ଆଜିଠୁ ସୋଆରେ ‘ଗ୍ଲୋବାଲ୍‌ ମଦର୍ସ’ ଅନ୍ତର୍ଜାତୀୟ ସମ୍ମିଳନୀ

ଭୁବନେଶ୍ୱର ୨୧/୧୧: ଭାରତୀୟ ସଂସ୍କୃତି ଓ ସାମାଜିକ ଜୀବନ ଶୈଳୀ ସମ୍ପର୍କରେ ଅନୁଧ୍ୟାନ କରିବେ ବିଦେଶୀ ମହିଳା। ଜର୍ମାନୀ, କାଜାକସ୍ଥାନ୍‌, ଉଜବେକିସ୍ଥାନ୍‌, ଜର୍ଜିଆ, ବୁଲଗେରିଆ, ଇରାନ ଏବଂ ନେପାଳର ୩୨ ଜଣ ମା’ଗତ ୧୫ ତାରିଖରୁ ଭାରତ ଗସ୍ତରେ ଆସିଛନ୍ତି । ଏହି ମା’ମାନେ ଆସନ୍ତାକାଲିଠୁ ‘ସୋଆ’ (ଡିମ୍ଡ୍‌ ଟୁ ବି ୟୁନିଭର୍ସିଟି) ପକ୍ଷରୁ ପରିଚାଳନା କରାଯାଉଥିବା ଗ୍ଲୋବାଲ୍‌ ମଦର୍ସ-୨୦୧୯ ଆନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେବେ । ଯାହା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଏହି କାର୍ଯ୍ୟକ୍ରମ ଫାଉଣ୍ଡେସନ୍‌ ଫର ହୋଲିଷ୍ଟିକ୍‌ ଡେଭେଲପମେଣ୍ଟ୍‌ ଇନ ଏକାଡେମିକ ଫିଲ୍ଡ (ଏଫ୍‌ଏଚ୍‌ଡିଏଏଫ୍‌) ଦ୍ୱାରା ଆୟୋଜନ କରାଯାଇଥିବା ବେଳେ ଏଥିରେ ଇନ୍ଦିରାଗାନ୍ଧୀ ନ୍ୟାସନାଲ ସେଣ୍ଟର ଫର ଆର୍ଟସ, ଭାରତୀୟ ଶିକ୍ଷମ ମଣ୍ଡଳ, ବିଶ୍ୱ ଗ୍ରାମ ଏବଂ ସି. ଭି. ରମଣ ଇଞ୍ଜିନିୟରିଂ କଲେଜ ମଧ୍ୟ ସହଯୋଗ କରୁଛି । ବିଦେଶୀ ମା’ମାନଙ୍କ ଏହି ଯାତ୍ରା ଆସନ୍ତା ୩୦ ତାରିଖରେ ଶେଷ ହେବ । ସେମାନେ ଭୁବନେଶ୍ୱରର କୌଣସି ହୋଟେଲ୍‌ରେ ନରହି ଦୁଇ ଜଣ ଲେଖାଏଁ ଗୋଟିଏ କରି ଯୌଥ ପରିବାରରେ ରହିବେ । ଘରୋଇ ଖାଦ୍ୟ ଖାଇବେ ଏବଂ ପରିବାର ସମ୍ପର୍କରେ ଜ୍ଞାନ ଆହରଣ କରିବେ ବୋଲି ଏଫ୍‌ଏଚ୍‌ଡିଏଏଫ୍‌ର ପ୍ରତିଷ୍ଠାତା ମାଧୁରୀ ସହସ୍ରବୁଦେ୍ଧ ସୂଚନା ଦେଇଛନ୍ତି ।

ଶ୍ରୀମତୀ ସହସ୍ରବୁଦେ୍ଧ କହିଛନ୍ତି, ଏକ ବର୍ଷ ତଳେ ଚାରି ଜଣ ଭାରତୀୟ ମା’ ନୂଆଦିଲ୍ଲୀରୁ ଲଣ୍ଡନକୁ ‘ମଦର୍ସ ଅନ୍‌ ହୁଇଲ୍‌’ କାର୍ଯ୍ୟକ୍ରମରେ ସଡ଼କ ପଥରେ ଯାତ୍ରା କରିଥିଲେ । ଏହି ଦୁଇ ମାସର ଯାତ୍ରା ସମୟରେ ସେମାନେ ୨୨ଟି ଦେଶ ପରିଭ୍ରମଣ କରିଥିଲେ । ସେମାନଙ୍କ ପରିଭ୍ରମଣ ସମୟରେ ଏହି ୨୨ଟି ଦେଶରୁ ୭ଟି ଦେଶର ମହିଳାମାନେ ଭାରତର କଳା, ସଂସ୍କୃତି, ସାମାଜିକ ବ୍ୟବସ୍ଥା ଏବଂ ପାରିବାରିକ ଜୀବନ ସମ୍ପର୍କରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଥିଲେ । ସେହି ଆଗ୍ରହକୁ ନେଇ ୩୨ ଜଣ ବିଦେଶୀ ମା’ ଭାରତ ଭ୍ରମଣରେ ଆସିଛନ୍ତି । ସେମାନଙ୍କର ଇଚ୍ଛା ରହିଛି ଭାରତର କଳା, ସଂସ୍କୃତି ଏବଂ ପାରିବାରିକ ଜୀବନ ସମ୍ପର୍କରେ ଅଧିକ ଜାଣିବେ । ବିଦେଶୀ ମହିଳାମାନଙ୍କର ଏହି ଗସ୍ତ କାର୍ଯ୍ୟକ୍ରମର ନାମ ରଖାଯାଇଛି ‘ବସୁଧୈବ କୁଟୁମ୍ୱକମ୍‌’ ବା ସାରା ବିଶ୍ୱ ଗୋଟିଏ ପରିବାର ।

“ଆମେ ଗତବର୍ଷ ସେପ୍ଟେମ୍ୱରରୁ ନଭେମ୍ୱର ମଧ୍ୟରେ ୨୩ ହଜାର ୬୫୭ କିଲୋମିଟର୍‌ ଅତିକ୍ରମ କରିବା ସହ ୩୦ ଟି ସ୍ଥାନରେ ବିଭିନ୍ନ ମହିଳାଙ୍କ ସହ ଆଲୋଚନା କରିଥିଲୁ । ଏହି ଆଲୋଚନା ବିଶେଷ ଭାବରେ ଆମର ସଂସ୍କୃତି ଏବଂ ପାରିବାରିକ ଜୀବନ ସମ୍ପର୍କରେ ଥିଲା ବୋଲି “ମଦର୍ସ ଅନ ହୁଇଲ୍‌’ର ନେତୃତ୍ୱ ନେଇଥିବା ଶ୍ରୀମତୀ ସହସ୍ରବୁଦେ୍ଧ କହିଛନ୍ତି। ଏହି ପରିଭ୍ରମଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ସାରା ବିଶ୍ୱରେ ନିଜ ପିଲାଙ୍କୁ ଭଲପାଇବା, ଉଚିତ୍‌ ସଂସ୍କାର ଦେବା ଏବଂ ପରିବାରକୁ ଏକାଠି କରି ରଖିବା । ଏହା ସହିତ ମା’ମାନଙ୍କର ଭୂମିକା ସମ୍ପର୍କରେ ବାର୍ତ୍ତା ପ୍ରଚାର ଓ ପ୍ରସାର କରିବା ଲକ୍ଷ୍ୟ ରହିଥିଲା ।

ଉଲ୍ଲେଖଯୋଗ୍ୟ, ଶ୍ରୀମତୀ ସହସ୍ରବୁଦେ୍ଧଙ୍କ ସହ ଏହି ଯାତ୍ରାରେ ଶୀତଲ୍‌ ବୈଦ୍ୟ, ଉର୍ମିଳା ଯୋଶୀ ଏବଂ ମାଧବୀ ସିଂ ସାମିଲ୍‌ ହୋଇଥିଲେ । ଅନେକ ସ୍ଥାନରେ ଲୋକମାନେ ଭାରତର ଯୌଥ ପରିବାର ସମ୍ପର୍କରେ ଜାଣିବାକୁ ଚାହିଁଥିବା ବେଳେ ଭାରତର ବିବାହ ଏବଂ ପରମ୍ପରା ସମ୍ପର୍କରେ ଜାଣି ଆଶ୍ଚର୍ଯ୍ୟ ହୋଇଥିଲେ । ଦେଶର ଏହି ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଅଧିକ ଅବଗତ ହେବା ପାଇଁ ମହିଳାମାନେ ଭାରତକୁ ଆସି ନୂଆଦିଲ୍ଲୀ, ଜୟପୁର, ଭୁବନେଶ୍ୱର, ବେଙ୍ଗାଲୁରୁ ଏବଂ ପୁନେ ଗସ୍ତ କରୁଛନ୍ତି ବୋଲି ସେ କହିଛନ୍ତି ।

ଗୁରୁବାର ଗ୍ଲୋବାଲ୍‌ ମଦର୍ସ-୨୦୧୯ ଆନ୍ତର୍ଜାତୀୟ ସମ୍ମିଳନୀ ଉଦ୍‌ଘାଟନୀ ଉତ୍ସବରେ ସୋଆ ଉପସଭାପତି ଶାଶ୍ୱତି ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଶ୍ରୀମତୀ ସହସ୍ରବୁଦେ୍ଧ ଅଧ୍ୟକ୍ଷତା କରିବା ସହିତ ସମ୍ମାନିତ ଅତିଥି ଭାବେ ସି.ଭି ରମଣ ଇଞ୍ଜିନିୟରିଂ କଲେଜର ଅଧ୍ୟକ୍ଷ ଇଞ୍ଜିନିୟର୍‌ ସଞ୍ଜୀବ ରାଉତ, ସୋଆ କୁଳପତି ପ୍ରଫେସର ଅମିତ୍‌ ବାନାର୍ଜୀ, ସୋଆ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ପ୍ରଫେସର ଅଶୋକ ମହାପାତ୍ର, ପ୍ରମେୟ-ନ୍ୟୁଜ୍‌ ୭ ଗ୍ରୁପ୍‌ ଏଡିଟର୍‌ ଗୋପାଳକୃଷ୍ଣ ମହାପାତ୍ର, ସୋଆ ଉପଦେଷ୍ଟା ବୋର୍ଡ଼ ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ନ୍ୟୁ ଇଣ୍ଡିଆନ୍‌ ଏକ୍ସପ୍ରେସର ରେସିଡେଣ୍ଟ୍‌ ଏଡିଟର୍‌ ଶିବ ମହାନ୍ତି ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

   ସମ୍ବନ୍ଧିତ ଖବର


ଭଙ୍ଗାହେଲା ଏମଏଲଏ କ୍ୱାର୍ଟର୍ସ, ନିର୍ମାଣ ହେବ ଅତ୍ୟାଧୂନିକ ସୁବିଧା ସୁଯୋଗ ଥିବା ବହୁତଳ କୋଠା

ଆସନ୍ତାକାଲି ଠାରୁ ଆଧୁନିକୀକରଣ କାର୍ଯ୍ୟ ପାଇଁ ରାଉରକେଲା-ଝାରସୁଗୁଡ଼ା ରୁଟ୍‌ରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ଖୁବ୍‌ଶୀଘ୍ର ପୁରୁଣା ଏଜି କଲୋନିରେ ହେବ ୧୪ ମହଲା ବିଶିଷ୍ଟ ସରକାରୀ କ୍ବାର୍ଟର୍ସ

ଦେଢ଼ କୋଟି ନେଇ ଗଲେ କିନ୍ତୁ ଫ୍ଲାଟ୍ ଦେଲେ ନାହିଁ, ଠକ ଦମ୍ପତିଙ୍କୁ ଗିରଫ କଲା ଇଓଡବ୍ଳ୍ୟୁ