ଆସନ୍ତା ୨୧ରୁ ତୋଷାଳି ମେଳା: ଏଥର ୪୫୦ ବଦଳରେ ୨୫୦ ଷ୍ଟଲ୍‌, ପଡ଼ିବନି ଖାଦ୍ୟ ଷ୍ଟଲ୍‌

ଭୁବନେଶ୍ୱର,୧୪/୦୧: ଶେଷରେ ହେବାକୁ ଯାଉଛି ପଞ୍ଚଦଶ ତୋଷାଳି ମେଳା-୨୦୨୧ । ଆସନ୍ତା ୨୧ରୁ ଫେବ୍ରୁଆରୀ ୫ ପର୍ଯ୍ୟନ୍ତ ୧୫ ଦିନ ଧରି ଏହା ଜନତା ମଇଦାନରେ ଚାଲିବ । କିଣାବିକା ସାଙ୍ଗକୁ ଦୀର୍ଘ ୧୦ ମାସ ପରେ ଶିଳ୍ପୀମାନଙ୍କୁ ବଜାର ସୁବିଧା ଯୋଗାଇ ଦେବାକୁ ଆୟୋଜିତ ହେଉଛି ଏହି ମେଳା । ଏନେଇ ବୁଧବାର ଦିନ ଲୋକସେବା ଭବନ ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ଆନ୍ତଃବିଭାଗୀୟ ସମନ୍ୱୟ ବୈଠକ ବସିଥିଲା । ଏଥିରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଅଧ୍ୟକ୍ଷତା କରିଥିଲେ ।

ଗତବର୍ଷ ୪୫୦ ଷ୍ଟଲ୍‌ ପଡ଼ିଥିବାବେଳେ ଚଳିତବର୍ଷ କୋଭିଡ୍‌ ନିୟମକୁ ଆଖିରେ ରଖି ଏହି ମେଳାରେ ସମୁଦାୟ ୨୫୦ ଷ୍ଟଲ୍‌ ପଡ଼ିବ । ଏଥିରୁ ଖାଦ୍ୟ ଷ୍ଟଲ୍‌କୁ ବାଦ୍‌ ଦିଆଯାଇଥିବା ଶୁଣିବାକୁ ମିଳୁଛି । କିନ୍ତୁ ପ୍ରତିବର୍ଷ ଏହି ମେଳାରେ ମୁଖ୍ୟ ଆକର୍ଷଣ ରହିଥାଏ ଖାଦ୍ୟ । ଯେଉଁଠି ବହୁ ବଡ଼ ହୋଟେଲ, ରେସ୍ତୋରାଁ, ଓଟିଡିସି ପକ୍ଷରୁ ଭଳିକି ଭଳି ଖାଦ୍ୟ ପରଷା ଯାଇଥାଏ । କୋଭିଡ୍‌ କଟକଣା ଭିତରେ ସବୁ ବ୍ୟବସ୍ଥା ହେଉଥିବାରୁ ଜନସାଧାରଣଙ୍କ ସୁରକ୍ଷା ପାଇଁ ଏଭଳି କିଛି ନିଷ୍ପତ୍ତି ନିଆଯାଇଥିବା ଶୁଣିବାକୁ ମିଳୁଛି । ମେଳାରେ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଆବଶ୍ୟକ ପୁଲିସ୍‌ ମୁତୟନ, ଯଥେଷ୍ଟ ଟ୍ରାଫିକ୍‌ ବ୍ୟବସ୍ଥା, ଦିନରାତି ଦୁଇ ୟୁନିଟ୍‌ ଅଗ୍ନିଶମ ଦଳ ମୁତୟନ, ବିଦ୍ୟୁତ୍‌ ଯୋଗାଣ, ପିଇବା ପାଣି, ଫାଷ୍ଟଏଡ୍‌ ବ୍ୟବସ୍ଥା, ମେଳା ପରିସର ସ୍ୱଚ୍ଛତା, ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଗଣମାଧ୍ୟମରେ ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ ବୈଠକରେ ଆଲୋଚନା ହୋଇଥିଲା ।

ବୈଠକ ଆରମ୍ଭରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଶାସନ ସଚିବ ଶୁଭା ଶର୍ମା ପଞ୍ଚଦଶ ତୋଷାଳି ମେଳା ସମସ୍ତ ସହଯୋଗୀ ବିଭାଗର ମିଳିତ ଉଦ୍ୟମରେ ସଫଳ ହୋଇପାରିବ ବୋଲି କହିଥିଲେ । ଏହି ଜାତୀୟସ୍ତରୀୟ ମେଳା ଆୟୋଜନ ଦ୍ୱାରା ବୁଣାକାର ଓ ଶିଳ୍ପୀମାନଙ୍କ ଉତ୍ପାଦ ବିକ୍ରି ନିମନ୍ତେ ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ସେ କହିଥିଲେ ।

ବୈଠକରେ ଅତିରିକ୍ତ କମିଶନର ଅଫ୍‌ ପୁଲିସ୍‌ ରେଖା ଲୋହାନୀ, ବିଏମ୍‌ସି କମିଶନର ପ୍ରେମଚାନ୍ଦ ଚୌଧୁରୀ, ରାଜ୍ୟ ଫାୟାର ଅଫିସର୍‌, ଓଡ଼ିଶା ସେଣ୍ଟ୍ରାଲ୍‌ ଡିଷ୍ଟ୍ରିବ୍ୟୁସନ୍‌ ଲିମିଟେଡ୍‌ର ମୁଖ୍ୟ, ପିଏଚ୍‌ଇଡି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଭିନ୍ନକ୍ଷମ ସଶକ୍ତିକରଣ ନିର୍ଦ୍ଦେଶକ, ହସ୍ତଶିଳ୍ପ ନିର୍ଦ୍ଦେଶକ, ପର୍ଯ୍ୟଟନ ବିଭାଗ ଯୁଗ୍ମ ସଚିବ, ସୂଚନା ଓ ଲୋକସମ୍ପର୍କ ବିଭାଗ ପଦାଧିକାରୀ ଉପସ୍ଥିତ ରହି ମେଳା ସୁପରିଚାଳନା ନିମନ୍ତେ ମତାମତ ରଖିଥିଲେ । ହସ୍ତଶିଳ୍ପ ଓ ହସ୍ତତନ୍ତ ବିଭାଗ ଅତିରିକ୍ତ ଶାସନ ସଚିବ ତଥା ସିଡାକ୍‌ର ସଭ୍ୟ ସଚିବ କୈଳାସ ଚନ୍ଦ୍ର ସାହୁ ବୈଠକ ପରିଚାଳନା କରିଥିଲେ ।