ଆଜି ରୟାଲ୍ସ ବନାମ ନାଇଟ୍‌ ରାଇଡର୍ସର ହେବ ଲଢେଇ

ଦୁବାଇ, ୩୦/୯ : ଚଳିତ ଆଇପିଏଲ୍‌ର ୧୨ତମ ମ୍ୟାଚ୍‌ରେ ଆଜି ରୟାଲ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଏହି ମ୍ୟାଚ୍‌ରେ ରୟାଲ୍ସ ହ୍ୟାଟ୍ରିକ୍‌ ଓ ନାଇଟ୍‌ ରାଇଡର୍ସ ଦ୍ୱିତୀୟ ବିଜୟ ଲକ୍ଷ୍ୟରେ ରହିଛି । ଚଳିତ ସିଜନରେ ରୟାଲ୍ସ ସବୁଠୁ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି । କିଙ୍ଗ୍‌ସ ଏକାଦଶ ପଞ୍ଜାବ ବିପକ୍ଷରେ ସର୍ବାଧିକ ରନ୍‌ ପିଛା କରି ରେକର୍ଡ଼ ବିଜୟ ହାସଲ କରିବା ପରେ ରୟାଲ୍ସକୁ ଘାତକ ଦଳ ଭାବେ ଗଣନା କରାଯାଉଛି । ନାଇଟ୍‌ ରାଇଡର୍ସ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଛି । ତେଣୁ ଆସନ୍ତାକାଲି ଦୁବାଇ ଷ୍ଟାଡିୟମରେ ପ୍ରଶଂସକଙ୍କୁ ଆଉଏକ ଛକା ଓ ଚୌକାପୂର୍ଣ୍ଣ ହାଇସ୍କୋରିଂ ମ୍ୟାଚ୍‌ ଦେଖିବାକୁ ମିଳିବା ସମ୍ଭାବନା ରହିଛି ।

ଆଇପିଏଲ୍‌ରେ ନାଇଟ୍‌ ରାଇଡର୍ସ ଓ ରୟାଲ୍ସ ପରସ୍ପରକୁ ୨୧ଥର ଭେଟିଥିବାବେଳେ ପ୍ରତ୍ୟେକ ଦଳ ୧୦ଟି ଲେଖାଏଁ ମ୍ୟାଚ୍‌ ଜିତିଛନ୍ତି । ଗୋଟିଏ ମ୍ୟାଚ୍‌ ବିନା ଫଳାଫଳରେ ଶେଷ ହୋଇଛି । ଗତ ସଂସ୍କରଣରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍‌ ବିଜୟୀ ହୋଇଥିଲେ ।

ରୟାଲ୍ସ: ଷ୍ଟିଭେନ୍‌ ସ୍ମିଥ୍‌ଙ୍କ ନେତୃତ୍ୱାଧିନ ରୟାଲ୍ସ ୨ଟି ମ୍ୟାଚ୍‌ ଖେଳି ଅପରାଜେୟ ରହିଛି । ଦଳ ଚେନ୍ନାଇ ସୁପର କିଙ୍ଗ୍‌ସ (୧୬ରନ୍‌ରେ) ଓ କିଙ୍ଗ୍‌ସ ଏକାଦଶ ପଞ୍ଜାବ (୪ ୱିକେଟ୍‌ରେ)କୁ ପରାସ୍ତ କରିଥିଲା । ତେଣୁ ସ୍ମିଥ୍‌ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିବାକୁ ଚାହିଁବେନି । କିଙ୍ଗ୍‌ସ ଏକାଦଶ ବିପକ୍ଷରେ ରୟାଲ୍ସ ସର୍ବାଧିକ ରନ୍‌ ପିଛା କରି ବିଜୟ ହାସଲ କରିବା ସହ ନୂଆ ରେକର୍ଡ଼ ସ୍ଥାପନ କରିଥିଲା । ଦଳ ୧୯.୩ ଓଭରରେ ୨୨୪ରନ୍‌ର ବିଶାଳ ଲକ୍ଷ୍ୟକୁ ହାସଲ କରି ନେଇଥିଲା । ସ୍ମିଥ୍‌ (୫୦), ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ ସଞ୍ଜୁ ସାମସନ୍‌ (୮୫) ଓ ରାହୁଲ ତେୱାତିଆ (୫୩) ଦଳକୁ ଅବିଶ୍ୱସନୀୟ ବିଜୟ ଭେଟି ଦେଇଥିଲେ । ତେୱାତିଆ ଦଳ ବିଜୟରେ ହୀରୋ ସାଜିଥିଲେ । ସେ କିଙ୍ଗ୍‌ସ ଏକାଦଶ ବୋଲର ସେଲଡନ୍‌ କଟ୍ରେଲ (୧୮ତମ ଓଭର)ଙ୍କୁ ୫ଟି ଛକା ମାରି ରାତାରାତି ଷ୍ଟାର୍‌ ପାଲଟି ଯାଇଥିଲେ । ଓପନର ଜୋସ୍‌ ବଟଲର ନିରାଶ କରିଥିଲେ ମଧ୍ୟ ତାଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଦଳରେ କେବଳ ରବିନ୍‌ ଉଥପ୍ପା ଓ ଜୟଦେବ ଉନାକାତ୍‌ଙ୍କ ଫର୍ମ ଚିନ୍ତାର ବିଷୟ ରହିଛି । ଆସନ୍ତାକାଲି ନାଇଟ୍‌ ରାଇଡର୍ସ ବୋଲରଙ୍କ ପାଇଁ ରୟାଲ୍ସ ବ୍ୟାଟ୍ସମ୍ୟାନ୍‌ ଦୁଃସ୍ୱପ୍ନ ସାବ୍ୟସ୍ତ ହୋଇପାରନ୍ତି ।

ନାଇଟ୍‌ ରାଇଡର୍ସ: ମୁମ୍ବାଇ ଇଣ୍ଡିଆନ୍ସଠୁ (୪୯ରନ୍‌ରେ) ହାରି ଅଭିଯାନ ଆରମ୍ଭ କରିଥିବା ନାଇଟ୍‌ ରାଇଡର୍ସ ତା’ର ଦ୍ୱିତୀୟ ମ୍ୟାଚ୍‌ରେ ସନ୍‌ରାଇଜର୍ସ (୭ ୱିକେଟ୍‌ରେ)କୁ ହରାଇଥିଲା । ଏହା ଦଳୀୟ ଖେଳାଳିଙ୍କ ଆତ୍ମବିଶ୍ୱାସ ବଢ଼ାଇଥିବ । ଯୁବ ବ୍ୟାଟିଂ ବିସ୍ମୟ ଶୁବମନ ଗିଲ୍‌, ଅପରାଜିତ ୭୦ରନ୍‌ର ମ୍ୟାଚ୍‌ ବିଜୟୀ ଇନିଂସ୍‌ ଖେଳିଥିଲେ । ଦଳରେ ଇୟନ ମୋର୍ଗାନ ଓ ନୀତିଶ ରାଣା ନିୟମିତ ଭଲ ପ୍ରଦର୍ଶନ କରୁଥିବାବେଳେ ଓପନର ସୁନିଲ ନାରାଏନ୍‌ ଓ ଦିନେଶ କାର୍ତ୍ତିକ ଫର୍ମକୁ ନେଇ ସଂଘର୍ଷ କରୁଛନ୍ତି । ଆସନ୍ତାକାଲି ଉଭୟଙ୍କୁ ନିଜ ଦକ୍ଷତା ପ୍ରମାଣ କରିବାକୁ ପଡ଼ିବ । ଦୁର୍ଦ୍ଦର୍ଷ ଅଲରାଉଣ୍ଡର ଆନ୍ଦ୍ରେ ରସେଲଙ୍କୁ ଯଥେଷ୍ଟ ସୁଯୋଗ ମିଳିନି । ସେ ରୟାଲ୍ସ ବୋଲରଙ୍କ ପାଇଁ ବିପଦଜନକ ସାବ୍ୟସ୍ତ ହୋଇପାରିନ୍ତି । ବୋଲିଂ ବିଭାଗ ଯଥେଷ୍ଟ ଦୃଢ଼ ରହିଛି । ଆସନ୍ତାକାଲି ରୟାଲ୍ସର ଦୁର୍ଦ୍ଦର୍ଷ ବ୍ୟାଟିଂ ବିଭାଗ ସାମ୍ନାରେ ନାଇଟ୍‌ ରାଇଡର୍ସ ବୋଲରଙ୍କ ଅସଲ୍‌ ପରୀକ୍ଷା ହେବ ।

ଦୁବାଇ ଗ୍ରାଉଣ୍ଡରେ ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍‌ ଖେଳା ସରିଛି । ପ୍ରଥମେ ବ୍ୟାଟିଂ କରିଥିବା ଦଳ ବିଜୟୀ ହୋଇଛି । ତେଣୁ ଆସନ୍ତାକାଲି ଟସ୍‌ ବିଜୟୀ ଦଳ ବ୍ୟାଟିଂ ନିଷ୍ପତ୍ତି ନେବା ଏକପ୍ରକାର ନିଶ୍ଚିତ ରହିଛି ।
ସମ୍ଭାବ୍ୟ ଏକାଦଶ
ରୟାଲ୍ସ: ଜୋସ୍‌ ବଟଲର, ଷ୍ଟିଭେନ୍‌ ସ୍ମିଥ୍‌ (ଅଧିନାୟକ), ସଞ୍ଜୁ ସାମସନ୍‌, ରାହୁଲ ତେୱାତିଆ, ରବିନ୍‌ ଉଥପ୍ପା, ରିୟାନ୍‌ ପରାଗ, ଜୋଫ୍ରା ଆର୍ଚର, ଟମ୍‌ କୁରାନ, ଶ୍ରେୟାସ ଗୋପାଲ, ଅଙ୍କିତ୍‌ ରାଜପୁତ୍‌, ଜୟଦେବ ଉନାକାତ୍‌ ।
ନାଇଟ୍‌ ରାଇଡର୍ସ: ଶୁବମନ ଗିଲ, ସୁନିଲ ନାରାଏନ୍‌, ନୀତିଶ ରାଣା, ଦିନେଶ କାର୍ତ୍ତିକ (ଅଧିନାୟକ), ଇୟନ୍‌ ମୋର୍ଗାନ, ଆନ୍ଦ୍ରେ ରସେଲ୍‌, ପାଟ୍‌ କମିନ୍ସ, ଶିବମ ମାଭି, କୁଲଦୀପ ଯାଦବ, କମଳେଶ ନଗରକୋଟି, ବରୁଣ ଚକ୍ରବର୍ତ୍ତୀ ।

   ସମ୍ବନ୍ଧିତ ଖବର


WHO ମୁଖ୍ୟ ହିନ୍ଦୀରେ ଟୁଇଟ କରି ଭାରତକୁ ଧନ୍ୟବାଦ ଦେଲେ, ଜାଣନ୍ତୁ କ’ଣ..

ଫ୍ଲିଫକାର୍ଟ କରିଦେଉଛି ଭାଗ୍ୟଶାଳୀ, ମାତ୍ର ୩ ଦିନ ଭିତରେ କୋଟିପତି ହେଲେଣି ୭୦ ଜଣ ଲୋକ…

କରୋନା କଟକଣାକୁ ଫୁ… ଭିଡିଓ ଭାଇରାଲ

ଦେଶ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ : ଆମେ ଭୁଲିବା ନାହିଁ ଲକ୍‌ଡାଉନ୍‌ ଚାଲିଯାଇଛି ଭାଇରସ୍‌ ନୁହେଁ – ପ୍ରଧାନମନ୍ତ୍ରୀ

ଟ୍ରେନରେ ମିଳିବ ନାହିଁ ରନ୍ଧା ଖାଦ୍ୟ, ଜାଣନ୍ତୁ କ’ଣ ନୂଆ ପ୍ଲାନ୍‌ କରୁଛି ରେଳ ବିଭାଗ

ଜମ୍ମୁ କଶ୍ମୀର ପୁଲଓ୍ବାମାରେ ଏନକାଉଣ୍ଟର, ଟଳିଲେ ଦୁଇ ଆତଙ୍କବାଦୀ …