ଆଜି ୯ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା: ୨୧ରୁ ପୁଣି ବର୍ଷା ବଢ଼ିବ

ଭୁବନେଶ୍ୱର ୧୯/୮: ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଉପରେ ଥିବା ଲଘୁଚାପ ପ୍ରଭାବରେ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି । ପାଣିପାଗ ପୂର୍ବାନୁମାନ ଯାହା, ଆସନ୍ତାକାଲି ବି ବର୍ଷା ଲାଗି ରହିବ । ବେଶି ବର୍ଷିବ ଉତ୍ତର ଓ ସୀମାନ୍ତବର୍ତ୍ତୀ ପଶ୍ଚିମ ଓଡ଼ିଶାରେ । ଅପରପକ୍ଷରେ ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ମଧ୍ୟ ବର୍ଷା ବଢ଼ିପାରେ ।

ପାଣିପାଗ ବିଭାଗ କହିଛି, ଆସନ୍ତାକାଲି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ । କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ବରଗଡ଼, ସୋନପୁର, ବଲାଙ୍ଗିର, ନୂଆପଡ଼ାରେ ପ୍ରବଳ ବର୍ଷା ଆଶଙ୍କା ଅଛି । ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ବାଲେଶ୍ୱର, ଭଦ୍ରକରେ ଘଡ଼ଘଡ଼ି ସଂ ବର୍ଷା ହୋଇପାରେ ।

ଲଗାଣ ବର୍ଷା ଯୋଗୁ ଜଳକା ନଦୀ ବିପଦ ସଙ୍କେତ (୫.୫୦ମିଟର) ଡେଇଁଛି । ସନ୍ଧ୍ୟା ୬ଟାବେଳେ ନଦୀର ଜଳସ୍ତର ୬.୧୭ ମିଟରରେ ପହଞ୍ଚିଥିଲା । କ୍ରମାଗତ ଭାବେ ଜଳକା ନଈ ଫୁଲୁଛି । ସୁବର୍ଣ୍ଣରେଖା ସତକ ସଙ୍କେତ ତଳେ ଥିଲେ ମଧ୍ୟ ଜାମଶୋଳାଘାଟ ଓ ରାଜଘାଟରେ ଜଳସ୍ତର ବଢୁଥିବା ଲକ୍ଷ୍ୟଳ କରାଯାଇଛି । ବୈତରଣୀ ମଧ୍ୟ ଆନନ୍ଦପୁରଠାରେ ଫୁଲୁଛି । ବ୍ରାହ୍ମଣୀ ଜଳସ୍ତର କ୍ରମାଗତ ଭାବେ ଉପରମୁହାଁ ହେଲାଣି । ପାନପୋଷରେ ବିପଦ ସଙ୍କେତ ସ୍ତର ୧୭୮.୪୨ ମିଟର ହୋଇଥିବାବେଳେ ଜଳସ୍ତର ବୃଦ୍ଧି ପାଇ ୧୭୪.୦୧ ମିଟରରେ ପ୍ରବାହିତ ହେଉଥିଲା । ସେହିପରି ଜେନାପୁରରେ ବ୍ରାହ୍ମଣୀ ସତର୍କ ସଙ୍କେତସ୍ତର ୨୨ ମିଟର ଥିବାବେଳେ ସନ୍ଧ୍ୟା ୬ଟାବେଳେ ଜଳସ୍ତର ୧୯.୦୨ ମିଟର ଛୁଇଁଥିଲା । ସୁନ୍ଦରଗଡ଼ରେ ଇବ୍‌ ନଦୀ ମଧ୍ୟ ଫୁଲୁଛି । ସତର୍କ ସଙ୍କେତ ସ୍ତର ୨୨୧.୭୦ ମିଟର ହୋଇଥିବାବେଳେ ସନ୍ଧ୍ୟାବେଳେ ଜଳସ୍ତର ୨୧୯.୯୭ ମିଟରରେ ପହଞ୍ଚିଥିଲା ।

ମହାନଦୀ ଉପରମୁଣ୍ଡ କିମ୍ବା ତଳମୁଣ୍ଡରେ ସେଭଳି ବର୍ଷା ହୋଇନଥିବାରୁ ହୀରାକୁଦ ଜଳଭଣ୍ଡାର ଜଳପତ୍ତନ ୬୨୦.୪୧ ମିଟର ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧ ଲକ୍ଷ ୩୮ ହଜାର ୪୨୩ ଘନ ଫୁଟ ପାଣି ପ୍ରବେଶ କରୁଥିବାବେଳେ ୭ଟି ଗେଟ୍‌ ଦେଇ ୧ ଲକ୍ଷ ୨୭ ହଜାର ୩୮୦ ଘନ ଫୁଟ ପାଣି ଛଡ଼ାଯାଉଛି । ମୁଣ୍ଡୁଳିରେ ୩ ଲକ୍ଷ ୩୭ ୧୩୬ ଘନ ଫୁଟ ପାଣି ଚାଲୁଥିବାବେଳେ ଖଇରମାଳରେ ୧ ଲକ୍ଷ ୯୪ ହଜାର ବରମୁଳରେ ୨ ଲକ୍ଷ ୬ ହଜାର ୮୭୫ ଘନ ଫୁଟ ପାଣି ଚାଲିଥିଲା ।

ଗତ ୨୪ ଘଣ୍ଟା ଭିତରେ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି । ଆଜି ସକାଳ ସୁଦ୍ଧା (ଗତ ୨୪ ଘଣ୍ଟାରେ) ଜଳେଶ୍ୱରରେ ୧୬୧ ମିଲିମିଟର, ପାନପୋଷରେ ୧୪୬, ଭୋଗରାଇରେ ୧୩୦, ବାଙ୍ଗିରିପୋଷିରେ ୧୦୩, ନାକ୍‌ଟିଦେଉଳରେ ୧୦୩, ଯଶିପୁରରେ ୯୫, ରେଢାଖୋଲରେ ୮୪, ରାଜକନିକାରେ ୬୫, ଆନନ୍ଦପୁରରେ ୫୨.୪, ଆଖୁଆପଦାରେ ୪୦.୪, ଠାକୁରମୁଣ୍ଡାରେ ୫୦.୪, ବାଲିମୁଣ୍ଡଳିରେ ୪୯, ବାରିପଦାରେ ୭୯.୪, ବନ୍ତରେ ୫୨, ସୋରରେ ୫୬, ଜେନାପୁରରେ ୪୨.୮, ଢେଙ୍କାନାଳରେ ୫୫, ସୁକିନ୍ଦାରେ ୬୩, ଆଠମଲ୍ଲିକରେ ୫୨, ବୁର୍ଲାରେ ୫୦, ହୀରାକୁଦରେ ୬୦.୪, ନରାଜରେ ୫୧.୬, ସମ୍ବଲପୁରରେ ୪୭, ସୋରଡ଼ାରେ ୫୪, ଭଞ୍ଜନଗରରେ ୬୦, ରାଇରଙ୍ଗପୁରରେ ୬୪, ରାଜଗାଙ୍ଗପୁରରେ ୬୩, ଦେଓଗାଁରେ ୧୧୦, ଝାରସୁଗୁଡ଼ାରେ ୭୮, ଗୁଡ଼ାରିରେ ୬୮, ମୋହନାରେ ୬୭ ମିମି ବର୍ଷା ହୋଇଛି । ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁରରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ବିଶେଷ କରି ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀ ଅବବାହିକାରେ ଅଧିକ ବର୍ଷା ହୋଇଛି ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ହେଲା, ବର୍ତ୍ତମାନ ୨ ଦିନ ଉତ୍ତର ପଶ୍ଚିମ ଓଡ଼ିଶା ବିଶେଷ କରି ସୁନ୍ଦରଗଡ଼, ଝାରସୁଗୁଡ଼ାରେ ବର୍ଷା ଜାରି ରହିବ । ମୁଖ୍ୟତଃ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବାବେଳେ କେତେକ ଜାଗାରେ ପ୍ରବଳ ବର୍ଷା ହୋଇପାରେ । ବାକି ଅଞ୍ଚଳରେ ବିଶେଷ ବର୍ଷା ହେବନି । କାଁ ଭାଁ ସ୍ୱଳ୍ପ ବର୍ଷା ଓ କେତେକ ଜାଗାରେ ମଧ୍ୟମ ଧରଣର ବର୍ଷା ହୋଇପାରେ ।

ବର୍ତ୍ତମାନ ଲଘୁଚାପ ଆସନ୍ତାକାଲି ଝାଡ଼ଖଣ୍ଡ ଉପରେ ରହିବ । ପରେ ବିହାର ଓ ସଂଲଗ୍ନ ପୂର୍ବ ଉତ୍ତର ପ୍ରଦେଶ ଉପରେ ରହିବ । ପରବର୍ତ୍ତୀ ସମୟରେ ଏହା ଛତିଶଗଡ଼ ଓ ମଧ୍ୟପ୍ରଦେଶ ଉପରେ ଥିବ । ଏହା ଓଡ଼ିଶା ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବି ରହିବ । ଫଳରେ ୨୧ରୁ ପୁଣି ବର୍ଷା ବଢ଼ିବ । ଉପକୂଳ ଓ ଉତ୍ତର ଓଡ଼ିଶାରେ ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ବର୍ଷା ପ୍ରକୋପ ବଢ଼ିବ । ପଶ୍ଚିମ ଓଡ଼ିଶାରେ ୨୨ରୁ ୨୫ ତାରିଖ ଭିତରେ ବର୍ଷା ବଢ଼ିବ । ମୁଖ୍ୟତଃ ମଧ୍ୟମ ଧରଣର ଓ କେତେକ ଜାଗାରେ ପ୍ରବଳ ବର୍ଷା ହୋଇପାରେ । ତେବେ ଝାଡ଼ଖଣ୍ଡରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ୨୨ରୁ ଛତିଶଗଡ଼ରେ ୫ ଦିନ ଯାଏଁ ବର୍ଷା ଲାଗି ରହିବ ।

ଆସନ୍ତା ସପ୍ତାହକ ଭିତରେ ଉତ୍ତର ଓଡ଼ିଶାରେ ସ୍ୱାଭାବିକଠାରୀୁ ୨୫%ରୁ ଅଧିକ ଓ ଉତ୍ତର ପଶ୍ଚିମରେ ତା’ଠାରୁ ଅଧିକ ବର୍ଷା ହେବ । ଦକ୍ଷିଣରେ ସବୁଠୁ କମ୍‌ ବର୍ଷା ସମ୍ଭାବନା ଅଛି ।

   ସମ୍ବନ୍ଧିତ ଖବର


ନଭେମ୍ବର ମାର୍ଗଦର୍ଶିକା ଜାରି: ଟ୍ୱିନ୍‌ ସିଟିରେ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ

ଏରିଆ ଅଧିକ ଦାୟିତ୍ବ ବେଶି, କିନ୍ତୁ ତେଲ ସରିଯିବା ଭୟରେ କମିଛି ପିସିଆର୍ ପାଟ୍ରୋଲିଂ: ପୋଲିସ ଗାଡି ନଦେଖି ବଢ଼ିଛି ଅପରାଧୀଙ୍କ ସାହସ

କୁମାର ପୁନେଇଁ ଜହ୍ନ ଗୋ… ଫୁଲ ବଉଳ ବେଣୀ: ଆଜି ସନ୍ଧ୍ୟାରେ କୁମାରୀ ପାଳିବେ କୁମାର ପୂର୍ଣ୍ଣମା

ଗାଡ଼ି ପାର୍କିଂରୁ ନେଇ ଚାଳକଙ୍କୁ ମାଡ଼ ମାରି ରକ୍ତାକ୍ତ କଲା ପୁଲିସ୍‌, ଅନ୍ୟ କାର୍‌ ଚାଳକ ଧାରଣାରେ ବସିବା ପରେ ଭୁଲ୍ ମାଗିଲେ ପୁଲିସ୍ ବାବୁ

ଲିଙ୍ଗରାଜ ମନ୍ଦିରକୁ 5-T ସଚିବ ଭି.କେ. ପାଣ୍ଡିଆନ ଅଚାନକ ଗସ୍ତ: ଉନ୍ନତିମୂଳକ କାର୍ଯ୍ୟର କଲେ ତଦାରଖ

ରାଜ୍ୟକୁ ଧୀରେ ଧୀରେ ଛୁଉଁଛି ଶୀତ, ୫ରୁ ଥଣ୍ଡା ଆହୁରି ବଢ଼ିବ