
କଟକ,୨୪/୧୧: ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ୬ଟି ଆଞ୍ଚଳିକ କାର୍ଯ୍ୟାଳୟରେ ପ୍ରଦାନ କରାଯିବ । କଟକସ୍ଥିତ କେନ୍ଦ୍ରାଞ୍ଚଳ କାର୍ଯ୍ୟାଳୟ ସମେତ ଭୁବନେଶ୍ୱର, ବାଲେଶ୍ୱର, ସମ୍ବଲପୁର, ବ୍ରହ୍ମପୁର ଓ ଜୟପୁରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟରେ ଆଜି ଠାରୁ ୨୭ ତାରିଖ ମଧ୍ୟରେ ଏହା ପ୍ରଦାନ କରାଯିବ । ଅରିଜିନାଲ୍ ସପ୍ଳିମେଣ୍ଟାରୀ ସାର୍ଟିଫିକେଟ୍ ସହ ମାଇଗ୍ରେସନ୍ ସାର୍ଟିଫିକେଟ୍ ଏବଂ ଫେଲ୍ ମେମୋରେଣ୍ଡମ୍ ଅଫ୍ ମାର୍କ ଟାବୁଲେସନ୍ ରେଜିଷ୍ଟର ସ୍କୁଲ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯିବ ।
ଏଥିପାଇଁ ସ୍କୁଲର ପ୍ରଧାନ ଶିକ୍ଷକ ସେମାନଙ୍କ ନିକଟସ୍ଥ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟକୁ ଯାଇ ନିଜ ସ୍କୁଲର ସାର୍ଟିଫିକେଟ୍ ନେଇପାରିବେ । ମାଟ୍ରିକ୍ ସପ୍ଲିମେଣ୍ଟାରୀ ସାର୍ଟିଫିକେଟ୍ ସହିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା (ଏସ୍ଓଏସ୍ସି)ର ସାର୍ଟିଫିକେଟ୍ ମଧ୍ୟ ଉକ୍ତ ତାରିଖ ମଧ୍ୟରେ ପ୍ରଦାନ କରାଯିବ ବୋଲି ବୋର୍ଡ ଉପସଭାପତି ତଥା ପରୀକ୍ଷା ନିୟନ୍ତ୍ରକ ଡ. ନିହାର ରଂଜନ ମହାନ୍ତି କହିଛନ୍ତି