ଲଣ୍ଡନରେ ବିକ୍ରି ହେବ ଟିପୁ ସୁଲତାନଙ୍କ ସାମଗ୍ରୀ

ଲଣ୍ଡନରେ ଥିବା ଇଷ୍ଟ ଇଣ୍ଡିଆ କମ୍ପାନି ଅଧିକାରୀ ବଂଶଜଙ୍କୁ ନିକଟରେ ମହୀଶୂର ରାଜା ଟିପୁ ସୁଲତାଙ୍କ ବ୍ୟବହୃତ ସାମଗ୍ରୀ ମିଳିଛି । ସେହିସବୁ ସାମଗ୍ରୀ ଚଳିତ ମାସ ୨୬ରେ ଲଣ୍ଡନର ମିଲଟନ୍ ହିଲ୍ ହାଉସ ହୋଟେଲରେ ବିକ୍ରିହେବ । ୧୭୯୯ ମସିହାରେ ହୋଇଥିବା ଚତୁର୍ଥ ଆଙ୍ଗଲୋ-ମହୀଶୂର ଯୁଦ୍ଧରେ ବ୍ରିଟିଶ ସୈନ୍ୟମାନେ ଟିପୁଙ୍କୁ ହରାଇଥିଲେ । ଏହାପରେ ବ୍ରିଟିଶ ସୈନ୍ୟମାନେ ଟିପୁଙ୍କ ମହଲରେ ପ୍ରବେଶ କରି ବହୁ ଜିନିଷ ନଷ୍ଟ କରିବା ସହ ଅଗଣିତ ମୂଲ୍ୟବାନ ସମ୍ପତ୍ତି ଲୁଟି ନେଇଥିଲେ । ଏପରିକି ଟିପୁଙ୍କ ବ୍ୟବହୃତ ମୂଲ୍ୟବାନ ଜିନିଷ ଯେପରି, ଖଣ୍ଡା, ଫ୍ରାନ୍ସ ବନ୍ଧୁକ, ସୁରକ୍ଷା କବଚ, ହାତ ମୁଦ୍ରା ଏବଂ ସୁପାରି ରହୁଥିବା ଡବାକୁ ଇଷ୍ଟ ଇଣ୍ଡିଆ କମ୍ପାନିର ମେଜର ଥୋମାସ ହାର୍ଟ ନେଇଯାଇଥିଲେ । ବହୁବର୍ଷ ପର୍ଯ୍ୟନ୍ତ ଟିପୁଙ୍କ ସେହି ସାମଗ୍ରୀ ହାର୍ଟ ଉତ୍ତରାଧିକାରୀଙ୍କ ପାଖରେ ରହିଥିଲା ଏବଂ ଶେଷରେ ୨୦୧୬ରେ ସେହି ସାମଗ୍ରୀ ବିକ୍ରି ହୋଇଥିଲା । ସାମଗ୍ରୀର ମୂଲ୍ୟ ୬ମିଲିଅନ ପାଉଣ୍ଡ ବା ୫୫କୋଟି ଟଙ୍କାରୁ ଅଧିକ ଥିଲା । ବିକ୍ରି କରୁଥିବା ଅଧିକାରୀଙ୍କ ରିପୋର୍ଟ ଅନୁସାରେ, ବର୍ତ୍ତମାନ ଯେଉଁ ସାମଗ୍ରୀ ମିଳିଛି, ତାହାର ମୂଲ୍ୟ ଅଧିକ ଲାଗୁଛି । ତେଣୁ ମୂଲ୍ୟ ଆକଳନ କରିବା ପାଇଁ ତାଙ୍କୁ ସମୟ ଦରକାର ।