ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟେଷ୍ଟ: ବିରାଟ ବାହିନୀ ପାଇଁ ‘କର ବା ମର’ ପରିସ୍ଥିତି

ଖ୍ରୀଷ୍ଟଚର୍ଚ୍ଚ ୨୯/୨: ଆଜିଠୁ ହାଗ୍‌ଲେ ଓଭାଲରେ ଭାରତ ଓ ଘରୋଇ ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହେଉଛି ଦ୍ୱିତୀୟ ଟେଷ୍ଟ। ପ୍ରଥମ ଟେଷ୍ଟରେ ଶୋଚନୀୟ ପରାଜୟ ପରେ କୋହଲିବାହିନୀ ପାଇଁ ଏହି ମ୍ୟାଚ୍‌ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ୨ଦିନର ବିଶ୍ରାମ ପରେ ଭାରତୀୟ ଦଳ ଜୋରଦାର ପ୍ରସ୍ତୁତି କରିଛି । କିନ୍ତୁ ଆହତ ସମସ୍ୟା ଦଳ ପାଇଁ ଚିନ୍ତାର କାରଣ ହୋଇଛି । ପ୍ରମୁଖ ପେସ୍‌ ବୋଲର ଈଶାନ୍ତ ଶର୍ମା ଆଣ୍ଠୁ ଆହତ ସମସ୍ୟାରେ ଥିବାରୁ ଦ୍ୱିତୀୟ ଟେଷ୍ଟ ଖେଳିବେନି । ତାଙ୍କ ଅନୁସ୍ଥିତିରେ ଉମେଶ ଯାଦବକୁ ସୁଯୋଗ ମିଳିବା ସମ୍ଭାବନା ରହିଛି । ଅନ୍ୟ ପକ୍ଷରେ ଅସୁସ୍ଥ ଯୁବ ଓପନର ପୃଥ୍ୱୀ ଶ’ଙ୍କ ଖେଳିବା ନେଇ ଉପୁଜିଥିବା ସନ୍ଦେହ ଦୂର ହୋଇଛି । ସେ ଫିଟ୍‌ ଥିବା ଜଣାପଡ଼ିଛି । ଯାହାକି ଦଳକୁ ଆସ୍ୱସ୍ତ କରିଛି । ତଥାପି ଦଳ ଚୂଡ଼ାନ୍ତ ଏକାଦଶ ଚୟନକୁ ନେଇ ଚିନ୍ତାରେ ପଡ଼ିଛି । ସେହିପରି ପେସ୍‌ ବୋଲର ନିଲ ୱାଗନରଙ୍କ ପ୍ରତ୍ୟାବର୍ତ୍ତନ ଘରୋଇ ନ୍ୟୁଜିଲାଣ୍ଡ ବୋଲିଂ ବିଭାଗକୁ ଅଧିକ ଦୃଢ଼ କରିଛି । ଘରୋଇ ଦଳ କ୍ଲିନ୍‌ସୁଇପ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ।

ପୃଥ୍ୱୀ ଫିଟ୍‌: ଦଳର ପ୍ରଥମ ଅଭ୍ୟାସ ଦିବସରେ ଅନୁପସ୍ଥିତ ରହିଥିଲେ ପୃଥ୍ୱୀ । ତାଙ୍କ ଉଭୟ ପାଦ ଫୁଲି ଯାଇଥିବାରୁ ଅଭ୍ୟାସରୁ ଦୂରେଇ ରହିଥିଲେ । ଏହା ଦଳର ଚିନ୍ତା ବଢ଼ାଇଥିଲା । କିନ୍ତୁ ସେ ଫିଟ୍‌ ଥିବା ନେଇ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ସ୍ପଷ୍ଟ କରି ଦେଇଛନ୍ତି । ଦ୍ୱିତୀୟ ଅଭ୍ୟାସ ଦିବସରେ ପୃଥ୍ୱୀ ଦୀର୍ଘ ସମୟ ଧରି ବ୍ୟାଟିଂ କରିଥିଲେ ।

ଈଶାନ୍ତଙ୍କ ସ୍ଥାନ ନେବେ ଉମେଶ: ପ୍ରଥମ ଟେଷ୍ଟରେ ଏକମାତ୍ର ଭାରତୀୟ ବୋଲର ଭାବେ ସଫଳ ପ୍ରଦର୍ଶନ କରିଥିଲେ । କିନ୍ତୁ ସେ ଦ୍ୱିତୀୟ ଟେଷ୍ଟ ଖେଳିବାରୁ ବଞ୍ଚିତ ହେବେ । ତାଙ୍କ ସ୍ଥାନରେ ଉମେଶ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ପାଇପାରନ୍ତି। ଈଶାନ୍ତଙ୍କ ଡାହାଣ ଆଣ୍ଠୁରେ ଯନ୍ତ୍ରଣା ହେଉଛି । ସେ ଅଭ୍ୟାସ ପାଇଁ ଆସିଥିଲେ ମଧ୍ୟ ଆଣ୍ଠୁ ଯନ୍ତ୍ରଣା କାରଣରୁ ଦୂରେଇ ରହିଥିଲେ । ଏହାପରେ ତାଙ୍କ ଆହତ ସ୍ଥାନରେ ସ୍କାନ୍‌ କରାଯାଇଛି । ଟିମ୍‌ ମ୍ୟାନେଜମେଣ୍ଟ ରିପୋର୍ଟକୁ ଅପେକ୍ଷା କରିଛନ୍ତି । ପ୍ରଥମ ଟେଷ୍ଟରେ ଈଶାନ୍ତ ୫ଟି ୱିକେଟ୍‌ ହାସଲ କରିଥିଲେ ।

ଜାଡ଼େଜାଙ୍କୁ ମିଳିପାରେ ସୁଯୋଗ: ନିମ୍ନଭାଗ ବ୍ୟାଟିଂ ବିଭାଗ ଦୃଢ଼ କରିବା ପାଇଁ ଭାରତ ଅଲରାଉଣ୍ଡର ରବିନ୍ଦ୍ର ଜାଡ଼େଜାଙ୍କୁ ସୁଯୋଗ ଦେଇପାରେ । ସେ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ସ୍ଥାନ ନେଇପାରନ୍ତି । ପ୍ରଥମ ଟେଷ୍ଟରେ ଅଶ୍ୱିନ ବୋଲିଂରେ ବିଫଳ ହୋଇଥିଲେ । ମୁଖ୍ୟ କୋଚ୍‌ ଶାସ୍ତ୍ରୀ ମଧ୍ୟ ଜାଡ଼େଜାଙ୍କୁ ସୁଯୋଗ ଦିଆଯିବା ସଂକେତ ଦେଇଥିଲେ ।

ପେସ୍‌ ବୋଲରଙ୍କୁ ସୁହାଇବା ପିଚ୍‌: ଦ୍ୱିତୀୟ ଟେଷ୍ଟ ପାଇଁ ସମ୍ପୂର୍ଣ୍ଣ ପିଚ୍‌ ସବୁଜ ଘାସରେ ଆଚ୍ଛାଦିତ ରହିଥିବା ଜଣାପଡ଼ିଥିଲା। ଏଭଳି ପିଚ୍‌ ପେସ୍‌ରଙ୍କୁ ଅଧିକ ଫାଇଦା ଦେବ । ୱାଗନର ଫେରିଥିବାରୁ ନ୍ୟୁଜିଲାଣ୍ଡ ୪ଜଣ ପେସ୍‌ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ । ପୂର୍ବରୁ ଏହି ଗ୍ରାଉଣ୍ଡରେ ପେସ୍‌ ବୋଲରଙ୍କ ଆଧିପତ୍ୟ ଦେଖିବାକୁ ମିଳିଛି । ଆସନ୍ତା କାଲି ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଓ ନ୍ୟୁଜିଲାଣ୍ଡ ପେସ୍‌ ବୋଲରଙ୍କ ମଧ୍ୟରେ କଡ଼ା ଟକ୍କର ହେବା ଆଶା କରାଯାଉଛି ।

   ସମ୍ବନ୍ଧିତ ଖବର


ବେଶ ଓଲାଗି ପରେ ନେଇଗଲେ ଦୁର୍ଲଭ ନାଗାର୍ଜୁନ ବେଶର ସୂର୍ଯ୍ୟ-ଚନ୍ଦ୍ର: ତଦନ୍ତ କରିବେ ଶ୍ରୀମନ୍ଦିର କମାଣ୍ଡର ଓ ନୀତି ପ୍ରଶାସକ

ଆଇଏଫ୍‌ଏସ୍‌ ଅଫିସର ଅଭୟଙ୍କ ସମ୍ପତ୍ତି ଆକଳନ କରିବ ଏସ୍‌ଆଇଟି ଟିମ୍, ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ

ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ

କାର୍‌-ଟ୍ରାକ୍ଟର ମୁହାଁମୁହିଁ ଧକ୍କା: ଅଳ୍ପକେ ବର୍ତ୍ତିଲେ କୋରାପୁଟ ଅତିରିକ୍ତ ଏସ୍‌ପିଙ୍କ ପରିବାର, ୪ ଆହତ

ଆଜି ଦ୍ୱିତୀୟ ଦିନିକିଆ ମ୍ୟାଚ୍: ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ମୁକାବିଲା, ‘କର ବା ମର’ ସ୍ଥିତିରେ ବିରାଟ ବାହୀନି

ବିଧାନସଭା ଆଗରେ ମା-ଭାଇଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଅମୃତ ମୁତ୍ୟୁ ରହସ୍ୟର ପୂର୍ଣ୍ଣଚ୍ଛେଦ ଟାଣିଲେ ଏସ୍‌ପି, ଦୁର୍ଘଟଣା ଯୋଗୁଁ ମସ୍ତିଷ୍କରେ ଆଘାତ ଲାଗି ଯାଇଥିଲା ପ୍ରାଣ