ଆଜି କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୨୦୮୫ କୋଟିର ୧୦୬ ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ

ଭବାନୀପାଟଣା,୧୪/୦୧: କରୋନା ମହାମାରୀ ପରିସ୍ଥିତି ପରେ ରାଜ୍ୟ ସରକାର କଳାହାଣ୍ଡିିକୁ ଫୋକସରେ ରଖିଛନ୍ତି। କଳାହାଣ୍ଡିର ସାମଗ୍ରିକ ବିକାଶ ଏବେ ବିଜେଡ଼ିର ପ୍ରାଥମିକ ଏଜେଣ୍ଡା। ସେଇଥି ପାଇଁ ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସୁଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୨୦୮୫ କୋଟି ୨୦ ଲକ୍ଷ ୯୦ ହଜାର ଅଟକଳର ୧୦୬ଟି ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ, ଯାହାକୁ ନେଇ ଚଳଚଞ୍ଚଳ ଭୁବନେଶ୍ୱରଠୁ ଭବାନୀପାଟଣା । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଅବ୍ୟବହିତ ପୂର୍ବରୁ ସରଗରମ ହୋଇ ଉଠିଛି ଜିଲ୍ଲାର ରାଜନୈତିକ ପାଣିପାଗ। ବହୁ ଛାମୁଆ ନେତାଙ୍କ ଛାଉଣୀ ପାଲଟିଛି କଳାହାଣ୍ଡି ।

ଆଜି ମୁଖ୍ୟମନ୍ତ୍ରୀଙ୍କ ପୂର୍ବ ନିର୍ଦ୍ଧାରିତ ଗସ୍ତ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ମୁଖ୍ୟମନ୍ତ୍ରୀ ଉତ୍କେଲା ହେଲିପ୍ୟାଡରେ ଓହ୍ଲାଇବା ପରିବର୍ତ୍ତେ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ସିଧାସଳଖ ପୂର୍ବାହ୍ନ ୧୧.୨୫ମିନିଟ୍‌ ସମୟରେ ଜୟପାଟଣା ବ୍ଲକ୍‌ର କନକପୁର ହେଲିପ୍ୟାରେ ଓହ୍ଲାଇବେ। ସେଠାରୁ ମଙ୍ଗଳପୁର ସଭାସ୍ଥଳକୁ୧୧.୩୦ ମିନିଟ ସମୟରେ ପହଞ୍ଚିବେ। ମଙ୍ଗଳପୁରରେ ୯୮୬.୭୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ଇନ୍ଦ୍ରାବତୀ ମେଗା ଜଳସେଚନ ପ୍ରକଳ୍ପର ଡିଜିଟାଲ ସୁଇଚ ଟିପି ଉଦ୍‌ଘାଟନ କରିବେ । ଏହା ବ୍ୟତୀତ ୧୬୪.୮୬୨କୋଟି ଟଙ୍କା ଅଟକଳର ୫୪ଟି ଅନ୍ୟାନ୍ୟ ପ୍ରକଳ୍ପର ଉଦ୍‌ଘାଟନ କରିବା ସହ ୧୦୨୦.୩୪୭କୋଟି ଅଟକଳର ୫୨ଟି ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି।

ଏହି ଅବସରରେ ମଙ୍ଗଳପୁରଠାରେ ଆୟୋଜିତ ସମାବେଶରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ। ସେଠାରେ ୩ଟି ମଞ୍ଚର ବ୍ୟବସ୍ଥା କରାଯାଇଛି। ମୁଖ୍ୟମଞ୍ଚ ବ୍ୟତୀତ ଗୋଟିକରେ ସାଂସ୍କୃତିକ ଦଳ ଓ ଅନ୍ୟ ମଞ୍ଚରେ ନେତୃବୃନ୍ଦ ମଂଚାସୀନ ରହିବେ। ସମାବେଶରେ କୋଭିଡ କଟକଣାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ତେଣୁ ରାଜ୍ୟ ତଥା ଜିଲ୍ଲା ପ୍ରଶାସନିକ ଅଧିକାରୀ, ପୁଲିସ୍‌ ଅଧିକାରୀ, ଜନସାଧାରଣ, ଦଳୀୟ କାର୍ଯ୍ୟକର୍ତ୍ତା ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ମିଶାଇ ମୋଟ ୨୫୦୦ ଜନସାଧାରଣ ଯୋଗ ଦେବେ ବୋଲି ଜଣାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବା ସମସ୍ତଙ୍କ କୋଭିଡ୍‌ ପରୀକ୍ଷା କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, କୋଭିଡ଼ ପରିସ୍ଥିତି ପରଠୁ ମୁଖ୍ୟମନ୍ତ୍ରୀ କୌଣସି ସାଧାରଣ ସଭାରେ ଯୋଗଦେଇନଥିଲେ। ଦୀର୍ଘ ୯ ମାସ ପରେ ଏହା ତାଙ୍କର ପ୍ରଥମ କାର୍ଯ୍ୟକ୍ରମ। ଆଗକୁ ରହିଛି ପୌର ନିର୍ବାଚନ ଓ ତାହାର ଠିକ୍‌ ପରେପରେ ପଞ୍ଚାୟତ ନିର୍ବାଚନ। ଏହି କାର୍ଯ୍ୟକ୍ରମର ସଫଳତା ଆଗାମୀ ନିର୍ବାଚନ ଉପରେ ଛାପ ଛାଡ଼ିବ ତେଣୁ ଏହାକୁ ଅତ୍ୟନ୍ତ ପ୍ରଭାବଶାଳୀ ଭାବରେ ତଥା ତୃଣମୂଳସ୍ତକୁ ପହଞ୍ଚାଇବା ପାଇଁ ଦଳୀୟସ୍ତରରେ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ସହିତ ପଞ୍ଚାୟତସ୍ତରର ଜନସାଧାରଣଙ୍କୁ ମଧ୍ୟ ଯୋଡିବାର ମାଷ୍ଟର ପ୍ଲାନ ପୂର୍ବରୁ ପ୍ରସ୍ତୁତ ହୋଇଛି।

ସେଥିପାଇଁ ଜିଲ୍ଲାର କୋକସରା, ଜୟପାଟଣା ଓ ଧର୍ମଗଡ଼ ବ୍ଲକ୍‌ ଅନ୍ତର୍ଗତ ୩୮ଟି ପଞ୍ଚାୟତରେ ୯୧ଟି ଗ୍ରାମର ଲୋକଙ୍କ ପାଇଁ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିବାର ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ଦଳୀୟସ୍ତରରେ ପ୍ରତି ପଞ୍ଚାୟତକୁ ୨ଜଣ ଲେଖାଏଁ ବିଧାୟକଙ୍କୁ ଦାୟିତ୍ୱ ଦିଆଯାଇଛି। ଦଳର ୬୫ଜଣ ବିଧାୟକ ଓ ମନ୍ତ୍ରୀଙ୍କ ଉପରେ ଏହି ଗୁରୁଦାୟିତ୍ୱ ନ୍ୟସ୍ତ କରାଯାଇଛି। ସେମାନେ ଯାଇ ତୃଣମୂଳସ୍ତରରେ କାମ କରିସାରିଛନ୍ତି। ଆସନ୍ତାକାଲିର କାର୍ଯ୍ୟକ୍ରମକୁ ସମସ୍ତଙ୍କର ଅପେକ୍ଷା।