ଟିକ୍ଟକ୍ ଦେଲା ଟିକେଟ୍

ଅକ୍ଷୟ ପରିଜା ପ୍ରଡକ୍ସନ୍ର ଅପ୍କମିଂ ମୁଭି ‘ଚିର୍କୁଟ୍’ର ମୁଖ୍ୟ ନାୟିକା ଚରିତ୍ରରେ ଆସୁଛନ୍ତି ନବାଗତା ଅନନ୍ୟା ମହାନ୍ତି । ମ୍ୟୁଜିକାଲ୍ ଆପ୍ ଟିକ୍ଟକ୍ରୁ ମିଳିଥିବା ଚର୍ଚ୍ଚା ତାଙ୍କୁ ପହଞ୍ଚାଇଛି ଓଲିଉଡରେ । ମୋବାଇଲ୍ ସ୍କ୍ରିନ୍ରୁ ବଡ଼ପର୍ଦ୍ଦାର ଏ ଜର୍ଣ୍ଣି ତାଙ୍କର ବେଶ୍ ରୋଚକ । ଟିକ୍ଟକ୍ର ଯେ ଓଲିଉଡ ପାଇଁ ଟିକେଟ୍ ଆଣିଦେଇ ପାରେ ଏକଥା କେହି ହୁଏତ ସହଜେ ବିଶ୍ୱାସ କରିନପାରନ୍ତି । କିନ୍ତୁ ଅନନ୍ୟାଙ୍କ କ୍ଷେତ୍ରରେ ତାହା ସତ ସାବ୍ୟସ୍ତ ହୋଇଛି ।

ଓଲିଉଡରେ ଏଣ୍ଟ୍ରି ମିଳିବା ସମ୍ପର୍କରେ ଅନନ୍ୟା କୁହନ୍ତି, ଗୋଟିଏ ମାତ୍ର ଆଞ୍ଚଳିକ ବିଜ୍ଞାପନ ଛବି ବ୍ୟତୀତ ଅଭିନୟର ସେଭଳି କୌଣସି ଆଖିଦୃଶିଆ ଅଭିଜ୍ଞତା ତାଙ୍କର ନଥିଲା । କେବଳ ଯାହା ମ୍ୟୁଜିକାଲ୍ ଆପ୍ ଟିକ୍ଟକ୍ ଜରିଆରେ ତାଙ୍କୁ କିଛିଟା ଲୋକପ୍ରିୟତା ମିଳିଥିଲା । ସେ କେବେ ଭାବିନଥିଲେ ଯେ ଏହି ଟିକ୍ଟକ୍ ଭିଡିଓ ଉପରେ ଅଭିନେତା ନିର୍ଦ୍ଦେଶକ ପପୁ ପମ୍ପମ୍ଙ୍କର ନଜର ପଡ଼ିବ । ଖାସ୍ କରି ଅନନ୍ୟାଙ୍କ ଏକ୍ସପ୍ରେସନ୍ ପପୁଙ୍କୁ ଏତେ ଭଲ ଲାଗିଥିଲା ଯେ, ସେ ତାଙ୍କୁ ତାଙ୍କ ଆଗାମୀ ଫିଲ୍ମର ନାୟିକା ହେବା ପାଇଁ ଅଫର୍ ଦେଇଥିଲେ । ଆଉ ଏବେ ‘ଚିର୍କୁଟ୍’ ଜରିଆରେ ଡେବ୍ୟୁ କରିବାକୁ ଯାଉଛନ୍ତି ଅନନ୍ୟା । ଫିଲ୍ମରେ ସେ ଜଣେ କ୍ଲାସିକାଲ୍ ସିଙ୍ଗର୍ ଭୂମିକାରେ ନଜର ଆସିବେ । ନିଜର ଡେବ୍ୟୁ ଫିଲ୍ମକୁ ନେଇ ଅନନ୍ୟା ଯେତିକି ଆଶାବାଦୀ ତା’ଠୁ ବେଶୀ ଖୁସୀ ଅଛନ୍ତି ଅକ୍ଷୟ ପରିଜା ପ୍ରଡକ୍ସନ୍ ବ୍ୟାନରରେ ସୁଯୋଗ ମିଳିଥିବାରୁ ।