ଆଜି ନୂଆଁଖାଇ, କରୋନା ମାଡ଼ରେ ଫିକା ଗଣପର୍ବ: ତୁଳା ଲଗ୍ନରେ ମା’ ସମଲେଶ୍ୱରୀଙ୍କ ଠାରେ ଲାଗି ହେବ ନାବାନ୍ନ

ସମ୍ବଲପୁର,୨୩/୦୮: ଆଜି ନୂଆଁଖାଇ । ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ଶୁଭ ଲଗ୍ନରେ ଲାଗି ହେବ ନବାନ୍ନ । ଚଳିତ ବର୍ଷ ଅଗଷ୍ଟ ୨୩ ତାରିଖରେ ଅର୍ଥାତ ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ତିଥି ରବିବାର ୯.୩୫ ମିନିଟ୍‌ ଗତେ ଏବଂ ୯.୫୦ ମିନିଟ୍‌ ମଧ୍ୟ ତୁଳା ଲଗ୍ନରେ ଦେବୀ ମା’ ସମଲେଶ୍ୱରୀଙ୍କ ଠାରେ ନାବାନ୍ନ ଲାଗି ହେବ। ତା’ ପରେ ଲୋକେ ନିଜ ନିଜ ଘରେ ଅଧିଷ୍ଠାତ୍ରୀ ଦେବୀଙ୍କୁ ପୂଜାର୍ଚ୍ଚନା କରି ନବାନ୍ନ ଗ୍ରହଣ କରିବେ। ଏଥିପାଇଁ ପୁରା ପ୍ରସ୍ତୁତି ସରିଛି । ମା’ଙ୍କ ନବାନ୍ନ ପାଇଁ ନୂଆ ଧାନ ଠାରୁ ଆରମ୍ଭ କରି ନୂଆଁ ଶାଢ଼ି ଅନ୍ୟାନ୍ୟ ପୂଜା ପାଇଁ ସମଗ୍ରୀ ପ୍ରସ୍ତୁତି ସରିଛି । କେବଳ ସକାଳକୁ ଅପେକ୍ଷା ।

ଅନ୍ୟ ପକ୍ଷରେ ନୂଆଁଖାଇ ପାଇଁ କାହିଁ କେତେଦିନରୁ ଚାଲି ଆସିଥାଏ ପ୍ରସ୍ତୁତି । ଘର ଲିପାପୋଛାରୁ ଆରମ୍ଭ କରି ଚୂନା ପ୍ରସ୍ତୁତି, ପତ୍ର ତୋଳାରୁ ନୂଆଁଧାନର ଚରୁ ପ୍ରସ୍ତୁତି ଆଦି କାମରେ ମହିଳାମାନେ ବ୍ୟସ୍ତ ରହୁଥିବା ବେଳେ ପୁରୁଷମାନେ ହଳଲଙ୍ଗଲର ସାଜସଜ୍ଜାରୁ ଗୁହାଳ ପୋଛା ଆଉ ସାମଗ୍ରୀ କିଣାରେ ବ୍ୟସ୍ତ ରହିଥାନ୍ତି। ଆଉ ଘରର ପ୍ରତିଟି ସଦସ୍ୟ ଏକାଠି ହେବେ ବୋଲି ଖୁସିରେ ପାଦ ତଳେ ଲାଗୁନଥାଏ । ଏହାହିଁ ତ ହେଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇର ବିଶେଷତ୍ୱ। ହେଲେ ଏବର୍ଷ ମହାମାରୀ କରୋନା ଏହି ଗଣପର୍ବର ସରାଗକୁ ଲୁଟି ନେଇଛି । ବାହାରେ ରହୁଥିବା ଘରର ପୁଅ ଫେରିପାରୁନି କି ନୂଆଁଖାଇର ଅନ୍ୟତମ ଆକର୍ଷଣ ଭାବେ ମଂଚ ଦୁଲୁକାଉଥିବା ଭେଟଘାଟ ସାଂସ୍କୃତିକ କାର୍ଯ୍ୟକ୍ରମ ବି ହେଇପାରୁନି ।

ଏଭଳି ସ୍ଥିତିରେ ଅନେକ ଗାଁରେ ସବୁ ଜାତିର ଲୋକ ଏକାଠି ହୋଇ ନୂଆଁ ଖାଉଥିବା ପରମ୍ପରା ତ ଭାଙ୍ଗିବ, ତା ସାଙ୍ଗକୁ ବହୁକୁଟୁମ୍ବୀ ପରିବାରରେ ଚାଲି ଆସିଥିବା ଦଶନ୍ଧି ଦଶନ୍ଧିର ଏକତ୍ର ନୂଆଁ ଖାଇବାର ପରମ୍ପରା ବି ଭାଙ୍ଗିବାକୁ ଯାଉଛି । ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଉଛି ଯେ, ନୂଆଁଖାଇରେ ଗାଁ ଗହଳିରେ ପିଢିପିଢି ଧରି ଦିଆନିଆ ହେଉଥିବା ଡାଲି ଚାଉଳ ପରିବା ଥାଳି (ଅଢିଆ)ର ପରମ୍ପରା ବି ଏଥର ସଙ୍କଟରେ ପଡିଗଲାଣି । ମୋଟ୍‌ ଉପରେ କହିବାକୁ ଗଲେ ଏବର୍ଷ ନୂଆଁଖାଇ କେବଳ ବିଧିରକ୍ଷାରେ ସୀମିତ ହେବାକୁ ଯାଉଛି ।

ମହାମାରୀ କରୋନା ସାରା ଦୁନିଆଁକୁ ଅସ୍ତବ୍ୟସ୍ତ କରି ଦେଲାଣି । ପ୍ରତିଟି ମୁହୁର୍ତ୍ତରେ ଜୀବନ ଜୀବିକାକୁ ନେଇ ମଣିଷ ସନ୍ତୁଳି ହେଉଛି । ଅଗଣିତ ଲୋକଙ୍କ ଜୀବିକାକୁ ଏହି ମହାମାରୀ ଛଡ଼ାଇ ନେଇଥିବା ବେଳେ ଅନେକ ନିରୀହ ଜୀବନ ବି ନେଇସାରିଛି । ଆଉ ଏହାର ପ୍ରତିକାର ପାଇଁ ଲାଗୁ କଟକଣା ଜୀବନକୁ ବି ଦୁର୍ବିସହ କରି ଦେଲାଣି । ଦୀର୍ଘ ୫ ଧରି ସବୁ ପର୍ବପର୍ବାଣୀ ଯାନିଯାତ ବି ଠପ୍‌ ପଡ଼ିଯାଇଛି । ଏଭଳି ସ୍ଥିତିରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଆସି ପହଞ୍ଚିଛି । ଏହି ପର୍ବ ପାଇଁ ପ୍ରସ୍ତୁତି ବି ସରିଛି । ହେଲେ କାହାରି ମନରେ କାଣିଚାଏ ବି ହରସ ନାହିଁ ।

କ୍ୱାରେଣ୍ଟାଇନ୍‌ର ବାଧ୍ୟବାଧକତା ଭିତରେ ବାହାରେ ରହୁଥିବା ରୋଜଗାରିଆ ପୁଅ ବି ଘରକୁ ଫେରିପାରୁନାହିଁ । ଆଉ ଆସିବାକୁ ଚାହିଁଲେ ବି ଗମନାଗମନ ସ୍ୱାଭାବିକ ହୋଇପାରିନାହିଁ । ସମ୍ବଲପୁର ଜିଲ୍ଲାରେ ଘରୋଇ ବସ୍‌ ସେବା ଏକପ୍ରକାର ଠପ୍‌ ପଡିଲା ଭଳି ସ୍ଥିତିରେ ରହିଛି । ଦୀର୍ଘ ମାସ ଧରି ବନ୍ଦ ରହିବା ପରେ କିଛିଦିନ ହେଲା ଚାଲିଥିଲେ ହେଁ ୩ ଶହ ବସ୍‌ରୁ ମାତ୍ର ୩୦ରୁ ୩୫ଟି ବସ୍‌ ଚାଲୁଛି ।

ସେପଟେ, ପଶ୍ଚିମ ଓଡ଼ିଶାର ଅନେକ ଗାଁରେ ଜାତି ଧର୍ମ ନିର୍ବିଶେଷରେ ସବୁ ଗ୍ରାମବାସୀ ଏକାଠି ନୂୂଆଁ ଖାଇବାର ପରମ୍ପରା ଚାଲି ଆସିଛି । ଏହାଛଡ଼ା ସମ୍ବଲପୁର ସହରର ନନ୍ଦପଡାର ମିଶ୍ର ପରିବାର ଭଳି ପୁରପଲ୍ଲୀରେ ବହୁ ବଡ଼ବଡ଼ ପରିବାରରେ ଶତାଧିକ ସଂଖ୍ୟାରେ ସଦସ୍ୟ ଏକାଠି ନୂଆଁ ଖାଉଥିବା ବେଳେ ଏବର୍ଷ ଏହି ପରମ୍ପରା ଭାଙ୍ଗିବାକୁ ଯାଉଛି । ସେହିପରି ଅନେକ ଗାଁରେ ନୂଆଁଖାଇ ଦିନ ଗାଁର ଗୌନ୍ତିଆ ତଥା ଜମିଦାରମାନେ ସମଗ୍ର ଗ୍ରାମବାସୀଙ୍କୁ ଏକାଠି କରି ଜୁହାର୍‌ ଭେଟ୍‌ ପର୍ବ ଆୟୋଜନ କରିବା ସହିତ ଗାଁର ହାନିଲାଭ ଚର୍ଚ୍ଚା କରିଥାନ୍ତି । ପୁଣି କେତେକ ଗାଁରେ ନୂଆଁଖାଇ ଅପରାହ୍ନରେ ବିଭିନ୍ନ ପ୍ରତିଯୋଗିତା ତଥା ଖେଳକୁଦ ଆସର ଜମିଥାଏ । ହେଲେ ଏବର୍ଷ ଏହି ସବୁ ପରମ୍ପରାରେ ବିରାମ ପଡ଼ିବା ଏକପ୍ରକାର ଥୟ ହେଲାଣି ।

ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଉଛି ଯେ, ଏହି ଦିନ ଗାଁ ଗହଳିରେ ଜାତି ବର୍ଣ ନିର୍ବିଶେଷରେ ଘରକୁ ଘର ପିଠାପଣା ସାଙ୍ଗକୁ ଅଢିଆ ଥାଳି ଦିଆନିଆର ଏକ ପରମ୍ପରା କାହିଁ କେଉଁ କାଳରୁ ଚାଲି ଆସିଛି। ଥାଳିରେ ଚାଉଳ, ମୁଗ ସାଙ୍ଗକୁ ବିଭିନ୍ନ କଞ୍ଚା ପରିବା ଦିଆନିଆ ହୋଇଥାଏ। ଏହାକୁ ପଶ୍ଚିମ ଓଡିଶାରେ ଅଢିଆ ବୋଲି କୁହାଯାଇଥାଏ। ତେବେ, ଏବର୍ଷ କରୋନା ସଂକ୍ରମଣ ଭୟରେ ଲୋକଙ୍କ ମଧ୍ୟରେ ଏହି ଥାଳିର ଆଦାନପ୍ରଦାନ ବି ବନ୍ଦ ହେବାର ଆଶଙ୍କା ସୃଷ୍ଟି ହୋଇଛି। ମୋଟ୍‌ ଉପରେ କହିବାକୁ ଗଲେ, ଦୀର୍ଘ ମାସ ଧରି ଜୀବନ ଜୀବିକା ସହ ସନ୍ତୁଳି ହେଉଥିବା ଚାଷୀ ପାଖରେ ବି ବଡ଼ ଆୟୋଜନରେ ନୂଆଁଖାଇ ପାଳନ ପାଇଁ ଅଣ୍ଟାରେ ପଏସା ଟିଏ ନାହିଁ । ଫଳରେ ଏହି ମହାନ କୃଷିଭିତ୍ତିକ ପର୍ବ ଏକପ୍ରକାର ବିଧିରକ୍ଷାରେ ସୀମିତ ହେବାକୁ ଯାଉଛି।

   ସମ୍ବନ୍ଧିତ ଖବର


ଆଜି ଧବଳେଶ୍ୱର ପୀଠରେ ବଡ଼ଓଷା, ଶ୍ରଦ୍ଧାଳୁ ଦେଖିପାରିବେନି ବଡ଼ସିଂହାର ବେଶ

ପୁଣି ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ବାତ୍ୟା ରୂପ ନେବା ସମ୍ଭାବନା: ଆସନ୍ତା ୨-୩ ବଢ଼ିବ ଥଣ୍ଡା

ପାଠକ ବାପ-ପୁଅଙ୍କ ନୂଆ ଠିକଣା ଝାରପଡ଼ା ଜେଲ, ଗିରଫ ପରେ ଚାକିରିରୁ ନିଲମ୍ବନ କଲେ ରାଜ୍ୟ ସରକାର

ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ଉତ୍କଳକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ କଲେ ଅନୁରୋଧ

ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନାର ତାଲିକା ଘୋଷଣା କଲା ଓଡ଼ିଶା ଲଳିତ କଳା ଏକାଡେମୀ