PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଝୁଲିଲା ‘ମହେନ୍ଦ୍ର’ ଓ ‘ରାଜକୁମାର’ଙ୍କ ଭବିଷ୍ୟତ: ହାତୀଦ୍ୱୟ ଏବେ କରିବେ କ’ଣ?

ଅନୁଗୁଳ ୨୧/୧୨: ସାତକୋଶିଆରେ ମହାବଳ ବଂଶ ବୃଦ୍ଧି କରିବା ପାଇଁ ଏନ୍‌ଟିସିଏ ଓ ରାଜ୍ୟ ସରକାରଙ୍କ ସହଭାଗିତାରେ କେତେ କ’ଣ ଯୋଜନା ହୋଇଥିଲା । ହେଲେ ବନବିଭାଗର ଅପାରଗତାରୁ ଫେଲ୍‌ ମାରିଛି ବ୍ୟାଘ୍ର ପ୍ରକଳ୍ପ । ଏନ୍‌ଟିସିଏ ପ୍ରକଳ୍ପ ପରିଚାଳନାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ପ୍ରକଳ୍ପକୁ ଅନିର୍ଦ୍ଦିଷ୍ଟ କାଳ ବାତିଲ୍‌ କରିଦେଇଛି । ରାଇଗୋଡ଼ାର ଛୋଟ ଏନ୍‌କ୍ଲୋଜର ଭିତରେ ଦୀର୍ଘଦିନ ବନ୍ଦୀ ହୋଇ ରହିଥିବା ବାଘୁଣୀ ‘ସୁନ୍ଦରୀ’ର ହିଂସ୍ରପଣ ଫେରାଇ ଆଣିବାକୁ କାହ୍ନା ଅଭୟାରଣ୍ୟକୁ ଫେରାଇ ନେବା ଭଳି କଠୋର ନିଷ୍ପତ୍ତି ନେଇଛି ଏନ୍‌ଟିସିଏ । ସୁନ୍ଦରୀର ପ୍ରତ୍ୟାବର୍ତ୍ତନ ସହ ତା’ର ଗତିବିଧି ଉପରେ ନଜର ରଖିବାକୁ ଶିମିଳିପାଳରୁ ଆସିଥିବା ଦୁଇ ପୋଷା ହାତୀ ‘ମହେନ୍ଦ୍ର’ ଓ ‘ରାଜକୁମାର’ଙ୍କ ଭାଗ୍ୟ ମଧ୍ୟ ତ୍ରିଶଙ୍କୁ ଅବସ୍ଥାକୁ ପଳାଇଛି । ସୁନ୍ଦରୀ ଫେରିଯିବା ପରେ ଏହି ଦୁଇ ହାତୀ କରିବେ କ’ଣ? ସାତକୋଶିଆରେ ରହିବେ ନା ପୁନର୍ବାର ଶିମିଳିପାଳକୁ ଫେରିବେ? ଏଭଳି ଅନେକ ଅସମାହିତ ପ୍ରଶ୍ନ ଏବେ ଉଙ୍କି ମାରିଛି ।

ପ୍ରକାଶ ଯେ, ସାତକୋଶିଆରେ ଆତଙ୍କ ଖେଳାଇବା ପରେ ସୁନ୍ଦରୀକୁ ଗତବର୍ଷ ନଭେମ୍ବର ୬ ତାରିଖରେ କାବୁ କରାଯାଇଥିଲା । ଟ୍ରାଙ୍କୁଲାଇଜ୍‌ କରି ତା’କୁ ରାଇଗୁଡ଼ାର ଅଢ଼େଇ ଏକର ଜମିରେ ନିର୍ମିତ ଏନ୍‌କ୍ଲୋଜରରେ ବନ୍ଦୀ କରାଯାଇଥିଲା । ପରେ କାହ୍ନା ଜଙ୍ଗଲରୁ ଆସିଥିବା ମହାବଳ ‘ମହାବୀର’ର ମୃତ୍ୟୁ ଘଟିଥିଲା । ଶିକାରୀ ‘ମହାବୀର’ ହତ୍ୟା କରିବା ପରେ ବନବିଭାଗର ପୁଳା ପୁଳା ଅବହେଳା ପଦାରେ ପଡ଼ିଥିଲା । ଏଥିସହିତ ବ୍ୟାଘ୍ର ପ୍ରକଳ୍ପ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଥିଲା । ସ୍ଥାନୀୟ ବନ ଅଧିକାରୀ ଯୋଜନା ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ ହୋଇଗଲେ । କେବଳ ଉପରୁ ଯେଉଁ ନିର୍ଦ୍ଦେଶ ଆସିଲା ସେହି ଅନୁସାରେ କାମ କରିଥିଲେ । ଦୀର୍ଘ ୬ ମାସ ‘ସୁନ୍ଦରୀ’ ବନ୍ଦୀ ଜୀବନ କାଟି ସାରିବା ପରେ ନିର୍ବାଚନ ପରେ ତା’ର ମୁକ୍ତି ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା ।

ଏମିତିକି ସୁନ୍ଦରୀକୁ ଜଙ୍ଗଲକୁ ଛାଡ଼ିବା ପରେ ତା’ର ଗତିବିଧି ଅନୁଧ୍ୟାନ କରିବା ପାଇଁ ଶିମିଳିପାଳରୁ ଦୁଇ ପୋଷା ହାତୀ ‘ମହେନ୍ଦ୍ର’ ଓ ‘ରାଜକୁମାର’କୁ ଅଣାଯାଇଥିଲା । ଟିକରାପଡ଼ାରେ ଉଭୟଙ୍କୁ ରଖି ସାତକୋଶିଆ ପରିବେଶ ସହିତ ଅଭ୍ୟସ୍ତ କରାଗଲା । ୨ ଜଣ ଗାର୍ଡ ଓ ୪ ଜଣ ମାହୁନ୍ତ ପ୍ରତିଦିନ ଦୁଇ ହାତୀକୁ ଧରି ଜଙ୍ଗଲ ବୁଲିଥିଲେ । ମାତ୍ର ନିର୍ବାଚନ ପରେ ‘ସୁନ୍ଦରୀ’ର ମୁକ୍ତି ନେଇ କୌଣସି ଆଭାସ ମିଳିଲା ନାହିଁ । ସୁନ୍ଦରୀ ମୁକ୍ତିକୁ ଏହି ଦୁଇ ହାତୀ ଚାହିଁ ବସିଥିଲେ । ମାତ୍ର ଏବେ ଏନ୍‌ଟିସିଏର କଠୋର ନିଷ୍ପତ୍ତି ସହ ମହେନ୍ଦ୍ର ଓ ରାଜକୁମାରଙ୍କ ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ ଛିଡ଼ା କରିଛି ।

ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ‘ମହେନ୍ଦ୍ର’ ଓ ‘ରାଜକୁମାର’ ସାତକୋଶିଆର ପରିବେଶ ସହ ଖାପଖୁଆଇ ସାରିଲେଣି । ସେମାନଙ୍କୁ କେବଳ ସୁନ୍ଦରୀର ଗତିବିଧି ନିରୀକ୍ଷଣ ନୁହଁ, ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ମନିଟରିଂ କରିବାକୁ ଅଣାଯାଇଥିଲା । ସୁନ୍ଦରୀର ପ୍ରତ୍ୟାବର୍ତ୍ତନ ଓ ପ୍ରକଳ୍ପ ବାତିଲ୍‌ ପରେ ଏହ ଦୁଇ ହାତୀଙ୍କ ଭବିଷ୍ୟତ ନେଇ କୌଣସି ନିର୍ଦ୍ଦେଶ ଆସିନି । ମହେନ୍ଦ୍ର ଓ ରାଜକୁମାର ସୁସ୍ଥ ଅଛନ୍ତି । ସେମାନଙ୍କୁ ମାଣ୍ଡିଆ, କୋଳଥ, ଧାନ, ନଡ଼ିଆ, ଗହମ, ଆଖୁ, କଦଳୀ ଗଛ ଆଦି ଖୁଆଯାଉଛି ବୋଲି ସେ ପ୍ରକାଶ କରିଛନ୍ତି । ଏ ସଂକ୍ରାନ୍ତରେ ସାତକୋଶିଆ ଡିଏଫ୍‌ଓ ପି. ରାମାସ୍ୱାମୀ କହିଛନ୍ତି, ‘ମହେନ୍ଦ୍ର’ ଓ ‘ରାଜକୁମାର’ଙ୍କ ଆଗାମୀ କାର୍ଯ୍ୟପନ୍ଥା ଉପରିସ୍ଥ ଅଧିକାରୀ ନିର୍ଦ୍ଦାରଣ କରିବେ । ଆମେ କେବଳ ସେମାନଙ୍କ ନିର୍ଦ୍ଦେଶକୁ ପାଳନ କରିବୁ