ଭିନ୍ନ ଜାତିରେ ବାହା ହୋଇଥିଲେ ବୋଲି… ଭାଇ ଶବକୁ ଛୁଇଁଲାନି ଭାଇ, ସ୍ୱେଚ୍ଛାସେବୀ କଲେ ସଂସ୍କାର

ରାଜନଗର,୩୦/୧୧: ପ୍ରେମ ବିବାହ କରି ଅନ୍ୟ ଜାତିର ଝିଅକୁ ବିବାହ କଲେ ବୋଲି ନିଜର ବଡ଼ ଭାଇ ଶବକୁ ବି ଛୁଇଁଲେନି ସାନ ଭାଇ । ଏପରିକି ନିଜ ସମ୍ପର୍କୀୟ ବି ଚାରି କାନ୍ଧ ଦେବାକୁ ଅମଙ୍ଗ ହେଲେ । ଦୀର୍ଘ ସମୟ ମୃତଦେହ ପଡ଼ି ରହିବାରୁ ଗାଁ ଲୋକ ଏବଂ କିଛି ସାମାଜିକ ସଂଗଠନ ସଦସ୍ୟଙ୍କ ସହାୟତାରେ ଶବ ଶତ୍କାର କରାଗଲା । ପ୍ରେମ ବିବାହ କରିବାର ଏଭଳି କରୁଣ ପରିଣତି ଦେଖିବାକୁ ମିଳିଛି ରାଜନଗର ବ୍ଳକ୍‌ କଣ୍ଡିରା ଗ୍ରାମରେ । ମୃତକ ହେଲେ ଅଜୟ ପଲାଇ(୪୫) । ସେ ପୁଣି ବୃତ୍ତିରେ ଜଣେ ଶିକ୍ଷକ । ଏଭଳି ଏକ ହୃଦୟ ବିଦାରକ ଘଟଣା ସ୍ଥାନୀୟ ଅଞ୍ଚଳ ଲୋକଙ୍କ ମଧ୍ୟରେ ଗଭୀର ରେଖାପାତ କରିଛି ।

 କଣ୍ଡିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଅଜୟ ପଲାଇ ଦୀର୍ଘଦିନ ଧରି ରୋଗରେ ପୀଡ଼ିତ ଥିଲେ । ୨୭ ତାରିଖ ରାତିରେ ଭୁବନେଶ୍ୱରଠାରେ ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ ଶିକ୍ଷକଙ୍କ ଶବ ଗାଁରେ ପହଞ୍ଚିଲା ପରେ ଶୋକାକୁଳ ପରିବେଶ ପରିବର୍ତ୍ତେ ଜାତିଭେଦର ଗନ୍ଧ ବାରି ହୋଇପଡ଼ିଥିଲା । ଦୀର୍ଘ ସମୟ ଧରି ମୃତଦେହ ପଡ଼ିରହିବା ପରେ ସ୍ଥାନୀୟ ଅଞ୍ଚଳର ଏକ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ଚାରିକାନ୍ଧ ଦେଇ ମୃତ ଶିକ୍ଷକଙ୍କ ସଂସ୍କାର କରିଥିଲେ । ଜାତିବାଦର ଦ୍ୱାହି ଦେଇ ମୃତ ଶିକ୍ଷକଙ୍କର ସାହି, ବନ୍ଧୁ, ପଡ଼ୋଶୀ ବିପଦ ସମୟରେ ଛିଡ଼ା ନ ହେବା ଘଟଣା ଏକବିଂଶ ଶତାବ୍ଦୀର ମାନବୀୟ ମୂଲ୍ୟବୋଧକୁ କୁଠାରଘାତ କରିଛି ।

ସମୟର ପରିବର୍ତ୍ତନ ସହିତ କେବେଠୁ ଜାତିଭେଦର ଗନ୍ଧ ଏହି ସମାଜରୁ ଦୂର ହୋଇଯାଇଥିବା ବେଳେ କଣ୍ଡିରା ଗାଁରେ ଏକ ଅମାନବୀୟ ଘଟଣା ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇବା ସହିତ ଏହି ଘୃଣ୍ୟ ଭାବନାକୁ ତୀବ୍ର ନିନ୍ଦା କରାଯାଉଛି । କଣ୍ଡିରା ଗାଁର ଏହି ୪୫ ବର୍ଷୀୟ ଅଜୟ ଶିକ୍ଷକତା ସମୟରେ ନିଜ ଗାଁର ଦଳିତ ପରିବାରର ଅନ୍ୟ ଜଣେ ଶିକ୍ଷୟିତ୍ରୀଙ୍କୁ ପ୍ରେମ ବିବାହ କରିଥିଲେ । ଅଜୟଙ୍କ ଔରସରୁ ଗୋଟିଏ ଝିଅ ଏବଂ ୨ଟି ପୁଅ ଅଛନ୍ତି । ଅଜୟଙ୍କ ବିବାହକୁ କିନ୍ତୁ ସାମାଜିକ ସ୍ୱୀକୃତି ଦେଇନଥିଲେ ସାଇ ପଡ଼ିଶା, ବନ୍ଧୁ ବାନ୍ଧବ । ଫଳରେ ସ୍ୱର୍ଗତ ଅଜୟ ଏବଂ ତାଙ୍କ ପତ୍ନୀ ସାମାଜିକ ବାଚ୍ଛନ୍ଦ ଭଳି ଅନ୍ୟତ୍ର ଘରଭଡ଼ା ନେଇ ଜୀବନଯାପନ କରୁଥିଲେ । ମୃତ୍ୟୁ ପରେ ସାଇପଡ଼ିଶାଙ୍କ ଜାତିଆଣ ମନୋଭାବରୁ ମୁକୁଳି ନ ଥିଲେ ଏହି ଦମ୍ପତି ।