ରାଜଧାନୀ ଏବେ ତତଲା କଢ଼େଇ: ବିମାନବନ୍ଦର ଅଞ୍ଚଳ ସବୁଠୁ ଉତ୍ତପ୍ତ, ଆଜି ଅପରାହ୍ନ ୨ଟାରେ ସର୍ବାଧିକ ତାତି

ଭୁବନେଶ୍ୱର,୨୭/୦୨: ରାଜଧାନୀ ଏବେ ତତଲାଗଡ଼ ପାଲଟିଛି । ତାତିରେ ଟକଟକ ହୋଇ ଫୁଟୁଛି । ସବୁଠୁ ଉତ୍ତପ୍ତ ବିମାନବନ୍ଦର ଅଞ୍ଚଳ । ସେଠାରେ ପାରଦ ୪୦.୪ ଡିଗ୍ରୀ ସେଲସିୟସ୍ ଛୁଇଁଛି । ପଦାକୁ ବାହାରିଲେ ବୈଶାଖ ମାସ ଭଳି ଉତ୍ତାପ ଅନୁଭୂତ ହେଉଛି । ଏଭଳି ଗରମ ଯେ ମୁଣ୍ଡ ଝାଇଁ ମାରି ଦେଉଛି । ଗ୍ରୀଷ୍ମ ଆରମ୍ଭରୁ ଏଭଳି ସ୍ଥିତି ରାଜଧାନୀବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି ।
୪ ବର୍ଷ ପରେ ଫେବ୍ରୁଆରୀ ମାସରେ ଭୁବନେଶ୍ୱର ତାପମାତ୍ରା ୪୦ ଡେଇଁଛି । ବଡ଼ କଥା ହେଲା, ସବୁଠି ପାରଦ ସମାନ ରହିନାହିଁ । ବିମାନବନ୍ଦର ଅଞ୍ଚଳରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଟପିଥିବାବେଳେ ରାଜଭବନ ଅଞ୍ଚଳରେ ପାରଦ ୩୮.୮ ଡିଗ୍ରୀ ଥିଲା । ସବୁଠୁ କମ୍ ତାପମାତ୍ରା ରେକର୍ଡ ହୋଇଛି ଓୟୁଏଟି ଅଞ୍ଚଳରେ । ଏଠାରେ ପାରଦ ୩୬.୭ ଡିଗ୍ରୀ ଥିଲା ।
ବିଶେଷଜ୍ଞଙ୍କ କହିବା କଥା ହେଲା, ଯେଉଁ ଅଞ୍ଚଳରେ ଗଛଲତା ଅଧିକ ଓ ମାଟି ହାଲୁକା ସେଠାରେ ପାରଦ କମ୍ ରହୁଛି । ସେହିପରି ଯେଉଁ ଅଞ୍ଚଳରେ ବୃକ୍ଷଲତା କମ୍ ଥିବା ସହ କଂକ୍ରିଟ୍ ପରିମାଣ ଅଧିକ ଏବଂ ବାୟୁମଣ୍ଡଳରେ ପ୍ରଦୂଷଣ ସ୍ତର ଅଧିକ ରହୁଛି, ସେଠାରେ ତାପମାତ୍ରା ଅଧିକ ରହିଛି ।
ବିଶେଷଜ୍ଞଙ୍କ କହିବା କଥା ହେଲା, ଦ୍ରୁତ ସହରୀକରଣ, କ୍ରଂକିଟ୍ ଜଙ୍ଗଲ ଓ ଟାଙ୍ଗରା ଜମି ଯୋଗୁ ରାଜଧାନୀ ତାପମାତ୍ରା କ୍ରମାଗତ ଭାବେ ବଢ଼ି ଚାଲିଛି । ଯେହେତୁ ଓୟୁଏଟି ଅଞ୍ଚଳରେ ଅଧିକ ଗଛଲତା ସହ ଜଳାଶୟ ଏବଂ ଘାସ ରହୁଛି, ତାପମାତ୍ରା ସାମାନ୍ୟ କମ୍ ଅଛି । ରାଜଭବନ ଅଞ୍ଚଳରେ ଅଧିକ ଗଛ ଥିବାରୁ ତାତି କମ୍ ଅଛି ।
ଚିନ୍ତାର ବିଷୟ ହେଲା, ଭୁବନେଶ୍ୱର ଗତ ୩ ଦିନ ହେବ ସବୁଠୁ ଉତ୍ତପ୍ତ ସହର ପାଲଟିଛି । ପାଣିପାଗ ପୂର୍ବାନୁମାନ କହୁଛି, ଶନିବାର ମଧ୍ୟ ଭୁବନେଶ୍ୱର ତାପମାତ୍ରା ୩୯ ଡିଗ୍ରୀ ଉପରେ ରହିବ । ଯାହା କ୍ରମାନ୍ୱୟରେ ବୃଦ୍ଧି ପାଇବ ବୋଲି ମଧ୍ୟ ଅନୁମାନ ଲଗାଇଛି ବିଭାଗ ।
ଆକ୍ୟୁୱେଦର ପୂର୍ବାନୁମାନ ହେଲା, ଶନିବାର ଦିନ ୧୧ଟାବେଳକୁ ତାପମାତ୍ରା ୩୩ ଡିଗ୍ରୀ ସେଲସିୟସ ଛୁଇଁଥିବ । ୧୨ଟାବେଳକୁ ଆଉ ୩ ଡିଗ୍ରୀ ବଢ଼ିଯିବ । ଅର୍ଥାତ ୧୨ଟା ପରେ ୩୬ ଡିଗ୍ରୀ ତାପମାତ୍ରା ହେବ । ୧ଟାବେଳକୁ ପାରଦ ୩୭ ଓ ୨ଟା ସୁଦ୍ଧା ୩୯ ଡିଗ୍ରୀ ଛୁଇଁପାରେ । ଅପରାହ୍ନ ୩ଟାରେ ତାପମାତ୍ରା ୩୮ ଡିଗ୍ରୀ ଥାଇପାରେ ।
ବଡ଼ କଥା ହେଲା, ଦିନ ୧୧ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଭୟାନକ ୟୁଭି (ଅତି ବାଇଗଣୀ ରଶ୍ମୀ) ମାତ୍ରା ୭ରୁ ୮ ରହିବା ଆଶଙ୍କା ଅଛି । ଏହା ମଣିଷ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇପାରେ । ଦିନ ୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବାୟୁ ପ୍ରଦୂଷଣ ସ୍ତର ଅସୁସ୍ଥକର ପରିସ୍ଥିତି ସୃଷ୍ଟି କରିପାରେ ।