ଷଷ୍ଠ ପର୍ଯ୍ୟାୟ ମତଦାନ ଆଜି

ନୂଆଦିଲ୍ଲୀ,୧୧ ।୫(ଏଜେନ୍ସି): ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆସନ୍ତାକାଲି (ରବିବାର) ମତଦାନ ଅନୁଷ୍ଠିତ ହେବ । ଏହି ପର୍ଯ୍ୟାୟରେ ୭ଟି ରାଜ୍ୟର ରହିଛି ୫୯ଟି ଆସନ । ଏହି ସବୁ ରାଜ୍ୟମାନଙ୍କ ମଧ୍ୟରେ ଅଛି ଉତ୍ତରପ୍ରଦେଶର ୧୪, ହରିଆନାର ୧୦, ପଶ୍ଚିମବଙ୍ଗ, ବିହାର ଓ ମଧ୍ୟପ୍ରଦେଶର ୮ଟି ଲେଖାଏଁ, ଦିଲ୍ଲୀର ୭ ଏବଂ ଝାଡଖଣ୍ଡର ୪ଟି ଲୋକସଭା ଆସନ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ।

ଷଷ୍ଠ ପର୍ଯ୍ୟାୟରେ ଦେଶର ୧୦ କୋଟି ୧୭ଲକ୍ଷରୁ ଅଧିକ ଭୋଟର ୯୭୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଏଥିପାଇଁ ୧ଲକ୍ଷ ୧୩ ହଜାରରୁ ଅଧିକ ପୋଲିଂ ବୁଥ ପ୍ରତିଷ୍ଠା କରାଯାଇଛି । ମତଦାନକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ଲାଗି ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମ୍ବେଦନଶୀଳ ବୁଥଗୁଡିକରେ ସିସିଟିଭି କ୍ୟାମେରା ଲଗାଯିବା ସହିତ କେତେକ ବୁଥରେ ଭିଡିଓ ରେକର୍ଡିଂ ମଧ୍ୟ କରାଯିବାର ବ୍ୟବସ୍ଥା ହୋଇଛି । ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହି ପର୍ଯ୍ୟାୟରେ ନିର୍ବାଚନ ଲଢ଼ୁଥିବା ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ, ରାଧାମୋହନ ସିଂହ, ହର୍ଷବର୍ଦ୍ଧନ, ନରେନ୍ଦ୍ର ସିଂହ ତୋମର, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ, ବିଜେପି ନେତ୍ରୀ ପ୍ରଜ୍ଞା ସିଂହ ଠାକୁର, କ୍ରିକେଟରୁ ରାଜନେତା ବନିଥିବା ଗୌତମ ଗମ୍ଭୀର, ଆପ ନେତ୍ରୀ ଆତିଶୀ ମର୍ଲେନା, ବିଜେପି ନେତା ମନୋଜ ତିୱାରୀ ଓ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ ।

ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ (ଏଡିଆର) ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ପର୍ଯ୍ୟାୟରେ ନିର୍ବାଚନ ଲଢ଼ୁଥିବା ମୋଟ ପ୍ରାର୍ଥୀଙ୍କ ମଧ୍ୟରୁ ୧୮୯ ଜଣଙ୍କ ବିରୋଧରେ ଅପରାଧ ମାମଲା ରହିଥିବା ସେମାନେ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ସେମାନଙ୍କ ମଧ୍ୟରେ ବିଜେପିର ୨୪, କଂଗ୍ରେସର ୨୬, ବହୁଜନ ସମାଜ ପାର୍ଟିର ୧୯ ଓ ଶିବସେନାର ୫ ପ୍ରାର୍ଥୀ ଅଛନ୍ତି । ଏହି ପର୍ଯ୍ୟାୟର ୩୦୭ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରୁ ୩୪ ଜଣଙ୍କ ନାମରେ ଅପରାଧ ମାମଲା ଥିବା ନାମାଙ୍କନପତ୍ର ଦାଖଲରୁ ସୂଚନା ମିଳିଛି । ସେହିଭଳି ୩୧୧ ପ୍ରାର୍ଥୀଙ୍କ ସମ୍ପତ୍ତି ୧ କୋଟିରୁ ଅଧିକ ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ବିଜେପିର ୪୬, କଂଗ୍ରେସର ୩୭, ବହୁଜନ ସମାଜ ପାର୍ଟିର ୩୧ ଓ ଆପ୍‌ର ୬ । ୭୧ ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ସମ୍ପତ୍ତି ୧ କୋଟିରୁ ଅଧିକ ଥିବା ଜଣାପଡିଛି ।

   ସମ୍ବନ୍ଧିତ ଖବର


ବଢିଲା ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ସମ୍ଭାବନା, ଇରାନ ପରମାଣୁ ବୈଜ୍ଞାନିକଙ୍କ ହତ୍ୟାକୁ ନେଇ ବଢୁଛି ବିବାଦ…

୭ ପାକିସ୍ତାନୀ କ୍ରିକେଟର କରୋନା ସଂକ୍ରମିତ, ନ୍ୟୁଜିଲାଣ୍ଡ ସରକାରଙ୍କ ଚେତାବନୀ-ଏବେ ନିୟମ ଭାଙ୍ଗିଲେ ପଠାଇଦେବୁ

ବମ୍ବେ ହାଇକୋର୍ଟରେ କଙ୍ଗନାଙ୍କୁ ସଫଳତା ପରେ ବିଏମସି ମେୟର ଦେଲେ ବିବାଦୀୟ ମନ୍ତବ୍ୟ, କହିଲେ ଅଭିନେତ୍ରୀ “ଦୁଇ ଟଙ୍କାର ଲୋକ”…

ରାଜ୍ୟରେ କରୋନା ନେଲା ଆଉ ୧୨ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୩୦କୁ ବୃଦ୍ଧି

୨୪ଘଣ୍ଟା ଆଉ ୫୫୦ ନୂଆ କରୋନା ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ହଜାର ୭୮୯କୁ ବୃଦ୍ଧି

ଅବକାରୀ ଗୁଇନ୍ଦା ପଞ୍ଝାରେ ନିଶା ବେପାରୀ, ୪ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର୍‌ ଜବତ