ଆଜିଠୁ ରାଜ୍ୟରେ କମିବ ଥଣ୍ଡା, ୧୮ରୁ ବର୍ଷା

ଭୁବନେଶ୍ୱର ୧୪/୧: ଭୀଷଣ ଥଣ୍ଡାରେ ଥରୁଛି ସାରା ଓଡ଼ିଶା। ଗତ ଦୁଇଦିନ ହେବ ଅସ୍ୱାଭାବିକ ଭାବେ ରାଜ୍ୟ ତମାମ ଶୀତ ପ୍ରକୋପ ବଢ଼ି ଯାଇଥିଲା । ମାତ୍ର ଏବେ ଶୀତ ପ୍ରକୋପ କ୍ରମଶଃ କମିବ । ସପ୍ତାହେ ପର୍ଯ୍ୟନ୍ତ ଶୀତ ବଢ଼ିବା ସମ୍ଭାବନା ଦେଖାଯାଉନି । ଅପରପକ୍ଷରେ ୧୮ରୁ ପାଗ ମେଘୁଆ ହେବା ସହ କେତେକ ସ୍ଥାନରେ ବର୍ଷା ହୋଇପାରେ ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ରବିବାର ରାତିରେ ରାଜ୍ୟ ତମାମ ଥଣ୍ଡା ପ୍ରକୋପ ଅଧିକ ଥିଲା। ୧୧ଟି ସହରରେ ପାରଦ ୧୦ ଡିଗ୍ରୀ ତଳେ ରହିଥିଲା । ଆଭ୍ୟନ୍ତରୀଣ ଓଡ଼ିଶାରୁ ନେଇ ଉପକୂଳ ପର୍ଯ୍ୟନ୍ତ ପାରଦ ସ୍ୱାଭାବିକଠାରୁ ଢ଼େର ତଳେ ଥିଲା । ସୋନପୁରର ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲସିୟସ୍‌ ଥିବାବେଳେ ଫୁଲବାଣୀ ୬, ଅନୁଗୁଳ ୬.୬, ଟିଟିଲାଗଡ଼ ୭.୧, ଦାରିଙ୍ଗିବାଡ଼ି ୭.୫, ଭବାନୀପାଟଣା ୮.୫, କୋରାପୁଟ ୯, ତାଳଚେର ୯.୭, ସମ୍ବଲପୁର ୯.୬, କେନ୍ଦୁଝର ୯.୧, ଝାରସୁଗୁଡ଼ା ୯.୪, ବଲାଙ୍ଗିର ୧୦ ଓ ମାଲକାନଗିରି ୧୦.୨ ଡିଗ୍ରୀ ସେଲସିୟସ୍‌ ଥିଲା । ବାଲେଶ୍ୱରରେ ପାରଦ ୧୦.୫ ଡିଗ୍ରୀ ରେକର୍ଡ ହୋଇଥିବାବେଳେ କଟକରେ ୧୦.୫, ବାରିପଦା ୧୦.୫ ଓ ଭୁବନେଶ୍ୱରରେ ୧୧.୪ ଡିଗ୍ରୀ ଥିଲା । ସୋମବାର ସକାଳ ପର୍ଯ୍ୟନ୍ତ ଥଣ୍ଡା ପ୍ରକୋପ ରହିଥିଲା । ମାତ୍ର ଆଜି ରାତିରୁ ପାରଦ ସାମାନ୍ୟ ଉପରକୁ ଉଠିଛି । ଫଳରେ ଥଣ୍ଡା ପ୍ରକୋପ କମିଛି ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ୟୁନିଭର୍ସିଟି ଜଳବାୟୁ ଓ ପରିବେଶ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ପୂର୍ବାନୁମାନ ହେଲା, ଦକ୍ଷିଣ-ପଶ୍ଚିମରୁ ପବନ ପ୍ରଭାବରୁ ରାତି ତାପମାତ୍ରା ବୃଦ୍ଧି ପାଇବ । ଫଳରେ ଶୀତ ପ୍ରକୋପ କମିବ । ଅପରପକ୍ଷରେ ୧୫ ତାରିଖରୁ ରାଜ୍ୟରେ କୁହୁଡ଼ି ବଢ଼ିବ । ତେବେ ୧୮ରୁ ଉତ୍ତର ଓଡ଼ିଶାରେ ସାମାନ୍ୟ ବର୍ଷା ସମ୍ଭାବନା ଅଛି । ବିଶେଷ କରି ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର ଜିଲ୍ଲାରେ ବର୍ଷା ହୋଇପାରେ ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଲା, ସୋମବାର ରାତିରୁ ହିଁ ଶୀତ ପ୍ରକୋପ କମିବ । ସପ୍ତାହେ ପର୍ଯ୍ୟନ୍ତ ଶୀତ ଲହରୀ ସମ୍ଭାବନା ନାହିଁ । ସୋମବାର ରାତିରେ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ତାପମାତ୍ରା ପ୍ରାୟ ୨ ଡିଗ୍ରୀ ବଢ଼ିପାରେ । ୧୫ ତାରିଖ ସୁଦ୍ଧା ରାତି ତାପମାତ୍ରା ଆଉ ୨ ଡିଗ୍ରୀ ବଢ଼ିବ । ସେହିପରି ପଶ୍ଚିମ ଓଡ଼ିଶାରେ ଆଜି ରାତିରେ ତାପମାତ୍ରା ୨-୩ ଡିଗ୍ରୀ ବଢ଼ିବା ସମ୍ଭାବନା ଅଛି । ୧୬ ତାରିଖ ସୁଦ୍ଧା ସର୍ବନିମ୍ନ ତାପମାତ୍ରା ଆଉ ୨ ଡିଗ୍ରୀ ଉପରକୁ ଉଠିପାରେ । ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାରେ (ସୁନ୍ଦରଗଡ଼, ମୟୂରଭଞ୍ଜ, ଝାରସୁଗୁଡ଼ା, କେନ୍ଦୁଝର) ରାତି ତାପମାତ୍ରା ସୋମବାର ରାତିରେ ପ୍ର୍ରାୟ ୩ ଡିଗ୍ରୀ ବଢ଼ିପାରେ । ୧୫ ତାରିଖ ସୁଦ୍ଧା ଆହୁରି ୨-୩ ଡିଗ୍ରୀ ବଢ଼ିବା ସମ୍ଭାବନା ଅଛି । ୧୭ ଓ ୧୮ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ପ୍ରାୟ ୧ରୁ ୨ ଡିଗ୍ରୀ କମିପାରେ ।

ଡକ୍ଟର ପଶୁପାଳକଙ୍କ କହିବାନୁଯାୟୀ ବଙ୍ଗୋପସାଗରରୁ ପବନ ବହିବା ଯୋଗୁ ୧୮ ତାରିଖରୁ ପାଗ ମେଘୁଆ ହେବ । ୨୧ ତାରିଖବେଳକୁ ଉତ୍ତର ପଶ୍ଚିମ ଓଡ଼ିଶାର କେତେକ ଜାଗାରେ ହାଲୁକା ବର୍ଷା ହୋଇପାରେ । ଏଥିଯୋଗୁ କେତେକ ସ୍ଥାନରେ ଦିନ ତାପମାତ୍ରା କମିବା ସହ ରାତି ତାପମାତ୍ରା ମଧ୍ୟ କମିପାରେ ।
ପାଣିପାଗ ବିଭାଗ କହିଛି, ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ଫରକ ଆସିବନି । ଆସନ୍ତାକାଲି ପର୍ଯ୍ୟନ୍ତ ଅନୁଗୁଳ, ଦେବଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗିରରେ ଶୀତ ଲହରୀ ଜାରି ରହିବ । ତା’ ପରେ କ୍ରମଶଃ ରାତି ତାପମାତ୍ରା ବଢ଼ିବ । ପ୍ରାୟ ୨ରୁ ୪ ଡିଗ୍ରୀ ବଢ଼ିପାରେ ।

   ସମ୍ବନ୍ଧିତ ଖବର


ଭାଲୁ ଆକ୍ରମଣ – ବୃଦ୍ଧ ଗୁରୁତର

ପ୍ରେମ ପାଇଁ ଫୁଟିଲା ବୋମା !

ସଟଡାଉନରେ ଚାଲିଥିଲା କୁକୁଡ଼ା ଲଢେ଼ଇ ସାଙ୍ଗକୁ ଜୁଆଖେଳ,ଚଢ଼ଉ କଲା ପୋଲିସ: ୨୩ ବାଇକ୍,୫ ସାଇକେଲ ଜବତ

ଆସନ୍ତା ୩ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା

‘କାଳିଆ’ ଟଙ୍କା ଆଦାୟ ସ୍ଥଗିତ

ଭାଇରାଲ ଅଡିଓ ଖବର ପ୍ରସଙ୍ଗ: ସାତ ଦିନ ମହଲତ ମାଗିଲା ଓଟିଭି