୪ ବର୍ଷ ହେଲା ପାଇଖାନା ଘରେ ରହୁଛନ୍ତି ଭିନ୍ନକ୍ଷମ ପୁଅ ଓ ବୃଦ୍ଧା ମା: ଘର ନିର୍ମାଣର ପ୍ରତିଶୃତି ଦେଇ ଭୁଲି ଗଲେ ସରକାର

ଚୌଦ୍ୱାର ୧୪/୧: ସରକାର ଅସହାୟ ଲୋକଙ୍କୁ ସହାୟତା ପ୍ରଦାନ ପାଇଁ ବିଭିନ୍ନ ଜନକଲ୍ୟାଣ ଯୋଜନା କରୁଛନ୍ତି । କିନ୍ତୁ ସରକାରଙ୍କ ଏହି ଯୋଜନା ବେଳେବେଳେ ଅସହାୟ ଲୋକଙ୍କ ପାଇଁ ଅପହଞ୍ଚ ହୋଇଯାଇଛି । କଟକ ଜିଲ୍ଲା ଆଠଗଡ ବ୍ଲକ ଅନ୍ତର୍ଗତ ଓରନ୍ଦା ପଞ୍ଚାୟତର ବାଳି (ଧର୍ମପୁର) ଗ୍ରାମରେ ଏହାର ଉଦାହରଣ ଦେଖିବାକୁ ମିଳିଛି । ଘର ନଥିବାରୁ ଏକ ପାଇଖାନା ଘରେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କ ଜୀବନ ବିତୁଛି ।

ଧର୍ମପୁର ଗ୍ରାମର ସୁକୃତି ମଙ୍ଗୁଆଳ(୭୫) ଓ ମାନସିକ ଭିନ୍ନକ୍ଷମ ପୁଅ ଜାକୁବ ମଙ୍ଗୁଆଳ(୪୦) ପାଇଖାନା ଘରେ ଜୀବନ ବିତାଉଛନ୍ତି । ଜମିବାଡି ବୋଲି କିଛି ନାହିଁ । ଯାହା ଅଛି ଘର ଢିହ ଖଣ୍ଡେ । ସେହି ଢିହରେ ୨ବଖରା ଛାଳ ଘରେ ସେମାନେ ରହୁଥିଲେ । ହେଲେ ୨୦୧୬ ମସିହା ଡିସେମ୍ୱର ୩ ତାରିଖରେ ରାତିରେ କୌଣସି କାରଣରୁ ନିଆଁ ଲାଗି ଘର ଜଳିପୋଡି ପାଉଁଶ ହୋଇଗଲା । ସେହିଦିନଠାରୁ ବେସାହାରା ହୋଇଗଲେ ମା’ ପୁଅ । ଆଠଗଡ ତହସିଲ ପକ୍ଷରୁ ନିଧିପୁର ଆର୍‌ଆଇ ଆସି ତଦନ୍ତ କଲେ । ତଦନ୍ତ କରି ପ୍ରଶାସନ ୩୨ଶହ ଟଙ୍କା ସହ ଜରିପାଲ ଖଣ୍ଡେ ଦେଇ କାମ ସାରିଦଲେ । ୧୫ ଦିନ ମଧ୍ୟରେ ଘର ନିର୍ମାଣ ପାଇଁ ସରକାରୀ ସହାୟତା ଦିଆଯିବ ବୋଲି କର୍ତ୍ତୃପକ୍ଷ କହିଲେ ମଧ୍ୟ କାହାର ଦେଖାମିଳିଲା ନାହିଁ । ସେହିଦିନଠାରୁ ନିଜେ କରିଥିବା ଏକ ଛୋଟ ପାଇଖାନା ଘରେ ମା ସୁକୃତି ନିଜ ମାନସିକ ଭିନ୍ନକ୍ଷମ ପୁଅକୁ ନେଇ ରହୁଛନ୍ତି । ନିର୍ବାଚନବେଳେ ନେତାମାନେ ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ପରେ କିଛି ସୁଫଳ ମିଳୁନାହିଁ। ସରକାରୀ ସହାୟତା କହିଲେ ମାସକୁ ମିଳୁଛି ୫ଶହ ଟଙ୍କା ଭତ୍ତା ଓ ୨ଜଣଙ୍କର ୧୦ କେଜି ଚାଉଳ । ସେଇଥିରେ ଦୁଇ ଜଣ ଚଳିବା କଷ୍ଟକର ହୋଇ ପଡୁଛି । ପାଗଳ ପୁଅ କେତେବେଳେ କୁଆଡେ ଯାଉଛି ଠିକ୍‌ ନାହିଁ । ତେଣୁ ଘର କେମିତି କରିବି ବୋଲି ଲୁହ ପୋଛି କହନ୍ତି ସୁକୃତି ।

ପାଇଖାନା ଘର ଆଗରେ ଏକ ଉଠା ଚୁଲିରେ ୭୫ ବର୍ଷ ବୟସରେ ପୁଅ ଓ ନିଜ ପାଇଁ ରୋଷେଇ କରୁଛନ୍ତି । ଉପରେ ଚିରା ଫଟା ପାଲ ଟଙ୍ଗା ହୋଇଥିବାବେଳେ ବର୍ଷା ହେଲେ ରୋଷେଇ ମଧ୍ୟ ବନ୍ଦ । ମା’ ପୁଅ ସେହି ପାଇଖାନା ଘରେ ସବୁ ଜିନିଷ ରଖି ଚଳୁଛନ୍ତି । ଅନ୍ୟପକ୍ଷରେ ପ୍ରଶାସନ କଣ ପାଇଁ ଏ ପରିବାର ପାଇଁ ସହାୟତାର ହାତ ବଢାଉ ନାହିଁ ତାହା ଅଞ୍ଚଳବାସସୀଙ୍କୁ ଆଶ୍ଚର୍ଯ୍ୟ କରିଛି । ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ପ୍ରଶାସନ ନିକଟରେ ଦାବି ହେଉଛି ।

   ସମ୍ବନ୍ଧିତ ଖବର


ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଦ୍ମବେଶ

ଆଜି ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ନର୍ସ ନିହାରିକା ହତ୍ୟାକାଣ୍ଡ ମାମଲା: ୧୩୦ ପୃଷ୍ଠା ସମ୍ବଳିତ ଚୂଡ଼ାନ୍ତ ଚାର୍ଜସିଟ୍‌ ଦାଖଲ

ପନିକିରେ ସ୍ତ୍ରୀର ତଣ୍ଟି କାଟି ହତ୍ୟା କଲା ସ୍ବାମୀ