PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇସ୍ତଫା ଦେଲେ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ, ରାଷ୍ଟ୍ରପତିଙ୍କୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଜ୍ଞାନବାପୀ ମସଜିଦ ବିବାଦ: ଶିବ ଲିଙ୍ଗକୁ ନେଇ ଆପତ୍ତିଜନକ ମନ୍ତବ୍ୟ ପଡିଲା ମହ‌ଙ୍ଗା, AIMIM ନେତା ଦାନିଶ କ୍ୟୁରେସୀ ଗିରଫ
  • ||
  • ଦେବଗଡ଼ : ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ, ଜନ୍ମକଲା ପୁଅକୁ କଟୁରୀରେ ହାଣି ହତ୍ୟାକଲା ସଇତାନ ବାପା
  • ||
  • ଭୁବନେଶ୍ଵର : ତିର୍ତ୍ତୋଲ ବିଧାୟକଙ୍କ କୋର୍ଟ ମ୍ୟାରେଜ୍‌କୁ ନେଇ ପରିବାରରେ ଅସନ୍ତୋଷ, ଆତ୍ମହତ୍ୟା ଉଦ୍ୟମ କଲେ ବିଜୟଙ୍କ ମାଆ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ଵର : ବରମୁଣ୍ଡା ତ୍ରିନାଥ ମନ୍ଦିର ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ପୁରୀ : ଜୀବନ ନେଲା ମୁକୁଳା ଡ୍ରେନ୍ ! ପୁରୀ ବଡଦାଣ୍ଡ ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • କଟକ : ପାଣି ଟାଙ୍କି ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||

ଆଜି ପଖାଳ ଦିବସ: ଆସ ଜୀବନଧନ ମୋର ପଖାଳ କଂସା’

ଭୁବନେଶ୍ୱର,୨୦/୦୩: କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ରଚିତ ଓ ସଙ୍ଗୀତ ସୁଧାକର ସ୍ୱର୍ଗତ ବାଳକୃଷ୍ଣ ଦାସଙ୍କ କଣ୍ଠରୁ ପରିବେଷିତ ଗୀତ ‘ଆସ ଜୀବନଧନ ମୋର ପଖାଳ କଂସା’ ଆଜି ପର୍ଯ୍ୟନ୍ତ ସଜ ପଖାଳ ପରି ସତେଜ ରହିଛି । ଏହି ଗୀତଟିରେ ଗୀତିକାର ସ୍ୱର୍ଗତ ପଟ୍ଟନାୟକ ପଖାଳକୁ ଜୀବନ ଧନ ବୋଲି ବର୍ଣ୍ଣନା କରିବା ସହ ପଖାଳ ବିନା ସଭିଙ୍କ ହଂସା କିପରି ବୁଡ଼ିଯାଏ ସେହି କଥାକୁ ମର୍ମେ ମର୍ମେ ଉପସ୍ଥାପନ କରିଛନ୍ତି । ଗୀତିକାର ପଖାଳର ମହିମା ବର୍ଣ୍ଣନା ବେଳେ ତିଳେ ମାତ୍ର କାର୍ପଣ୍ୟ କରିନାହାନ୍ତି । ପଖାଳ ସହିତ ପିତା ଶୁଖୁଆ, ପିଆଜ, ଆମ୍ବଛେଚା ଆଉ ବଡ଼ିି ଚଟଣୀର ସମାହାରକୁ ଏମିତି ବର୍ଣ୍ଣନା କରିଛନ୍ତି, ଯାହା ପଖାଳ ଖାଇବା ଲୋଭକୁ ଦ୍ୱିଗୁଣିତ କରିବ ହିଁ କରିବ ।

ସତରେ ପଖାଳ ହେଉଛି ଏମିତି ଏକ ଖାଦ୍ୟ, ଯାହାର ଓଡ଼ିଆ ଜାତି ସହ ନିବିଡ଼ତା କାହିଁ କେଉଁ କାଳରୁ ଯୋଡ଼ିହୋଇଛି । ଆଧୁନିକ ଖାଦ୍ୟର ସମ୍ଭାର ପଖାଳ କଂସାକୁ ପଛକୁ ଠେଲି ପାରିନି । ବରଂ ଆହୁରି ନିଜର କରାଇଛି । ଖାଲି ସେତିକି ନୁହେଁ, ଏଇ ପକ୍କା ଓଡ଼ିଆ ଖାଦ୍ୟ ଓଡ଼ିଆଙ୍କ ଅସ୍ମିତାକୁ ବିଦେଶରେ ପରିଚିତ କରାଇଛି । 

ଭୋକ ଲାଗୁନଥିଲେ ବି ପଖାଳ ଦେଖିବା ମାତ୍ରେ ଖାଇବାକୁ ମନ ବଳେ । ପଖାଳ ସାଙ୍ଗକୁ ମାଛ ଭଜା, ଶାଗ ଭଜା ଆଉ ବଡ଼ିଚୁରା ଏହାର ସ୍ୱାଦକୁ ଆହୁରି ବଢ଼ାଇଦିଏ । ପଖାଳ କଂସା ଆଗରେ ସବୁ କିଛି ଫିକା ପଡ଼ିଯାଏ । ଆଉ ପଖାଳ ଖାଇବା ପରେ ଆତ୍ମତୃପ୍ତିରେ ମନରୁ ପଦେ ବାହାରିଯାଏ, ‘ଓଃ କି ଶାନ୍ତି…’ ।
ଓଡ଼ିଆ ଘରର ଏହି ପ୍ରିୟ ଖାଦ୍ୟ ପଖାଳକୁ ଆହୁରି ପ୍ରଚାର ପ୍ରସାର କରିବା ପାଇଁ ପ୍ରତିବର୍ଷ ପାଳନ ହେଉଛି ପଖାଳ ଦିବସ । ପ୍ରତିବର୍ଷ ଭଳି ଏବର୍ଷ ମାର୍ଚ୍ଚ ୨୦ ଅର୍ଥାତ୍‌ ଶନିବାର ସମସ୍ତେ ପାଳିବେ ପଖାଳ ଦିବସ । ଏଥିପାଇଁ ବଡ଼ ବଡ଼ ରେସ୍ତୋରାଁଠୁ ନେଇ ହୋଟେଲ ଆଉ ଘରେ ଘରେ ସ୍ୱତନ୍ତ୍ର ଆୟୋଜନ । ଏସବୁକୁ ନେଇ ଆମର ସ୍ୱତନ୍ତ୍ର ଉପସ୍ଥାପନା ।

ପଖାଳ ସାଙ୍ଗକୁ ଚିଙ୍ଗୁଡ଼ି ଛେଚା

ଆଜି ଡାଲ୍‌ମା ରେସ୍ତୋରାଁରେ ପଖାଳ ଦିବସ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଗ୍ରାହକଙ୍କ ପାଇଁ ଆମିଷ ଓ ନିରାମିଷ ପଖାଳ କଂସାର ବ୍ୟବସ୍ଥା କରାଯାଇଛି। ନିରାମିଷରେ ଦହି ପଖାଳ ସହ ବଡ଼ିଚୂରା, ଆଳୁ ଭର୍ତ୍ତା, ଶାଗ ଭଜା, ବାଇଗଣ ଟମାଟୋ ଛେଚା, କଖାରୁ ଫୁଲ ପିଠଉ, ଛୁଇଁ ବେଷର ଭଜା, ପୋସ୍ତ ବରା, ଗୋଟାକଲରା ଭଜା, ନିମ୍ବପତ୍ର ଭଜା, ଆମ୍ବ ଟଟଣୀ, ନଡିଆ ଚଟଣୀ, ସାଲାଡ୍‌ ଓ ପାମ୍ପଡ ଦିଆଯିବ । ସେହିପରି ଆମିଷରେ ପଖାଳ ସାଙ୍ଗକୁ ପୋହଳା ବେସର, ରୋହି ମାଛ ବେସର, ଚିଙ୍ଗୁଡି ଛେଚା, କଙ୍କଡ଼ା ମସଲା, ପାମ୍ପ୍‌ଲେଟ୍‌ ତାୱା ଫ୍ରାଏ, ରୋହି ମାଛ ତାୱା ଭଜା ରହିଛି । ନିରାମିଷ ପଖାଳ କଂସା ୧୯୦ ଓ ଆମିଷ ୨୯୦ ଟଙ୍କା ଦାମ୍‌ ଅଛି ।

ଛୁଙ୍କ ପଖାଳକୁ ୯ ପ୍ରକାର ପତ୍ରପୋଡ଼ା

ଖରା ମାସକୁ ଆଖି ଆଗରେ ରଖି ସିଆର୍‌ପିଏଫ୍‌ ସ୍ଥିତ ବଲେରୀ ହୋଟେଲରେ କରାଯାଇଛି ସ୍ୱତନ୍ତ୍ର ପଖାଳ କଂସା । ଏଠାରେ ଦହି, ଲେମ୍ବୁ, ଭୃଶୁଙ୍ଗାପତ୍ର ଓ ଲେମ୍ବୁ ପତ୍ର, ଆମ୍ବ ଅଦାଦେଇ ଛୁଙ୍କ ହୋଇଥିବା ପଖାଳ ସାଙ୍ଗକୁ ବିଭିନ୍ନ ଆଇଟମ୍‌ ରହିଛି । ପତ୍ରପୋଡ଼ା ପାଇଁ ପ୍ରସିଦ୍ଧ ଥିବା ଏହି ହୋଟେଲରେ ବିଶେଷ ଚିଙ୍ଗୁଡି ପୋଡ଼ା, ମାଛ ପୋଡ଼ା, ମାଛ ଚଟଣି,ଚୁନାମାଛ ଭଜା, ଚୁନାମାଛ ପୋଡ଼ା, ଛତୁ ପୋଡ଼ା, ଚିକେନ ପୋଡ଼ା, ନଡିଆ ପୋଡ଼ା, ମଞ୍ଜା ପୋଡ଼ା, ଚିକେନ୍‌ ମସଲା, ବଡିଚୁରା, ଶାଗ, ସାଲାଡ ଆଦି ପଖାଳ କଂସାରେ ପରଶା ଯାଉଛି । ଏହା ବ୍ୟତୀତ ଆହୁରି ଅନେକ ଆଇଟମ୍‌ ବି ଅଛି ।

ପଖାଳ ସହ ପୋହଳା ମାଛ ବେସର

ସହିଦ ନଗର ସ୍ଥିତ ଓଡ଼ିଶା ହୋଟେଲରେ ପଖାଳ ଦିବସ ପାଇଁ ମଧ୍ୟ ସ୍ୱତନ୍ତ୍ର ମେନୁ ରହିଛି । ନିରାମିଶରେ ପଖାଳ ସହ ଚିଙ୍ଗୁଡି ଭଜା, ଚିଙ୍ଗୁଡ଼ି ଛେଚା, ପୋହଳା ମାଛ ବେସର, ରୋହି ମାଛ ବେସର ଭଜା, ବଡ଼ି ଚୂରା, କଖାରୁ ଫୁଲ ଭଜା, ମିକ୍ସ୍‌ ଭଜା ଓ ପାମ୍ପଡ଼ ରହିଛି । ସେହିପରି ନିରାମିଶ ପଖାଳ କଂସାରେ ପଖାଳ ସହ ମିକ୍ସ ଭଜା, କଲରା ମସଲା, ଆଳୁ ଭର୍ତ୍ତା, ଶାଗ ଭଜା, କଦଳୀ ଭଜା, ଛୁଇଁ ଭଜା, ବଡ଼ି ଚୁରା, ପାମ୍ପଡ, କଖାରୁ ଫୁଲ ଭଜା, ଟମୋଟୋ ଚଟଣୀ, ଆମ୍ବ ଚଟଣୀ, ଆଚାର, ଛତୁ ପୋଡା, ଛତୁ ଭଜା, ଛତୁ ରାଇ ଆଦି ପ୍ରସ୍ତୁତ କରାଯାଉଛି ।

କେମିତି ତିଆରି ହୁଏ   

ପଖାଳ ତିଆରି କରିବା ପ୍ରଣାଳୀ ବହୁତ ସହଜ । ଭାତ ରାନ୍ଧି ସେଥିରେ ପାଣି ଦେଇ ଦହି, ଲେମ୍ବୁପତ୍ର, ସୋରିଷ, ଲଙ୍କା ଓ ଭୃଶୁଙ୍ଗା ପତ୍ର ଛୁଙ୍କ କରି ପଖାଳ ପ୍ରସ୍ତୁତ କରାଯାଏ । ଉଷୁନା ଓ ଅରୁଆ ଭାତରେ ପଖାଳ ତିଆରି ହୁଏ । ପଖାଳ ବି ଅନେକ ପ୍ରକାରର । ଚାଇଁ ପଖାଳ, ବାସି ପଖାଳ, ଜିରା ପଖାଳ, ଦହି ପଖାଳ, ଲେମ୍ବୁ ପଖାଳ, ପୁଦିନା ଓ ଧନିଆ ଆଦି ବିଭିନ୍ନ ପ୍ରକାରର ପଖାଳ ରହିଥାଏ । ପଖାଳ ସହ ବିଭିନ୍ନ ପ୍ରକାରର ଚଟଣୀ ଏହାର ସ୍ୱାଦକୁ ବଢ଼ାଇଦିଏ । ଧନିଆ, ପୁଦିନା, ଆମ୍ବ, ତେନ୍ତୁଳିର ଚଟଣୀ ଦେଖିଲା ପରେ ପଖାଳ କଂସା ପ୍ରତି ଆହୁରି ଲୋଭ ବଢ଼ିଯାଏ । ଏହା ସହ ବିଭିନ୍ନ ଶାଗ ଭଜା । ତେବେ ପଖାଳ ସାଙ୍ଗକୁ ସଜନା, ଲେଉଟିଆ, କୋଶଳା, ଖଡ଼ା, ପିତା ଆଦି ଶାଗ ଭଜା ଖାଇବାକୁ ବେଶ ସୁଆଦିଆ ଲାଗେ ।

ମହାପ୍ରଭୁଙ୍କ ନିକଟରେ ଭୋଗ ହୁଏ ପଖାଳ

ଓଡ଼ିଆଙ୍କ ପ୍ରାଣପ୍ରିୟ ଠାକୁର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ବି ପଖାଳ ପସନ୍ଦ । ମହାପ୍ରଭୁଙ୍କ ନିକଟରେ ବି ପଖାଳ ଭୋଗ କରାଯାଏ । ବଡସିଂହାର ଭୋଗରେ ମହାପ୍ରଭୁଙ୍କଠାରେ ପଖାଳ ଭୋଗ କରାଯାଏ ।

ଏକାମ୍ର ହାଟକୁ ଝୁରିବେ

ପଖାଳ ଖାଇବାର ଠିକଣା ସାଜିଥିବା ଏକାମ୍ର ହାଟକୁ ଏଥରକ ପଖାଳ ଦିବସରେ ଝୁରିବେ ସମସ୍ତେ । ପ୍ରତିବର୍ଷ ପଖାଳ ଦିବସରେ ଏଠାରେ ଶହ ଶହ ଗାଡ଼ି ଲାଗେ । ଦିନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ହାଟ ଭିତରେ ଥିବା ହୋଟେଲ ଗୁଡ଼ିକରେ ଭିଡ଼ ହୁଏ । ନା ରୋଷେୟାଙ୍କୁ ଫୁରସତ ଥାଏ ନା ଖାଦ୍ୟ ପରୁଷିଥିବା ବ୍ୟକ୍ତିଙ୍କୁ। ଟେବୁଲ ବି ପୂରା ଫୁଲ୍‌ ରୁହେ । ହେଲେ ଏବର୍ଷ କିନ୍ତୁ ଏ ଚିତ୍ର ଆଉ ଦେଖିବାକୁ ମିଳିବନି । ଏକାମ୍ର ହାଟ ନବୀକରଣ କାମ ଚାଲିଛି । ଯେଉଁଥିପାଇଁ ସେଠାରେ ପ୍ରବେଶ ମନା । ଏହି କାର୍ଯ୍ୟ ଗତ ଜାନୁଆରୀରେ ସରିଥାଆନ୍ତା । ହେଲେ ଏ ପର୍ଯ୍ୟନ୍ତ ସରିନାହିଁ । ତେଣୁ ଏବର୍ଷ ପଖାଳ ଦିବସରେ ପଖାଳ ପ୍ରେମୀମାନେ ଏଠାରେ ଆଉ ଖାଇପାରିବେ ନାହିଁ ।