ଆଜି ଆଡ଼ପମଣ୍ଡପରେ ସନ୍ଧ୍ୟା ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ,୩୦/୦୬: ଆଜି ସନ୍ଧ୍ୟା ଦର୍ଶନ ବା ନବମୀ ଦର୍ଶନ। ଆଡ଼ପମଣ୍ଡପରେ ମିଳିବ ଚଳିତ ବର୍ଷର ଚତୁର୍ଦ୍ଧାମୂର୍ତ୍ତିଙ୍କ ଅନ୍ତିମ ଦର୍ଶନ। ବାହୁଡ଼ା ଯାତ୍ରା ପୂର୍ବଦିନ ଗୁଣ୍ଡିଚାଘରେ ଠାକୁରଙ୍କ ଦର୍ଶନ କଲେ ମହାପୂଣ୍ୟ ହୋଇଥାଏ। ଭକ୍ତଙ୍କ ପାଇଁ ଉପଲବ୍ଧ ହେବ ଶେଷ ଆଡ଼ପ ଅବଢ଼ା। ସକାଳ ୮ଟାରେ ପ୍ରଥମ ଭୋଗମଣ୍ଡପ ସରିଲେ ଶ୍ରଦ୍ଧାଳୁମାନଙ୍କୁ ଏହି ସୌଭାଗ୍ୟ ମିଳିବ । ଶ୍ରଦ୍ଧାଳୁମାନେ ଦର୍ଶନ ସହ ଦୀପ ଜାଳି ବ୍ରାହ୍ମଣଙ୍କୁ ମହାପ୍ରସାଦରେ ଆପ୍ୟାୟିତ କରିଥାନ୍ତି।

ଏହି ପରମ୍ପରା କାହିଁ କେତେ କାଳରୁ ଚାଲିଆସୁଛି । ସନ୍ଧ୍ୟା ଦର୍ଶନର ମହାନତା ବିଭିନ୍ନ ଶାସ୍ତ୍ରରେ ରହିଛି। ‘ନୀଳାଦ୍ରୌ ଶତବର୍ଷାଣି ଆଡ଼ପ ମଣ୍ଡପେ ଦିନେ’। ନୀଳାଚଳରେ ୧୦୦ ବର୍ଷ ଶ୍ରୀବିଗ୍ରହଙ୍କ ଦର୍ଶନରେ ଶ୍ରଦ୍ଧାଳୁ ଯେଉଁ ପୂଣ୍ୟ ଫଳ ପାଏ ଆଡ଼ପମଣ୍ଡପ ଦର୍ଶନରେ ଗୋଟିଏ ଦିନରେ ତାହା ପ୍ରାପ୍ତି ହୋଇଥାଏ । ରାତ୍ରିକାଳୀନ ଦର୍ଶନରେ ତାହାର ୧୦ଗୁଣ ଫଳ ମିଳିଥାଏ। ଗୁଣ୍ଡିଚାଘରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ଅବସରରେ ନିଳାଦ୍ରୀ ମହୋଦୟରେ ଏହା ଉଲ୍ଲେଖ ରହିଛି। ମଙ୍ଗଳବାର ନବମୀ (ସନ୍ଧ୍ୟା) ଦର୍ଶନ ଅବସରରେ ଗୁଣ୍ଡିଚା ଘରେ ମିଳିବ ଏହି ସୌଭାଗ୍ୟ।

ପରଦିନ ବାହୁଡ଼ା ଯାତ୍ରା ଥିବାରୁ ଠାକୁରଙ୍କ ନୀତି ତ୍ୱରାନ୍ୱିତ ହେବ। ରାତି ୮ଟାରେ ଗୁଣ୍ଡିଚାଘର ଭିତରଶୋଧ କରାଯିବ। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସନ୍ଧ୍ୟା ଦର୍ଶନର ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି। ରାତି ୨ଟାରେ ଠାକୁରଙ୍କ ଦ୍ୱାର ଫିଟି ମଙ୍ଗଳ ଆଳତୀ ହେବ ୨ଟା ୩୦ରେ। ପରେ ମଇଲମ-ତଡପଲାଗି ୩ଟାରେ, ଅବକାଶ ୪ଟାରେ, ରୋଷହୋମ ୪ଟା ୧୫ରେ, ସୂର୍ଯ୍ୟପୂଜା ୪ଟା ୩୦ରେ, ଦ୍ୱାରପାଳ ପୂଜା ୪ଟା ୪୫ରେ ବଢ଼ି ବେଶ ଶେଷ ହେବ ୫ଟାରେ। ଗୋପାଳବଲ୍ଲଭ ନୀତି ସାଢ଼େ ୫ଟାରେ ହୋଇ ସକାଳଧୂପ ଅନୁଷ୍ଠିତ ହେବ ସକାଳ ୬ଟାରୁ ୭ଟା ମଧ୍ୟରେ। ଭୋଗମଣ୍ଡପ ନୀତି ପାଇଁ ସକାଳ ୬ଟା ୩୦ ମିନିଟ୍‌ରୁ ୮ଟା ଭିତରେ ଧାର୍ଯ୍ୟ ହୋଇଛି। ପରେ ଭକ୍ତମାନଙ୍କ ପାଇଁ ଉପଲବ୍ଧ ହେବ ଶେଷ ଆଡ଼ପ ଅନ୍ନ ମହାପ୍ରସାଦ ।

ମଇଲମ ୮ଟା ୧୫ରେ, ଯାତ୍ରାଙ୍ଗୀ ମହାସ୍ନାନ ୯ଟା ଓ ସର୍ବାଙ୍ଗ ୯ଟା ୩୦ ମିନିଟ୍‌ ବଢ଼ି ୧୦ଟା ୧୫ରେ ଠାକୁରଙ୍କ ନୂଆଲାଗି ବେଶ ଅନୁଷ୍ଠିତ ହେବ। ମଧ୍ୟାହ୍ନଧୂପ ଅନୁଷ୍ଠିତ ହେବ ୧୧ଟାରୁ ୧୨ଟା ମଧ୍ୟରେ। ଦ୍ୱିତୀୟ ଭୋଗମଣ୍ଡପ ୧୧ଟା ୧୫ରୁ ସାଢ଼େ ୧ଟା ମଧ୍ୟରେ, ମଇଲମ ଓ ବେଶ ୧ଟା ୧୫ରୁ ୨ଟା ମଧ୍ୟରେ ଅନୁଷ୍ଠିତ ହେବ। ଶ୍ରୀବିଗ୍ରହଙ୍କ ସନ୍ଧ୍ୟା ଆଳତି ଅପରାହ୍ନ ୨ଟା ୧୦ରେ ହୋଇ ସନ୍ଧ୍ୟାଧୂପ ଉଠିବ ୨ଟା ୪୦ରୁ ଅପରାହ୍ନ ୪ଟା ମଧ୍ୟରେ। ଆବଶ୍ୟକ ହେଲେ ତୃତୀୟ ଭୋଗମଣ୍ଡପ ୨ଟା ୫୦ରୁ ୪ଟା ୫୦ ମଧ୍ୟରେ ଅନୁଷ୍ଠିତ ହେବ। ସାଢ଼େ ୪ଟାରେ ରାହାସକୁ ଦିଅଁ ବିଜେ ହେବେ। ପରେ ମଇଲମ ହୋଇ ଚନ୍ଦନଲାଗି ବଢ଼ିବ ୫ଟା ୨୦ ମିନିଟ୍‌ରେ। ସନ୍ଧ୍ୟା ୬ଟାରେ ବଡ଼ସିଂହାର ବେଶ ଓ ସାଢ଼େ ୬ଟାରେ ବଡ଼ସିଂହାର ଭୋଗ ଅନୁଷ୍ଠିତ ହୋଇ ସନ୍ଧ୍ୟା ୭ଟାରେ ପହୁଡ଼ ଆଳତି ହେବ।

ସନ୍ଧ୍ୟା ୭ଟା ୧୫ରେ ପୁଷ୍ପାଳକମାନେ ଶ୍ରୀମୁଖରେ ଖଣ୍ଡୁଆ ପକାଇ ବାହାରକୁ ଯିବେ। ପରେ ଦଇତାପତିମାନେ ଠାକୁରଙ୍କ ଗୁପ୍ତନୀତି କରିବେ। ୭ଟା ୩୦ରେ ବାହୁଟ କଣ୍ଟ ନୀତି ଅନୁଷ୍ଠିତ ହେବ। ପରେ କୋଠସୁଆଁସିଆମାନେ ସିଂହାସନଠାରେ ଚାରମାଳ ବାନ୍ଧିବେ। ରାତ୍ର ୭ଟା ୪୦ରୁ ରାତି ୧୧ଟା ଭିତରେ ଚାରମାଳ ବନ୍ଧା ହେବ। ପରେ ରାତି ୧୧ଟାରୁ ଭୋର ୪ଟା ମଧ୍ୟରେ କୁସୁମିଲାଗି ନୀତି ଅନୁଷ୍ଠିତ ହେବ। ସନ୍ଧ୍ୟା ଦର୍ଶନରେ ଠାକୁରଙ୍କ ନୀତି ଶୃଙ୍ଖଳା ପାଇଁ ପ୍ରଶାସକ ଓ ସେବକଙ୍କ ଭିତରେ ଆଲୋଚନା ହୋଇଛି। କରୋନା କଟକଣା ଯୋଗୁ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ରହିବ ନାହିଁ । ଏଣୁ ଠାକୁରଙ୍କ ନୀତି ସଅଳ ହୋଇ ବାହୁଡ଼ା ଯାତ୍ରା ପ୍ରସ୍ତୁତି ଆଗେଇବ ବୋଲି ଅନୁମାନ କରାଯାଉଛି ।

   ସମ୍ବନ୍ଧିତ ଖବର


୧୨ ଶହ ଠେଲା ଗାଡି ଅଚଳ , ଦୁର୍ଦ୍ଦିନରେ ଅଢ଼େଇ ହଜାର ରିକ୍ସାବାଲା

ମୁଣ୍ଡିଆ ମାରିଥିଲେ ବି ଶିଶୁ ବିଶେଷଜ୍ଞ ଆସିନଥିଲେ , ଚିକିତ୍ସା ଅଭାବରୁ ନବଜାତକର ମୃତ୍ୟୁ!

ନୂଆପଡାରେ ନିର୍ମାଣାଧୀନ ବ୍ରିଜରେ ଝୁଲିଲା ଟ୍ରକ୍‌, ଡ୍ରାଇଭର ଗୁରୁତର

ରହସ୍ୟ ଘେରରେ ବନ୍ଦ ଘର ! ସାଢ଼େ ତିନି ବର୍ଷ ଧରି ଝୁଲୁଛି ତାଲା

ଟ୍ୟୁସନ୍‌ ନ କଲେ ଫେଲ୍‌ ହେବାର ଧମକ! ରିପୋର୍ଟ ତଲବ

ପୁଅ ମୃତ୍ୟୁକୁ ନେଇ ବିଷ ଖାଇଲେ ମା’