ଟୋକିଓ ଅଲିମ୍ପିକ୍ସକୁ କରୋନା ଝଟକା: ୨୦୨୧ରେ ଆୟୋଜିତ ନହେଲେ ସଂପୂର୍ଣ୍ଣ ​ବାତିଲ

ବ୍ରୁସେଲ ୮/୦୬: କରୋନା ବା କୋଭିଡ୍‌-୧୯ କ୍ରୀଡ଼ାବିତ, କ୍ରୀଡ଼ା ଆୟୋଜକ, ପ୍ରାୟୋଜକ ଏବଂ କ୍ରୀଡ଼ା ସହ ସଂଶ୍ଳିଷ୍ଟ ସମସ୍ତଙ୍କର ହସ ଛଡ଼େଇ ନେଇଛି । ସାରା ବିଶ୍ୱରେ ସଂକ୍ରମଣ ହୁଁ ହୁଁ ହୋଇ ବଢ଼ିବାରୁ ଟୋକିଓ ଅଲିମ୍ପିକ୍ସକୁ ଗତ ମାର୍ଚ୍ଚ ମାସରେ ବର୍ଷକ ପାଇଁ ଘୁଞ୍ଚାଇ ଦିଆଯାଇ ଥିଲା । ଅଲିମ୍ପିକ୍ସ ଚଳିତ ମାସ ୨୪ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଚାଲିବାର ପୂର୍ବ କ୍ରୀଡ଼ାସୂଚୀ ରହିଥିଲା ।

ସାରା ବିଶ୍ୱରେ ଏବେ କରୋନାର କରାଳ ଚିତ୍ର ଦେଖିବାକୁ ମିଳୁଛି । ପ୍ରତିଷେଧକ ଟିକା ଓ ଉପଯୁକ୍ତ ଚିକିତ୍ସା ନବାହାରିବା ଯାଏ କରୋନା ନିୟନ୍ତ୍ରଣ ହେବା କଷ୍ଟକର । କିନ୍ତୁ ଟିକା ଏ ପର୍ଯ୍ୟନ୍ତ ବାହାରି ପାରି ନାହିଁ । ତେଣୁ ଆସନ୍ତା ବର୍ଷ ଅଲିମ୍ପିକ୍ସ ଆୟୋଜିତ ହୋଇ ପାରିବ କି ନାହିଁ ସେ ନେଇ ସନ୍ଦେହ ଉପଜିଲାଣି । ଯଦି ୨୦୨୧ ଟୋକିଓ ଅଲିମ୍ପିକ୍ସ ଆୟୋଜିତ ନହୁଏ ତେବେ ଆଉ କେବେ ସମ୍ଭବ ନୁହଁ ବୋଲି କହିଛନ୍ତି ଅଲିମ୍ପିକ୍ସ ଆୟୋଜନ କମିଟିର ଜଣେ ବରିଷ୍ଠ ଅଧିକାରୀ ପିଅର ଓଲିଭର ବେକର୍ସ ।

ପୂର୍ବରୁ ଆଇଓସି ଅଧ୍ୟକ୍ଷ ଥୋମାସ ବାକ୍‌ ମଧ୍ୟ ଏହି ବିଷୟରେ ସୂଚନା ଦେଇଥିଲେ । ସେ କହିଥିଲେ, ୨୦୨୧ରେ ଯଦି ଟୋକିଓ ଅଲିମ୍ପିକ୍ସ ଆୟୋଜିତ ହୋଇ ନପାରିଲା ତେବେ ଆଉ ଘୁଞ୍ଚା ନଯାଇ ସଂସ୍କରଣକୁ ସଂପୂର୍ଣ୍ଣ ବାତିଲ କରିବାକୁ ହେବ ।’ ମାତ୍ର ଯଦି ଏମିତି ହୁଏତ ଆୟୋଜକ ଜାପାନ ସରକାର ବହୁ କ୍ଷତିର ସମ୍ମୁଖୀନ ହେବେ । କ୍ଷତିର ଭରଣା କରିବ କିଏ? ତେଣୁ ଜାପାନ ସରକାର ଅଲିମ୍ପିକ୍ସ ବାତିଲ ହେବା ସପକ୍ଷରେ ନାହାନ୍ତି ।

ଏବେ ବେକର୍ସ ପୁଣି ସାଧାସଳଖ ନହେଲେ ବି ପରୋକ୍ଷରେ ବାକ୍‌ଙ୍କ ମନ୍ତବ୍ୟକୁ ଦୋହରାଇଛନ୍ତି । ସେ କହିଛନ୍ତି, ଆମେ ପୂରା ଆଶାବାଦୀ ଯେ ୨୦୨୧ ନିର୍ଦ୍ଧାରିତ କ୍ରୀଡ଼ାସୂଚୀରେ ଅଲିମ୍ପିକ୍ସ ଆୟୋଜିତ ହେବ । ସେଥିପାଇଁ ପ୍ରସ୍ତୁତି ଚାଲିଛି । କୋଭିଡ୍‌ ୧୯ ଯୋଗୁ ଅଲିମ୍ପିକ୍ସକୁ ଘୁଞ୍ଚାଇ ଦିଆଯାଇଛି । ଯାହାକୁ ସାରା ବିଶ୍ୱର କ୍ରୀଡ଼ା ସଂଘ ସ୍ୱୀକାର କରିଛନ୍ତି । କିନ୍ତୁ ଦ୍ୱିତୀୟ ଥର ଆମେ ପୁଣି ଏଭଳି ନିଷ୍ପତ୍ତି ନେଇ ପାରିବୁ ନାହିଁ । କାରଣ ଏହା ଦ୍ୱାରା ସାରା ବିଶ୍ୱର କ୍ରୀଡ଼ାସୂଚୀ ପ୍ରଭାବିତ ହେବ । ଯଦି ପରିସ୍ଥିତିରେ ସୁଧାର ନ ଆସେ ତେବେ ଆମେ ଆସନ୍ତା ବର୍ଷ ମାର୍ଚ୍ଚ/ଏପ୍ରିଲ ସମୟକୁ ଟୋକିଓ ଅଲିମ୍ପିକ୍ସ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବୁ ।’

ବେକର୍ସ ୨୦୨୪ ଅଲିମ୍ପିକ୍ସର ପରିଚାଳନା କମିଶନର ରହିଛନ୍ତି । ସେ କହିଛନ୍ତି, ପ୍ୟାରିସ ଅଲିମ୍ପିକ୍ସ ପୂର୍ବ ସଂସ୍କରଣଠୁ ସଂପୂର୍ଣ୍ଣ ଭିନ୍ନ ରହିବ । ଏହି ସଂସ୍କରଣ ପାଇଁ ବହୁ କମ୍‌ ବଜେଟ୍‌ ରହିଛି । ୩ ବିଲିୟନ ୟୁରୋ ଅର୍ଥ ଭିତ୍ତିଭୂମି ନିର୍ମାଣ ପାଇଁ ବଜେଟ୍‌ ଅଟକଳ ହୋଇଛି ।’ ଟୋକିଓ ଅଲିମ୍ପିକ୍ସକୁ ଏ ବର୍ଷ ଘୁଞ୍ଚାଇ ଦିଆଯିବା ପରେ ଆସନ୍ତା ବର୍ଷ ଜୁଲାଇ ୨୩ ତାରିଖରୁ କ୍ରୀଡ଼ା ଆରମ୍ଭ ହୋଇ ଅଗଷ୍ଟ ୮ ତାରିଖରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି ।

   ସମ୍ବନ୍ଧିତ ଖବର


IPL ମ୍ୟାଚ୍‌ ପାଇଁ ପାଗଳ ହେଉଥିଲେ ଏହି ବୋଲର , ଟିମ୍‌ ଇଣ୍ଡିଆରେ ଚୟନ ପରେ ପରିବାରରେ ଖୁସିର ଜୁଆର

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରୋନା ପଜିଟିଭ୍

ବିହାରର ସେହି ଦିନକୁ ମନେପକାଅ, ଯେତେବେଳେ ଡ଼ରୁଥିଲେ ମାଆମାନେ : ସ୍ମୃତି ଇରାନୀ

କରୋନା ସଂକ୍ରମଣର ଆତଙ୍କ ଭିତରେ ଆସିଲା ଭଲ ଖବର —ଅଧ୍ୟୟନରୁ ସ୍ପଷ୍ଟ ହେଲା ଏହି ତଥ୍ୟ

କରୋନା ଭାକ୍‌ସିନ୍‌ କେବେ ଉପଲବ୍ଧ ହେବ ? ସିରମ ଇନଷ୍ଟିଚ୍ୟୁଟ୍‌ର ସିଇଓ କହିଲେ ….

ଜାଣନ୍ତୁ ଆମ ଦେଶର କେଉଁ ରାଜ୍ୟର ମହିଳା ମଦ୍ୟପାନ ଏବଂ କେଉଁ ରାଜ୍ୟରେ ତମାଖୁ ସେବନରେ ଆଗୁଆ