ଆଜିଠୁ ବିଶ୍ୱପ୍ରସିଦ୍ଧ ଅଟ୍ରୀ ମକର ମେଳା ଆରମ୍ଭ

ବେଗୁନିଆ ୧୫/୧: ମକର ସଂକ୍ରାନ୍ତି ଅବସରରେ ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବପୀଠ ବାଘମାରୀ ଅଟ୍ରୀସ୍ଥିତ ଏକାଦଶ ରୁଦ୍ରବାବା ହଟ୍ଟକେଶ୍ୱରଙ୍କ ପୀଠରେ ମକର ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ବୁଧବାର ପୂର୍ବାହ୍ନରୁ ମେଳା ଆରମ୍ଭ ହେବ । ଚଳିତ ବର୍ଷ ୫ଦିନ ଯାଏ ମେଳା ଆୟୋଜନ ନେଇ ପ୍ରଶାସନ ନିଷ୍ପତ୍ତି ନେଇଛି । ବିଶ୍ୱାସ କରାଯାଏ ହଟ୍ଟକେଶ୍ୱରଙ୍କ ନିକଟରେ ମାନସିକଧାରୀ ଯାହା କାମନା କରନ୍ତି ତାହା ପ୍ରାପ୍ତ ହୋଇଥାଏ । ଏପରିକି ହଟ୍ଟକେଶ୍ୱର ମନ୍ଦିର ନିକଟରେ ଥିବା ଦହଳକୁଣ୍ଡ ତଥା ମାନସିକ କୁଣ୍ଡରେ ଗୁଆ ଖୋଜି ତାହାକୁ ଭକ୍ଷଣ କଲେ ନିସନ୍ତାନ ସନ୍ତାନ ଲାଭ କରିଥାଏ ବୋଲି ବିଶ୍ୱାସ ରହିଛି । ଫଳରେ ମକର ସଂକ୍ରାନ୍ତିରେ ରାଜ୍ୟ ତଥା ରାଜ୍ୟର କୋଣ ଅନୁକୋଣରୁ ବନ୍ଧ୍ୟା ନାରୀମାନଙ୍କ ସମାଗମ ହେବା ଦେଖାଯାଇଥାଏ ।

ପର୍ଯ୍ୟଟକ, ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ସମାଗମ, ଠାକୁର ଦର୍ଶନ ଏବଂ ଠାକୁରଙ୍କ ରୀତିନୀତିକୁ ଦୃଷ୍ଟିରେ ରଖି ମନ୍ଦିର ଓ ଗ୍ରାମ୍ୟ କମିଟି ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମନୋରଞ୍ଜନ ପାଇଁ ମୀନାବଜାର, ଦୋଳି ଏବଂ ଯାତ୍ରା ଅପେରାମାନ ଆସ୍ଥାନ ଜମାଇଥିବା ଦେଖାଯାଇଛି । ଏଥିସହ ଉଠା ବ୍ୟବସାୟୀମାନେ ଏବେଠାରୁ ସେମାନଙ୍କ ପସରା ମେଳାଇ ଦେଲେଣି । ପ୍ରଶାସନ ତରଫରୁ ଠାକୁରଙ୍କ ଦର୍ଶନ ଏବଂ ମେଳାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଜିଲ୍ଲା ପୁଲିସ ପକ୍ଷରୁ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ୩ଜଣ ଡିଏସପି, ୪ଜଣ ଇନ୍‌ସପେକ୍ଟର, ୬ଜଣ ସବଇନ୍‌ସପେକ୍ଟର, ୨୭ଜଣ ଏଏସଆଇ, ୩୦ଜଣ କନଷ୍ଟେବଳ, ୪୦ଜଣ ଗୃହରକ୍ଷୀଙ୍କ ସମେତ ୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷାରେ କେତେକ ସ୍କୁଲର ଏନସିସି, ସ୍କାଉଟ୍‌, ସିଭିଲ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ସାମିଲ କରାଯାଇଛି । ଏହି ମେଳାକୁ ସରସ ସୁନ୍ଦର କରାଯିବା ପାଇଁ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର ସାହୁଙ୍କ ତତ୍ତ୍ୱାବଧାନରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ମକର ମହୋତ୍ସବ ଅନୁଷ୍ଠିତ ହେଉଛି । ଏଥିରେ ଲୋକକଳା, କବିତା ଆସର, ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ଅଞ୍ଚଳର ବିଭିନ୍ନ ପ୍ରତିଭାମାନଙ୍କୁ ସମ୍ମାନିତ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି ।

   ସମ୍ବନ୍ଧିତ ଖବର


ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଦ୍ମବେଶ

ଆଜି ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ନର୍ସ ନିହାରିକା ହତ୍ୟାକାଣ୍ଡ ମାମଲା: ୧୩୦ ପୃଷ୍ଠା ସମ୍ବଳିତ ଚୂଡ଼ାନ୍ତ ଚାର୍ଜସିଟ୍‌ ଦାଖଲ

ପନିକିରେ ସ୍ତ୍ରୀର ତଣ୍ଟି କାଟି ହତ୍ୟା କଲା ସ୍ବାମୀ