିବାକୁ ଅଧିକରୁ ଅଧିକ ସଂଖ୍ୟାରେ ଶିକାରୀଙ୍କର ଅନୁପ୍ରବେଶ ହେଉଛି । ବିଶେଷ କରି ଡୁକୁରା ଏସଟିଆର ଏବଂ ପୋଡାଡିହା ଏସଟିଆର ରେଞ୍ଜ ଦେଇ ଶିକାରୀମାନେ ଶିମିଳିପାଳ କୋର ଏରିଆକୁ ପ୍ରବେଶ କରୁଛନ୍ତି । ଗତ ରବିବାର ଏବଂ ସୋମବାର ମଧ୍ୟରେ ୧୭୦ରୁ ୨୦୦ପାଖାପାଖି ଶିକାରୀ ଶିମିଳିପାଳ କୋର ଏରିଆ ଭିତରକୁ ଶିକାର ପାଇଁ ପ୍ରବେଶ କରିଥିବା ସୂଚନା ପାଇ ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ଭାନୁମିତ୍ର ଆଚାର୍ଯ୍ୟ ବନ ବିଭାଗକୁ ସୂଚାଇ ଥିବା କହିଛନ୍ତି । ମାତ୍ର ବାରମ୍ବାର ସୂଚନା ପାଇବା ପରେ ମଧ୍ୟ ଶିକାରୀଙ୍କୁ ଠାବ କରି ଅବାଧ ଶିକାରକୁ ରୋକିବାରେ ବନ ବିଭାଗ ସକ୍ରିୟ ନ ହୋଇ ଫେଲ୍‌ ମାରିଥିବା ଅଭିଯୋଗ ହୋଇଛି ।

ସୂଚନା ମୁତାବକ ଏ ସମସ୍ତ ଶିକାରୀ ଗୋଷ୍ଠୀ ଡୁକୁରା ଏସଟିଆର ରେଞ୍ଜର ଜାମୁଡିହା, ଡାଙ୍ଗରଡିହି, ଫୁଲବାଡିଆ, ନୂଆଗାଁ ଏବଂ ସିଂଗ୍ରା ଗ୍ରାମରୁ ବାଲମା ଏବଂ ପଟାଦାର ଗାଁ ଦେଇ (ଦେବକୁଣ୍ଡ ପାଖ ) ଶିମିଳିପାଳ କୋର ଏରିଆ ଭିତରକୁ ପ୍ରବେଶ କରିଛନ୍ତି । ଏମାନେ ସମସ୍ତେ ସାରୁଆ, ଟିକତାଳି ସେକ୍ସନ ମଝି ଦେଇ ବାରାହାକାମୁଡା ରେଞ୍ଜ ଅନ୍ତର୍ଗତ ତାରିଣୀ ଭିଲ୍ଲା ଉପତ୍ୟକାରେ ଆଡ୍ଡା ଜମାଇ ଶିକାର କରୁଥିବା ଖବର ମିଳିଛି । ପରିବେଶ ବିତ୍‌ ଭାନୁମିତ୍ର ଆଚାର୍ଯ୍ୟଙ୍କ ସୂଚନା ମୁତାବକ ଏହି ଅଞ୍ଚଳ ଅତ୍ୟନ୍ତ ଘଞ୍ଚ ହୋଇଥିବାରୁ ଏବଂ ବନ ବିଭାଗ କର୍ମଚାରୀମାନଙ୍କ ଛାଇ ଏଠାରେ ପଡୁ ନଥିବାରୁ ଏଠାରେ ଶିକାରୀମାନେ ନିର୍ଭୟରେ ଜୀବଜନ୍ତୁ ଶିକାର କରିଥାନ୍ତି ।

ଉଲ୍ଲେଖ ଯୋଗ୍ୟ ଯେ, ଗତ ୨୦୧୯ ମସିହା ଡିସେମ୍ବର ମାସ ପୂର୍ବରୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପରିଚାଳନାରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କୋର ଡିଭିଜନ ଅଧୀନରେ କରଂଜିଆ ବନ ଡିଭିଜନ, ରାଇରଙ୍ଗପୁର ବନ ଡିଭିଜନ ଓ ବାରିପଦା ବନ ଡିଭିଜନ ଥିଲା । ଯାହାଫଳରେ ବିଭିନ୍ନ ସମୟରେ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ପ୍ରଶାସନିକ ପରିଚାଳନାରେ ବିଶେଷଭାବେ ଅସୁବିଧା ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ବନ୍ୟଜନ୍ତୁଙ୍କ ବୃହତ ସ୍ୱାର୍ଥ ପାଇଁ ଶିମିଳିପାଳ ଅଭୟାରଣ୍ୟର ପରିଚାଳନା ବ୍ୟବସ୍ଥାର ପୁନର୍ଗଠନ କରାଗଲା । ପୁନର୍ଗଠନ ଅନୁସାରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କୋର ଡିଭିଜନକୁ ଶିମିଳିପାଳ (ଉତ୍ତର) ଡିଭିଜନ, ଶିମିଳିପାଳ(ଦକ୍ଷିଣ) ଡିଭିଜନ ଭାବେ ଦୁଇ ଭାଗ କରି ଶିମିଳିପାଳ ସୁରକ୍ଷା ପାଇଁ ଅଖଣ୍ଡ କ୍ଷମତା ଦିଆଗଲା । ଏଥି ସହିତ ଯଶିପୁର ବନ୍ୟପ୍ରାଣୀ ଡିଭିଜନ, ରାଇରଙ୍ଗପୁର ବନ ଡିଭିଜନ ଓ ବାରିପଦା ବନ ଡିଭିଜନ ଆଦି ମୟୂରଭଞ୍ଜ ଜିଲ୍ଲାର ବନ୍ୟପ୍ରାଣୀ ଓ ଜଙ୍ଗଲ ପରିଚାଳନା ପାଇଁ କାର୍ଯ୍ୟ ଆରମ୍ଭ କଲେ ।

ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାରେ ସମୁଦାୟ ୪ ଟି ଡିଭିଜନ ଥିଲା ବେଳେ ଏହା ଏବେ ୫ ଗୋଟିକୁ ବୃଦ୍ଧି ପାଇଛି । ପୁନର୍ଗଠନ ଅନୁଯାୟୀ ନୂତନ ଶିମିଳିପାଳ (ଉତ୍ତର) ଡିଭିଜନ ଅନ୍ତର୍ଗତ ଥିବା ୬ଟି ବନ୍ୟପ୍ରାଣୀ ବନାଞ୍ଚଳ ଚହଲା, ପିଠାବଟା ଉତ୍ତର, ପିଠାବଟା ଦକ୍ଷିଣ, ନଅଣା ଉତ୍ତର ଉଦଳା ରହିବା ସହିତ ଏହାର ମୋଟ ୮୪୫ ବର୍ଗ କିଲୋମିଟର ମଧ୍ୟରୁ ୮୨୫ ବନାଞ୍ଚଳ ରହିଛି । ଶିମିଳିପାଳ (ଦକ୍ଷିଣ) ଡିଭିଜନ ଅନ୍ତର୍ଗତ ଥିବା ବନ୍ୟପ୍ରାଣୀ ବନାଞ୍ଚଳ ଜେନାବିଲ ଜାତୀୟ ଉଦ୍ୟାନ, କେନ୍ଦୁମୁଣ୍ଡି, ଉପରବାରାହା କାମୁଡା, ଡଙ୍ଗାଡିହା, ଠାକୁରମୁଣ୍ଡା, ସାତକୋଶିଆ, ଭଞ୍ଜବଶା ଓ ଗୁଡଗୁଡିଆ ରହିବା ସହ ଏହାର ମୋଟ ୧୪୦୮ ବର୍ଗ କିଲୋମିଟର ମଧ୍ୟରୁ ୧୩୯୮ ବନାଞ୍ଚଳ ରହିଛି । ଯଶୀପୁର ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ୪ଟି ବନ୍ୟପ୍ରାଣୀ ବନାଞ୍ଚଳ ବିଶୋଇ , ତାଳବନ୍ଧ, ବରେହିପାଣି ଓ ଯଶୀପୁର(ଇକୋ ଟୁରିଜିମ୍‌) ରହିବା ସହ ମୋଟ ୪୯୭ ବର୍ଗ କିଲୋମିଟର ମଧ୍ୟରୁ ୪୫୭ ବନାଞ୍ଚଳ ରହିଛି । ରାଇରଙ୍ଗପୁର ବନ ଡିଭିଜନ ଅନ୍ତର୍ଗତ ୬ଟି ବନାଞ୍ଚଳ ରାଇରଙ୍ଗପୁର, ବହଳଦା, ବାଦାମପାହାଡ, କରଞ୍ଜିଆ, କେନ୍ଦୁମୁଣ୍ଡି ଓ ଠାକୁରମୁଣ୍ଡା ରହିବା ସହ ଏହାର ୩୪୮୧.୨ ବର୍ଗ କିଲୋମିଟର ମଧ୍ୟରୁ ୬୨୦ ବନାଞ୍ଚଳ ରହିଛି ।

ବାରିପଦା ବନ ଡିଭିଜନ ଅନ୍ତର୍ଗତ ୭ଟି ବନାଞ୍ଚଳ , ବାରିପଦା, ଉଦଳା, କପ୍ତିପଦା, ବାଙ୍ଗିରିପୋଷୀ, ବେତନଟୀ, ଦେଉଳି, ରାସଗୋବିନ୍ଦପୁର ରହିବା ସହ ଏହାର ମୋଟ ୪୧୮୬.୮ ବର୍ଗ କିଲୋମିଟର ମଧ୍ୟରୁ ୭୮୦ ବନାଞ୍ଚଳ ରହିଛି । ପୁନର୍ଗଠିତ ଡିଭିଜନ ମଧ୍ୟରୁ ଶିମିଳିପାଳ (ଉତ୍ତର) ଡିଭିଜନର ମୁଖ୍ୟ କାର୍ଯ୍ୟାଳୟ ବାରିପଦା ଠାରେ ଥିବା ବେଳେ ଶିମିଳିପାଳ (ଦକ୍ଷିଣ) ଡିଭିଜନର ମୁଖ୍ୟ କାର୍ଯ୍ୟାଳୟ ଯଶୀପୁର ଠାରେ କାର୍ଯ୍ୟକରୁଛି । ତତ୍‌ ସହିତ ଯଶୀପୁର ବନ୍ୟପ୍ରାଣୀ ଡିଭିଜନର ସହକାରୀ ବନ୍ୟ ସଂରକ୍ଷକ ଯଶୀପୁରର ପର୍ଯ୍ୟଟନ ସେବା କେନ୍ଦ୍ର ଦାୟିତ୍ୱରେ ରହିବା ସହିତ ଅନ୍ୟାନ୍ୟ ଡିଭିଜନ ଗୁଡିକରେ ସମ୍ପୃକ୍ତ ଅଞ୍ଚଳରେ ପର୍ଯ୍ୟାବରଣ ପର୍ଯ୍ୟଟନ ଦାୟିତ୍ୱ ତୁଲାଉଛନ୍ତି ।

ଉଦ୍ଦେଶ୍ୟ ଥିଲା ଏହି ପୁନର୍ଗଠନ ଫଳରେ ଶିମିଳିପାଳର ଜୀବଜନ୍ତୁଙ୍କୁ ସୁରକ୍ଷା ଓ ଅଭିବୃଦ୍ଧି ଅଧିକ ସୁଗମ ତଥା ପରିଚାଳନା ଗତ ବିଶେଷ ସୁବିଧା ହେବା ସହ ମୟୂରଭଞ୍ଜ ଜିଲ୍ଲାର ବୃକ୍ଷରାଜିର ସୁରକ୍ଷା ଓ ଜଙ୍ଗଲର ଘନତ୍ୱ ବୃଦ୍ଧି କରିବା କିନ୍ତୁ ‘ଗୋଦରା କୋଡେ ଯେତେ ମାଡେ ସେତେ’ ଭଳି ଜଙ୍ଗଲ ଓ ଜୀବଜନ୍ତୁ ସଠିକ୍‌ ପରିଚାଳନା ପାଇଁ ସରକାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ (ଏସଟିଆର)ର ପୁର୍ନଗଠନ କରିଥିଲେ ସୁଦ୍ଧା ଏଥିରେ ସୁଫଳ ମିଳୁ ନଥିବା ଅଭିଯୋଗ ହୋଇଛି ।

   ସମ୍ବନ୍ଧିତ ଖବର


ରାଜ୍ୟରେ ପୁଣି ୧୪ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୫୯ କୁ ବୃଦ୍ଧି

ପୁଣି ଚିହ୍ନଟ ହେଲେ ୧୪୮୦ ନୂଆ ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୨ ହଜାର ଡେଇଁଲା

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ୩ ବର୍ଷ ଜେଲ୍, କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲା

ଟ୍ରେନରେ କଟି ଗୋଟିଏ ପରିବାରର ୩ ମୃତ: ଆତ୍ମହତ୍ୟା ସନ୍ଦେହ

ଘର ସାମ୍ନାରେ ଖେଳୁଥିବାବେଳେ ଶିଶୁ ଉପରେ ଚଢିଗଲା ବୋଲେରୋ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କଲେ ପରିବାରଲୋକ

ବାଇକ୍ ଆ​ରୋହୀ ଉପରେ ଚଢ଼ିଗଲା ୧୮ ଚକିଆ ଟ୍ରକ, ଯୁବକ ମୃତ