ଆଜି ବିଶ୍ୱ ବଜ୍ରକାପ୍ତା ଦିବସ: ରାଜ୍ୟବ୍ୟାପୀ ର‌୍ୟାକେଟ୍‌ ସକ୍ରିୟ, ମାଷ୍ଟର୍‌ମାଇଣ୍ଡ୍‌ ଏବେ ବି ଅଜଣା!

କଟକ ୧୫/୨: ମୟୂରଭଞ୍ଜରୁ ସୁନ୍ଦରଗଡ଼, ନବରଙ୍ଗପୁରରୁ ରାୟଗଡ଼ା । ତା’ପରେ କଟକ, ନୟାଗଡ଼, ବୌଦ୍ଧରୁ ସିଧାସଳଖ ବିଦେଶୀ ଲିଂକ୍‌ । ଦକ୍ଷିଣ ଏସୀୟ ଦେଶମାନଙ୍କୁ ବିରଳ ତଥା ବହୁମୂଲ୍ୟ ବଜ୍ରକାପ୍ତା ଚାଲାଣ । ୩ ବର୍ଷ ମଧ୍ୟରେ ପ୍ରାୟ ୫୦ରୁ ଅଧିକ ଚାଲାଣକାରୀଙ୍କୁ କାବୁ କଲାଣି ବନ ବିଭାଗ ଓ କ୍ରାଇମ୍‌ବ୍ରାଞ୍ଚ୍‌ । ଜିଅନ୍ତା ଓ ମୃତ ବଜ୍ରକାପ୍ତା ବି ଜବତ କରାଯାଉଛି । ତଥାପି ବଜ୍ରକାପ୍ତା ଶିକାର ଓ ଚାଲାଣ ଥମୁନି । ଏବେ ସୁଦ୍ଧା ସାରା ରାଜ୍ୟରେ ଚୋରାଚାଲାଣ ର‌୍ୟାକେଟ୍‌ ସକ୍ରିୟ ହୋଇରହିଛି । ଚାଲାଣ ଲିଂକ୍‌ର ଚେର ଧରାପଡୁନାହିଁ । ର‌୍ୟାକେଟକୁ ଧରିବା ପାଇଁ କୌଣସି ମାଷ୍ଟର୍‌ ପ୍ଲାନ୍‌ ବା ଯୋଜନା ବି କରାଯାଇନାହିଁ । ଅନ୍ୟପକ୍ଷରେ ଦୁଇବର୍ଷ ତଳେ ଆର୍‌ପିଏଫ୍‌ ତରଫରୁ ବଜ୍ରକାପ୍ତା ଚାଲାଣ ରୋକିବାକୁ ସାଇବର୍‌ ସେଲ୍‌ ସକ୍ରିୟ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲେ ସେ ଦିଗରେ କୌଣସି ତତ୍ପରତା ନାହିଁ ।

ତିନି ବର୍ଷ ମଧ୍ୟରେ ବଜ୍ରକାପ୍ତା ଚୋରାଚାଲାଣ ର‌୍ୟାକେଟ୍‌ ଅଧିକ ସକ୍ରିୟ ହୋଇଛି । ଦକ୍ଷିଣ ଏସୀୟ ଦେଶ ମାନଙ୍କରେ ବଜ୍ରକାପ୍ତାର ଚାହିଦା ଢେର ବଢୁଥିବାରୁ ଓଡ଼ିଶାରୁ ଅବାଧ ଚାଲାଣ କରୁଛନ୍ତି ର‌୍ୟାକେଟ୍‌ରେ ଜଡ଼ିତ ମାଫିଆ । ତନ୍ମଧ୍ୟରୁ କିଛି ମଧ୍ୟସ୍ଥିଙ୍କୁ ଧରି ବନ ବିଭାଗ ଓ କ୍ରାଇମ୍‌ବ୍ରାଞ୍ଚ୍‌ ପ୍ରଶଂସା ଯୋଗାଡୁଥିବା ବେଳେ ବାସ୍ତବରେ ରାଜ୍ୟବ୍ୟାପୀ ଏହି ର‌୍ୟାକେଟ୍‌ର ମାଷ୍ଟରମାଇଣ୍ଡ୍‌ର ସୁରାକ୍‌ ମିଳିପାରିନାହିଁ ।

୨୦୧୮ ଅଗଷ୍ଟ ୨୫ରେ ବଜ୍ରକାପ୍ତା ଚାଲାଣ ଘଟଣାରେ ସୁନ୍ଦରଗଡ଼ ଲେଫ୍ରିପଡାରୁ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ବନ ବିଭାଗ । ଏହାର ୪ମାସ ପରେ ମୟୂରଭଞ୍ଜ ଓ ନବରଙ୍ଗପୁରରୁ କିଛି ବେପାରୀଙ୍କୁ ଧରିଥିଲା କ୍ରାଇମବ୍ରାଞ୍ଚ । ୨୦୧୮ ଡିସେମ୍ବର ୫ରେ ନବରଙ୍ଗପୁରରୁ ଗୋଟିଏ ବଜ୍ରକାପ୍ତା ଉଦ୍ଧାର କରାଯିବା ସହ ୨ ଜଣ ଗିରଫ ହୋଇଥିଲେ । ମୟୂରଭଞ୍ଜର ଉଦଳାରୁ ୪ ଜଣ ବେପାରୀଙ୍କୁ ଧରିଥିଲା କ୍ରାଇମ୍‌ବ୍ରାଞ୍ଚ୍‌ ଏସ୍‌ଟିଏଫ୍‌ । ସେମାନଙ୍କଠାରୁ ଗୋଟିଏ ମା’ ବଜ୍ରକାପ୍ତା ସହ ଛୁଆ ଉଦ୍ଧାର କରାଯାଇଥିଲା । ଏଠାରୁ ବିଦେଶୀ ଲିଂକ୍‌ ସମ୍ପର୍କରେ ସୂଚନା ପାଇଥିଲା । ସେହିମାସରେ ରାୟଗଡ଼ାର ଗୁଣୁପୁରୁ ର‌୍ୟାକେଟ୍‌ର କିଛି ସଦସ୍ୟଙ୍କୁ ଗିରଫ କରାଯାଇଥିଲା । ଗୁଣୁପୁର ନୂଆ ବସ୍‌ଷ୍ଟାଣ୍ଡ୍‌ରୁ ଭୁବନେଶ୍ୱର ଚାଲାଣ ହେଉଥିବା ବେଳେ ୨ ଜଣ ମହିଳାଙ୍କ ସମେତ ୫ଜଣଙ୍କୁ କାବୁ କରିଥିଲା ବନ ବିଭାଗ । ବିଦେଶୀ ଲିଂକ୍‌ ଓ ଡିଲ୍‌ ପଛରେ ଅନ୍‌ଲାଇନ୍‌ କାରବାର ଥିବାର ସନ୍ଦେହ କରି ସେ ସମୟରେ ଆର୍‌ପିଏଫ୍‌ ତରଫରୁ ଏ ଦିଗରେ ପଦକ୍ଷେପ ନିଆଯାଇଥିଲା ।

ଭୁବନେଶ୍ୱରରେ ସାଇବର୍‌ ସେଲ୍‌ ଗଠନ କରିବା ସହିତ ବଜ୍ରକାପ୍ତା ଚୋରାଚାଲାଣ ରୋକିବାକୁ ଆର୍‌ପିଏଫ୍‌ ଥାନା ଗୁଡିକୁ ନିର୍ଦ୍ଦେଶ ଦେଇଥିଲେ ତତ୍‌କାଳୀନ ରେଳ ସୁରକ୍ଷା ବଳ ଆଇଜି ରାଜା ରାମ୍‌ । କିନ୍ତୁ ଏ ଦିଗରେ ପରବର୍ତ୍ତୀ ସମୟରେ କିଛି ପଦକ୍ଷେପ ନିଆଗଲା ନାହିଁ । ବର୍ଷେ ଅନ୍ତରରେ ଏବେ ପୁଣି ବଜ୍ରକାପ୍ତା ଚାଲାଣକୁ ନେଇ ମାହୋଲ୍‌ ସରଗରମ ରହିଛି । ଏଥର ଟାର୍ଗେଟ୍‌ରେ କଟକ ସହିତ ନୟାଗଡ଼ ଓ ବୌଦ୍ଧ । ଦୁଇ ମାସ ମଧ୍ୟରେ ଘଟଣାରେ ୨୨ ଜଣ ଗିରଫ ହୋଇସାରିଲେଣି । କିନ୍ତୁ ଏବେ ଯାଏ ଘଟଣାର ମାଷ୍ଟରମାଇଣ୍ଡ୍‌ କିଏ ତାହା ଜଣାପଡୁନାହିଁ । ତେଣୁ ଯଦି ମାଷ୍ଟରମାଇଣ୍ଡ୍‌ କିମ୍ବା ଟିମ୍‌କୁ କାବୁ କରାନଯାଏ, ଖୁବ୍‌ ଶୀଘ୍ର ରାଜ୍ୟରୁ ଏହି ବିରଳ ସ୍ତନ୍ୟପାୟୀ ପ୍ରାଣୀ ଲୋପ ପାଇଯିବ । ଆସନ୍ତାକାଲି ‘ବିଶ୍ୱ ବଜ୍ରକାପ୍ତା ଦିବସ’ ପାଳନ କରାଯାଉଥିବା ବେଳେ ଏହାର ସୁରକ୍ଷା ଓଡ଼ିଶା ସରକାରଙ୍କ ପାଇଁ ଚାଲେଞ୍ଜିଂ ହୋଇଛି ।

   ସମ୍ବନ୍ଧିତ ଖବର


ଅଢ଼େଇ ଲକ୍ଷ ଟଙ୍କାର ଧଳାଜହର ଜବତ: ନିଶାରାଣୀ ସାରା ଓ ସହଯୋଗୀ ଗିରଫ

୨୨ ବର୍ଷ ହେଲା ଚମଡ଼ା ନିଗମରେ ତାଲା: ଦୀର୍ଘ ବର୍ଷ ହେବ ପାଉଣା ଅପେକ୍ଷାରେ କର୍ମଚାରୀ

ନନ୍ଦନକାନନ ବ୍ୟାଟେରି ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଦମ୍ପତିଙ୍କୁ ଧକ୍କାଦେଇ ବେଞ୍ଚକୁ ପିଟିଲା, ୬ ପର୍ଯ୍ୟଟକ ଆହତ

ମାଓବାଦୀ କମଳୁ ବେଟିଙ୍କ ଘରବାହୁଡ଼ା, ମୁଣ୍ଡ ଉପରେ ଥିଲା ୫ଲକ୍ଷ ଟଙ୍କାର ପୁରସ୍କାର