ଆଜିଠୁ କେବଳ ଗ୍ରୀନ ଜୋନରେ ଗଡିବ ବସ୍‌

ଭୁବନେଶ୍ୱର ୫/୫ : ଗ୍ରୀନ୍‌ ଜୋନ୍‌ (କରୋନା ମୁକ୍ତ) ଜିଲ୍ଲାରେ ବସ୍‌ ଚଳାଚଳ ପାଇଁ ଶେଷରେ ହଁ ଭରିଛନ୍ତି ରାଜ୍ୟ ସରକାର। ୫୦% ଯାତ୍ରୀଙ୍କୁ ନେଇ ଗ୍ରୀନ୍‌ ଜୋନ୍‌ ରାସ୍ତାରେ ବସ୍‌ ଚଳାଚଳ କରିପାରିବ ବୋଲି ରାଜ୍ୟ ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ହେଲେ ବସ୍‌ ସେବା ଆରମ୍ଭ ହେବା ନେଇ ଏବେ ବି ଦ୍ୱନ୍ଦ୍ୱ ରହିଛି । ବସ୍‌ ଚଳାଚଳ ପାଇଁ ସରକାର ରଖିଥିବା ସର୍ତ୍ତାବଳୀ ନେଇ ଆପତ୍ତି ଉଠାଇଛି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ । କ୍ଷତିରେ ବସ୍‌ ଚଲାଇବାସମ୍ଭବପର ନୁହେଁ ବୋଲି ସଂଘ କହିଛି ।

ମେ’ ୪ରୁ ଗ୍ରୀନ୍‌ ଜୋନ୍‌ରେ ବସ୍‌ ଚଳାଚଳ ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ହେଲେ ରାଜ୍ୟ ସରକାର ପ୍ରଥମେ ଏଥିରେ ସହମତ ହୋଇନଥିଲେ । ଗତକାଲି ଜାରି କରିଥିବା ନୂଆ ଗାଇଡଲାଇନରେ ରାଜ୍ୟ ସରକାର ଗ୍ରୀନ୍‌ ଜୋନ୍‌ରେ ବସ୍‌ ଚଳାଚଳ ପାଇଁ ଅନୁମତି ଦେଇନଥିଲେ । ମାତ୍ର ସୋମବାର ଦିନ ରାଜ୍ୟ ସରକାର ନିଷ୍ପତ୍ତି ବଦଳାଇଛନ୍ତି । ନିର୍ଦ୍ଦେଶ ଜାରି ହୋଇଛି ଯେ ଗ୍ରୀନ୍‌ ଜୋନ୍‌ରେ ଏଣିକି ବସ୍‌ ଚାଲିପାରିବ । ବସ୍‌ରେ ଯେତିକି ସିଟ୍‌ ରହିଛି, ତା’ର ୫୦% ଯାତ୍ରୀଙ୍କୁ ନେଇ ବସ୍‌ ଚଳାଚଳ କରିବ । ଏହି ବସ୍‌ କେବଳ ଗ୍ରୀନ୍‌ ଜୋନ୍‌ ପରିସରଭୁକ୍ତ ରାସ୍ତାରେ ଚଳାଚଳ କରିବ । ଅରେଞ୍ଜ୍‌ ଜୋନ୍‌ କିମ୍ବା ରେଡ୍‌ ଜୋନ ଅଞ୍ଚଳ ଦେଇ କୌଣସି ବସ୍‌ ଯାଇପାରିବ ନାହିଁ । ତେବେ ବସ୍‌ ଚଳାଚଳ ପାଇଁ ସମସ୍ତ ଆବଶ୍ୟକୀୟ ଦସ୍ତାବିଜ୍‌, ରୁଟ୍‌ ପରମିଟ୍‌, ରେଜିଷ୍ଟ୍ରେସନ୍‌ ସାର୍ଟିଫିକେଟ, ଫିଟନେସ୍‌ ପ୍ରମାଣପତ୍ର, ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର, ବୀମା ଆଦି ଥିବା ଆବଶ୍ୟକ ।

ଗ୍ରୀନ୍ ଜୋନ୍- ଅନୁଗୁଳ, ବରଗଡ଼, ବୌଦ୍ଧ, ସମ୍ବଲପୁର, ଗଜପତି, ଜଗତସିଂହପୁର, କନ୍ଧମାଳ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା, ସୋନପୁର, କଟକ, ପୁରୀ

ସେହିପରି ଅରେଞ୍ଜ ଜୋନ୍‌ରେ କଳାହାଣ୍ଡି, କେନ୍ଦୁଝର, ଢ଼େଙ୍କାନାଲ, ସୁନ୍ଦରଗଡ, କୋରାପୁଟ, ଦେବଗଡ, ଝାରସୁଗୁଡା, ବଲାଙ୍ଗୀର,କେନ୍ଦ୍ରାପଡା, ଗଞ୍ଜାମ ଖୋର୍ଦ୍ଧା (ବିଏମ୍‌ସି ଅଞ୍ଚଳ ଛାଡିକି)

ରେଡ୍‌ ଜୋନ୍‌- ଭଦ୍ରକ, ଯାଜପୁର, ବାଲେଶ୍ୱର ଜିଲ୍ଲା ସହ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ ରହିଛି ।

ତେଣୁ ଗୋଟିଏ ଗ୍ରୀନ୍‌ ଜୋନରୁ ଅନ୍ୟ ଏକ ଗ୍ରୀନ୍‌ ଜୋନ୍‌କୁ ବସ୍‌ ଚଳାଚଳ ନେଇ ମଧ୍ୟ ଅନେକ ଜାଗାରେ ସମସ୍ୟା ରହିଛି।

ରାଜ୍ୟ ସରକାରଙ୍କ ସର୍ତ୍ତାବଳୀକୁ ନେଇ ସନ୍ତୁଷ୍ଟ ନୁହେଁ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ । ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି, ବସ୍‌ ଚଳାଚଳ ନେଇ ଯେଉଁ ସବୁ ସମସ୍ୟା ରହିଛି, ସେ ନେଇ ଗତକାଲି ସଂଘର ବୈଠକ ବସିଥିଲା । ସମସ୍ୟା ବାବଦରେ ସରକାରଙ୍କୁ ଅବଗତ କରାଯାଇଛି । ୫୦% ଯାତ୍ରୀଙ୍କୁ ନେଇ ବସ୍‌ ଚାଲିବାକୁ ଅନୁମତ ଦିଆଯାଇଥିବାବେଳେ ବାକି ୫୦% ସିଟ୍‌ ଖାଲି ରହିବ । ଏହି କ୍ଷତି କିଏ ଭରଣା କରିବ? ସରକାର ଏ ନେଇ କିଛି ସ୍ପଷ୍ଟ ମତ ରଖନ୍ତୁ । ଏହାବାଦ୍‌ ଗ୍ରୀନ୍‌ ଜୋନକୁ ବସ୍‌ ଚଳାଚଳ କରିବାକୁ ହେଲେ ଅନେକ ଜାଗାରେ ରେଡ୍‌ ଜୋନ କିମ୍ବା ଅରେଞ୍ଜ ଜୋନ୍‌ ଏରିଆ ଦେଇ ଯିବାକୁ ହେବ । ତେଣୁ ଏଭଳି ସର୍ତ୍ତାବଳୀରେ ବସ୍‌ ଚଳାଚଳ କରିବା ସହଜ ନୁହେଁ । ସରକାର ଏ ସବୁ ଦିଗକୁ ଚିନ୍ତା କରିବା ଦରକାର । ନହେଲେ ବସ୍‌ କେମିତି ଚାଲିବ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଆହୁରି ପଢ଼ନ୍ତୁ. ଦାନା ବାନ୍ଧୁଛି ବାତ୍ୟା ‘ଆମ୍ଫାନ୍‌’: ଓଡ଼ିଶା ସହ ଘଷି ହୋଇଯିବ

   ସମ୍ବନ୍ଧିତ ଖବର


ଓଡ଼ିଶାରେ ରି-ଇନ୍‌ଫେକ୍ସନ୍‌ ହେଉଛି କରୋନା : ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ

ପୁଅର ଅସ୍ଥି ଟିକକ ମିଳିଲେ ଗଙ୍ଗାରେ ବିସର୍ଜନ କରନ୍ତି…

ବାଇକ୍‌ରେ ଯାଉଥିଲେ, ଚଢ଼ିଗଲା ଟ୍ରକ୍: ଅଜା-ନାତିଙ୍କ ଚାଲିଗଲା ଜୀବନ

ମୁହାଁ ମୁହିଁ ଧକ୍କା ହେଲା ଟ୍ରକ୍‌ : ଗୁରୁତର ଡ୍ରାଇଭରଙ୍କୁ ହସ୍ପିଟାଲରେ ଭର୍ତ୍ତି

ଆଜି ଧରାପୃଷ୍ଠରେ ଅବତରଣ କରିବେ ମା’ ଗଜଲକ୍ଷ୍ମୀ: ସବୁଠି କୋଭିଡ୍‌ ନିୟମ ଅନୁସାରେ ହେବ ପୂଜା, ଦର୍ଶନ କରିବେନି ଭକ୍ତ

ଆଦିତ୍ୟ ଦାଶ ମୃତ୍ୟୁ ମାମଲା : ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ, ଆଜି କ୍ରାଇମବ୍ରାଞ୍ଚ କର୍ତ୍ତୃପକ୍ଷଙ୍କୁ ଭେଟିବେ ଆଦିତ୍ୟଙ୍କ ମା’