ଆଜି ପ୍ରଥମ ପର୍ଯ୍ୟାୟ ଭୋଟ: ୨୧୭ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଭୁବନେଶ୍ୱର,୧୦ ।୪(ବ୍ୟୁରୋ): ଛାତି ଧଡ଼ପଡ଼ । ମନରେ ଶଙ୍କା । ରାତି ପାହିଲେ ଭୋଟ ମହାପର୍ବର ପ୍ରଥମ ପର୍ଯ୍ୟାୟ ମତଦାନ ହେବ । ୫ ବର୍ଷର ବ୍ୟବଧାନ ପରେ ଅଗ୍ନିପରୀକ୍ଷାର ସମ୍ମୁଖୀନ ହେବେ ନେତା । ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୪ ଲୋକସଭା ସହ ସଂଲଗ୍ନ ୨୮ ବିଧାନସଭା ଆସନ ପାଇଁ ଆସନ୍ତାକାଲି (ଗୁରୁବାର) ସକାଳ ୭ଟାରୁ ଭୋଟଗ୍ରହଣ କରାଯିବ । ୬୦ ଲକ୍ଷ ଭୋଟର ୨୧୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପୁଲିଂ ପାର୍ଟି ନିଜ ବୁଥରେ ପହଞ୍ଚି ଆନୁଷଙ୍ଗିକ କାମ ଆରମ୍ଭ କରିଛନ୍ତି । ମାଓପ୍ରବଣ ମାଲକାନଗିରି ଓ ନୂଆପଡ଼ା ଜିଲ୍ଲାରେ ହେଲିକପ୍ଟରରେ ପୁଲିଂ କର୍ମଚାରୀ ଭୋଟ ସାମଗ୍ରୀ ସହ ମତଦାନ କେନ୍ଦ୍ରରେ ପହଞ୍ଚିଛନ୍ତି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପ୍ରଥମ ଥର ରାଜ୍ୟରେ ସବୁ ବୁଥରେ ଇଭିଏମ୍‌ ସହ ଭିଭିପାଟ୍‌ ବ୍ୟବହାର କରାଯିବ । ଅବାଧ, ମୁକ୍ତ ଓ ନିରପେକ୍ଷ ଭୋଟ ଗ୍ରହଣ ପାଇଁ ପୁଲିସ ଓ ପ୍ରଶାସନ ସମ୍ପୂର୍ଣ୍ଣ ନଜର ରଖିଛି ।

ଗୁରୁବାର ସକାଳୁ ୪ ଲୋକସଭା ଓ ଏହା ଅନ୍ତର୍ଗତ ୨୮ ବିଧାନସଭା କ୍ଷେତ୍ର ପାଇଁ ଭୋଟ୍‌ ଗ୍ରହଣ କରାଯିବ । କଳାହାଣ୍ଡି ଲୋକସଭା ସହ ନୂଆପଡ଼ା, ଖରିଆର, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ନର୍ଲା ବିଧାନସଭା, ନବରଙ୍ଗପୁର ଲୋକସଭା ସହ ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡା ବିଧାନସଭା ଆସନ ପାଇଁ ଭୋଟ୍‌ ହେବ । ସେହିଭଳି ବ୍ରହ୍ମପୁର ଲୋକସଭା ଆସନ ପାଇଁ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି ବିଧାନସଭା ଆସନ ଏବଂ କୋରାପୁଟ ଲୋକସଭା ଆସନ ସହ ଗୁଣୁପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ ଓ ପଟାଙ୍ଗୀ ଆସନରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ହେବ । ବିଧାନସଭା ଆସନ ପାଇଁ ୧୯୧ ଜଣ ଓ ଲୋକସଭା ଆସନ ପାଇଁ ୨୬ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି ।

କାର୍ଯ୍ୟସୂଚୀ ଅନୁସାରେ ମାଓପ୍ରବଣ ଅଞ୍ଚଳରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ୪ଟା (୨୦ ବିଧାନସଭାର ବୁଥରେ) ଯାଏ ଚାଲିବ । ବଳକା ୮ ବିଧାନସଭା ଆସନଗୁଡ଼ିକରେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ୨୯ ଲକ୍ଷ ୭୨ ହଜାର ୯୨୫ ପୁରୁଷ ଭୋଟର, ୩୦ ଲକ୍ଷ ୩୦ ହଜାର ୨୨୨ ଜଣ ମହିଳା ଓ ୫୬୦ ଜଣ ତୃତୀୟଲିଙ୍ଗୀ ଭୋଟର ଭାଗ୍ୟ ନିର୍ଦ୍ଧାରଣ କରିବେ । ୨,୩୭୫ଟି ବୁଥ୍‌କୁ ଉତ୍ତେଜନାପ୍ରବଣ ବୁଥ୍‌ ଭାବେ ଚିହ୍ନଟ କରାଯାଇଛି । ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଶେଷ କରିବାକୁ ୭୭୭ଟି ବୁଥ୍‌ରେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (ସିଏପିଏଫ୍‌) ନିୟୋଜିତ ହୋଇଛନ୍ତି । ଅତି ସମ୍ବେଦନଶୀଳ ବୁଥଗୁଡ଼ିକରେ ଭୋଟଗ୍ରହଣର ୱେବକାଷ୍ଟିଂ ସହ ଭିଡିଓଗ୍ରାଫି କରାଯିବ । ସିସିଟିଭି ସର୍ଭେଲାନସରେ ରହିବ ଉତ୍ତେଜନାପ୍ରବଣ ବୁଥ୍‌ । ମାଇକ୍ରୋଅବଜର୍ଭର ଏହା ଉପରେ ତୀକ୍ଷଣ ନଜର ରଖିବେ । ପୁଲିଂ ପାର୍ଟି ମତଦାନ ସାମଗ୍ରୀ ସହ ଭୋଟଗ୍ରହଣରେ କେନ୍ଦ୍ରରେ ପହଞ୍ଚିସାରିଛନ୍ତି ।

ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରିଛନ୍ତି । କେଉଁଠି କିଛି ବି ତ୍ରୁଟି ପରିଲକ୍ଷିତ ହେଲେ କୁଇକ୍‌ ରେସପନସ୍‌ ଟିମ୍‌ ନଜରକୁ ଆଣିବା ସହ କଣ୍ଟ୍ରୋଲ ରୁମକୁ ଅବଗତ କରାଇବାକୁ ନିର୍ଦ୍ଦେଶ ଜାରି ହୋଇଛି । ଜିଲ୍ଲା ନିର୍ବାଚନ ଅଧିକାରୀମାନେ ସମ୍ପୂର୍ଣ୍ଣ ବ୍ୟବସ୍ଥାର ତଦାରଖ କରିଛନ୍ତି । ଭୋଟ୍‌ ଦେବା ପାଇଁ ମୋଟ୍‌ ୭,୨୩୩ଟି ପୁଲିଂ ବୁଥ୍‌ ସ୍ଥାପନ କରାଯାଇଥିଲା ବେଳେ ସୁରୁଖୁରୁରେ ମତଦାନ ପାଇଁ ୪୭,୮୦୫ ଜଣ ପୁଲିଂ ଅଧିକାରୀ ଓ କର୍ମଚାରୀଙ୍କୁ ନିୟୋଜନ କରାଯାଇଛି । ପ୍ରଥମେ ପ୍ରାର୍ଥୀଙ୍କ ପୁଲିଂ ଏଜେଣ୍ଟଙ୍କ ଉପସ୍ଥିତିରେ ‘ମକ୍‌ ପୋଲ’ ପରେ ଭୋଟ ଗ୍ରହଣ ଆରମ୍ଭ ହେବ ।

ଗୁରୁବାର ହେବାକୁ ଥିବା ଭୋଟ ଅଞ୍ଚଳରେ ବିଜେଡିର ବେଶ ଦବଦବା ରହିଛି । ଗତ ନିର୍ବାଚନରେ ଏ ୪ଟି ଯାକ ଲୋକସଭା ବିଜେଡି ଖାତାକୁ ଆସିଥିଲା । କୋରାପୁଟ ଲୋକସଭାର ୪ ବିଧାନସଭାରେ ବିଜେଡି ଜିତିଥିଲା । କଂଗ୍ରେସ ୩ଟି ଆସନ ପାଇଥିଲା । ବ୍ରହ୍ମପୁର ଲୋକସଭାର ୬ ବିଧାନସଭା କ୍ଷେତ୍ରରେ ବିଜେଡି ଓ ଗୋଟିଏ ଆସନ କଂଗ୍ରେସ କବଜାକୁ ଆସିଥିଲା । ନବରଙ୍ଗପୁର ଲୋକସଭାର ୫ ବିଧାନସଭାରେ ଶାସକ ବିଜେଡି ଓ କଂଗ୍ରେସ ୨ଟି ସିଟ୍‌ ନିଜ ଦଖଲ କରିଥିଲା । କଳାହାଣ୍ଡି ଲୋକସଭା ଅନ୍ତର୍ଗତ ୫ ବିଧାନସଭାରେ ବିଜୁ ଜନତା ଦଳ ଏବଂ ୨ଟିରେ କଂଗ୍ରେସ ବାଜି ମାରି ନେଇଥିଲା । ଏଥର ଏ ଆସନଗୁଡ଼ିକରେ ମତଦାନକୁ ନେଇ ଭୋଟରମାନେ ବେଶ୍‌ ଉତ୍ସାହିତ ଅଛନ୍ତି ।

ଗୁରୁବାର ଭୋଟ୍‌ ବହୁ ହେଭିୱେଟ୍‌ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ । ବିଜେଡିର ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ସୂର୍ଯ୍ୟନାରାୟଣ ପାତ୍ର, ଉଷା ଦେବୀ ନିଜ ଭାଗ୍ୟ ପରୀକ୍ଷା କରିବେ । ରାଜ୍ୟ ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ବିଜେଡିି ନେତା ଲାଲବିହାରୀ ହିମରିକା, ରବି ନନ୍ଦ, ପ୍ରଦୀପ ପାଣିଗ୍ରାହୀ, ଭୂପିନ୍ଦର ସିଂ, ପୁଷ୍ପେନ୍ଦ୍ର ସିଂହଦେଓଙ୍କ ସହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଏହାଛଡ଼ା କଂଗ୍ରେସ ହେଭିୱେଟ୍‌ ଭକ୍ତଚରଣ ଦାସ, ତାରା ବାହିନୀପତି, ଭୂଜବଳ ମାଝୀ, ପ୍ରଦୀପ ମାଝୀଙ୍କ ସହ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଜୟରାମ ପାଙ୍ଗୀଙ୍କ ଭାଗ୍ୟ ଇଭିଏମରେ ସିଲ୍‌ ହେବ । ଆଜି ଦିନ ତମାମ ପ୍ରାର୍ଥୀମାନେ ଭୋଟ ଭିଡ଼ିବାକୁ କର ବା ମର ନୀତି ଆପଣାଇଛନ୍ତି । ପ୍ରଚାରରେ ରୋକ ଲାଗିଥିଲେ ମଧ୍ୟ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀମାନେ ଭୋଟ ଭିଡ଼ିବାକୁ ଜି ଜାନ୍‌ ଲଗାଇ ନିଜ ପୁଲିଂ ଏଜେଣ୍ଟ ଓ ସ୍ଥାନୀୟ ନେତାମାନଙ୍କ ସହ ବୈଠକ କରିଛନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସହ ପୁଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ମଧ୍ୟ ମତଦାନ ଅଞ୍ଚଳ ଉପରେ ସତର୍କ ଦୃଷ୍ଟି ରଖିଛି ।

   ସମ୍ବନ୍ଧିତ ଖବର


କାହାକୁ ନଜଣାଇ ଲୁଚିଛପି କିମ ଜୋଙ୍ଗ ଉନ ନିଜ ପରିବାର ସହ ନେଇଗଲେ କରୋନା ଟିକା, ଜାଣନ୍ତୁ କେଉଁଠୁ ପାଇଲେ ସେ ଟିକା ?

ସୁର Vs ସମ୍ବିତ – ଏମିତି ଚେତାବନୀ ଦେଲେ ସୁର କହିଲେ ଆତ୍ମାକୁ ବାଧିଲା.. ୧୫ ଦିନ ସମୟ ଦେଲୁ ନହେଲେ

ଦେଶର ସମସ୍ତ ଲୋକଙ୍କୁ ମିଳିବନି କରୋନା ଟିକା: କେନ୍ଦ୍ର ସ୍ବାସ୍ଥ୍ୟସଚିବ

ତୃତୀୟ ପର୍ଯ୍ୟାୟରେ ଏମସ୍‌ର ଡାକ୍ତର ନେଲେ କୋଭାକ୍ସିନ୍‌ ଟିକା- କହିଲେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ନାହିଁ

ସୁଧୁରୁଚି ଦେଶର ଅର୍ଥନୀତି, ଲଗାତାର ଭାବେ ଦ୍ବିତୀୟ ମାସରେ ୧ ଲକ୍ଷ କୋଟି ପାରକଲା GST କଲେକସନ୍ …

ସୋଆ ରେ ପୂର୍ବାଂଚଳ ପ୍ରାକ୍ ସାଧାରଣତନ୍ତ୍ର ଦିବସ ଏନ୍‌ଏସ୍‌ଏସ୍ ପ୍ୟାରେଡ କ୍ୟାମ୍ପ ଉଦ୍‌ଯାପିତ