ପ୍ଲାଷ୍ଟିକ ବିରୋଧରେ ଜନଆନ୍ଦୋଳନ ଆରମ୍ଭ; ଏବେ କଥା ନୁହେଁ, କାମ କରିବାର ବେଳ: ମୋଦି

ନ୍ୟୁୟର୍କ ୨୪/୯: ଜଳବାୟୁ ପରିବର୍ତ୍ତନର ମୁକାବିଲା ଓ ପରିବେଶ ସୁରକ୍ଷା ଦିଗରେ ଭାରତ ପଦକ୍ଷେପ ନେଉଛି । ଦେଶରେ ସିଙ୍ଗଲ ୟୁଜ (ଥରେ ମାତ୍ର ବ୍ୟବହୃତ) ପ୍ଲାଷ୍ଟିକ ବିରୋଧରେ ଆନ୍ଦୋଳନ ହୋଇଛି । ଏ ଦିଗରେ ଭାରତ ବିଶ୍ୱ ପାଇଁ ପ୍ରେରଣାଦାୟୀ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶା ପୋଷଣ କରିଛନ୍ତି ।

ନ୍ୟୁୟର୍କସ୍ଥିତ ଜାତିସଂଘ ସାଧାରଣ ପରିଷଦ ଚାମ୍ବରରେ ଆୟୋଜିତ ଜାତିସଂଘ ଜଳବାୟୁ ସମ୍ମିଳନୀରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଏଠାକୁ ରୋଡମ୍ୟାପ୍‌ ସହ ଆସିଛନ୍ତି । ଦେଶକୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ମୁକ୍ତ କରିବା ଲାଗି ଚଳିତବର୍ଷ ସ୍ୱାଧୀନତା ଦିବସରୁ ଗଣ ଆନ୍ଦୋଳନ ଆରମ୍ଭ ହୋଇଛି । ବିଶ୍ୱର ଅନ୍ୟ ଦେଶ ଏଦିଗରେ ପଦକ୍ଷେପ ନେବା ଆବଶ୍ୟକ । ଆସନ୍ତାକାଲି ଜାତିସଂଘ ମୁଖ୍ୟାଳୟର ଛାତ ଉପରେ ପ୍ରତିଷ୍ଠା କରାଯାଇଥିବା ସୌର ପ୍ୟାନେଲ ସେ ଉଦ୍‌ଘାଟନ କରିବେ । ଭାରତ ଏହାକୁ ନିର୍ମାଣ କରିଛି । ଏହା ସମସ୍ତଙ୍କ ପାଇଁ ଖୁସିର ବିଷୟ । ଜଳବାୟୁ ପରିବର୍ତ୍ତନ ଉପରେ ଭାଷଣ ଦେବାର ସମୟ ଶେଷ ହୋଇଛି । ଏବେ ଦୁନିଆକୁ କିଛି କରି ଦେଖାଇବାର ସମୟ ଆସିଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ପରିବେଶ ସୁରକ୍ଷା ପାଇଁ ଭାରତ ନେଉଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଉଲ୍ଲେଖ କରିଥିଲେ । କହିଥିଲେ ଅକ୍ଷୟ ଶକ୍ତି ଉତ୍ପାଦନ କରିବାର କ୍ଷମତା ଭାରତ ବୃଦ୍ଧି କରିଛି । ଦେଶରେ ଅଣ-ଜୈବ ଇନ୍ଧନକୁ ପ୍ରାଧାନ୍ୟ ଦିଆଯାଉଛି । ସେଥିପାଇଁ ଆସନ୍ତା ୨୦୨୨ ସୁଦ୍ଧା ୧୭୫ ଗିଗାୱାଟ ଅଣ ଜୈବ-ଇନ୍ଧନ ଉତ୍ପାଦନ ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଥିଲା ତାକୁ ଅତିକ୍ରମ କରି ୪୦୦ ଗିଗାୱାଟରେ ପହଞ୍ଚିବା ଲାଗି ଭାରତ ଚେଷ୍ଟା କରୁଛି ।

ପେଟ୍ରୋଲ ଓ ଡିଜେଲରେ ବାୟୋ-ଫୁଏଲ୍‌ ମିଶ୍ରଣ କରାଯିବା ସହ ଇଲେକ୍ଟ୍ରିକ ଯାନ ନିର୍ମାଣ ଉପରେ ପ୍ରାଧାନ୍ୟ ଦିଆଯାଉଛି । ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଅନେକ ବାଟ ରହିଛି । କିନ୍ତୁ ଏହି ଜଟିଳ ସମସ୍ୟା ପାଇଁ ଯେଭଳି ପଦକ୍ଷେପ ନିଆଯିବା କଥା ତାହା ନିଆଯାଉ ନାହିଁ । ପ୍ରକୃତିକୁ ରକ୍ଷା କରିବା ଆମ ସମସ୍ତଙ୍କର ପରମ୍ପରା । ଆମକୁ ଆଚରଣ ଓ ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ପଡିବ । ଏଥିପାଇଁ ବିଶ୍ୱରେ ଜନ ଆନ୍ଦୋଳନ ଦରକାର ବୋଲି ମୋଦି କହିଥିଲେ ।

ବିଶ୍ୱରେ ବଢ଼ି ଚାଲିଥିବା ତାପମାତ୍ରା ଓ ଅଙ୍ଗାରକାମ୍ଳ ନିର୍ଗମନକୁ କିଭଳି ହ୍ରାସ କରିହେବ ଏବଂ ଜଳବାୟୁ ପରିବର୍ତ୍ତନକୁ ରୋକାଯାଇ ପାରିବ ସେଥିପାଇଁ ୨୦୨୦ ସୁଦ୍ଧା ପ୍ରତ୍ୟେକ ଦେଶକୁ ସ୍ୱତନ୍ତ୍ର ନୀତି ପ୍ରସ୍ତୁତ କରିବାକୁ ଲକ୍ଷ୍ୟଧାର୍ଯ୍ୟ ଦିଆଯାଇଛି । ତେବେ କେଉଁ ଦେଶ ଏ ଦିଗରେ କ’ଣ ସବୁ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ଉପରେ ବ୍ୟାପକ ଭାବେ ଆଲୋଚନା କରିବା ଲାଗି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁରେଟସଙ୍କ ପକ୍ଷରୁ ଏହି ଜଳବାୟୁ ସମ୍ମିଳନୀ ଆୟୋଜିତ ହୋଇଛି । ଏଥିରେ ୬୩ ଦେଶର ପ୍ରତିନିଧି ଯୋଗଦେଇଛନ୍ତି । ପ୍ରଥମ ବକ୍ତା ଭାବେ ଗୁଟେରସ ଏଥିରେ ଉଦ୍‌ବୋଧନ ଦେଇଥିଲା ବେଳେ ପ୍ରଧାନମନ୍ତ୍ରୀ ମୋଦି ଚତୁର୍ଥ ବକ୍ତା ଭାବେ ଭାରତ ନେଉଥିବା ପଦକ୍ଷେପ ଓ ଆଭିମୁଖ୍ୟ ଉପରେ ମତ ରଖିଥିଲେ । ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନର ମୁକାବିଲା ଦିଗରେ ସରକାର, ସରକାରୀ ସଂସ୍ଥା, ଘରୋଇ ସଂସ୍ଥା, ନାଗରିକ ସମାଜର ଭାଗୀଦାରିତା ଉପରେ ବ୍ୟାପକ ଆଲୋଚନା ହୋଇଛି ।

ସମ୍ମିଳନୀ ପରେ ପ୍ରଧାନମନ୍ତ୍ରୀ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ସଂକ୍ରାନ୍ତରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ସାମିଲ ହୋଇଥିଲେ । ସମସ୍ତଙ୍କୁ କିଭଳି ସହଜ ଓ ସୁବିଧାରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇପାରିବ ତାହା ଉପରେ ଏଥିରେ ବିସ୍ତୃତ ଆଲୋଚନା ହୋଇଛି । ଭାରତରେ କିଭଳି ଗରିବ ଲୋକମାନଙ୍କ ପାଇଁ ସରକାର ସ୍ୱାସ୍ଥ୍ୟସେବା ଯୋଜନା ପ୍ରଣୟନ କରିଛନ୍ତି ତାହା ଉପରେ ପ୍ରଧାନମନ୍ତ୍ରୀ ନିଜର ମତ ରଖିଥିଲେ । ଏହା ପରେ ସେ ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ସୋଲି, କାତାର ଶାସକ ତମିମ ବିନ ହମାଦ ଅଲ୍‌ ଥାନି, ନାଇଜର ରାଷ୍ଟ୍ରପତି ମହମ୍ମଦୌ ଇସୁଫୁ, ଇଟାଲୀ ପ୍ରଧାନମନ୍ତ୍ରୀ ଗୁଇସେପ୍‌ କୋଣ୍ଟେ ଓ ୟୁନିସେଫ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେନରିଟା ଏଚ୍‌ ଫୋରଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ । ପରେ ସେ ଆତଙ୍କବାଦ ଉପରେ ଆୟୋଜିତ ଏକ ବୈଠକକୁ ସମ୍ବୋଧନ କରିଥିଲେ । ଜୋର୍ଡାନ ରାଜା ଦ୍ୱିତୀୟ ଅବଦୁଲାଙ୍କ ପକ୍ଷରୁ ଆୟୋଜିତ ଏହି ବୈଠକରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଓ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାସିନ୍ଦା ଆର୍ଡର୍ଣ୍ଣ ଯୋଗଦେଇଥିଲେ ।

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବା ସହ ଦୁଇଦେଶ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବେ । ଏଥିସହ ଉଭୟ ନେତାଙ୍କ ପକ୍ଷରୁ କିଛି ବଡ ଘୋଷଣା ହେବାର ସମ୍ଭାବନା ରହିଛି । ଗତକାଲି ରାତିରେ ହ୍ୟୁଷ୍ଟନରେ ଆୟୋଜିତ ଐତିହାସିକ ‘ହାଓଡି ମୋଦି’ କାର୍ଯ୍ୟକ୍ରମ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନ୍ୟୁୟର୍କ ଗସ୍ତରେ ଯାଇଥିଲେ । ସେ ନ୍ୟୁୟର୍କର ଜେଏଫକେ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେଠାରୁ ସେ ତାଙ୍କର ରହଣୀସ୍ଥଳ ହୋଟେଲ ନ୍ୟୁୟର୍କ ପ୍ୟାଲେସ ଯାଇଥିଲେ । ସେଠାରେ ଉପସ୍ଥିତ ଥିବା ବହୁସଂଖ୍ୟକ ପ୍ରବାସୀ ଭାରତୀୟ ତାଙ୍କୁ ସ୍ୱାଗତ କରିଥିଲେ । ନ୍ୟୁୟର୍କରେ ସେ ୫ ଦିନଧରି ରହିବେ ଏବଂ ଏହି ସମୟ ଭିତରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ।

   ସମ୍ବନ୍ଧିତ ଖବର


ଶୁଙ୍ଘିକି କରୋନା ଭାଇରସକୁ ଚିହ୍ନଟ କରିବ କୁକୁର!ବିଶ୍ବର ଏହି ସବୁ ଦେଶ ଦେଉଛନ୍ତି ଟ୍ରେନିଂ

ପାକିସ୍ତାନର ମୁଖା ଖୋଲିଲେ ନଓ୍ବାଜ ସରିଫ୍, କହିଲେ-କାର୍ଗିଲ ଯୁଦ୍ଧ ବେଳେ ସେନା ପାଖରେ ଖାଦ୍ୟ ଓ ଅସ୍ତ୍ରଶସ୍ତ୍ର ନଥିଲା

ପୁରୁଣା ମାନଚିତ୍ର ସେୟାର କରି ଦଶହରାର ଶୁଭେଚ୍ଛା ଜଣାଇଲେ ପିଏମ୍‌ ଓଲି, ନେପାଳବାସୀ କହିଲେ..

୬୫ ବର୍ଷ ବୟସରେ ଦ୍ବିତୀୟ ବିବାହ କରିବେ ଜଣାଶୁଣା ଓକିଲ ହରିଶ ସାଲଭେ, କାହାକୁ ବାହା ହେବେ ଜାଣନ୍ତୁ

ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ପ୍ରଧାନମନ୍ତ୍ରୀ ପାକିସ୍ତାନ ଓ ଚୀନ୍‌ ସହ ଯୁଦ୍ଧ ତାରିଖ ସ୍ଥିର କରି ସାରିଛନ୍ତି – ୟୁପି ବିଜେପି ଅଧ୍ୟକ୍ଷଙ୍କ ବିବାଦିତ ବୟାନ