ଆଜି ବି ପ୍ରବଳ ବର୍ଷିବ: ୨୬ ପର୍ଯ୍ୟନ୍ତ ଧୀବରଙ୍କୁ ସମୁଦ୍ର ମନା, ୨୯ରେ ଲଘୁଚାପ

ଭୁବନେଶ୍ୱର ୨୫/୪: ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ରଚିଛି ତାଣ୍ଡବ । ହଠାତ ଝଡ଼ ତୋଫାନ ଆସିବା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଓ ଗଛ ଉପୁଡି ପଡିବା ସହିତ କଚା ଘର ଭୁଷୁଡି ପଡିଛି । ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାରେ ବଜ୍ରପାତରେ ୭ଜଣଙ୍କ ପ୍ରାଣହାନୀ ହୋଇଛି । ଆଜି ମଧ୍ୟ ରାଜ୍ୟରେ ପ୍ରବଳ ବର୍ଷା ହେବ । ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବୃଷ୍ଟି ହେବାର ସମ୍ଭାବନା ରହିଛି । ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ପଡିବାର ସମ୍ଭାବନା ରହିଛି ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ସେହିପରି ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ସମୂଦ୍ର ଅଶାନ୍ତ ରହିବ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି । ତେଣୁ ଧୀବରଙ୍କୁ ସମୂଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏ ବାବଦରେ ସତର୍କ ସୂଚନା ଜାରି କରାଯାଇଛି ।

ଶୁକ୍ରବାର ଭଳି ଶନିବାର ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ସହିତ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆସନ୍ତାକାଲି କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଞ୍ଜାମ, ଯାଜପୁର ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ ବୋଲି କେନ୍ଦ୍ର ପୂର୍ବାନୁମାନ କରିଛି । ଉପରୋକ୍ତ ଜିଲ୍ଲାଗୁଡିକରେ ଏହି ସମୟରେ ସତର୍କ ରହିବା ପାଇଁ କେନ୍ଦ୍ର ପକ୍ଷରୁ ଅରେଞ୍ଜ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟର ଅବଶିଷ୍ଟ ସ୍ଥାନରେ ମଧ୍ୟ କାଳବୈଶାଖୀ ବର୍ଷା ହେବା ସହିତ ସତର୍କ ରହିବା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ଯେ ରାଜ୍ୟରେ ୨୮ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ଜାରି ରହିବ । ଆଜି ଭଳି ଆସନ୍ତାକାଲି ମଧ୍ୟ କିଛି ସ୍ଥାନରେ କୁଆପଥର ପଡିବ ବୋଲି ଶ୍ରୀ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି । ସେହିପରି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ, ଆସନ୍ତାକାଲି ରାଜ୍ୟରେ ସକାଳେ ଖରା ହେବା ସହିତ ଉପରବେଳା କାଳବୈଶାଖୀ ବର୍ଷା ହେବ । ୨୬ରେ ପ୍ରବଳ ବର୍ଷା ହେବ ବୋଲି ସେ ଆକଳନ କରିଛନ୍ତି ।

ଆସନ୍ତା ୨୯ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସମୁଦ୍ର ଓ ତତ୍‌ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରିଭାଗରେ ଲଘୁଚାପ ହେବାର ସମ୍ଭାବନା ରହିଛି । ଯାହା ପରବର୍ତ୍ତୀ ସମୟରେ ସେହି ଅଞ୍ଚଳରେ ଘନୀଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ତା’ର ପ୍ରଭାବ ଓଡ଼ିଶା ଉପରେ କେତେ ଦୂର ପଡିବ ଏବେଠୁ କହିବା ଠିକ ହେବନି ବୋଲି ପାଣିପାଗବିତ୍‌ କହିଛନ୍ତି । ୨୭ ବେଳକୁ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ।

ଶୁକ୍ରବାର ସକାଳ ୮ଟା୩୦ରୁ ଅପରାହ୍ନ ୫ଟା୩୦ମଧ୍ୟରେ ବାଲେଶ୍ୱରରେ ସର୍ବାଧିକ ୬୯ ମିଲିମିଟର ବର୍ଷା ହୋଇଛି । ସେହିପରି ବାରିପଦାରେ ୪୨ ମିଲିମିଟର, ଅନୁଗୁଳରେ ୩୬ ମିଲିମିଟର, ଚାନ୍ଦବାଲିରେ ୨୮ ମିଲିମିଟର, ବଲାଙ୍ଗୀରରେ ୨୧ ମିଲିମିଟର, ତାଳଚେରରେ ୨୦ ମିଲିମିଟର, କେନ୍ଦୁଝରରେ ୧୮ ମିଲିମିଟର ଓ ପାରାଦୀପରେ ୧୬ ମିଲିମିଟର ବର୍ଷା ହୋଇଥିବା ବେଳେ ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ୍‌ ଏବଂ ଟିଟିଲାଗଡ଼ରେ ୪୦ ଡିଗ୍ରୀ ସେଲସିୟସ୍‌ ସର୍ବୋଚ୍ଚ ତାପମାତ୍ରା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ଼ କରିଛି । ସେହିପରି ସନ୍ଧ୍ୟା ସମୟରେ ରାଜଧାନୀ ଭୁବନେଶ୍ୱର ସହିତ ଉପକଣ୍ଠରେ ପାଖାପାଖି ୧ ଘଣ୍ଟା ଧରି କାଳବୈଶାଖୀ ବର୍ଷା ହୋଇଥିଲା। ପବନ ବୋହିବା ସହିତ ବିଜୁଳି ଓ ଘଡ଼ଘଡ଼ି ମାରିବା ଯୋଗୁଁ ରାଜଧାନୀବାସୀ ଆତଙ୍କିତ ହୋଇ ପଡିଥିଲେ ।

   ସମ୍ବନ୍ଧିତ ଖବର


ଭିଜିଲାନ୍ସ ଜାଲରେ ମେଡିକାଲ କର୍ମଚାରୀ, ଲାଞ୍ଚ ନେଇ ଧରା ପଡ଼ିଲେ

ରାଇରଙ୍ଗପୁରରୁ ବାଘ ଛାଲ ଜବତ, ୫ ଗିରଫ

ସମ୍‌ କୋଭିଡ ହସ୍ପିଟାଲ୍‌ରେ କରୋନାରୁ ସୁସ୍ଥ ହେଲେ ୯୦ ବର୍ଷୀୟ କ୍ୟାନ୍ସର ପୀଡିତ

ସମ୍‌ରେ ନୂତନ ରେନାଲ୍‌ ପାଥୋଲୋଜି ବିଭାଗର ମାଇକ୍ରୋସ୍କୋପ୍‌ ଯନ୍ତ୍ର ଉଦ୍‌ଘାଟିତ

ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କର ବାର୍ତ୍ତା, ପାର୍ବଣ ସମୟରେ କରୋନା କଟକଣା ମାନିବା ପାଇଁ ଦେଲେ ପରାମର୍ଶ

ହେଲପ୍‌ ଲାଇନ୍‌ ନମ୍ବର ଜାରି, ଦାଦା ବଟି ମାଗିଲେ କଲ୍‌ କରନ୍ତୁ : ଡିଜିପି