ଆଜି ସୁପ୍ରିମ୍‌କୋର୍ଟରେ ‘ମହାରାଷ୍ଟ୍ର’ ଶୁଣାଣି

ମୁମ୍ୱାଇ ୨୪/୧୧: ମହାରାଷ୍ଟ୍ରରେ ନାଟକୀୟ ଢଙ୍ଗରେ ନୂତନ ସରକାର ଗଠନ ହେବାପରେ ଏବେ ଏହି ମାମଲା ସୁପ୍ରିମକୋର୍ଟରେ ପହଁଞ୍ଚିଛି । ସୁପ୍ରିମକୋର୍ଟରେ ଶିବସେନା, କଂଗ୍ରେସ ଓ ଏନସିପି ପକ୍ଷରୁ ଦେବେନ୍ଦ୍ର ଫଡନାଭିସଙ୍କ ଶପଥ ଗ୍ରହଣ ବିରୋଧରେ ଆବେଦନ କରାଯାଇଛି। ଆଜି ଦିନ ୧୧.୩୦ରେ କରିବେ ତିନି ଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଛନ୍ତି । ଏହି ତିନିଜଣିଆ ଖଣ୍ଡପୀଠରେ ବିଚାରପତି ହେଉଛନ୍ତି ଜଷ୍ଟିସ ଏନଭି ରମଣ, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ସଞ୍ଜିବ ଖାନ୍ନା ।

ବିଜେପିକୁ ସରକାର ଗଢ଼ିବାକୁ ଅନୁମତି ଦେଇଥିବା ରାଜ୍ୟପାଳ ଭଗତ୍‌ ସିଂହ କୋଶ୍ୟାରିଙ୍କ ବିରୋଧରେ ଶିବସେନା, ଏନ୍‌ସିପି ଓ କଂଗ୍ରେସ ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବହୁମତ ନଥାଇ ସୁଦ୍ଧା ବିଜେପିକୁ ରାଜ୍ୟପାଳ ଅସାମ୍ବିଧାନିକ ଭାବେ ସରକାର ଗଢ଼ିବାକୁ ଅନୁମତି ଦେଇଛନ୍ତି । ତେଣୁ ୨୪ ଘଣ୍ଟା ମଧ୍ୟରେ ବିଧାନସଭାରେ ବହୁମତ ପରୀକ୍ଷା ହେବା ଆବଶ୍ୟକ । ରାଜ୍ୟ ରାଜନୀତିରେ ସମ୍ଭାବ୍ୟ ଘୋଡ଼ା ବେପାରକୁ ସୁଯୋଗ ନଦେବା ପାଇଁ ସର୍ବୋଚ୍ଚ ଅଦାଲତ ତୁରନ୍ତ ମାମଲାର ଶୁଣାଣି କରି ବହୁମତ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ୩ ଦଳ ଅନୁରୋଧ କରିଛନ୍ତି । ଧାରା ୩୨ ଆଧାରରେ ଦଳଗୁଡ଼ିକ ଏହି ରିଟ୍‌ ପିଟିସନ୍‌ କରିଥିବା ଦର୍ଶାଇଛନ୍ତି । ରାଜ୍ୟପାଳଙ୍କ ବିରୋଧରେ ହୋଇଥିବା ଏହି ପିଟିସନ୍‌କୁ ସୁପ୍ରିମକୋର୍ଟ ଗ୍ରହଣ କରିବା ସହ ରବିବାର ପୂର୍ବାହ୍ନ ୧୧.୩୦ରେ ଶୁଣାଣି ହେବ ବୋଲି କହିଛନ୍ତି । ବିଚାରପତି ଅଶୋକ ଭୂଷଣ, ବିଚାରପତି ସଞ୍ଜୀବ ଖାନ୍ନା ଓ ବିଚାରପତି ଏନ୍‌ ଭି ରମନ୍ନାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିବେ ।

ଅନ୍ୟପକ୍ଷରେ ଅଜିତ୍‌ଙ୍କ ଦଳବିରୋଧୀ କାର୍ଯ୍ୟରେ ଅସନ୍ତୋଷ ବ୍ୟକ୍ତ କରି ଏନ୍‌ସିପି ମୁଖ୍ୟ ଶରଦ ପାୱାର ଆଜି ଏକ ଜରୁରି ବୈଠକ ଡାକିଥିଲେ । ମୁମ୍ବାଇର ୱାଇବି ଚୌହାନ୍‌ ସେଣ୍ଟରରେ ଅନୁଷ୍ଠିତ ଏହି ବୈଠକରେ ଦଳର ମୋଟ ୫୪ ବିଧାୟକଙ୍କ ମଧ୍ୟରୁ ୫୦ ଜଣ ଉପସ୍ଥିତ ଥିଲେ । ଏମିତି କି ଅଜିତ୍‌ଙ୍କ ନିକଟତମ ସହଯୋଗୀ ଧନଞ୍ଜୟ ମୁଣ୍ଡେ ମଧ୍ୟ ବୈଠକରେ ଯୋଗଦେଇଥିଲେ । ତେଣୁ ଅଜିତ୍‌ଙ୍କ ନିକଟରେ କମ୍‌ ବିଧାୟକଙ୍କ ସମର୍ଥନ ରହିଥିବା ସ୍ପଷ୍ଟ ହୋଇଯାଇଛି । ଏହା ଅଜିତ୍‌ ଓ ବିଜେପି ସରକାର ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି । ଅଜିତ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ବିଧାୟକ ଦଳ ନେତା ପଦରୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ଜୟନ୍ତ ପାଟିଲଙ୍କୁ ବିଧାୟକ ଦଳ ନେତା ଭାବେ ନିଯୁକ୍ତି ଦିଆଯାଇଛି ।

ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ସର୍ବାଧିକ ୧୦୫ ଆସନ ପାଇଥିଲା । କିନ୍ତୁ ଶିବସେନା ସାଥ୍‌ ନ ଦେବାରୁ ସରକାର ଗଢ଼ିବାକୁ ଅସମର୍ଥ୍ୟ ପ୍ରକାଶ କରିଥିଲା ଦଳ । ବୃହତ୍‌ ଦଳ ହୋଇ ସୁଦ୍ଧା ବିଜେପିର ଏଭଳି ସ୍ଥିତି ଅନେକଙ୍କୁ ବିସ୍ମିତ କରିଥିଲା । ଏମିତି କି ଦଳର ହାଇକମାଣ୍ଡ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହ ଏ ବାବଦରେ ମୁହଁ ଖୋଲି ନଥିଲେ । ଶିବସେନା, ଏନ୍‌ସିପି ଓ କଂଗ୍ରେସର ପ୍ରତ୍ୟେକ ଘଟଣା ବାବଦରେ ଏମାନେ ନିରୁତ୍ତର ରହିଥିଲେ । ଏତେ ସହଜରେ ବିଜେପି କ’ଣ ତାହାର ଗଡ଼କୁ ହାତଛଡ଼ା କରିଦେବ ବୋଲି କର୍ମୀ ମହଲରେ ଭାଳେଣି ପଡ଼ିଥିଲା । ରାଜନୈତିକ ବିଶାରଦମାନେ ମଧ୍ୟ କୌଣସି ଠୋସ ଆକଳନ କରିପାରି ନଥିଲେ । କିନ୍ତୁ ଅସମ୍ଭବକୁ ବିଜେପି ପୁଣି ସମ୍ଭବ କରିଛି । ଗୋଆ, ମଣିପୁର ଓ କର୍ଣ୍ଣାଟକ ପରେ ମହାରାଷ୍ଟ୍ରରେ ପୁଣି ମାଷ୍ଟ୍ରର୍‌ ଷ୍ଟ୍ରୋକ୍‌ ଖେଳିଛି ବିଜେପି ।

ଅନ୍ୟପକ୍ଷରେ ଏତେଶୀଘ୍ର ମହାରାଷ୍ଟ୍ରରେ ବିଜେପି କିଭଳି ସରକାର ଗଠନ କଲା, ତାହାକୁ ନେଇ ଶିବସେନା, ଏନ୍‌ସିପି ଓ କଂଗ୍ରେସ କର୍ମୀ ସମେତ ପୂରା ଦେଶବାସୀ ତାଜୁବ । ଏତେ ଔପଚାରିକତା କିଭଳି ସମ୍ପାଦନ ହେଲା, ତାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ । ତେବେ ସୂତ୍ର ମୁତାବକ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ପରେ ଶନିବାର ସକାଳ ୫ଟା ୪୭ରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ପ୍ରତ୍ୟାହୃତ ହୋଇଥିଲା । ଏହାପରେ ସକାଳେ ଦେବେନ୍ଦ୍ର ଫଡ଼ନବିସ୍‌ ଓ ଅଜିତ୍‌ ପାୱାର ରାଜ୍ୟପାଳ ଭଗତ୍‌ ସିଂହ କୋଶ୍ୟାରିଙ୍କୁ ଭେଟି ସରକାର ଗଠନ ଦାବି କରିଥିଲେ । ସକାଳ ୭ଟା ୫୦ରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସବୁଠୁ ବଡ଼ କଥା ହେଲା କେନ୍ଦ୍ର କ୍ୟାବିନେଟ୍‌ର ବୈଠକ ବି ବସିନଥିଲା । ତେବେ ଆବଶ୍ୟକ ସ୍ଥଳେ ବିନା କ୍ୟାବିନେଟ୍‌ ବୈଠକରେ ପ୍ରଧାନମନ୍ତ୍ରୀ ବଡ଼ ନିଷ୍ପତ୍ତି ନେଇପାରିବେ ବୋଲି ନିୟମ ରହିଛି ।
ଶନିବାର ସକାଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଫଡ଼ନବିସ୍‌ ଶପଥ ନେବା ପରେ ଉପମୁଖ୍ୟମନ୍ତ୍ରୀ ଭାବେ ଏନ୍‌ସିପି ନେତା ଅଜିତ୍‌ ପାୱାର ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆସନରେ ବସି ମହାରାଷ୍ଟ୍ରକୁ ଶାସନ କରିବେ ବୋଲି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଯେଉଁ ସ୍ୱପ୍ନ ଦେଖୁଥିଲେ, ତାହା ଧୂଳିସାତ୍‌ ହୋଇଯାଇଛି । ତାଙ୍କୁ ଶେଷରେ ଶିଶୁପାଳ ହେବାକୁ ପଡ଼ିଛି । ଶେଷ ମୁହୂର୍ତ୍ତରେ ଏନ୍‌ସିପି ନେତା ଅଜିତ୍‌ ପାୱାର ବିଜେପିକୁ ସମର୍ଥନ ଜଣାଇ ଶିବସେନାର ସରକାର ଗଢ଼ିବା ଆଶାକୁ ମାଟିରେ ମିଶାଇ ଦେଇଛନ୍ତି ।

ଦେବେନ୍ଦ୍ର ଫଡ଼ନବିସ୍‌ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଅପରାହ୍ନ ୪ଟା ୧୫ରେ ମୁମ୍ବାଇସ୍ଥିତ ଦଳୀୟ କାର୍ଯ୍ୟାଳୟ ଯାଇଥିଲେ । ଏହି ସମୟରେ ବିଜେପି କାର୍ଯ୍ୟକର୍ତ୍ତାମାନେ ତାଙ୍କର ଜୋରଦାର ସ୍ୱାଗତ କରିଥିଲେ । କାର୍ଯ୍ୟାଳୟ ବାହାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଉଦ୍‌ବୋଧନ ଦେଇ ଫଡ଼ନବିସ୍‌ କହିଛନ୍ତି, ମହାରାଷ୍ଟ୍ରକୁ ଆମେ ନିଶ୍ଚିତ ସ୍ଥିର ସରକାର ଦେବୁ । ମୋଦି ଅଛନ୍ତି ମାନେ ଏହା ସମ୍ଭବ । ରାଜ୍ୟରେ ବିଜେପି ସରକାର ପୁଣି ୫ ବର୍ଷ ଧରି ଚାଲିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି

   ସମ୍ବନ୍ଧିତ ଖବର


କ୍ଷମତା ବାହାରେ ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ୍‌, ଏମିତି କାହିଁକି କହିଲେ ICCର ନୂତନ ଅଧ୍ୟକ୍ଷ

‘କୋଭିସିଲ୍ଡ’ର ପାର୍ଶ୍ଵ ପ୍ରତିକ୍ରିୟା ଅଭିଯୋଗକୁ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ର ଖଣ୍ଡନ, ସ୍ବେଚ୍ଛାସେବୀଙ୍କୁ ୧୦୦ କୋଟି ଟଙ୍କାର ମାନହାନୀ ଧମକ

କରୋନାରେ ରାଜସମନ୍ଦ ବିଜେପି ବିଧାୟକ କିରଣ ମାହେଶ୍ୱରୀଙ୍କର ନିଧନ

୧ ଡିସେମ୍ବରରୁ ହେଉଛି ଏହି ୫ ବଡ ପରିବର୍ତ୍ତନ, ଜାଣନ୍ତୁ ଲାଭରେ ରହିବେ ନା ସହିବେ କ୍ଷତି

ବାହାଘରକୁ ନେଇ ବର ଆଖିରେ ଥିଲା ଆଖିଏ ସ୍ୱପ୍ନ, କିନ୍ତୁ ଦଇବ ସହିଲାନି : ହାତଗଣ୍ଠି ପଡ଼ିବା ଆଗରୁ ଆଖି ବୁଝିଦେଲା କନ୍ୟା

ହଠାତ୍ ଆକାଶରେ ଦେଖିବାକୁ ମିଳିଲା ଅଗ୍ନି ପିଣ୍ଡୁଳା,ଜୋରଦାର ଲାଇଟ୍ ସହିତ ହୋଇଗଲା ଗାଏବ୍