PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଆଜି ସମ୍ପ୍ରସାରଣ ହେବ ଉଦ୍ଧବଙ୍କ ମନ୍ତ୍ରିମଣ୍ଡଳ

ମୁମ୍ବାଇ ୩୦/୧୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସୋମବାର ତାଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବେ । ଗତ ଦୁଇ ସପ୍ତାହ ହେଲା ଶିବସେନା, ଏନ୍‌ସିପି ଓ କଂଗ୍ରେସକୁ ନେଇ ଗଠିତ ‘ମହା ବିକାଶ ଅଘାଡି’ ମେଣ୍ଟ ପକ୍ଷରୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ବ୍ୟାପକ ବିଚାର ବିମର୍ଶ ଚାଲିଛି ।

ବର୍ତ୍ତମାନ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀଙ୍କୁ ବାଦ୍‌ ଦେଲେ ୩ ଦଳର ୨ ଜଣ ଲେଖାଏ ମୋଟ ୬ ଜଣ ମନ୍ତ୍ରୀ ଅଛନ୍ତି । କ୍ୟାବିନେଟ ସମ୍ପ୍ରସାରଣରେ ୩୬ ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯିବା ସମ୍ଭାବନା ରହିଛି । ସେମାନଙ୍କ ମଧ୍ୟରେ କିଛି କ୍ୟାବିନେଟ ଓ କିଛି ରାଷ୍ଟ୍ର ପାହ୍ୟା ମନ୍ତ୍ରୀ ରହିବେ । ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ବିଧାନସଭା ପରିସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ବୋଲି ସୂଚନା ମିଳିଛି। ରାଜ୍ୟର କଂଗ୍ରେସ ମନ୍ତ୍ରୀ ବାଲାସାହେବ ଥୋରାଟ କହିଛନ୍ତି କି କଂଗ୍ରେସର ୧୨ ଜଣ ମନ୍ତ୍ରୀ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ଏବଂ ସେମାନଙ୍କ ମଧ୍ୟରୁ ୧୦ କ୍ୟାବିନେଟ ପାହ୍ୟା ପାଇବେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ରାଜସ୍ୱ ବିଭାଗ ପାଇବା ସମ୍ଭାବନା ରହିଛି । ସେହିଭଳି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଳାସ ରାଓ ଦେଶମୁଖଙ୍କ ପୁଅ ଅମିତ ଦେଶମୁଖ ମନ୍ତ୍ରିମଣ୍ଡଳରେ ସାମିଲ ହେବେ । ଏନ୍‌ସିପି ନେତା ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ହେବା ସହ ଗୃହ ବିଭାଗ ଦାୟିତ୍ୱ ନେବାର ସମ୍ଭାବନା ଅଛି ।

ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମନ୍ତ୍ରିମଣ୍ଡଳରେ ସର୍ବାଧିକ ୪୨ ମନ୍ତ୍ରୀ ରହିପାରିବେ । ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଶିବସେନାର ୧୫, ଏନ୍‌ସିପିର ୧୪ ଓ କଂଗ୍ରେସର ୧୨ ମନ୍ତ୍ରୀ ରହିବେ । ନଭେମ୍ବର ୨୮ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୩୨ ଦିନ ପରେ ଏହା ଉଦ୍ଧବଙ୍କ ପ୍ରଥମ କ୍ୟାବିନେଟ ସମ୍ପ୍ରସାରଣ ।

ଗତ ସୋମବାର ଏନ୍‌ସିପି ମୁଖ୍ୟ ଶରଦ ପାୱାର ଓ ଉଦ୍ଧବଙ୍କ ମଧ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଆଲୋଚନା ହୋଇଥିଲା । ସେଥିରେ ଅଜିତ ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ନେଇ ସହମତି ପ୍ରକାଶ ପାଇଥିଲା । ଅଜିତ ପାୱାର ପୂର୍ବର କଂଗ୍ରେସ-ଏନ୍‌ସିପି ସରକାରରେ ଉପମୁଖ୍ୟମନ୍ତ୍ରୀ ରହିଥିଲେ । ଚଳିତବର୍ଷ ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳି ନଥିଲା । ବିଜେପି-ଶିବସେନା ମିଳିତ ଭାବେ ସରକାର ଗଠନ କରିବା ପାଇଁ ଜନାଦେଶ ମିଳିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଚୌକିକୁ ନେଇ ଦୁଇଦଳ ଭିତରେ ମତାନ୍ତର ଦେଖା ଦେଇଥିଲା ।

ତେଣୁ ଏନ୍‌ସିପି ଓ କଂଗ୍ରେସ ସହ ମେଣ୍ଟ କରି ସରକାର ଗଠନ ଲାଗି ଉଦ୍ଧବ ପ୍ରୟାସ କରିଥିଲେ । ଏଭଳି ପରିସ୍ଥିତିରେ ଅଜିତ ପାୱାର ହଠାତ୍‌ ନଭେମ୍ବର ୨୩ରେ ବିଜେପି ସହିତ ହାତ ମିଳାଇଥିଲେ । ଫଳରେ ଦେବେନ୍ଦ୍ର ଫଡନବିସ୍‌ ମୁଖ୍ୟମନ୍ତ୍ରୀ ଓ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । କିନ୍ତୁ ତାକୁ ନେଇ ବିବାଦ ତେଜିବାରୁ ଶପଥ ନେବାର ୮୦ ଘଣ୍ଟା ପରେ ଅଜିତ ପାୱାର ଇସ୍ତଫା ଦେଲେ । ଏଥିସହ ଫଡନବିସଙ୍କ ସରକାର ଭାଙ୍ଗିଯାଇଥିଲା ।