ମମତାଙ୍କୁ ଆଉ ଏକ ଝଟକା: ଦକ୍ଷିଣ କୁଚବିହାର ବିଧାୟକଙ୍କ ଇସ୍ତଫା ପରେ ପରିବହନ ମନ୍ତ୍ରୀଙ୍କ ଇସ୍ତଫା, ବିଜେପିରେ ମିଶିବାକୁ ଏବେ ଦିଲ୍ଲୀରେ ମିହିର

କୋଲକାତା,୨୭/ ୧୧: ଆଗକୁ ହେବାକୁ ଯାଉଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଏଥିପାଇଁ ସରଗରମ ପଶ୍ଚିମବଙ୍ଗ ରାଜନୀତି। ନିର୍ବାଚନ ପୂର୍ବରୁ ଜୋର ଧରିଛି ଦଳ ଅଦଳବଦଳ ରାଜନୀତି। ମମତାଙ୍କ ତୃଣମୂଳ କଂଗ୍ରେସକୁ ୨୪ ଘଣ୍ଟାରେ ଡବଲ ଝଟକା ଲାଗିଛି। ଟିଏମ୍‌ସି ବରିଷ୍ଠ ନେତା ତଥା ବିଧାୟକ ମିହିର ଗୋସ୍ବାମୀ ଦଳରୁ ଇସ୍ତଫା ଦେବା ପରେ ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି। ଉଭୟଙ୍କ ଇସ୍ତଫା ପରେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ, ଉଭୟେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେବେ।

ମିହିର ଗୋସ୍ବାମୀଙ୍କ ବିଷୟରେ ସୂଚନା ଦେଇ ବିଜେପି ସାଂସଦ ସୌମିତ୍ର ଖାନ୍ କହିଛନ୍ତି ଯେ, ମିହିର ଦାଦାଙ୍କ ବିଜେପିରେ ସାମିଲ ହେବା ନିଷ୍ପତ୍ତି ପାଇଁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି। ଟିଏମ୍ସି ବିଧାୟକ ମିହିର ଗୋସ୍ବାମୀ ଶୁ୍କ୍ରବାର ଦିନ ବିଜେପି ସାଂସଦ ନିଶୀତ ପ୍ରମାଣିକଙ୍କ ସହ ଦିଲ୍ଲୀ ଯାଇଛନ୍ତି। ରାଜ୍ୟ ବିଜେପି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଶୁ୍କ୍ରବାର ଗୋସ୍ବାମୀ ବିଜେପିରେ ସାମିଲ ହୋଇ ପାରନ୍ତି।

ସୂଚନାଥାଉକି, ଦୁଇ ଦିନ ତଳେ ଟିଏମସିର ବରିଷ୍ଠ ନେତା ରବିନ୍ଦ୍ରନାଥ ଘୋଷ ଗୋସ୍ବାମୀଙ୍କ ଘରକୁ ଯାଇ ତାଙ୍କୁ ସାକ୍ଷାତ କରିଥିଲେ। ପରେ ଗୁରୁବାର ଦିନ ଗୋସ୍ବାମୀ କହିଥିଲେ ଯେ, ପାର୍ଟି ସହିତ ଯୋଡ଼ି ହୋଇ ରହିବା ମୋ ପାଇଁ କଠିନ କାର୍ଯ୍ୟ ଆଉ ଅପମାନ ସହି ହେବ ନାହିଁ ବୋଲି ସେ କହିଥିଲେ।