ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଉତ୍ତେଜନା : ଦିଲ୍ଲୀରେ ଚାଷୀ-ପୁଲିସ୍ ମୁହାଁମୁହିଁ

ନୂଆଦିଲ୍ଲୀ – ଦିଲ୍ଲୀରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଉତ୍ତେଜନା । ଚାଷୀ-ପୁଲିସ୍ ହେଲେ ମୁହାଁମୁହିଁ । ବ୍ୟାରିକେଡ୍ ଭାଙ୍ଗି ଅନୁମତି ନଥିବା ସ୍ଥାନକୁ ପ୍ରବେଶ ବେଳେ ହେଲା ଧସ୍ତାଧସ୍ତି। ଚାଷୀଙ୍କ ପଥର ମାଡ଼ରେ କିଛି ପୁଲିସ କର୍ମୀ ଆହତ ହୋଇଛନ୍ତି । କିଛି ସ୍ଥାନରେ ଲୁହ ବୁହା ଗ୍ୟାସ୍ ପ୍ରୟୋଗ ହୋଇଛି ।

ସୂଚନା ମୁତବାକ, ମେଟ୍ରୋ ଟ୍ରେନ୍ର ୧୧ଟି ଷ୍ଟେସନ ଗେଟ୍କୁ ବନ୍ଦ କରାଯାଇଛି । ITOରେ ପୁଲିସ୍ ଜିପ୍ ଓ ବସ୍ ଉପରେ ଆକ୍ରମଣ ହୋଇଛି । ପୁଲିସ୍ ଲାଠିଚାର୍ଜ କରିଛି । କଡ଼ା ସୁରକ୍ଷା ଓ ଅନେକ ବ୍ୟବସ୍ଥା କରିବା ପରେ ଦିଲ୍ଲୀ ପୁଲିସ୍ ଚାଷୀଙ୍କୁ ଅନୁମତି ଦେଇଥିଲେ , ହେଲେ ଏହି ଭିତରେ ଖବର ଆସିଛି କି ନୋଏଡା ଠାରେ ଚାଷୀ ଓ ପୁଲିସ୍ ମଧ୍ୟରେ ମୁହାଁମୁହିଁ ହୋଇଛି । ହଜାର ହଜାର ସଂଖ୍ୟାରେ ଚାଷୀ ନିଜାମୁଦ୍ଦିନ ଓ ଅକ୍ଷରଧାମ ଆଡ଼କୁ ଅଗ୍ରସର ହେଉଛନ୍ତି । ବହୁ ସଂଖ୍ୟାରେ ଚାଷୀ ପୁଲିସ୍ ବ୍ୟାରିକେଡ୍ ଭାଙ୍ଗି ଆଗକୁ ମାଡ଼ି ଚାଲିଛନ୍ତି ।

ଉଲ୍ଲେଖନୀୟ ଯେ, ରାଜପଥରେ ହେବାକୁ ଥିବା ଗଣତନ୍ତ୍ର ଦିବସ ପରେଡ ପରେ କୃଷି ଆଇନ୍ ବିରୋଧରେ ଆନ୍ଦୋଳନ କରୁଥିବା କୃଷକ ସଙ୍ଗଠନ ଦିଲ୍ଲୀରେ ଟ୍ରାକ୍ଟର ରାଲି ଆରମ୍ଭ କରିଛନ୍ତି ।

ରବିବାର ଏଥିପାଇଁ ସେମାନେ ଅନୁମତି ନେଇଥଲେ । କିନ୍ତୁ ପରେଡ ପୂର୍ବରୁ ମଙ୍ଗଳବାର ସକାଳେ ହରିଆଣା ଓ ଦିଲ୍ଲୀର ସୀମା ସିଙ୍ଘୁ ବର୍ଡରରେ ପ୍ରଦର୍ଶନ କରୁଥିବା ୫ହଜାରରୁ ଅଧିକ ପ୍ରଦର୍ଶନକାରୀ କୃଷକ ପୁଲିସ୍ର ବ୍ୟାରିକେଡ୍ ଭାଙ୍ଗିଦେଇଛନ୍ତି । ନଭେମ୍ୱରରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନର କେନ୍ଦ୍ର ସିଙ୍ଘୁ ବର୍ଡରକୁ ହିଁ କରାଯାଇଛି ।